ଭୁବନେଶ୍ବର: ପୁଣି ବିଜେଡି ପାଇଁ ନରମ ହୋଇ କଂଗ୍ରେସ ଉପରେ ବିଷ ଓଗାଳିଲେ ବରିଷ୍ଠ ନେତା ସୁର ରାଉତରାୟ । କଂଗ୍ରେସ ତାଙ୍କ ପ୍ରତି ଅନ୍ୟାୟ କରିଛି କହିବା ସହ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଲେ । ଏପରିକି କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବନ କରିଥିବାରୁ ସେ ଏବେ ନିଜ ପୁଅ ତଥା ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ସ୍ବାଧୀନ ଭାବେ ପ୍ରଚାର କରିପାରୁଥିବା କହିଛନ୍ତି । ତେବେ ଓଡ଼ିଶାରେ ନବୀନ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ଦେଶରେ ସାଧାରଣ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରିବ ଓ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି ସୁର ।
ସୁର ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଭାରତ ୧୦ ବର୍ଷ ପଛକୁ ପଳେଇଛି । ଅର୍ଥନୀତିରେ ମଧ୍ୟ ଆମ ଦେଶର ସ୍ଥିତି ଠିକ ନାହିଁ । ଦେଶରେ ଦରଦମ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ୧୦ ତାରିଖରେ ଶପଥ ନେବା କଥା କହୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ' ମାଷ୍ଟର କ୍ୟାଣ୍ଟିନରୁ ବାହାରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଲୋକ ହେଲେନାହିଁ ବୋଲି ବିଜେପି ଅଫିସରୁ ଏହି ରୋଡ ସୋ କରାଗଲା । ତେବେ ଏକ ସଂସ୍ଥାର ସର୍ଭେ ମୁତାବକ ଓଡ଼ିଶାରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । କାରଣ ରାଜ୍ୟରେ ଉନ୍ନତିରେ ନବୀନ ବାବୁଙ୍କ ଅବଦାନ ଅନେକ ରହିଛି । ତେଣୁ ନବୀନ ୯ ତାରିଖରେ ଶପଥ ନେବା ନିଶ୍ଚିତ । ସେହିଭଳି ଦେଶରେ ଇଣ୍ଡିଆ ମେଣ୍ଟ ମଧ୍ୟ ଭଲ ପ୍ରଦର୍ଶନ କରିବ ।" ରାହୁଲ ଗାନ୍ଧୀ ଏହାର ନେତୃତ୍ବ ନେଇ ପ୍ରଧାନମନ୍ତ୍ରୀ ହେବେ ବୋଲି ସୁର କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ବିଜେଡିକୁ ଭୋଟ ଦେବାକୁ କର୍ମୀଙ୍କୁ ଶପଥ କରାଇଲେ ସୁର, ଭିଡିଓ ଭାଇରାଲ - Sura Routray
ଖାଲି ସେତିକି ନୁହେଁ, ଏତିକିବେଳେ କଂଗ୍ରେସ ଉପରେ ପୁଣି ବର୍ଷିଛନ୍ତି ସୁର । ସେ କହିଛନ୍ତି, "କଂଗ୍ରେସ ମୋ ପ୍ରତି ଅନ୍ୟାୟ କରିଛି । ଦୀର୍ଘବର୍ଷ ଧରି ମୁଁ କଂଗ୍ରେସର ଶୃଙ୍ଖଳିତ କର୍ମୀ ଥିଲି । ନିଷ୍ଠାର ସହ କାମ କରିଛି । ହେଲେ ବିଜେଡି ମୋ ପୁଅକୁ ଟିକଟ ଦେଲା ବୋଲି ମୋତେ ସେମାନେ ଦଳରୁ ୬ ବର୍ଷ ପାଇଁ ନିଲମ୍ବନ କରିଛନ୍ତି ।" ତେବେ କଂଗ୍ରେସ ବାହାର କରିବା ପୂର୍ବରୁ ପୁଅ ପାଇଁ ଲୁଚିକି ପ୍ରଚାର କରୁଥିଲି, ଏବେ ସ୍ବାଧୀନ ଭାବେ ପ୍ରଚାର କରିପାରୁଛି ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର