ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ଗଣତନ୍ତ୍ରର ମହାପର୍ବ । ୭ଟି ପର୍ଯ୍ୟାୟରେ ଚଳିତ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଆଜି ଶେଷ ହୋଇଛି ୨୦୨୪ ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟ ମତଦାନ । ୫ମ ପର୍ଯ୍ୟାୟରେ ୬ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ୪୯ ଆସନରେ ମତଦାନ ହୋଇଥିଲା । ମୈଦାନରେ ଥିଲେ ୬୯୫ ପ୍ରାର୍ଥୀ । କେଉଁଠି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହୋଇଥିବା ବେଳେ କିଛି ସ୍ଥାନରେ ଦେଖିବାକୁ ମିଳିଥିଲା ନିର୍ବାଚନୀ ହିଂସା । ଏହା ସହିତ ଏହି ୪୯ ଆସନରେ ମୋଟ ୫୭.୪୪ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୭୩ ପ୍ରତିଶତ ମତଦାନ ହୋଇଥିବାବେଳେ ସର୍ବନିମ୍ନ ୪୮.୮୮ ପ୍ରତିଶତ ମତଦାନ ମହାରାଷ୍ଟ୍ରରେ ରେକର୍ଡ ହୋଇଛି ।
ମୈଦାନରେ ଥିଲେ ୬୯୫ ପ୍ରାର୍ଥୀ:- ପଞ୍ଚମ ପର୍ଯ୍ୟାୟ ମତଦାନରେ ମୈଦାନରେ ମୋଟ 695 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ଏମାନଙ୍କ ମଧ୍ୟରୁ 1586 ଜଣ ନାମାଙ୍କନ ଭରିଥିବା ବେଳେ 749ଜଣଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥିଲା । ସେପଟେ 837 ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିବା ବେଳେ 54ଜଣ ନିଜ ନାମାଙ୍କନ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରିନେଇଥିଲେ । ଫଳରେ ମୈଦାନରେ 149 ରାଜନୈତିକ ଦଳର 695 ପ୍ରାର୍ଥୀ ରହିଥିଲେ । ମହାରାଷ୍ଟ୍ରର ନାସିକ ସଂସଦୀୟ କ୍ଷେତ୍ରରୁ ସର୍ବାଧିକ 31 ପ୍ରାର୍ଥୀ ଥିବାବେଳେ ଲଦାଖ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ 3 ଜଣ ପ୍ରାର୍ଥୀ ରହିଥିଲେ ।
ଚର୍ଚ୍ଚିତ ଚେହେରା:- ପଞ୍ଚମ ପର୍ଯ୍ୟାୟ ମତଦାନରେ ବହୁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ପ୍ରଦେଶ ରାୟବରେଲି ଆସନରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ଆମେଠିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୈସରଗଞ୍ଜରୁ ବ୍ରିଜଭୂଷଣ ଶରଣ ସଂଙ୍କ ପୁଅ କରନ ଭୂଷଣ ସିଂ, ବିହାର ସରନରୁ ଆରଜେଡି ନେତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ, ହାଜିପୁରରୁ ଚିରାଗ ପାସୱାନ, ମହାରାଷ୍ଟ୍ର ମୁମ୍ବାଇ ନର୍ଥରୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଜମ୍ମୁକାଶ୍ମୀର ବରମୁଲ୍ଲାରୁ ଏନ୍ସି (ନ୍ୟାସନାଲ କନଫରେନ୍ସ) ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଏଭଳି ବହୁ ଚର୍ଚ୍ଚିତ ଚେହେରାଙ୍କର ୫ମ ପର୍ଯ୍ୟାୟରେ ହୋଇଛି ଭାଗ୍ୟ ପରୀକ୍ଷା ।
ଓଡ଼ିଶାରେ ନିର୍ବାଚନୀ ହିଂସା:- ଓଡ଼ିଶାରେ ଲୋକସଭା ସମେତ ରାଜ୍ୟ ବିଧାନସଭା ପାଇଁ ମଧ୍ୟ ଏକା ସାଙ୍ଗରେ ମତଦାନ ହେଉଛି । ଆଜି ୫ମ ପର୍ଯ୍ୟାୟ (ଓଡ଼ିଶାରେ ୨ୟ)ରେ ଓଡ଼ିଶାରେ ୫ ଲୋକସଭା ଓ ଏହା ଅଧୀନ ୩୫ ବିଧାନସଭା ଆସନରେ ମତଦାନ ହୋଇଥିଲା । ତେବେ ରାଜ୍ୟର ଏକାଧିକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ବରଗଡ଼ ସଦର ଥାନା ସରସରା ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ମଧ୍ୟ ଘଟିଥିଲା । ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତକ ଜଣଙ୍କ ବିଶ୍ବନାଥ ମିର୍ଦ୍ଧା ବୋଲି ଜଣାପଡ଼ିଛି । ଆଜି ମତଦାନ ଚାଲିଥିବାବେଳେ କିଛି ଭୋଟରଙ୍କୁ ଅଟୋ ଯୋଗେ ନେଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସେହିଭଳି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଦଳୀୟ କର୍ମୀ ହାତାହାତି ହୋଇଥିଲେ । ଖବର ପାଇ ତାରାସିଙ୍ଗି ପୋଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ରାଉରକେଲା ଗୋପବନ୍ଧୁପାଲ୍ଲୀର ଏକ ବୁଥରେ ବିଜେଡି ବିଧାୟକ ଶାରଦା ନାୟକ ଆସିଥିବାବେଳେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ସେଠାରୁ ବିଧାୟକଙ୍କୁ ଉଦ୍ଧାର କରିବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲା ।
ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା:- ପଞ୍ଚମ ପର୍ଯ୍ୟାୟ ମତଦାନରେ ପଶ୍ଚିମବଙ୍ଗରେ ବହୁ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବାରାକପୁର, ବୋନଗାଓଁ, ଆରାମବାଘ ଭଳି ସ୍ଥାନରେ ଟିଏମ୍ସି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ପୋଲ୍ ପ୍ୟାନେଲଙ୍କ ନିକଟରେ ପ୍ରାୟ ୧ ହଜାରରୁ ଅଧିକ ଅଭିଯୋଗ ଆସିଛି । କେଉଁଠି ଇଭିଏମ୍ରେ ଗଡବଡ଼ ତ ଆଉ କେଉଁଠି କିଛି ରାଜନୈତିକ ଏଜେଣ୍ଟମାନେ ବୁଥରେ ବିଶୃଙ୍ଖଳା କରୁଥିବା ଅଭିଯୋଗ ଆସିଥିଲା । ଏହା ସତ୍ତ୍ବେ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଛି ।
କାଶ୍ମୀରରେ ଆତଙ୍କବାଦୀଙ୍କ ଭାଇ ଦେଲେ ଭୋଟ:- ପଞ୍ଚମ ପର୍ଯ୍ୟାୟରେ ଜମ୍ମୁକାଶ୍ମୀରର ଗୋଟିଏ ଆସନରେ ହୋଇଥିଲା ମତଦାନ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ଜଣେ ସକ୍ରିୟ ଆତଙ୍କବାଦୀର ଭାଇ । ସେ ସୋମବାର ନିଜ ପୋଲିଂ ବୁଥକୁ ଆସି ମତ ସାବ୍ୟସ୍ତ କରିବା ସହ ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଜ ଭାଇକୁ ଅପିଲ୍ କରିଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ରୌଫ ଅହମ୍ମଦ ଲୋନ୍ । ଯିଏକି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଜଣେ ସକ୍ରିୟ ଆତଙ୍କବାଦୀ ଉମର ଲୋନର ଭାଇ । ସେ ଭୋଟ ଦେବା ପରେ ଏକ ଭିଡିଓ ବାର୍ତ୍ତା ଜାରି କରି ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରିବା ସହ ନିଜ ଭାଇକୁ ମଧ୍ୟ ଅପରାଧିକ ରାସ୍ତା ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି । ସେ ବାରମୁଲ୍ଲା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଜ ମତଦାନ ସାବ୍ୟସ୍ତ କରିଥିଲେ ।
ଭୋଟ ଦେଲେ ବି-ଟାଉନ ସେଲିବ୍ରିଟି:- ଆଜି ସାରାଦେଶରେ ସବୁ ବର୍ଗର ଲୋକେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ପାଇଁ ବି-ଟାଉନ ସେଲିବ୍ରିଟିମାନେ ମତଦାନ ବୁଥରେ ପହଞ୍ଚି ଭୋଟ ଦେଇଥିଲେ । ଅକ୍ଷୟ କୁମାର, ଫରହାନ ଅଖତର, ରାଜକୁମାର ରାଓ, ଜାହ୍ନବୀ କପୁର, ସାନିଆ ମଲହୋତ୍ରାଙ୍କ ପରି ସେଲିବ୍ରିଟି ମୁମ୍ୱାଇର ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟ ଦେଇଥିଲେ । ଭୋଟ ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ଭୋଟ ଦେବାକୁ ଅପିଲ କରିଥିଲେ ବଲିଉଡ୍ ଷ୍ଟାର ।
ମତାଧିକାର ସାବ୍ୟସ୍ତ କଲେ ଶତାୟୁ ଭାଇ:- ପରିଣତ ବୟସରେ ବିନା ଆଶାବାଡ଼ିରେ ଚାଲିପାରୁନଥିବା ସତ୍ତ୍ବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ଦୁଇ ଭାଇ । ଜଣଙ୍କ ବୟସ 100 ପାର କରିଥିବା ବେଳେ ଅନ୍ୟ ଜଣେ 100 ବର୍ଷ ନିକଟବର୍ତ୍ତୀ । ଦେଶରେ ଗଣତନ୍ତ୍ରର ମହାପର୍ବ ଜାରି ଥିବାବେଳେ ଉତ୍ତରପ୍ରଦେଶ ବାରାବଙ୍କିରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଚାଲିବାକୁ ଅସମର୍ଥ ଥିବା ଏହି ଦୁଇ ଭାଇ ପରିବାରବର୍ଗଙ୍କ ସହାୟତାରେ ଇ-ରିକ୍ସାରେ ବୁଥରେ ପହଞ୍ଚିଥିଲେ । ଜୈଦପୁର ବିଧାନସଭା ନିର୍ବାଚନମଣ୍ଡଳୀର କଟେସର ଅଧିବାସୀ କହ୍ନୈୟା ଲାଲ (120ବର୍ଷ) ଭୋଟ ଦେଇଥିଲେ । ତାଙ୍କ ସାନ ଭାଇ ରାମସାଗରଙ୍କ ବୟସ 90ବର୍ଷ । ଗତ 20 ବର୍ଷ ପୂର୍ବରୁ ତାଙ୍କୁ ସାପ କାମୁଡ଼ିବା ପରେ ସେ ଚାଲିବା ବୁଲିବାରେ ସାମାନ୍ୟ ଅସୁବିଧା ଭୋଗୁଛନ୍ତି । ଏହା ସତ୍ତ୍ବେ ସେ ମତଦାନ ପାଇଁ ନିଜ ଭାଇ ସହିତ ବୁଥରେ ପହଞ୍ଚିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ