ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନ ଫଳାଫଳ ସାରା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । 24 ବର୍ଷର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦୟନୀୟ ସ୍ଥିତିରେ ହାରିବା ଖାଲି ବିଜେଡିରେ ଏକ ଅଦିନିଆ ଝଡ଼ ସୃଷ୍ଟି କରିନାହିଁ ବରଂ ଓଡ଼ିଆର ଅସ୍ମିତାକୁ କୁଠାର ଘାତ କରୁଥିବା ବିଜେଡି ନେତା ପାଣ୍ଡିଆନଙ୍କର ଏକଛତ୍ର ବାଦ ନୀତି ବିରୋଧରେ ଲାଗିଛି ଶକ୍ତ ଧକ୍କା । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ହାଇ ପ୍ରୋଫାଇଲ,ବରିଷ୍ଠ ନେତାମାନେ ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତିରେ ହାରିଛନ୍ତି । ତିନି ପ୍ରମୁଖ ଦଳର ସଭାପତି ମଧ୍ୟ ହାରି ଯାଇଛନ୍ତି । ଏଭଳି ଜନାଦେଶ ଇତିହାସ ହୋଇ ରହିଯିବ ଯେମିତି ।
ଦୀର୍ଘ ବର୍ଷ ଧରି ଅପ୍ରତିଦ୍ବନ୍ଦ୍ବୀ ଭାବେ ରହି ଆସିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁରୁ କମ୍ ଭୋଟ ବ୍ୟବଧାନରେ ଜିତିଛନ୍ତି ସତ କିନ୍ତୁ କଣ୍ଟାବାଞ୍ଜିରୁ 16 ହଜାର ଭୋଟରେ ହାରିଯାଇଛନ୍ତି । ସେହିପରି ଚଳିତ ନିର୍ବାଚନରେ ନିଜ ସପକ୍ଷରେ ଜନମତ ହାତେଇ ଥିବା ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖିଆ ମନମୋହନ ସାମଲ କିନ୍ତୁ ଚାନ୍ଦବାଲିବାସୀଙ୍କ ସମର୍ଥନ ପାଇବାରେ ବିଜେଡି ଠାରୁ ପଛରେ ପଡି ଯାଇଛନ୍ତି । ସେ ବିଜେଡିର ବ୍ୟୋମକେଶ ରାୟଙ୍କ ଠାରୁ ପ୍ରାୟ 2 ହଜାର ଭୋଟ ବ୍ୟବଧାନରେ ହାରିିଛନ୍ତି ।
ସେପଟେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମଧ୍ୟ ନୂଆପଡାରେ ତୃତୀୟ ସ୍ଥାନରେ ରହିଲେ । ଖାଲି ସେତିକି ନୁହେଁ ବିଧାନସଭା ନିର୍ବାଚନରେ ନବୀନଙ୍କ ମନ୍ତ୍ରୀମଣ୍ଡଳର ୧୧ ଜଣ ମନ୍ତ୍ରୀ ଶୋଚନୀୟ ପରାଜୟର ସ୍ୱାଦ ଚାଖିଲେ । ଏଭଳି ସୁନାମି କେବେ ରାଜ୍ୟ ରାଜନୀତିରେ ଆଗରୁ ହେବାର ନଜିର ମଧ୍ୟ ନାହିଁ । ବିଷମ କଟକରେ ମନ୍ତ୍ରୀ ଜଗନ୍ନାଥ ସାରକା କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ହାରିଥିବା ବେଳେ ଆଉ ୧୦ ଜଣ ମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜୟ ବରଣ କରିଛନ୍ତି । ତେବେ ଆଜି ବିଜେଡିର ଏଭଳି ଦାୟୀ ପାଇଁ ପାଣ୍ଡିଆନ ଦାୟୀ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।
ଆସନ୍ତୁ ନଜର ପକାଇବା କେଉଁ କେଉଁ ବରିଷ୍ଠ ନେତା ତଥା ମନ୍ତ୍ରୀମାନେ ହାରିଛନ୍ତି...
ଏକଦା ନବୀନ କ୍ୟାବିନେଟର ହାଇ ପ୍ରୋଫାଇଲ ମନ୍ତ୍ରୀ ହେଉଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ,ପୂର୍ତ୍ତ ,ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ବିଜ୍ଞାନ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା, ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ । ସୁଦାମ ମାରାଣ୍ଡି ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଅନ୍ୟ ମନ୍ତ୍ରୀମାନେ ବିଧାନସଭାରୁ ଲଢୁଥିଲେ । କଂଗ୍ରେସ ଦଳ 2019 ଅପେକ୍ଷା ଭଲ ପ୍ରଦର୍ଶନ କରିଛି । ଦୁଇ ଅଙ୍କରେ ପହଞ୍ଚିଛି କଂଗ୍ରେସ । ଶାସକ ବିଜେଡିକୁ ଗୋଟିଏ ବି ଲୋକସଭା ସିଟ୍ ଜିତି ନଥିବା ବେଳେ କଂଗ୍ରେସ ଦେଢ଼ ଲକ୍ଷ ଭୋଟରେ କୋରାପୁଟରେ ଜିତିଛନ୍ତି ସପ୍ତଗିରି ଉଲକା ।
ଦୀର୍ଘ 20 ବର୍ଷ ପରେ ଦଳ ଏକଜୁଟ ହୋଇ ଲଢ଼ିଥିଲେ । ବିଜେଡିର 12 ଜଣ ମନ୍ତ୍ରୀ ହାରି ଯାଇଛନ୍ତି । ବିଜେଡିର ଏହି ଭେଟେରାନ ନେତା ହାରିବା ପଛରେ କାରଣ କଣ ପ୍ରଶ୍ନର ଉତ୍ତରରେ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାଶ କହିଛନ୍ତି ଯେ, ଏ ସମୟର ସବୁଠୁ ବଡ଼ ବିତର୍କ,ବିଜେଡି ନେତା ପାଣ୍ଡିଆନଙ୍କୁ ବିରୋଧ କରି ବିଜେପିକୁ ଲୋକେ ସମର୍ଥନ ଦେଲେ ନା ମୋଦିଙ୍କ ଲୋକପ୍ରିୟ ତା ପାଇଁ ବିଜେପି ଏହି ତୁଙ୍ଗ ନେତାଙ୍କୁ ହରେଇଲେ । ଯେଉଁଭଳି ସୁନାମି ହେଲା ଆଉ ତା ମଧ୍ୟରୁ ଯେଉଁମାନେ ବିଜେଡିର ଜିତିଛନ୍ତି ସେମାନେ ନିଜସ୍ୱ ପରିଚୟ ଆଉ ଶକ୍ତି ବଳରେ ଜିତିଛନ୍ତି । ବିଜେଡି ଦଳ ପାଇଁ ଯେଉଁ ବିପର୍ଯ୍ୟୟ ସୃଷ୍ଟି ହେଲା ତା ପାଇଁ ଏ ମନ୍ତ୍ରୀମାନେ ଦାୟୀ ,ତେଣୁ ସେ ମନ୍ତ୍ରୀମାନେ ଦୁର୍ଦଶା ଭୋଗିବାକୁ ବାଧ୍ୟ । ବିଜେଡ଼ି ପାଇଁ ବାତ୍ୟାର କାରଣ ହେଲା ଏ ମନ୍ତ୍ରୀମାନେ ନିଜେ । ପାଣ୍ଡିଆନ ତ ମୁଖ୍ୟ ନାୟକ,ଯେଉଁମାନେ ପାଣ୍ଡିଆନଙ୍କ ବିଷୟରେ ପ୍ରଶ୍ନ କଲେ ନାହିଁ ସେମାନେ ଭୋଗିଲେ । ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେଲା ଯେଉଁମାନେ ମନ୍ତ୍ରୀମାନଙ୍କୁ ହରାଇଛନ୍ତି । ସେମାନେ ନୂଆ ଲୋକ ଏବଂ ଅନେକ ନବାଗତ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାକୁ ନେଇ ଓଡ଼ିଆ ଅସ୍ମିତାକୁ ନେଇ ବିଜେଡି ଗଠନ ହୋଇଥିଲା । ହେଲେ ସେ ଅସ୍ମିତା ପାଇଁ ଆଜି ଏ ଅବସ୍ଥା । ଲୋକମାନେ ଅନୁଭବ କଲେ ବିଜେଡି ଦଳ ନବୀନଙ୍କ ପାଇଁ ଚାଲିଛି ,ଆଉ ନବୀନ ଦିନକୁ ଦିନ ଶାରୀରିକ ଭାବେ ଅକ୍ଷମ ହେଉଛନ୍ତି । ଆଉ ତାଙ୍କୁ ଜଣେ ମାତ୍ର ବ୍ୟକ୍ତି ଚଳାଉଛନ୍ତି ସେ ହେଉଛନ୍ତି ପାଣ୍ଡିଆନ । ସେଥିପାଇଁ ଲୋକେ ଏଭଳି କଲେ । ପାଣ୍ଡିଆନ ଏକାକୀ ପ୍ରଚାର କରିବା ଦଳ ପାଇଁ ଘାତକ ସାବ୍ୟସ୍ଥ ହେଲା । ପାଣ୍ଡିଆନ ଜଣେ ଆଇଏସ୍ ଅଧିକାରୀ ସେ ରାଜନିତୀ ଜାଣିନାହାଁନ୍ତି । ଗୋଟିଏ ଅଧିକାରୀ ଗୋଷ୍ଠୀ ବିଜେଡିକୁ ପରିଚାଳନା କଲେ । ଯାହାଫଳରେ ଏଭଳି ପରିଣତି ଭୋଗି ବାକୁ ପଡିଛି । ନବୀନ ମୋଦିଙ୍କ ପ୍ରତି ଅତ୍ୟଧିକ ମମତା ମଧ୍ୟ କାଳ ସାଜିଲା । ନବୀନ-ମୋଦିଙ୍କ ପାଖରେ ସମର୍ପିତ ହେଉଥିଲେ । ତାର ପରିଣାମ ଆଜି ଭୋଗିଲା ।
ଇଟିଭି ଭାରତ, ଭୁବନେଶ୍ବର