ନିଆଳି: ଗତକାଲି(ରବିବାର) ୭୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରୁ ଜ୍ୟୋତି ରଞ୍ଜନ ମଲ୍ଲିକ ଓ ଜୟଦେବ ଆସନରୁ ଜୟନ୍ତ ଭୋଇଙ୍କୁ ଟିକଟ ଦେଇଛି ଦଳ । ଉଭୟ ନେତା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି । ନିର୍ବାଚନରେ ବିଜୟୀ ହେଲେ କୃଷି, ସ୍ବାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ଜ୍ୟୋତି ରଞ୍ଜନ ମଲ୍ଲିକ ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ''ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକର ସାଧାରଣ ଜନତାଙ୍କ ସମସ୍ୟା ସହିତ ଭାଗିଦାରୀ ହେବା ମୋର ପ୍ରଥମ କର୍ତ୍ତବ୍ୟ ହେବ । ମୁଁ ଗୋଟିଏ ପଞ୍ଚାୟତର ପ୍ରତିନିଧି ଅଛି । ଏବେ ସମଗ୍ର ନିଆଳି ନିର୍ବାଚନ ମଣ୍ଡଳୀର ପ୍ରତିନିଧି ହେବାକୁ ଯାଉଛି । ଜନସାଧାରଣ ହେଉଛନ୍ତି ମାଲିକ । ମୋର ଆଶା ନିଆଳିକୁ କଂଗ୍ରେସ ଫେରିବ । ନିଆଳିର ମୌଳିକ ସମସ୍ୟା ସମାଧାନ କରିବ କଂଗ୍ରେସ । ନିଆଳି ହେଉଛି କୃଷି ପ୍ରାଧାନ୍ୟ ଅଞ୍ଚଳ । କୃଷିର ବିକାଶ, ସ୍ବାସ୍ଥ୍ୟ, ଶିକ୍ଷା ନିଆଳି ବଜାରର ସମସ୍ୟା ସହିତ ଲୋକଙ୍କ ସମସ୍ୟା ସହିତ ରହି କାର୍ଯ୍ୟ କରିବା ପାଇଁ ମୁଁ ସଂକଳ୍ପ ନେଇଛି । ''
ଜ୍ୟୋତି ରଞ୍ଜନ ମଲ୍ଲିକ ହେଉଛନ୍ତି କଂଗ୍ରେସ ବରିଷ୍ଠ ନେତା ଆର୍ତ୍ତତ୍ରାଣ ମଲ୍ଲିକଙ୍କ ପୁଅ । ଆର୍ତ୍ତତ୍ରାଣ ୨୦୦୯ ମସିହାରେ କଂଗ୍ରେସ ଟିକେଟରୁ ଲଢି ୪୦ ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇଥିଲେ । ଆର୍ତ୍ତତ୍ରାଣଙ୍କ ଦେହ ଅସୁସ୍ଥ ଯୋଗୁଁ ଜ୍ୟୋତି ରଞ୍ଜନ ଏବେ ରାଜନୈତିକ ମୈଦାନରେ । ଜ୍ୟୋତି ରଞ୍ଜନ ନିଆଳି ବ୍ଳକର ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଭାବରେ କାର୍ଯ୍ୟ ତୁଲାଉଛନ୍ତି । ଜ୍ୟୋତି ରଞ୍ଜନ ଜଣେ ଯୁବ ନେତା । କଂଗ୍ରେସ ଦଳ ଏହି ଯୁବ ଚେହେରାକୁ ନିଆଳି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରି ଭୋଟରଙ୍କ ପ୍ରିୟ ଭାଜନ ହେବାକୁ ଲକ୍ଷ୍ୟ ରଖିଛି ।
ପୂର୍ବ ଗୋବିନ୍ଦପୁର ଏବଂ ବର୍ତ୍ତମାନର ନିଆଳି କଂଗ୍ରେସର ଗଡ ବୋଲି ବିବେଚନା କରାଯାଏ । ୨୦୦୯ ମସିହା ଠାରୁ ଏହା ବିଜେଡି ହାତରେ ରହିଛି । ଦଳର ବରିଷ୍ଠ ନେତୃତ୍ୱ ଏବେ ଏକାଠି ହୋଇଛନ୍ତି । ୨୦୨୪ରେ କଂଗ୍ରେସ ଦଳକୁ ଶକ୍ତିଶାଳି କରିବା ସହିତ ନିଆଳିକୁ ହାତେଇବା ଲକ୍ଷ୍ୟରେ ରହିଛି କଂଗ୍ରେସ । ବିଭିନ୍ନ ଦୁର୍ନୀତି ଏବଂ ସମସ୍ୟାକୁ ନେଇ ଜ୍ୟୋତି ରଞ୍ଜନ ଭୋଟରଙ୍କ ନିକଟକୁ ଯିବା ପାଇଁ ସଂକଳ୍ପ ନେଇଛନ୍ତି । ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ପ୍ରାର୍ଥୀତ୍ବକୁ ନେଇ କଂଗ୍ରେସ ସମର୍ଥକ ଖୁସି ଅଛନ୍ତି ।
ସେହିପରି ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଜୟନ୍ତ ଭୋଇଙ୍କୁ ପ୍ରାର୍ଥୀ କରିଛି । ଜୟନ୍ତ ୧୯୯୭ ମସିହାରେ ଜିଲ୍ଲା ପରିଷଦ ନିର୍ବାଚନ ହୋଇଥିଲେ । ପରବର୍ତ୍ତୀ ସମୟରେ ପିସିସି ସଭ୍ୟ ଏବଂ ଖୋର୍ଦ୍ଧା ଜିଲ୍ଲା ଏସି ସେଲ ସଭାପତି ଭାବରେ କାର୍ଯ୍ୟ ତୁଲାଉଛନ୍ତି । ଜୟନ୍ତ ଜୟଦେବ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଏବଂ ଦୁର୍ନୀତିକୁ ମୁଦ୍ଦା କରି ଭୋଟରଙ୍କ ନିକଟକୁ ଯିବେ ବୋଲି କହିଛନ୍ତି ।
ଇଟିଭି ଭାରତ, ନିଆଳି