ରାଉରକେଲା: ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଏକାଠି ହୋଇଛି ଇଣ୍ଡିଆ ମେଣ୍ଟ । ରାଉରକେଲାଠାରେ ସୁନ୍ଦରଗଡ଼ ଜିଲ୍ଲାର ଇଣ୍ଡିଆ ମେଣ୍ଟର ପ୍ରାର୍ଥୀମାନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ସାଧାରଣ ନିର୍ବାଚନ ରଣନୀତିକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ପ୍ରାର୍ଥୀମାନେ କେଉଁ କେଉଁ ମୁଦ୍ଦା ନେଇ ଭୋଟରଙ୍କ ପାଖରେ ପହଞ୍ଚିବେ ସେନେଇ ମଧ୍ୟ ଆଲୋଚନା କରାଯାଇଛି ।
ବୈଠକରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ ଇଣ୍ଡିଆ ମେଣ୍ଟର ନେତାମାନେ । ଜିଲ୍ଲାରେ ବିଭିନ୍ନ କଳ କାରଖାନା ଥିବାବେଳେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଫଳତା ଏବଂ ଜିଲ୍ଲାର ଉନ୍ନତି ବଦଳରେ ଦୁର୍ନୀତି କରାଯାଉଥିବା ଅଭିଯୋଗ ଆଣିଥିଲେ ନେତାମାନେ । ଆଉମଧ୍ୟ ସରକାରଙ୍କ ଅପାରଗତାକୁ ଲୋକମାନଙ୍କୁ ଜଣାଯିବ ବୋଲି କହିଛନ୍ତି କଂଗ୍ରେସ ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ଗୋପାଳ ଦାସ ।
ଏହାଛଡା ଜିଲ୍ଲାରେ ଶ୍ରମିକମାନଙ୍କ ସ୍ୱାର୍ଥ ରଖିବାରେ ଏବଂ ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସେବାରେ ସୁଧାର ଆଣିବାରେ ମଧ୍ୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ ଆଣିଛି ଇଣ୍ଡିଆ ମେଣ୍ଟ । ମେଣ୍ଟ ପକ୍ଷରୁ ଆଉମଧ୍ୟ କୁହାଯାଇଛି "ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଏବଂ ସାମୁହିକ ଉନ୍ନତି କରିବାରେ ଅସଫଳ ହୋଇଛନ୍ତି । କେନ୍ଦ୍ର ସରକାର ମଧ୍ୟ ଜିଲ୍ଲାରେ ବା ଦେଶରେ ଲୋକଙ୍କୁ ଏବଂ ଶ୍ରମିକଙ୍କୁ କେବଳ ଶୋଷଣ କରିଛି ଏବଂ ଲୋକଙ୍କ ପାଇଁ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନାହିଁ । କେନ୍ଦ୍ର ସରକାର କେବଳ ଦୁର୍ନୀତି ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ାଇ ଲୋକଙ୍କୁ ହଇରାଣ କରିବା ଛଡା ଆଉ କିଛି କରିନାହିଁ ।"
ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ଇଣ୍ଡିଆ ମେଣ୍ଟରେ କଂଗ୍ରେସ, ସିପିଆଇଏମ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ରହିଛନ୍ତି । ତେବେ ଆଗାମୀ ଦିନରେ ମଧ୍ୟ ଏହି ଇଣ୍ଡିଆ ମେଣ୍ଟକୁ କିଭଳି ସୁଦୃଢ଼ କରାଯିବ ଏବଂ ଜିଲ୍ଲାରେ ବିଜୟୀ କରାଯିବ ସେନେଇ ସମସ୍ତ ରଣନୀତି ପ୍ରସ୍ତୁତ ହେବ ବୋଲି କହିଛନ୍ତି ଇଣ୍ଡିଆ ମେଣ୍ଟର ନେତା ।
ରାଉରକେଲାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ଇଣ୍ଡିଆ ମେଣ୍ଟର ଦୁଇ ବିଧାୟକ ସିପିଆଇଏମର ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ରାଜଗାଙ୍ଗପୁର କଂଗ୍ରେସ ବିଧାୟକ ରାଜନ ଏକ୍କା ଯୋଗ ଦେଇଥିଲେ । ସେହିଭଳି ରାଉରକେଲା କଂଗ୍ରେସ ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକ ଏବଂ ରଘୁନାଥପାଲ୍ଲୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଗୋପାଳ ଦାସ ଏବଂ ସୁନ୍ଦରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ପ୍ରମୁଖ ଏହି ବୈଠକରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ରାଉରକେଲା