ଭୁବନେଶ୍ବର: ଓଡିଶା ଭୂଇଁରେ ଫୁଟିଲା ପଦ୍ମ । ଧରାଶାୟୀ ହେଲା ଶାସକ ବିଜେଡି । ଅନ୍ତ ଘଟିଛି ଦୀର୍ଘ ୨୪ ବର୍ଷର ନବୀନ ଯୁଗ । ସବୁ ଏକଜିଟ ପୋଲ ଓ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ଓଡିଶାବାସୀ ଦେଇଛନ୍ତି ଏକ ଅଦ୍ଭୂତ ପୂର୍ବ ଜନାଦେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବାର ସ୍ବପ୍ନ ଅଧାରେ ରହିଯାଇଛି । ଓଡିଶାର ବିଧାନସଭାରେ ୧୪୭ ଆସନରୁ ମ୍ୟାଜିକ ଅଙ୍କ ୭୪ରୁ ଅଧିକ ଆସନରେ ସମ୍ପୂର୍ଣ୍ଣ ବହୁମତ ସହ ସରକାର ଗଢୁଥିବା ବିଜେପି ଲୋକସଭାରେ ରଚିଛି ନୂଆ ଇତିହାସ । ୨୧ଟି ଲୋକସଭା ଆସନରୁ ୨୦ଟି ଆସନରେ ଏକ ପାଖିଆ ବିଜୟ ହାସଲ କରି ରାଜନୈତିକ ମହଲରେ ହଟ୍ଟଚମଟ ସୃଷ୍ଟି କରିଛି ।
ଏହା ମଧ୍ୟ ପଢନ୍ତୁ ... ୨୪ ବର୍ଷର ସରକାରର ପତନ; ଅପ୍ରତିଦ୍ବନ୍ଦ୍ବୀ ନବୀନଙ୍କ ଅପ୍ରତ୍ୟାଶିତ ପରାଜୟ, ଓଡ଼ିଶାରେ ଫୁଟିଲା ପଦ୍ମ - Odisha Assembly Results 2024
ଏଥରର ନିର୍ବାଚନରେ ରାଜ୍ୟ ରାଜନୀତିରେ ଅନେକ ହେଭିୱେଟଙ୍କୁ ମାଟି କାମୁଡିବାକୁ ପଡିଛି । ରାଜ୍ୟ କ୍ୟାବିନେଟର ୧୧ ଜଣ ମନ୍ତ୍ରୀ ଓ ଅନେକ ପ୍ରଭାବଶାଳୀ ବିଧାୟକ ମାନଙ୍କୁ ଦେଖିବାକୁ ପଡିଛି ପରାଜୟର ମୁହଁ । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହିଞ୍ଜିଳିରୁ ବିଜୟ ହାସଲ କରିଥିବା ବେଳେ କଣ୍ଟାବାଞ୍ଜିରୁ ପରାଜୟର ସ୍ବାଦ ଚାଖିଛନ୍ତି । ବିଜେପିର କେନ୍ଦ୍ରୀୟ କୋର କମିଟି ଦ୍ବାରା ପ୍ରସ୍ତୁତ ରଣନୀତି, ପ୍ରସଙ୍ଗ ଭିତ୍ତିକ ଇସ୍ତାହାର ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଆଗମନ ଓ କାର୍ଯ୍ୟକ୍ରମ ଦଳ ପାଇଁ ଯୋଗାଇଥିଲା ବିଜୟର ଇନ୍ଧନ । କେନ୍ଦ୍ର ସହ ରାଜ୍ୟ ସ୍ତରୀୟ ନେତୃତ୍ବର ଯୋଗ ସୂତ୍ର ସାଜିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । ପ୍ରାର୍ଥୀତ୍ବ ଘୋଷଣା ଠୁ ଆରମ୍ଭ କରି ମତଦାନ ଦିବସ ଯାଏଁ ନିର୍ବାଚନର ଘମାଘୋଟ ଭିତରେ ଜୟ ପରାଜୟର ଅଙ୍କକଷା ବଢିଚାଲିଥିଲା । ଏତେ ସବୁ ଭିତରେ ରାଜ୍ୟ ବିଜେପିର ମୁଣ୍ଡିଆଳ ତଥା ସଭାପତି ମନମୋହନ ସାମଲ ନିଜର ଚାନ୍ଦବାଲି ବିଧାନସଭା ଆସନରୁ ଅଳ୍ପକେ ପରାଜିତ ହୋଇଛନ୍ତି ।
ବିଜେଡି ପ୍ରାର୍ଥୀ ତଥା ବିଧାୟକ ବ୍ୟୋମକେଶ ରାୟ ତାଙ୍କୁ ୧୯୧୬ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ଭୋଟ ଗଣତି ପ୍ରାରମ୍ଭରୁ ମନମୋହନ ଓ ବ୍ୟୋମକେଶ ମଧ୍ୟରେ ବିଜୟ ଦୌଡ଼ ପାଇଁ ଆଗ ପଛ ଚାଳିଥିଲା । ଶେଷରେ ମନମୋହନ ୮୧୧୪୭ ଖଣ୍ଡ ଭୋଟ ପାଇଥିବା ବେଳେ ବ୍ୟୋମକେଶ ୮୩୦୬୩ ଖଣ୍ଡ ଭୋଟ ପାଇଛନ୍ତି । ଓଡିଶାର ରାଜନୈତିକ ଇତିହାସକୁ ନଜର ପକାଇଲେ ଜଣାଯାଏ ଯେ ବିଜେପି ପାଇଁ ଲକି ଚାର୍ମ ଥିବା ମନମୋହନ ରାଜ୍ୟ ସଭାପତି ଥିବା ବେଳେ ଓଡିଶା ଶାସନ ଗାଦିରେ ବିଜେଡି ସହିତ ମିଳିତ ମେଣ୍ଟରେ କ୍ଷମତାସୀନ ହୋଇଥିଲା । ମନମୋହନ ସାମଲ ୧୯୯୯ ରୁ ୨୦୦୪ ମସିହା ମଧ୍ୟରେ ରାଜ୍ୟ ସଭାପତି ହୋଇଥିଲେ । କିନ୍ତୁ ନିଜ ଦଳ ବିଜେପି ଏଥର ଓଡିଶାରେ ଏକକ ଗରିଷ୍ଠତା ସହିତ ସରକାର ବନାଇବାକୁ ଯାଉଥିବା ବେଳେ ଖୋଦ ନିର୍ବାଚନ ହାରିଯାଇଛନ୍ତି ମନମୋହନ ସାମଲ ।
ଇଟିଭି ଭାରତ, ଭୁବନେଶ୍ବର