ଭୁବନେଶ୍ବର: ପୁଣି ଗଣମାଧ୍ୟମର ଶିରୋନାମାରେ ଭିକେ ପାଣ୍ଡିଆନ । ତାଙ୍କ ହେଲିକପ୍ଟର ବୁଲା ନେଇ ଚାଲିଛି ତଦନ୍ତ ପ୍ରକ୍ରିୟା । ପାଣ୍ଡିଆନ ହେଲିକପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା ? ରାଜ୍ୟର ବିଭିନ୍ନ ସ୍ଥାନରେ ହେଲିପ୍ୟାଡ ନିର୍ମାଣ ପାଇଁ କିଏ ନିର୍ଦ୍ଦେଶ ଦେଉଥିଲା ? କାହା ନିର୍ଦ୍ଦେଶରେ ଏସବୁ ଚାଲିଥିଲା ? ପାଣ୍ଡିଆନ ହେଲିକପ୍ଟର ବୁଲା ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ଏସବୁ ତଦନ୍ତ ପରିସରଭୁକ୍ତ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେପଟେ ଡବଲ ଇଞ୍ଜିନ ସରକାର ସୁଶାସନ ଉପରେ ଧ୍ୟାନ ଦିଅନ୍ତୁ ବୋଲି କହିଲା ବିଜେଡି । କଂଗ୍ରେସ କହିଲା ସରକାର ଗୋଟିଏ ଦୁଇଟି ଦୁର୍ନୀତି କଥା କହି ବଡ଼ ଦୁର୍ନୀତିକୁ ଭୁଲି ନ ଯାଆନ୍ତୁ ।
ପୂର୍ବ ସରକାରରେ ଜଣେ ସଚିବ ହେଲିକପ୍ଟରରେ ବୁଲି ଅଭିଯୋଗ ପତ୍ର ଆଣୁଥିଲେ । ପ୍ରତ୍ୟେକ ଜିଲ୍ଲା ବୁଲି ଅଭିଯୋଗର ଶୁଣାଣି ମଧ୍ୟ କରୁଥିଲେ । ହେଲେ ରାଜ୍ୟରେ ଏବେ ସରକାର ବଦଳିଛି । ବିଜେପି ସରକାର ଆସିଛି । ତେବେ ଏହି ହେଲିକପ୍ଟର ଯୋଗେ ରାଜ୍ୟ ବୁଲିବା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରିବା ଉପରେ ହେବ ତଦନ୍ତ । ତଦନ୍ତ ପରେ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି ରାଜ୍ୟ ସରକାର କହୁଛନ୍ତି । ତେବେ ଏହା ଉପରେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।
କଣ କହିଲେ ଆଇନ ମନ୍ତ୍ରୀ ?
ଏନେଇ ଆଇନ ମନ୍ତ୍ରୀ କହିଛନ୍ତି, " ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତ ହେବ । ଜଣେ ସଚିବଙ୍କୁ ହେଲିକପ୍ଟରର ବୁଲିବାକୁ ଅନୁମତି କିଏ ଦେଲା ? ପାଣ୍ଡିଆନ ହେଲିକପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା, ତାର ସ୍ପଷ୍ଟତା ଆସିବା ଦରକାର ତେଣୁ ତଦନ୍ତ ହେବା ଆବଶ୍ୟକତା ରହିଛି । ତାଙ୍କ ହେଲିପ୍ୟାଡ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ ନିର୍ମାଣ କରାଯାଉଥିଲା । ପାଖାପାଖି 450 ଜାଗା ସେ ବୁଲିଛନ୍ତି । ହେଲିପ୍ୟାଡ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ । କିଏ ନିର୍ଦ୍ଦେଶ ଦେଇଥିଲା ଏବଂ କେମିତି ନିର୍ଦ୍ଦେଶ ଦେଉଥିଲା ? ବିଭାଗୀୟ ସଚିବ ଯାହାର ହେଲିକପ୍ଟର ବ୍ୟବହାର କରିବାର ପ୍ରବଧାନ ନାହିଁ, ସରକାର କେମିତି ଅନୁମତି ଦେଇଥିଲେ, ହେଲିକପ୍ଟର ଅବତରଣ କରିବା ପାଇଁ ପ୍ରୋସେସ କରିଥିଲେ, ଏ ସବୁ ତଦନ୍ତ ପରିସରଭୁକ୍ତ ହେବ । ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ ।"
'ସୁଶାସନ ଉପରେ ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର'
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ନେତା ସମ୍ବିତ ରାଉତରାୟ କହିଛନ୍ତି, "ପାଣ୍ଡିଆନ ହେଲିକପ୍ଟରରେ ବୁଲି ଜନଶୁଣାଣି କରୁଥିଲେ । ମଠ ମନ୍ଦିର ବିକାଶ ହୋଇଛି । ଏ ସରକାର ଆସିବା ପରେ ପିସି କାରବାର ବଢିଛି । ଯାଜପୁରରେ କାମ କରି ଦେଉନାହାନ୍ତି । ସେମାନେ ଆକସ୍ମିକ ଶାସନକୁ ଆସିଛନ୍ତି । ସେଥିପାଇଁ କହୁଛନ୍ତି ପୂର୍ବ ସରକାରର ଦୁର୍ନୀତିକୁ ତଦନ୍ତ କରିବେ । ଯଦି ନବୀନ ସରକାର ଦୁର୍ନୀତି ଗ୍ରସ୍ତ ଥିଲେ ତାହାଲେ ଏତେ ବର୍ଷ ଶାସନ କଲେ କେମିତି ? ଡବଲ ଇଞ୍ଜିନ ଶାସନ କେମିତି ହେବ ତା' ଉପରେ ଧ୍ୟାନ ଦିଅନ୍ତୁ । ନିଜକୁ ସୁଶାସନର ସରକାର କହୁଥିବା ବିଜେପି ନିଜ ପରାକାଷ୍ଠା ଦେଖନ୍ତୁ ।"
'ଗୋଟିଏ ଦୁଇଟି ଦୁର୍ନୀତି କଥା କହି ବଡ଼ ଦୁର୍ନୀତିକୁ ଭୁଲି ନ ଯାଆନ୍ତୁ ସରକାର'
ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, "କେବଳ ପାଣ୍ଡିଆନଙ୍କ ହେଲିକେପ୍ଟର ବୁଲା ନୁହେଁ ଅନେକ ଦୁର୍ନୀତି କଥା କଂଗ୍ରେସ ଉଠେଇଥିଲା । ପାନୀୟ ଜଳ ପାଇଁ ମୁଷ୍ଟିମେୟ ବାହାର କଣ୍ଟ୍ରାକ୍ଟର କେମିତି କାମ ଦିଆଯାଇଥିଲା ତାହାର ତଦନ୍ତ ହେଉ । କୋଭିଡ ବେଳେ ହୋଇଥିବା ଦୁର୍ନୀତିର ବି ତଦନ୍ତ ହେବା ଦରକାର । ବିଦ୍ୟୁତ ସରଞ୍ଜାମ, ଭିତ୍ତିଭୂମି ପାଇଁ ଶକ୍ତି ବିଭାଗ ପକ୍ଷରୁ ବ୍ୟାପକ ଦୁର୍ନୀତି ନେଇ କଂଗ୍ରେସ ସ୍ବର ଉତ୍ତୋଳନ କରିଥିଲା । କେବଳ ଗୋଟିଏ ଦୁଇଟି ଘଟଣାର ତଦନ୍ତ କଥା କହି ବଡ଼ ଦୁର୍ନୀତିକୁ ଭୁଲି ନ ଯାଆନ୍ତୁ ସରକାର ।"
ଏହା ବି ପଢନ୍ତୁ- ହେଲିକପ୍ଟର ଗସ୍ତରେ କେତେ ଖର୍ଚ୍ଚ କରିଥିଲେ ପାଣ୍ଡିଆନ; ହିସାବ କରୁଛନ୍ତି ମୋହନ ସରକାର
ଏହା ବି ପଢନ୍ତୁ- ପାଣ୍ଡିଆନଙ୍କ 75ଥର ହେଲିକପ୍ଟର ଗସ୍ତ, ଖର୍ଚ୍ଚ ହେଲାଣି 500କୋଟି; ଜବାବ ମାଗିଲା ବିଜେପି
75ଥର ବୁଲି 500 କୋଟି ଖର୍ଚ୍ଚ କରିଥିଲେ ପାଣ୍ଡିଆନ !
ବିଜେପି ସରକାରକୁ ଆସିବା ପୂର୍ବରୁ ଏକ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରିଥିଲା । ଉକ୍ତ ରିପୋର୍ଟ ଅନୁସାରେ ଜାନୁଆରୀ 1ରୁ ଜୁନ ଭିତରେ 75 ଥର ହେଲିକପ୍ଟର ଏବଂ ଚାଟାର୍ଡ ଫ୍ଲାଇଟ ଉଡ଼ିଥିଲା । ଗୋଟିଏ ଗୋଟିଏ ଗସ୍ତ ପାଇଁ 15ରୁ 20 କୋଟି ଖର୍ଚ୍ଚ ହେଉଥିଲା । ପାଣ୍ଡିଆନ 75ଥର ହେଲିକପ୍ଟରରେ ବୁଲି 500କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ବିଜେପି ଗତବର୍ଷ ସେପ୍ଟେମ୍ବରରେ ଏଭଳି ଅଭିଯୋଗ ଆଣିଥିଲା ।
ଇଟିଭି ଭାରତ, ଭୁବନେଶ୍ବର