ଭୁବନେଶ୍ବର: 2024 ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସରିଛି । ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ କମ୍ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ 74 ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ 69 ପ୍ରତିଶତ ରେକର୍ଡ କରାଯାଇଛି । ପ୍ରାୟତଃ ସବୁ ସ୍ଥାନରେ ଶାସକ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ହେଉଥିବାର ଦେଖିବାକୁ ମିଳୁଛି । ତେବେ ବିଜେପିର ଫୋକସ୍ ଓଡ଼ିଶା ବା ମିଶନ ଓଡ଼ିଶା କେତେଦୂର ବାସ୍ତବରେ ପରିଣତ ହେବ ତାକୁ ନେଇ ଏବେ ସାରା ରାଜ୍ୟରେ ଜୋର୍ ଧରିଛି ଚର୍ଚ୍ଚା । ପୂର୍ବଭଳି ସହଜରେ ସରକାର ଗଢି ରେକର୍ଡ କରିବ କି ଶଙ୍ଖ ଦଳ ? ନା ବିଜେପିର ମିଶନ ଓଡ଼ିଶା ଯୋଗୁଁ ପଦ୍ମ ଫୁଟିବ କିମ୍ବା କଂଗ୍ରେସ କିଛି ଚକମା ଦେଖାଇବ, ଏହା ତା' ଉପରେ ସମସ୍ତଙ୍କ ନଜର ।
ଏଥର ଓଡ଼ିଶା ଜାତୀୟ ରାଜନୀତିରେ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛି । କାରଣ ଚଳିତ ଥର ବିଜେପି ଓ ବିଜେଡି ମଧ୍ୟରେ ଦେଖିବାକୁ ମିଳୁଛି ଆରପାରର ଲଢେଇ । ବିଜେଡି ପୁଣିଥରେ ସ୍ବିପ୍ କରିବା ଲକ୍ଷ୍ୟରେ ଥିବାବେଳେ ବିଜେପି ମଧ୍ୟ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି । ସାମ୍ପ୍ରତିକ ନିର୍ବାଚନ ମାହୋଲକୁ ଦେଖିଲେ ବିଜେଡି ପାଇଁ ପୂର୍ବଭଳି ଏଥର ସହଜ ବିଜୟ ହୋଇନପାରେ ବୋଲି ରାଜନୀତି ସମକ୍ଷୀକମାନେ ଅନୁମାନ କରୁଛନ୍ତି।
ପୂର୍ବ ବର୍ଷ ଅପେକ୍ଷା ଚଳିତ ନିର୍ବାଚନରେ ଓଡ଼ିଶାକୁ ଗୁରୁତର ସହ ନେଇଛି କେନ୍ଦ୍ରୀୟ ବିଜେପି । ଏଥର ବିଜେଡି ଓ ବିଜେପି ମଧ୍ୟରେ ଆରପାରର ଲଢେଇ ଦେଖିବାକୁ ମିଳୁଛି । ଘନ ଘନ ପ୍ରଚାର ପାଇଁ ବିଜେପିର ଟପ୍ ନେତାଙ୍କ ସୁଅ ଛୁଟୁଛି ରାଜ୍ୟରେ । ନିଜେ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସୁଥିବାବେଳେ ଗୃହମନ୍ତ୍ରୀ ଅମିତ ସାହା, ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଏବଂ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଓଡ଼ିଶାରେ ଆସି ମାରାଥନ ପ୍ରଚାର କରୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ୨୫ଟି ବିଧାନସଭା ସିଟ ଏବଂ ୫ଟି ଲୋକସଭା ସିଟ ଜିତିବ ବୋଲି ଆକଳନ କରିଛି । ସେପଟେ ବିଜେଡି 30ରୁ ଅଧିକ ସିଟ ପାଇବ ବୋଲି ଆକଳନ କରୁଥିବା ବେଳେ ପଛରେ ପଡିଥିବା କଂଗ୍ରେସ ମଧ୍ୟ ଭଲ ପ୍ରଦର୍ଶନ ନେଇ ଆଶା ବାନ୍ଧି ବସିଛି ।
କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ପୂର୍ବ ଅପେକ୍ଷା ଚଳିତ ନିର୍ବାଚନରେ କଂଗ୍ରେସ ପ୍ରଦର୍ଶନ ଭଲ ରହିବ । ଅଧିକାଂଶ ସ୍ଥାନରେ ବିଜେଡି ସହ କଂଗ୍ରେସର ପ୍ରତିଯୋଗିତା ହେଉଛି । ଦକ୍ଷିଣ, ପୂର୍ବ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କଡା ଟକ୍କର ଦେଇଛି ।
ଏହା ମଧ୍ୟ ପଢନ୍ତୁ: ରାଜ୍ୟ ବ୍ୟବସ୍ଥାର ମୁଖା ଖୋଲିବାରୁ ପ୍ରଧାନମନ୍ତ୍ରୀଙ୍କୁ ଲଗାତାର ଗାଳି ଦେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା - Dharmendra Pradhan Targets Bjd
ସେପଟେ ସାମ୍ପ୍ରତିକ ସ୍ଥିତିକୁ ବିଚାର କରି ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଘୋଷଣା ନହେବା ପୂର୍ବରୁ ଆକଳନ କରିବା କଷ୍ଟସାଧ୍ୟ । ହେଲେ ଏଥର ଆଉ ବିଜେଡି ଏକପାଖିଆ ଜିତିବା ସମ୍ଭବ ନୁହେଁ । ମୋଦି ତାଙ୍କର ସବୁ ଯଶ, ଖ୍ୟାତି, ପ୍ରତିଷ୍ଠା ବାଜିରେ ଲଗାଇଛନ୍ତି । ଚଳିତ ନିର୍ବାଚନରେ ସୁଯୋଗ ଥିଲେ ମଧ୍ୟ କଂଗ୍ରେସ ଏହାର ଫାଇଦା ଉଠାଇ ନପାରିବାରୁ ବିଜେପି-ବିଜେଡି ମଧ୍ୟରେ କଡା ଟକ୍କର ହେଉଛି । ବିଜେଡି ଭୋଟ କିଛି ଅଂଶରେ କମିବ । କଂଗ୍ରେସ ଭୋଟହାର ବୃଦ୍ଧି କରିବାରେ ସଫଳ ହେବ । ବିଜେପି ମଧ୍ୟ ବିପୁଳ ଜନସମର୍ଥନ ପାଇବାରେ ସକ୍ଷମ ହୋଇପାରେ । ପୂର୍ବାପେକ୍ଷା ବିଜେପି ଭଲ ପ୍ରଦର୍ଶନ କରିବ ।
ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟରେ 35ଟି ବିଧାନସଭା ଏବଂ 5ଟି ଲୋକସଭାରେ ମତଦାନ ହୋଇଛି । କନ୍ଧମାଳ, ବଲାଙ୍ଗୀର, ଆସିକା, ସୁନ୍ଦରଗଡ଼ ଏବଂ ବରଗଡ଼ରେ ମତଦାନ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସନ୍ତୋଷ ସିଂହ ସାଲୁଜା, ସୁଶାନ୍ତ ସିଂ, ଦିଲ୍ଲୀପ ରାୟ, ଜୁଏଲ ଓରା, ମାଳବିକା ଦେଓଙ୍କ ଭଳି ନେତାଙ୍କ ଭାଗ୍ୟ ସିଲ୍ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର