ଭୁବନେଶ୍ବର: ମେଣ୍ଟ ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ବିଜେଡି ଶିବିର ସରଗରମ । ପୁନର୍ବାର ଆରମ୍ଭ ହୋଇଛି ମିଶ୍ରଣ ପର୍ବ । କର୍ମୀ ଜୋସରେ ଥିବାବେଳେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ମଜଭୁତ କରିବାରେ ଲାଗିପଡିଲେଣି ନେତା । ନିର୍ବାଚନମଣ୍ଡଳୀ ବଦଳିବା ଚର୍ଚ୍ଚା ଭିତରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବରିଷ୍ଠ ନେତା ସଞ୍ଜୟ ଦାସବର୍ମା । ସଞ୍ଜୟଙ୍କ ତତ୍ବାବଧାନରେ ଆଜି କଣାସ ବ୍ଲକ ଚେୟାରମ୍ୟାନ, ୨୫ ଜଣ ସରପଞ୍ଚ, ୧୪ ଜଣ ସମିତି ସଦସ୍ୟଙ୍କ ସମେତ ୨୦୦୦ କର୍ମୀ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ସତ୍ୟବାଦୀର ଶହ ଶହ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ ଆସିବା ସହ ଶଙ୍ଖ ଭବନରେ ଆୟୋଜନ କରିଛନ୍ତି ମିଶ୍ରଣ ପର୍ବ ।
ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କଣାସ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତଙ୍କ ସମେତ କଣାସ ଏବଂ ସତ୍ୟବାଦୀ ବ୍ଲକର ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖଭବନରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ବରିଷ୍ଠ ସାଧାରଣ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମାଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା କଣାସ ବ୍ଲକ ଅଧ୍ୟକ୍ଷା, କଣାସ ଓ ସତ୍ୟବାଦୀ ବ୍ଲକର ୧୫ ସରପଞ୍ଚ, ୧୪ ସମିତି ସଭ୍ୟ ଏବଂ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଜେଡି ନେତା ଉପଢୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି ।
ଏହା ବି ପଢନ୍ତୁ- ସତ୍ୟବାଦୀରୁ ସଞ୍ଜୟ, ବ୍ରହ୍ମଗିରିରୁ ଉମା ଲଢ଼ିବେ !
ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଦଳୀୟସଂଗଠନ ଆହୁରି ମଜଭୁତ ହେବ ବିଜେଡି ପକ୍ଷରୁ କୁହାଯାଇଛି । ବିଜେଡିରେ ସାମିଲ ହୋଇଥିବା କଣାସ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତ କହିଛନ୍ତି, "ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ସ୍ଵଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ଵ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ସାମିଲ ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ଦଳର ସାଂଗଠନିକ ସମ୍ପାଦକ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।"
ଇଟିଭି ଭାରତ, ଭୁବନେଶ୍ବର