ନିମାପଡ଼ା: ବଦଳୁଛି ନିମାପଡ଼ା ନିର୍ବାଚନ ମଣ୍ଡଳୀ ରାଜନୀତି ସମୀକରଣ । ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି ପାଣିପାଗ । ବିଧାୟକ ସମୀର ରଞ୍ଜନ ଦାଶ ପଦ୍ମ ଶିବିରରେ ପାଦ ଥାପିଛନ୍ତି । ଯାହାକୁ ନେଇ ନିମାପଡାରେ ବିଜେପିର ମନୋବଳ ଦୃଢ଼ ହୋଇଥିବା ବେଳେ ଲକ୍ଷେ ପାର ନାରା ଦେଇଛନ୍ତି ବିଜେପି ପ୍ରାର୍ଥୀ । ସେପଟେ ସମୀର ବିଜେଡି ଛାଡିବା ପରେ ଦଳର ଅଙ୍କ ବିଗିଡିବା ଚର୍ଚ୍ଚା ହେଉଛି ।
ସମୀର ନେବେ ନିର୍ଣ୍ଣାୟକ ଭୂମିକା !
ଜୁନ 1ରେ ନିମାପଡ଼ାରେ ହେବ ମତଦାନ । ଏହାରି ଭିତରେ ପ୍ରମୁଖ ଦଳମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ମତଦାନ ତାରିଖ ଯେତିକି ପାଖେଇ ଆସୁଛି ନିମାପଡାରେ ରାଜନୀତି ପାଣିପାଗ ସେତିକି ରୋଚକମୋଡ଼ ନେଉଛି । ତେବେ ଟିକଟ ନମିଳିବାରୁ ଅସନ୍ତୁଷ୍ଟ ହୋଇ ଗତ 20 ତାରିଖରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ବିଜେଡି ଛାଡିବା ପରେ ଦଳକୁ ଶକ୍ତ ଝଟକା ଲାଗିଛି । ସମୀରଙ୍କୁ ଦଳରେ ରଖିବା ପାଇଁ ଅନେକ ଉଦ୍ୟମ କରିଥିଲା ବିଜେଡି । ଏମିତିକି ତାଙ୍କୁ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ବ ଦେଇ ଦଳରେ ଥଇଥାନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲା । କିନ୍ତୁ ବିଜେଜିର ସବୁ ଉଦ୍ୟମ ଫସର ଫାଟିଛି । ସମୀରଙ୍କୁ ଦଳରେ ରଖିବାରେ ବିଜେଡି ବିଫଳ ହୋଇଛି । ସେପଟେ ସମୀର ବିଜେଡି ଛାଡିବା କ୍ଷଣି ପଦ୍ମ ଶିବିରରେ ପ୍ରବେଶ କରିଛନ୍ତି । ଯାହାକୁ ନେଇ ନିମାପଡ଼ାରେ ବିଜେପିର ଶକ୍ତି ବୃଦ୍ଧି ପାଇଛି । ବିଜେପିରେ ସମୀରଙ୍କ ଏଣ୍ଟ୍ରି ବିଜେପିର ବିଜୟ ପାଇଁ ଆହୁରି ବଳ ଯୋଗାଇବ । ସମୀର ବିଜେପିରେ ମିଶିବା ପରେ ବିଜେଡିର କିଛି ଭୋଟ କଟି ବିଜେପି ଖାତାକୁ ଯାଇପାରେ । ନିମାପଡ଼ାରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ସମୀର ଦାସ ନିର୍ଣ୍ଣାୟକ ଭୂମିକା ନେଇ ପାରନ୍ତି ।
ସମୀରଙ୍କ ରାଜନୀତି ଏଣ୍ଟ୍ରି: ୧୯୮୩ ମସିହାରୁ ନିମାପଡା କଲେଜ ନିର୍ବାଚନରେ ସଭାପତି ହୋଇ ସମୀର ରଞ୍ଜନ ଦାଶଙ୍କ ରାଜନୈତିକ ଜୀବନ ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିଲା । ୧୯୯୨ ମସିହାରେ ଭିଲିଗ୍ରାମ ପଞ୍ଚାୟତର ସରପଞ୍ଚ ପରେ ୧୯୯୭ ମସିହାରେ କମ୍ୟୁନିଷ୍ଟ ଦଳରୁ ୧୮ ନମ୍ବର ଜୋନର ଜିଲ୍ଲାପରିଷଦ ହୋଇଥିଲେ । ପୁନର୍ବାର ୨୦୦୨ ମସିହାରେ ୨୦ ନମ୍ବର ଜୋନରୁ ଭାରତୀୟ ଜନତା ପାର୍ଟିରୁ ଜିଲ୍ଲାପରିଷଦ ହୋଇଥିଲେ । କିନ୍ତୁ ବାଇଧର ମଲ୍ଲିକ ଓ ସମୀରଙ୍କ ମଧ୍ୟରେ ଅନେକ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ମତାନ୍ତର ମନାନ୍ତରରେ ପରିଣତ ହେବାରୁ ଉଭୟ ଉଭୟଙ୍କ ଜିଦରେ ଅଟଳ ରହିଥିଲେ । ଏନଏସି ନିର୍ବାଚନ ପୂର୍ବରୁ ସମୀର ରଞ୍ଜନ ଦାଶଙ୍କୁ ଦଳ ବହିଷ୍କାର କରିଥିଲା । ବାଇଧରଙ୍କ ନେତୃତ୍ଵରେ ଏନଏସି ଦଖଲ କରିଥିବା ସହିତ ସମୀରଙ୍କ ବିନା ସହାୟତାରେ ନିଜ ରଣ କୌଶଳରେ ଦ୍ୱିତୀୟ ଥର ପାଇଁ ବାଇଧର ମଲ୍ଲିକ ବିଧାୟକ ହୋଇଥିଲେ ।
୨୦୦୬ ମସିହାରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ସମୀର ରଞ୍ଜନ ଦାଶ । ପରେ ୨୦୦୯, ୨୦୧୪, ୨୦୧୯ ମସିହାରେ ଲଗାତାର ତିନି ତିନିଥର ବିଧାୟକ ହୋଇ ମନ୍ତ୍ରୀ ମଧ୍ୟ ହୋଇଥିଲେ । ମାତ୍ର ଚଳିତ 2024 ନିର୍ବାଚନ ଦଳ ତାଙ୍କ ଉପରେ ପୁନର୍ବାର ଭରସା କରି ନଥିଲା । ସମୀରଙ୍କ ଟିକଟ କାଟି ବିଜେଡି ଦିଲ୍ଲୀପ ନାୟକଙ୍କୁ ଟିକଟ ଦେଇଛି । ଯାହାକୁ ନେଇ ସମୀର ଅସନ୍ତୁଷ୍ଟ ରହିଥିଲେ । ସମୀର ଓ ତାଙ୍କ ସମର୍ଥକ ବାରମ୍ବାର ସଭା କରି ଟିକଟ ବଦଳାଇବା ପାଇଁ ଚାପ ପକାଇ ଥିଲେ । ମାତ୍ର ବିଜେଡି ଦଳ ସୁପ୍ରିମ କିଛି ଶୁଣି ନଥିଲେ । ଯାହା ଫଳରେ ଶହ ଶହ ସଂଖ୍ୟାରେ କର୍ମୀ ଓ ଛାମୁଆ ନେତା ଦଳ ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହୋଇଥିଲେ । ପରେ 20 ତାରିଖ ଦିନ ବିଜେଡି ଛାଡି ଦୀର୍ଘ 18 ବର୍ଷର ସମ୍ପର୍କ ତୁଚ୍ଛ କରି ପୁଣିଥରେ ବିଜେପିକୁ ଫେରିଛନ୍ତି ।
ନିମାପଡ଼ା ନିର୍ବାଚନ ମଣ୍ଡଳୀ :
ପୁରୀ ଜିଲ୍ଲାରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଥିଲେ ମଧ୍ୟ ଏହା ଜଗତସିଂହପୁର ଲୋକସଭା କ୍ଷେତ୍ର ଅଧିନରେ ରହିଛି । ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି 46ଟି ପଂଚାୟତ ସହିତ ନିମାପଡା ଏନ.ଏ.ସି । ସେଥି ମଧ୍ୟରୁ ନିମାପଡା ବ୍ଲକର 32ଟି ପଞ୍ଚାୟତ ସହିତ ନିମାପଡା ଏନ.ଏ.ସି ଏବଂ ଗୋପ ବ୍ଲକ 14ଟି ପଞ୍ଚାୟତ ରହିଛି । ଏହି ନିର୍ବାଚନ ମଣ୍ଡଳୀରେ 2 ଲକ୍ଷ 19 ହଜାର 586 ଜଣ ଭୋଟର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଜୁନ ମାସ ୧ ତାରିଖରେ ମତଦାନ କରିବେ ।
2024 ନିର୍ବାଚନ ପ୍ରମୁଖ ଦଳର ପ୍ରାର୍ଥୀ:
ବିଜେପି: ଚଳିତ ନିର୍ବାଚନରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଭାତୀ ପରିଡ଼ା । ବିଜେପିରୁ ତୃତୀୟ ଥର ପାଇଁ ଟିକେଟ ପାଇଛନ୍ତି ପ୍ରଭାତୀ । ନିର୍ବାଚନ ପୂର୍ବରୁ ବିଜେଡି ବିଧାୟକ ସମୀର ଦାଶ ବିଜେପିରେ ସାମିଲ ହେବାପରେ ବିଜେପି ନିମାପଡାରେ ଆହୁରି ପାୱାରଫୁଲ ହୋଇଯାଇଛି ।
ବିଜେଡି: ବିଜେପି ଦଳ ପରିତ୍ୟାଗ କରି ବିଜେଡି ଦଳରେ ମିଶିବାର ମାତ୍ର 15 ଦିନ ପରେ ଦଳ ଦିଲ୍ଲୀପ ନାୟକଙ୍କ ଉପରେ ଭରସା କରି ଟିକଟ ଦେଇଛି । ଦିଲ୍ଲୀପ ପ୍ରଥମେ ନବ ନିର୍ମାଣ ସଂଗଠନ ପରେ କଂଗ୍ରେସ, ବିଜେପି ପରେ ଏବେ ଶଙ୍ଖ ଶିବିରରେ ପ୍ରବେଶ କରିଛନ୍ତି । ଶଙ୍ଖ ଧରୁ ଧରୁ ବିଜେଡି ସମୀରଙ୍କ ଉପରୁ ଭରସା ତୁଟାଇ ଦିଲ୍ଲୀପଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।
କଂଗ୍ରେସ: ତେବେ ଚଳିତ ନିର୍ବାଚନରେ ନାମାପଡ଼ାରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । ଗତ କିଛିଦିନ ଧରି ସିଦ୍ଧାର୍ଥ ନିମାପଡାରେ ନିଜ ସ୍ଥିତି ଦୃଢ଼ କରିବାରେ ଲାଗିଛନ୍ତି । ନିମାପଡାରେ ବିଜେଡି ଓ ବିଜେପି ମଧ୍ୟରେ ବଳ କଷାକଷି ହେଉଥିବା ବେଳେ ଫାଇଦା ନେବା ଲକ୍ଷ୍ୟରେ ରହିଛି କଂଗ୍ରେସ ।
2019 ନିର୍ବାଚନ ଫଳାଫଳ:
2019 ନିର୍ବାଚନରେ ବିଜୁ ଜନତା ଦଳରୁ ସମୀର ରଞ୍ଜନ ଦାଶ ଟିକେଟ ପାଇ ନିର୍ବାଚନ ଲଢ଼ି 91 ହଜାର 160 ଖଣ୍ଡ ଭୋଟ ପାଇ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ହୋଇଥିଲେ । ବିଜେପି ଦଳରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରଭାତୀ ପରିଡ଼ା 59 ହଜାର 152 ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ ଏବଂ କଂଗେସ ଦଳରୁ ଦିଲ୍ଲୀପ ନାୟକ ପ୍ରାର୍ଥୀ ହୋଇ 33 ହଜାର 576 ଖଣ୍ଡ ଭୋଟ ପାଇଥିଲେ ।
ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିମାପଡାରେ ପାଣିପାଗ ରୋଚକ ମୋଡ ନେଉଛି । ବିଜେଡି ପ୍ରାର୍ଥୀ ଦିଲ୍ଲୀପଙ୍କୁ ହରାଇବା ପାଇଁ ସମୀରଙ୍କ ସମର୍ଥକମାନେ ଦୃଢ଼ ସଂକଳ୍ପ ନେଇ ବିଜେପି ପ୍ରାର୍ଥୀନୀ ପ୍ରଭାତୀଙ୍କ ବିଜୟୀ କରିବା ପାଇଁ ଲାଗିପଡ଼ିଛନ୍ତି । ସମୀର ବିଜେପିରେ ସାମିଲ ପରେ ବିଜେପିକୁ କେତେ ଫାଇଦା ମିଳୁଛି ଏବଂ ଲଢେଇରେ କିଏ ବାଜି ମାରୁଛି, ତାହା ଜୁନ 4 ତାରିଖ ହିଁ ଜଣାପଡ଼ିବ ।
ଇଟିଭି ଭାରତ, ନିମାପଡ଼ା