ରାଞ୍ଚି: ଜମି ଘୋଟାଲା ମାମଲାରେ ଝାଡଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳ ଜେଏମଏମର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ଏବେ ଗିରଫ ହୋଇ ଜେଲରେ ଅଛନ୍ତି । ପରେ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଥିଲେ ସୁଦ୍ଧା ରାଜନୈତିକ ସଙ୍କଟ ଏବେ ମଧ୍ୟ ଟଳିନି । ଆସନ୍ତାକାଲି ଗୃହରେ ଚମ୍ପାଇ ସଂଖ୍ୟା ବହୁମତର ପ୍ରମାଣ ଦେବେ । ଜେଏମଏମ ନେତୃତ୍ୱାଧୀନ ମେଣ୍ଟର ବିଧାୟକମାନେ ହାଇଦ୍ରାବାଦରେ ଅଛନ୍ତି । ତେବେ ଏହାର ମାତ୍ର କେଇ ଘଣ୍ଟା ପୂର୍ବରୁ ଦଳରେ ବିରୋଧାଭାସ ସାମ୍ନାକୁ ଆସିଛି । ଜେଏମଏମର ଜଣେ ବିଧାୟକ ଗିରଫଦାରୀ ପାଇଁ ହେମନ୍ତଙ୍କୁ ହିଁ ଦାୟୀ କରିଛନ୍ତି । ତାଙ୍କ ନୀତିକୁ ସମାଲୋଚନା କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସାହିବଗଞ୍ଜ ଜିଲ୍ଲାର ବୋରିଓ ବିଧାନସଭା ଆସନରୁ ଜେଏମଏମ ବିଧାୟକ ଥିବା ଲୋବିନ ହେମ୍ବ୍ରମ ହେମନ୍ତଙ୍କ ନୀତିକୁ ସମାଲୋଚନା କରିଛନ୍ତି । ହେମନ୍ତ ଯଦି ତାଙ୍କ ପରାମର୍ଶ ଗ୍ରହଣ କରିଥାନ୍ତେ, ତାହାଲେ ତାଙ୍କୁ ଗିରଫ ହୋଇ ଜେଲକୁ ଯିବାକୁ ପଡିନଥାନ୍ତା ବୋଲି ହେମ୍ବ୍ରମ କହିଛନ୍ତି । ତେବେ ଜେଏମଏମ ନିର୍ବାଚନୀ ଇସ୍ତାହାରରେ ଆଦିବାସୀ ଅଧିକାର ସୁରକ୍ଷା ସମ୍ପର୍କରେ ଯେଉଁ ଅଧିନିୟମ ଆଣିବା ପାଇଁ ଘୋଷଣା କରିଥିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟକାରୀ ହୋଇାନାହିଁ ବୋଲି କହି ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତମାମ ପରୋକ୍ଷ ସମାଲୋଚନା ସତ୍ତ୍ୱେ ମଧ୍ୟ ସେ ଆସନ୍ତାକାଲି ବହୁମତ ପ୍ରମାଣରେ ଅଂଶଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ହେଲେ ଏକାଧିକ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ସେ କାଲି ଗୃହରେ ଜେଏମଏମ ବିରୋଧରେ ମଧ୍ୟ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଲୋବିନ୍ ହେମ୍ବ୍ରମ ଏକ ସଭାରେ କହିଛନ୍ତି,‘‘ ସିଏନଟି ଆକ୍ଟ, ଏସପିଟି ଆକ୍ଟ ଓ ଖାତିଆନ ଭିତ୍ତିକ ସ୍ଥାନୀୟ ନୀତି ଲାଗୁ କରିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନିର୍ବାଚନୀ ଇସ୍ତାହାରରେ ଥିଲା । କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଅନ୍ୟପକ୍ଷରେ, ଝାଡଖଣ୍ଡର ମୂଳବାସିନ୍ଦା ପ୍ରତିନିଧିଙ୍କୁ ଅଗ୍ରାଧିକାର ନଦେଇ ବାହାର ରାଜ୍ୟ ତଥା ବିହାର ଲୋକଙ୍କ ଦ୍ୱାରା ଶାସନ ପରିଚାଳିତ ହେଉଛି । ପଙ୍କଜ ମିଶ୍ରା, ଅଭିଷେକ କୁମାର, ସୁପ୍ରିୟା ଭଟ୍ଟାଚାର୍ଯ୍ୟ ପ୍ରମୁଖ ସରକାରରେ ନିଷ୍ପତ୍ତି ନେଉଛନ୍ତି ।’’
ଏହା ମଧ୍ୟ ପଢନ୍ତୁ :- ‘2002 ଦଙ୍ଗା ଘଟଣାରେ ଆଡଭାନୀ ହିଁ ମୋଦିଙ୍କୁ ବଞ୍ଚାଇଥିଲେ’
ହେମ୍ବ୍ରମ ଆହୁରି ମଧ୍ୟ କହିଛନ୍ତି, ବହୁ ସଂଘର୍ଷ ପରେ ଝାଡଖଣ୍ଡ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା । ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ରହିବା ଜରୁରୀ । ହେଲେ ଆଦିବାସୀଙ୍କୁ କେବଳ ନାମମାତ୍ର ଶାସନରେ ବସାଯାଇ ବିହାର ରାଜ୍ୟର ଲୋକଙ୍କ ନୀତିରେ ଶାସନ ଚାଲିଛି । ଏ ଅଭିଯୋଗ ସେ ପୂର୍ବରୁ ଏକାଧିକ ବାର ଉଠାଇଛନ୍ତି । ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ପ୍ରସଙ୍ଗକୁ ଅଣଦେଖା କରିଆସିଛନ୍ତି । ତେବେ ଆସନ୍ତାକାଲି ସେ ଗୃହରେ କଣ ଆଭିମୁଖ୍ୟ ରଖିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ