ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆଜି ପୁଣି ଫେରାଦ ହୋଇଛି ବିଜେଡି । ବିଜେପି ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡିର ଏକ ପ୍ରତିନିଧି ଦଳ । ମହିଳାଙ୍କୁ ଫୋନ କଲ ମାଧ୍ୟମରେ ବିଜେପି ନେତା ଧମକାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲୁ । ବିଜେପିର ନେତା ଓ କର୍ମୀମାନେ ଓଡିଶାର ନାରୀ ଶକ୍ତିକୁ ଯେଉଁଭଳି ଭାବେ ଅପମାନିତ କରୁଛନ୍ତି, ତା ବିରୋଧରେ ଫେରାଦ ହୋଇଥିଲୁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗତକାଲି ପ୍ରଥମ ପର୍ଯ୍ୟାୟର ନିର୍ବାଚନ ସରିଛି । ଓଡିଶାର ମା', ଭଉଣୀମାନେ ବିଜେଡକୁ ସମର୍ଥନ କରୁଥିବା ସ୍ପଷ୍ଟ ହୋଇଛି । ଏଥିରେ ଓଡ଼ିଶାର ଭାରତୀୟ ଜନତା ପାର୍ଟିର ନେତୃମଣ୍ଡଳୀ, କର୍ମକର୍ତ୍ତା ଓ ପ୍ରାର୍ଥୀମାନେ ଭୟଭୀତ ହୋଇଯାଇଛନ୍ତି । ସେଥିପାଇଁ ସେମାନେ ଗତକାଲି ରାତିରୁ ନୂଆ ଷଡଯନ୍ତ୍ର ଆରମ୍ଭ କରିଛନ୍ତି । ପୁଣି ସେହି ଫୋନ କଲ କରିବା ସେମାନେ ଆରମ୍ଭ କରି ଦେଇଛନ୍ତି । ଧମକ ଚମକ ଦେବା ଆରମ୍ଭ ହୋଇଯାଇଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ଆଶା ଦିଦି, ଅଙ୍ଗନବାଡି ଦିଦି, ମିଶନ ଶକ୍ତି ମା'ଙ୍କୁ ଧମକ ଦିଆଯାଉଛି । 'ତୁମେ ଆମ କଥାରେ ଚାଲ, ନହେଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ', ଏଭଳି କୁହାଯାଉଛି । ଏହି କିଛିଦିନ ହେଲାଣି ଆମେ ଅନେକ ଥର ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛୁ । ବାରମ୍ବାର ଅଭିଯୋଗ କରିଆସିଛୁ । 17-18 ଦିନ ପରେ ନିର୍ବାଚନ ସରିଯିବ । 17-18 ଦିନ ପରେ ଏମାନେ ଆଉ ଧମକ ଚମକ ଦେଇପାରିବେ ନାହିଁ । ଧମକେଇବାର ଆବଶ୍ୟକତା ମଧ୍ୟ ପଡିବ ନାହିଁ । କିନ୍ତୁ ଏବେ ସେମାନେ ମା'ମାନଙ୍କୁ ଯେମିତି ଧମକାଉଛନ୍ତି, ଷଡ଼ଯନ୍ତ୍ର କରୁଛନ୍ତି ଓ ଅପମାନିତ କରୁଛନ୍ତି । ଫଳରେ ସେମାନଙ୍କ ଜୀବନ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି । ଆଜି ସେମାନଙ୍କ ମନରେ ଓ ପରିବାର ଲୋକଙ୍କ ମନରେ ଭାଳେଣି ପଡିଲାଣି ।"
ସେ ଏହା ମଧ୍ୟ କହିଛନ୍ତି, "ପ୍ରଶାନ୍ତ ଜଗଦେବଙ୍କ ପରି ଯେତେ ଯିଏ ହଇରାଣ କଲେ ବି ବିଜେଡି ମା'ମାନଙ୍କ ସହିତ ଅଛି । ନାରୀ ସଶକ୍ତିକରଣ ଆମ ପାଇଁ ସର୍ବଶ୍ରେଷ୍ଠ ବୋଲି ମୁଖ୍ୟମନ୍ତ୍ରୀ କହି ଆସିଛନ୍ତି । ବିଜେପି ନେତାମାନେ ନିମ୍ନମାନର କାର୍ଯ୍ୟ କରୁଛନ୍ତି । ନାଲି ଆଖି ଦେଖାଇବା ବନ୍ଦ କରନ୍ତୁ । ଏଇଟା ଓଡିଶା, ନହଲେ ମା'ମାନେ ଉଚିତ ଜବାବ ଦେବେ । ଆମ ଅଭିଯୋଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟ କରିବେ । ନାରୀ ଶକ୍ତିର ସମ୍ମାନ ରକ୍ଷା କରିବେ ।" ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ପ୍ରିୟବ୍ରତ ମାଝୀ, ମଧୁସ୍ମିତା ନାୟକ, ସ୍ଵୟଂ ପ୍ରକାଶ ମହାପାତ୍ର, ଇପ୍ସିତା ସାହୁ, ଓମ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର