ମାଲକାନଗିରି:ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଦେଖିବାକୁ ମିଳିଛି କେନ୍ଦ୍ରମନ୍ତ୍ରୀଙ୍କ ମେଳି । ଭୋଟରଙ୍କ ନିକଟତର ହେବାକୁ ପ୍ରାର୍ଥୀମାନଙ୍କ ସହ ପ୍ରଚାର ମୈଦାନରେ କେନ୍ଦ୍ରୀୟ ସ୍ତରର ହେଭିଓ୍ବେଟଙ୍କୁ ଦେଖିବାକୁ ମିଳୁଛି । ଗୁରୁବାର ମାଲକାନଗିରିରେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର । ଜିଲ୍ଲାର ପୋଟେରୁ ଏବଂ ଏମଭି-୩୦ ଗ୍ରାମରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ମତୁଆ ସଂପ୍ରଦାୟର ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି ।
ଜିଲ୍ଲାରେ ବିଜେପି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦିଙ୍କ ଗ୍ୟାରେଣ୍ଟି ବିଷୟରେ ଉପସ୍ଥିତ ଲୋକମାନଙ୍କୁ କହିଛନ୍ତି । ଆଉ ମଧ୍ୟ ୧୦ ବର୍ଷ ମଧ୍ୟରେ ଦେଶରେ ହୋଇଥିବା ବିକାଶରେ ମୋଦି ସରକାରଙ୍କ ଭୂମିକା ବିଷୟରେ ମତ ରଖିଛନ୍ତି । ତେବେ ରାଜ୍ୟରେ ବିଜେପି ସରକାର ଗଢିଲେ ଜିଲ୍ଲାରେ ରହିଥିବା ବଙ୍ଗୀୟ ସଂପ୍ରଦାୟର ଉନ୍ନତି ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଜେପି କଣ କରୁଛି ଓ ଆଗକୁ କଣ କରିବ ତାହା ଲୋକଙ୍କୁ ଦେଖାଇବ ବୋଲି ଶାନ୍ତନୁ କହିଛନ୍ତି ।
ଅନ୍ୟପଟେ ରାଜ୍ୟ ସରକାରଙ୍କୁ ମଧ୍ୟ କଡା ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ କ୍ଷେତ୍ରରେ ରାଜ୍ୟରେ ଅନେକ ସମସ୍ୟା ରହିଛି । ଭୋଟ ପୂର୍ବରୁ ଔଷଧ ଦେବା ଭଳି କାର୍ଯ୍ୟକୁ ବିକାଶ କୁହାଯିବ ନାହିଁ । ଏହାକୁ ତୁଷ୍ଟିକରଣ ରାଜନୀତି କୁହାଯାଏ । ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଛନ୍ତି । ଆମେ କିନ୍ତୁ ତୁଷ୍ଟିକରଣ ରାଜନୀତି କରିନଥାଉ । ଆମେ ବାସ୍ତବରେ ବିକାଶ କରିବା କଥା ଭାବିଥାଉ ।"
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନିମାଇଁ ପାଲ, ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି, ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ, ମାଣିକ ଚକ୍ରବର୍ତ୍ତୀ, ସଂଜୟ ସରକାର, ଗଙ୍ଗାଧର ସୋଡି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗୁରୁବାର ମାଲକାନଗିରି ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟଠାରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମହା ମିଶ୍ରଣପର୍ବ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି, ବିଧାୟକ ପ୍ରାର୍ଥୀ ନରସିଂହ ମାଡ଼କାମୀ, ସିନେ ନାୟିକା ବିଦୁସ୍ମିତା ମନ୍ତ୍ରୀ, ପୂର୍ବତନ ଜିଲ୍ଲା ସଭାପତି ଅଶୋକ ପରିଡ଼ା, ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ କମଲେଶ ରାୟ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଏହି ମହା ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର ଟାଣୁଆ ନେତା ତଥା ପୂର୍ବତନ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଉଙ୍ଗା ପୋଡ଼ିଆମି ତାଙ୍କର ୩୦୦ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି ।
ଇଟିଭି ଭାରତ, ମାଲାକାନଗିରି