ଭୁବନେଶ୍ବର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତେବେ ଏହି ପର୍ଯ୍ୟାୟରେ ଅନେକ ସ୍ଥାନରୁ ନିର୍ବାଚନୀ ହିଂସା ସମ୍ବନ୍ଧୀୟ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ପ୍ରମୁଖ ରାଜନୈତିକ ଦଳମାନେ ପରସ୍ପର ଉପରେ ଦୋଷାରୋପ କରିବା ସହ ଏମାମଲାରେ ତଦନ୍ତ ନେଇ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ବରଗଡ ହିଂସା ଘଟଣାରେ ବିଜେଡି ଓ ବିଜେପି ପରସ୍ପର ଉପରେ ଦୋଷାରୋପ କରିଥିବା ବେଳେ ମୋଦିଙ୍କ ପୁରୀ ଗସ୍ତ ସମୟରେ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କର ' ଜଗନ୍ନାଥ ମୋଦିଙ୍କର ଭକ୍ତ' ବାକ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ।
ରାଜ୍ୟରେ ଗତକାଲି (ସୋମବାର) ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ବିଭିନ୍ନ ସ୍ଥାନରୁ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ବରଗଡରେ ନିର୍ବାଚନ ବେଳେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ଏହି ଘଟଣା ପଛରେ ରାଜନୈତିକ ସମ୍ପର୍କ ରହିଥିବା ନେଇ ଅଭିଯୋଗ କରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଏହାକୁ ନେଇ ବିଜେପି ଉପରେ ପାଲଟା ଅଭିଯୋଗ ଆଣିଛି ବିଜେଡି ।
ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଭିଯୁକ୍ତ ଅଶୋକ ମହାନନ୍ଦ, ବିଶ୍ବନାଥ ମିର୍ଧାଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବରଂ ମଦ୍ୟପାନ କରି ଦୁଇ ଜଣଙ୍କ ମଧ୍ୟରେ ବ୍ୟକ୍ତିଗତ ଝଗଡ଼ା । କିନ୍ତୁ ବିଜେପି ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରିବାକୁ ଚାହୁଁଛି ।
ସେ ଆଉମଧ୍ୟ କହିଛନ୍ତି ଯେ, ବୌଦ୍ଧ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରୋକ୍ସା ଗ୍ରାମପଞ୍ଚାୟତର ମହେଶ୍ୱର ପିଣ୍ଡା ବୁଥ ନଂ ୨୮ ଓ ଅମୁରଦା ବୁଥ ନଂ ୯ରେ ବିଜେପି ନେତା, କର୍ମୀ ଓ ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନଙ୍କ ସମର୍ଥକମାନେ ବୁଥ ଦଖଲରେ ଲାଗିଛନ୍ତି । ସୁନ୍ଦରଗଡ଼ ପୌରପାଳିକା ୭ ନମ୍ବର ୱାର୍ଡ ବୁଥ ନମ୍ବର ୨୧୩ ରେ ବିଜେପି ବିଧାୟକ ପ୍ରାର୍ଥୀ କୁସୁମ ଟେଟେ ସମର୍ଥକଙ୍କ ସହ ମିଶି ଭୋଟରଙ୍କୁ ଧମକ ଦେଇଛନ୍ତି ।
ଆଉମଧ୍ୟ ଟିଟିଲାଗଡ଼ର ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ପରାଜୟ ଭୟରେ ବିଜେଡି କର୍ମୀଙ୍କୁ ଲଗାତାର ଧମକ ଦେଉଥିବା ଅଭିଯୋଗ ଆଣିଛି ବିଜେଡି । ବିଜେପି ସପକ୍ଷରେ ଭୋଟ ଦେବା ପାଇଁ ସେ ଲଗାତାର ଲୋକଙ୍କୁ ଭୟଭୀତ କରୁଛନ୍ତି । ନଚେତ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି । ଅତାବିରା ନିର୍ବାଚନ ମଣ୍ଡଳୀରେ ଅନୁରୂପ ଘଟଣା ଦେଖିବାକୁ ମିଳିଛି । ସୁଆଳଖଣ୍ଡ ପଞ୍ଚାୟତ ଯୋଗୀପାଲି ମତଦାନ କେନ୍ଦ୍ର ବୁଥ ନଂ ୨୨୧ରେ ସ୍ୱେଚ୍ଛାସେବୀ ବେଶରେ ବିଜେପି କର୍ମୀମାନେ ଭିନ୍ନକ୍ଷମ ଭୋଟରଙ୍କୁ ବିଜେପିକୁ ଭୋଟ ଦେବାକୁ ବାଧ୍ୟ କରିଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି ।
ସେହିପରି ବରଗାଁର ଅଇଁପାଲି ପଞ୍ଚାୟତ ବୁଥ ନଂ ୨୧୨ରେ ବିଜେଡି ଭୋଟର ଓ ବୁଥ ଏଜେଣ୍ଟଙ୍କୁ ବିଜେପି କର୍ମୀ ଧମକାଇଥିବା ଅଭିଯୋଗ ହୋଇଛି । ସାଲେପାଲି ଅରିଗୁଡି ଜିପି ବୁଥ ନଂ ୨୪୬ରେ ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ମାଡ଼ ମାରିଛନ୍ତି । ଏଭଳି ହିଂସାକାଣ୍ଡ ଅତ୍ୟନ୍ତ ଉଦବେଗଜନକ । ଏଭଳି ଘଟଣା ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତାକୁ ନେଇ ଗଭୀର ସନ୍ଦେହ ସୃଷ୍ଟି କରିଛି । ନିର୍ବାଚନ ପ୍ରକ୍ରିୟାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରୀ । ଗଣତନ୍ତ୍ରର ନୀତିକୁ ବଜାୟ ରଖିବା ଏବଂ ଓଡ଼ିଶାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଆମେ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରୁଛୁ । ଆଗକୁ ହିଂସା ରୋକିବା ପାଇଁ ଏବଂ ଦାୟୀ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଲାଗି ସୁନିଶ୍ଚିତ ଉତ୍ତରଦାୟୀ କରିବା ପାଇଁ ଆମେ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।
ସେପଟେ ବିଜେଡି ବିରୋଧରେ ଏକାଧିକ ଅଭିଯୋଗ ଆଣି ସିଇଓଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ବରଗଡ଼ରେ ନିର୍ବାଚନ ବେଳେ ହତ୍ୟା ଘଟଣା ପଛରେ ରାଜନୈତିକ ସମ୍ପର୍କ ରହିଛି ବୋଲି ବିଜେପି ଅଭିଯୋଗ ଆଣିଛି । ସେହିପରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶାରଦା ନାୟକ ବୁଥ ଭିତରେ ପଶି ଗଣ୍ଡଗୋଳ କରିବା ଦ୍ଵାରା ନିର୍ବାଚନ ନିରପେକ୍ଷ ହୋଇପାରିନି ବୋଲି କହିଛି ବିଜେପି । ଅନ୍ୟପଟେ ବୌଦ୍ଧ କଣ୍ଟାମାଳରେ ବୁଥ ଭିତରେ ହୋଇଥିବା ଗଣ୍ଡଗୋଳ ପାଇଁ ଶାସକ ଦଳକୁ ଦାୟୀ କରିବା ସହ ଏଠାରେ ପୁନଃ ଭୋଟିଂ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଛି BJP ।
ବିଜେପି ନେତା ସମୀର ମହାନ୍ତି କହିଛନ୍ତି, "ନବୀନ ବାହିନୀର ଆତଙ୍କରାଜରେ ଅତିଷ୍ଠ ଓଡ଼ିଶାବାସୀ । ରାଜ୍ୟରେ ଅବାଧ, ସ୍ୱଚ୍ଛ ନିରପେକ୍ଷ ନିର୍ବାଚନ କରାଯାଉ ।" କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଡ଼ିଓ ବିଜେଡିର ଦଳୀୟ ବୈଠକରେ ଚେୟାର ପକାଇବା ସହ ବିଜେଡିର ଦଳୀୟ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧି ର ଉଲ୍ଲଂଘନ । ଉକ୍ତ ଓଏଏସ ଅଧିକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ବିଜେପି । ସେହିପରି ରାଜ୍ୟରେ ପୋଲିସ ଅଧିକାରୀ ଦଳୀୟ କାର୍ଯ୍ୟରୁ ନିବୃତ ରହି ସରକାରୀ କାର୍ଯ୍ୟ କରନ୍ତୁ ବୋଲି କହିଛି ବିଜେପି । ତେବେ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ଟିମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି ।
ଅନ୍ୟପଟେ ସମ୍ବିତ ପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ । ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଦ୍ଵାରା ନିର୍ବାଚନ ଆଇନ ଏବଂ ଆଇପିସି ଉଲ୍ଲଂଘନ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡିଛି କଂଗ୍ରେସ । ଗତକାଲି ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ଶୋ ପରେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର “ଜଗନ୍ନାଥ ମୋଦିଙ୍କର ଭକ୍ତ” ବୋଲି ଏକ ବିବୃତ୍ତି ଦେଇଥିଲେ । ଏହାକୁ ନେଇ କଂଗ୍ରେସ ସିଇଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଏହି ବିବୃତ୍ତି ଭଗବାନ ଜଗନ୍ନାଥଙ୍କ ଭକ୍ତଙ୍କ ଧାର୍ମିକ ବିଶ୍ୱାସକୁ ଅପମାନିତ କରିଥିବା ବେଳେ ଏହା ଏକ ଆପତ୍ତିଜନକ କାର୍ଯ୍ୟ । ବିଶେଷ ଭାବରେ ଆମ ଦେଶର ହିନ୍ଦୁ ସମ୍ପ୍ରଦାୟ ଏବଂ ଓଡ଼ିଶାର ଲୋକ ଏହାକୁ ଗ୍ରହଣ କରିବେ ନାହିଁ । ଏହା ସହିତ ପ୍ରଭୁ ଜଗନ୍ନାଥଙ୍କ ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନାକୁ କ୍ରୋଧିତ କରିବା ପାଇଁ ଏକ ସୁଚିନ୍ତିତ ଏବଂ ମନ୍ଦ ଉଦ୍ଦେଶ୍ୟ ।ସାଧାରଣ ନିର୍ବାଚନରେ ସାଂସଦ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଆଦର୍ଶ ଆଚରଣ ବିଧି ଅନୁଯାୟୀ ଭୁଲ କରିଛନ୍ତି ବୋଲି ଅଭିଯୋଗ ଆଣି ଜୟନାରାୟଣ ପଟ୍ଟନାୟକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ କାର୍ଯ୍ୟାନୁଷ୍ଠାନ କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟଙ୍କ ନେତୃତ୍ୱରେ ଏକ ଟିମ ସିଇଓଙ୍କୁ ଭେଟିଛନ୍ତି ।
ପୁରୀରେ ସମ୍ବିତ ପାତ୍ରଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।ଆଜି ସକାଳ ସମୟରେ ପୁରୀର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମୋଦିଙ୍କ ଭକ୍ତ ହେଉଛନ୍ତି ଶ୍ରୀଜଗନ୍ନାଥ ବୋଲି ଏକ ମନ୍ତବ୍ୟ ଦେଇଥିଲେ।ଗଣମାଧ୍ୟମ ରେ ଏହି ମନ୍ତବ୍ୟ ସୋସିଆଲ ମିଡିଆ ରେ ଘୁରି ବୁଲୁଚି।ଉଭୟ ବିଜେଡି ଏବଂ କଂଗ୍ରେସ ଏନେଇ ଆପତ୍ତି ଉଠାଇଛନ୍ତି।କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବଧାରା କୁ କ୍ଷୁର୍ଣ୍ଣ କରିଛି ସମ୍ବିତଙ୍କ ମନ୍ତବ୍ୟ।ଏହା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।
ଇଟିଭି ଭାରତ, ଭୁବନେଶ୍ୱର