ରାଉରକେଲା/ବୀରମିତ୍ରପୁର: ପାଖେଇ ଆସୁଛି 2024 ନିର୍ବାଚନ । ଏବେଠାରୁ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହେଲାଣି ପ୍ରାକ୍ ନିର୍ବାଚନ ପ୍ରସ୍ତୁତି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆରମ୍ଭ ହେଇଗଲାଣି ସୁନ୍ଦରଗଡ଼ ଜିଲ୍ଲାରେ ରାଜନୀତି ସମୀକରଣ ମାପଚୁପ ଏବଂ ଅଙ୍କ କଷା । ତେବେ ଜିଲ୍ଲାର ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ରାଜନୀତି ଏବେ ସରଗରମ । ସମସ୍ତ ଦଳ ଏଠାରେ ନିଜର ସ୍ଥିତି ଜାହିର କରିବା ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଲେଣି । ସବୁଠାରୁ ବଡ଼କଥା ହେଉଛି ଏଠାରେ ପ୍ରଥମ ଥର ବିଜେପିରୁ ଜିତିଥିବା ବିଧାୟକଙ୍କ ବିରୋଧୀ ହାୱା ବହିବାରେ ଲାଗିଛି ଏବଂ ପରିବର୍ତ୍ତନ ପାଇଁ ଉଠୁଛି ସ୍ବର । 24 ବର୍ଷ ହେବ ଏଠାରେ ଥରେ ହେଲେ ଜିତିପାରିନଥିବା ବିଜେଡି ଏଥର ବିଧାୟକ ବିରୋଧୀ ହାୱାର ଫାଇଦା ଉଠାଇବ ବୋଲି ପ୍ରସ୍ତୁତ ହେଉଥିବା ବେଳେ କଂଗ୍ରେସ ମଧ୍ୟ ବିଜୟ ନେଇ ଆଶାବାଦୀ ରହିଛି ।
ଥରେ ବି ବାଜିନି ଶଙ୍ଖ: ଝାଡ଼ଖଣ୍ଡ ରାଜ୍ୟ ସହ ସୀମା ଭାଗ କରୁଥିବା ଏହି ନିର୍ବାଚନ ମଣ୍ଡଳୀ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ଆସନ ମଧ୍ୟ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ନିର୍ବାଚନ ମଣ୍ଡଳୀଟି ବୀରମିତ୍ରପୁର, କୁଆରମୁଣ୍ଡା, ନୂଆଗାଁ ଏବଂ ବିଶ୍ରା ଭଳି 4ଟି ବ୍ଲକକୁ ନେଇ ଗଠିତ । 1974 ମସିହାରେ ଗଠନ ହୋଇଛି ଏହି ନିର୍ବାଚନ ମଣ୍ଡଳୀ । ପ୍ରଥମେ ଜଣେ ସ୍ବାଧୀନ ପ୍ରାର୍ଥୀ ଖ୍ରୀଷ୍ଟଦାସ ଲୁଗୁନ ବିଜୟୀ ହୋଇଥିଲେ । ସବୁଠାରୁ ବଡ଼କଥା ହେଉଛି ଏହି ନିର୍ବାଚନ ମଣ୍ଡଳୀରେ ଆଜି ଯାଏଁ ଥରେ ବି ଶଙ୍ଖ ବାଜି ପାରି ନାହିଁ । କିନ୍ତୁ JMM (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ଏଠାରେ ନିଜ ପତିଆରା ଦେଖାଇବାରେ ସଫଳ ହୋଇଛି । ଏଠାରେ କଂଗ୍ରେସ ଦୁଇ ଥର 1980 ଏବଂ 1985ରେ ବିଜୟ ଲାଭ କରିଥିଲା । ଏହାପରେ ଜନତା ଦଳ କେବଳ ଥରେ 1990ରେ ଜିତିଥିବାବେଳେ 1995, 2000 ଓ 2004ରେ କ୍ରମାଗତ ଭାବେ JMM ଏଠାରେ ବିଜୟୀ ହୋଇଥିଲା । 2009ରେ ସ୍ବାଧୀନ ଏବଂ 2014ରେ ସମତା କ୍ରାନ୍ତି ଦଳ ଏଠାରେ ବିଜୟୀ ହୋଇଛି । 2019ରେ ପ୍ରଥମ କରି ବିଜେପି ଦଳ ଏଠାରେ ବିଜୟୀ ହୋଇଛି ।
2019 ନିର୍ବାଚନ: ଗତ 2019 ନିର୍ବାଚନରେ ଏଠାରେ ପ୍ରଥମ କରି ବିଜେପି ପ୍ରାର୍ଥୀ ଭାବେ ଶଙ୍କର ଓରାମ ବିଜୟୀ ହୋଇଥିଲେ । ଏହି ନିର୍ବାଚନରେ ଯଦିଓ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇଥିଲା, ବିଜେପି କିନ୍ତୁ ଅନ୍ୟ ଦୁଇ ଦଳଠାରୁ ବହୁ ଆଗରେ ରହିଥିଲା । 60 ହଜାର 937 ଭୋଟ ପାଇ ପ୍ରଥମ ଥର ପାଇଁ ବୀରମିତ୍ରପୁରରେ ପଦ୍ମ ଫୁଟାଇବାରେ ସପଳ ହୋଇଥିଲେ ଶଙ୍କର ଓରାମ । ଦ୍ବିତୀୟ ସ୍ଥାନ ପାଇଁ ବିଜେଡିର ମଖଲୁ ଏକ୍କା ଏବଂ କଂଗ୍ରେସର ରୋହିତ ଜୋଶେଫ ତିର୍କୀଙ୍କ ମଧ୍ୟରେ ହୋଇଥିଲା ଘମାସନ ଯୁଦ୍ଧ । ଶେଷରେ ବିଜେଡି 44 ହଜାର 586 ଭୋଟ ପାଇ 2ୟରେ ରହିଥିବାବେଳେ କଂଗ୍ରେସ 44 ହଜାର 212 ଭୋଟ ପାଇ 3ୟ ହୋଇଥିଲା ।
2014 ନିର୍ବାଚନ: 2014 ନିର୍ବାଚନରେ ଏଠାରେ ଆଦିବାସୀ ଟାଣୁଆ ନେତା ଜର୍ଜ ତିର୍କୀ ସମତା କ୍ରାନ୍ତି ଦଳରୁ ବିଜୟୀ ହୋଇଥିଲେ । 2014ରେ ସାରା ଦେଶରେ ନରେନ୍ଦ୍ର ମୋଦିଙ୍କ ହାୱା ବହୁଥିଲେ ମଧ୍ୟ ତାହା ବୀରମିତ୍ରପୁରରେ ପହଞ୍ଚି ପାରିନଥିଲା । ଏହି ନିର୍ବାଚନରେ ସମତା କ୍ରାନ୍ତି ଦଳର ଜର୍ଜ ତିର୍କୀଙ୍କୁ 46, 114 ଭୋଟ ମିଳିଥିବାବେଳେ ବିଜେପିର ଶଙ୍କର ଓରାମ 34,167 ଭୋଟ ପାଇ 2ୟରେ ରହିଥିଲେ । JMMର ସେବେୟାନ ଆଇନ୍ଦଙ୍କୁ ମିଳିଥିଲା 27,849 ହଜାର ଭୋଟ । ସେହିଭଳି ବିଜେଡିର ମାଗଦଳି କୋଙ୍ଗଡିଙ୍କୁ 25,158 ହଜାର ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ରାଜେଶ କେର୍କେଟ 13,006 ଭୋଟ ପାଇ ଦୟନୀୟ ସ୍ଥିତିରେ ପଡ଼ିଥିଲେ ।
2009 ନିର୍ବାଚନ: 2009 ନିର୍ବାଚନରେ ଏଠାରେ କୌଣସି ରାଜନୈତିକ ଦଳର ହାୱା କାମ ଦେଇନଥିଲା । ସ୍ବାଧୀନ ପ୍ରାର୍ଥୀ ଭାବେ ଏକତରଫା ବିଜୟ ହାସଲ କରିଥିଲେ ଆଦିବାସୀ ନେତା ଜର୍ଜ ତିର୍କୀ । ଯଦିଓ JMM ପ୍ରାର୍ଥୀ ନିହାର ସୁରିନ ଜର୍ଜଙ୍କୁ କଡ଼ା ଟକ୍କର ଦେବାକୁ ଚେଷ୍ଟା କରିଥିଲେ, ହେଲେ ପ୍ରାୟ 20 ହଜାର ଭୋଟ ପଛରେ ପଡ଼ିଯାଇଥିଲେ । ଏହି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଜର୍ଜ ତିର୍କୀଙ୍କୁ 45,132 ଭୋଟ ମିଳିଥିବା ବେଳେ JMMର ନିହାର ସୁରିନ ପାଇଥିଲେ 24,321 ଭୋଟ । 3ୟରେ ରହିଥିବା ବିଜେଡି ପ୍ରାର୍ଥୀ ସଞ୍ଜୀବ ପ୍ରତାପ ସିଂହଦେଓ 19,665 ଭୋଟ ପାଇଥିଲେ । ବିଜେପିର ରୈସାନ ତିର୍କୀ 12,748 ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ସେରୋଫିନା ଟପ୍ପୋଙ୍କୁ ମିଳିଥିଲା 12,431 ।
'ଏଥର ବିଜେଡି ଜିତିବ': 2019 ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ମଖଲୁ ଏକ୍କା କହିଛନ୍ତି, "ଗତ ନିର୍ବାଚନରେ ଲୋକେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପରଖି ପାରିଲେ ନାହିଁ ଏବଂ ବିଜେପିକୁ ଭୋଟ ଦେଲେ । ବର୍ତ୍ତମାନ ବିଜେପିର ଶଙ୍କର ଓରାମ ନିଜ ନିର୍ବାଚନ ମଣ୍ଡଳୀ ପାଇଁ କିଛି ଆଖି ଦୃଶିଆ କାର୍ଯ୍ୟ କରି ନାହାନ୍ତି । ଯଦି କରିଛନ୍ତି ତେବେ ସେ ଉତ୍ତର ଦିଅନ୍ତୁ । ବିଧାୟକ ସବୁବେଳେ ନିର୍ବାଚନ ମଣ୍ଡଳୀରେ ନରହି ରାଉରକେଲା ଏବଂ ଅନ୍ୟାନ୍ୟ ସ୍ଥାନରେ ରହୁଛନ୍ତି । ନିଜ ଅଞ୍ଚଳକୁ ଆସୁନାହାନ୍ତି କି ଲୋକଙ୍କ ଅସୁବିଧା ସୁବିଧା କିଛି ବୁଝୁ ନାହାନ୍ତି । ମୁଁ ବିଧାୟକ ନଥାଇ ମଧ୍ୟ ତାଙ୍କଠାରୁ ଅଧିକ କାମ କରିଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନା ସମ୍ପର୍କରେ ଲୋକେ ଜାଣିଲେଣି ଏବଂ ଏଥର ଲୋକେ ବୀରମିତ୍ରପୁରରେ ବିଜେଡିକୁ ହିଁ ବିଜୟୀ କରାଇବେ ।"
'କିଏ ଗଲେ ଆସିଲେ ଫରକ ପଡ଼ିବନି': ସେପଟେ କଂଗ୍ରେସର ବରିଷ୍ଠ ନେତା ବିକ୍ରମ ପଣ୍ଡା କହିଛନ୍ତି, "ଉଭୟ ବିଜେପି ଏବଂ ବିଜେଡି ସରକାର ଲୋକଙ୍କ ପ୍ରତି ଅବହେଳା କରୁଛନ୍ତି । କିନ୍ତୁ କଂଗ୍ରେସ ଦଳ କେବେ ଲୋକଙ୍କୁ ଅବହେଳା କରିନାହିଁ, ବରଂ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛି ।" ତେବେ ଗତ ନିର୍ବାଚନରେ କଂଗ୍ରେସରୁ ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋଶେଫ ତିର୍କୀ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ପରାସ୍ତ ହେବା ପରେ କିଛି ବର୍ଷ ପରେ ଦଳ ଛାଡି ଦେଇଥିଲେ । ଏନେଇ କଂଗ୍ରେସ ନେତା କହିଛନ୍ତି, "କଂଗ୍ରେସ ଦଳ ହେଉଛି ଏକ ସମୁଦ୍ର । କିଏ ଦଳରେ ରହିବ କିଏ ଯିବ, ତାହା ଦଳକୁ ପ୍ରଭାବ ପକାଇବ ନାହିଁ ।" ଏଥର ବୀରମିତ୍ରପୁରରେ କଂଗ୍ରେସ ନିଜର ଗୌରବ ଫେରି ପାଇବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।
'ଅଧିକ ଭୋଟରେ ଜିତିବ ବିଜେପି': ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ବହୁଥିବା ବିଧାୟକ ବିରୋଧୀ ହାୱାକୁ ଖଣ୍ଡନ କରିଛନ୍ତି ବିଧାୟକ ଶଙ୍କର ଓରାମ । ତାଙ୍କ ଉପରେ ଉଠୁଥିବା ପ୍ରଶ୍ନକୁ ଏଡାଇ ଦେଇ କହିଛନ୍ତି, "ସବୁ ଅଭିଯୋଗ ମିଥ୍ୟା । ମୁଁ ସବୁବେଳେ ମୋ ନିର୍ବାଚନ ମଣ୍ଡଳୀରେ ରୁହେ । ମୋ ଦ୍ବାରା ଯାହା ସମ୍ଭବ ମୁଁ ଚେଷ୍ଟା କରିଛି । ଆଉ ଯାହା ହୋଇପାରିନାହିଁ, ସେସବୁ ରାଜ୍ୟ ସରକାରଙ୍କ ଅବହେଳା ପାଇଁ । ରାଜ୍ୟ ସରକାର ଯେଉଁଭଳି ଭାବରେ ଏହି ଅଞ୍ଚଳ ପ୍ରତି ଅବହେଳା କରୁଛନ୍ତି ଏହାକୁ ନେଇ ଆମେ ଲୋକଙ୍କ ପାଖକୁ ଆଉଥରେ ଯିବୁ । ଏଥର ବିଜେପି ଆହୁରି ଅଧିକ ଭୋଟରେ ଜିତିବ ବୋଲି ଆଶାବାଦୀ ବିଧାୟକ ଶଙ୍କର ଓରାମ ।
ଏହା ମଧ୍ୟ ପଢ଼ନ୍ତୁ...ସରଗରମ ବଣାଇ ରାଜନୀତି: କାହା ମୁଣ୍ଡରେ କଳସ ଢାଳିବେ ଜନତା ?
ସମସ୍ୟା: ନିର୍ବାଚନ ପୂର୍ବରୁ ଲୋକଙ୍କ ହାତରେ ରହିଛି ସମସ୍ୟାର ଲମ୍ବା ତାଲିକା । ବୀରମିତ୍ରପୁର ଅଞ୍ଚଳରେ ଆଜି ବି ବହୁ ଉନ୍ନତିମୂଳକ କାର୍ଯ୍ୟ ଠପ ହୋଇ ରହିଛି । ସରକାର ବା ଜନପ୍ରତିନିଧିଙ୍କ ଠାରୁ ସହାୟତା ବା ଉନ୍ନତିମୂଳକ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ମିଳି ପାରିନାହିଁ ବା ଲୋକଙ୍କ କାମରେ ଆସିନାହିଁ । ବହୁ ଦାବି ଆଜିବି ଅଟକି ରହିଛି । ଏହି ଅଞ୍ଚଳରେ ଟ୍ରେନ ରହଣୀ ଠାରୁ ନେଇ ଶୌଚାଳୟ, ବସ ଷ୍ଟାଣ୍ଡ ଏବଂ ବ୍ରିଜ ସହ ରାସ୍ତାଘାଟ ଭଳି ମୌଳିକ ସୁବିଧା ଲୋକଙ୍କ ପାଖରେ ପହଞ୍ଚି ପରିନାହିଁ । ଏହା ମଧ୍ୟରେ ବିଧାୟକ ଆଜି ପର୍ଯ୍ୟନ୍ତ ଆଖିଦୃଶିଆ କାମ କରିନଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି ।
'ରାମ-ଜଗନ୍ନାଥ ଲଢ଼େଇ ହେବ': ତେବେ ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରେ ବିଧାୟକ ବିରୋଧୀ ହାୱା ବହୁଥିବାବେଳେ ଏହାକୁ କିଭଳି କାଉଣ୍ଟର କରିବେ ବିଧାୟକ ଏବଂ ଏହାର କେତେ ଫାଇଦା ବିଜେଡି ଏବଂ କଂଗ୍ରେସ ଉଠାଇପାରିବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର । ହେଲେ ରାଜନୀତି ସମୀକ୍ଷକ କହିଛନ୍ତି, ଗୋଟିଏ ନିର୍ବାଚନ ଲୋକଙ୍କ ମୌଳିକ ସମସ୍ୟା ଯଥା ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ଭଳି ପ୍ରସଙ୍ଗରେ ଲଢ଼ାଯିବା ଉଚିତ । ହେଲେ ଏଥର ନିର୍ବାଚନରେ ଏପରି ହେବନାହିଁ । କାରଣ ଏଥର ରାମ ଓ ଜଗନ୍ନାଥଙ୍କ ଭିତରେ ଲଢ଼େଇ ହେବ । ଏଭଳି ସ୍ଥିତି ସୃଷ୍ଟି କରାଯାଇଛି ।" ତେବେ ଆଗାମୀ ନିର୍ବାଚନକୁ ନେଇ ବର୍ତ୍ତମାନ ସରଗରମ ହୋଇ ଉଠିଛି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ । ହେଲେ କାହା ଉପରେ ଭରସା କରୁଛନ୍ତି ଜନସାଧାରଣ, ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ ।
ଇଟିଭି ଭାରତ, ସୁନ୍ଦରଗଡ଼