ETV Bharat / politics

ଟିକଟ ଘୋଷଣା ପରେ ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ, ଇସ୍ତଫାରେ ଲେଖିଲେ ମନର ବ୍ୟଥା - ANUBHAV PATNAIK Quits BJD

author img

By ETV Bharat Odisha Team

Published : May 2, 2024, 6:27 PM IST

Anubhav Patnaik Left BJD
Anubhav Patnaik Left BJD(ETV Bharat)

Anubhav Patnaik Left BJD: ବିଜେଡିର ପ୍ରାର୍ଥୀ ଘୋଷଣା ପରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଦଳ ଛାଡିଛନ୍ତି । ଦଳ ପାଇଁ କାମ କରିଥିଲେ ବି ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ସେ ପ୍ରକାଶ କରିଛନ୍ତି । ଜାଣନ୍ତୁ ଇସ୍ତଫାପତ୍ରରେ କ'ଣ ଉଲ୍ଲେଖ କରିଛନ୍ତି ଅନୁଭବ ।

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ଆଜି ଖଣ୍ଡପଡା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଦଳର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ନିରାଶ କରିଛି । 2019 ପରି 2024ରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଇନାହିଁ । ତେଣୁ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ।

ଅନୁଭବ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, "ମୋ ପିତା ସ୍ଵର୍ଗତ ଅରୁଣ ପଟ୍ଟନାୟକ ୧୯୮୫ ମସିହାରୁ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳରେ ଥିଲେ । ମୋ ମା' ବିଜୟଲକ୍ଷ୍ମୀ ପଟ୍ଟନାୟକ ଓ ମୁଁ ବିଜେଡି ଆରମ୍ଭରୁ ଦଳ ସହିତ ଜଡ଼ିତ ଅଛୁ । ଦୀର୍ଘ ୪୦ ବର୍ଷ ଧରି ଖଣ୍ଡପଡ଼ାରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆମ ପରିବାର ସର୍ବଦା ଚେଷ୍ଟିତ ରହିଛୁ । ପ୍ରତି ନିର୍ବାଚନରେ ଦଳକୁ ଜିତାଇବା ପାଇଁ ଆମେ ଅହରହ କାର୍ଯ୍ୟ କରିଛୁ । 2014 ରୁ 2019 ମୁଁ ବିଧାୟକ ଥିବା ସମୟରେ ଖଣ୍ଡପଡ଼ାର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ବିଜୁ ଜନତା ଜଳକୁ ସୁଦୃଢ଼ କରିଅଛି । କିନ୍ତୁ ଏହି ସବୁ ପ୍ରଚେଷ୍ଟା ପରେ ମଧ୍ୟ 2019 ମସିହାରେ ସାଧାରଣ ନିର୍ବାଚନରେ ଜଣେ ଜିଲ୍ଲା ବାହାରର ନେତାଙ୍କୁ ଆଣି ଖଣ୍ଡପଡ଼ାରେ ନିରୀହ ଜନସାଧାରଣଙ୍କ ଉପରେ ଲଦି ଦିଆଗଲା ।"


"ସେହି ବହିରାଗତ ବିଧାୟକ ହେଲା ପରେ କୌଣସି ମୁହୂର୍ତ୍ତରେ ମଧ୍ୟ ଲୋକମାନଙ୍କ ପାଖରେ ନଥିଲେ । ଏହି ଖବର ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱଙ୍କ ପାଖରେ ମଧ୍ୟ ଅଛି । ସେହି ଲୋକ ଦଳର ଶୀର୍ଷ ନେତୃତ୍ବଙ୍କ ବିରୋଧରେ ଅପପ୍ରଚାର କଲେ । ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଦଳର ସ୍ବାର୍ଥ ଓ ସ୍ଵାଭିମାନ ପାଇଁ ଟିଭି, ମିଡ଼ିଆ ଓ ସାମାଜିକ ଗଣମାଧ୍ୟମରେ ମୋତେ ଦିଆଯାଇଥିବା ଦଳମତ ଅନୁସାରେ ପକ୍ଷ ରଖୁଥିଲି । ପ୍ରତ୍ୟେକ ସ୍ଥାନରେ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ଅନୁସାରେ ଯାହା ବିଜୁ ଜନତା ଦଳ ପାଇଁ ଆବଶ୍ୟକ, ମୁଁ ସେ କର୍ତ୍ତବ୍ୟ ପାଳନ କରିଛି" ବୋଲି ଉଲ୍ଲେଖ କରିଛନ୍ତି ଅନୁଭବ ।


ଏହା ବି ପଢନ୍ତୁ...୩ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ବଦଳିଲେ ଦେବଗଡ଼ ପ୍ରାର୍ଥୀ - BJD CANDIDATE LIST


ବିଧାୟକ ନଥାଇ ମଧ୍ୟ ବିଜୁ ଜନତା ଦଳର ସଙ୍ଗଠନକୁ ଦୃଢ଼ କରିବା ସହିତ ଦଳର ମୁଖପାତ୍ର ଭାବରେ ଦଳୀୟ କାର୍ଯ୍ୟକ୍ରମ ଓ ଟିଭି ମିଡ଼ିଆରେ ଅଂଶଗ୍ରହଣ କରିଥିବା କହିଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ସେ ଆହୁରି କହିଛନ୍ତି, "ବିଧାୟକଙ୍କ ଅନୁପସ୍ଥିତିରେ ମଧ୍ୟ ଦଳର ନିର୍ଦ୍ଦେଶ ଅନୁସାରେ ଖଣ୍ଡପଡାବାସୀଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଉଦ୍ୟମ ଜାରି ରଖିଛି । ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ଘରେ ଶଙ୍ଖ ଅଭିଯାନକୁ ସୂଚାରୁ ରୂପେ ଚଳାଇ ଆସିଛି । ଏହା ସତ୍ତ୍ୱେ 2024 ରେ ମଧ୍ୟ ମୋ ସହିତ ପୁଣି ଥରେ ଅନ୍ୟାୟ କରାଯାଇଛି । ମୋତେ ଖଣ୍ଡପଡ଼ାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢ଼ିବାରୁ ବଞ୍ଚିତ କରାଯାଇଛି । ବିଜୁ ଜନତା ଦଳର ଶୀର୍ଷ ନେତୃତ୍ବ ସଦାସର୍ବଦା ମତେ ଅସ୍ତ୍ର କରି ନିଜର ସ୍ବାର୍ଥ ସାଧନ କରି ଆସିଛନ୍ତି । ଦଳର ଏହି ପ୍ରକାର ପକ୍ଷପାତିତା ମୋ ଭଳି ଅନେକ ବିଜୁ ଜନତା ଦଳ ପ୍ରତି ଆସକ୍ତ ଥିବା କର୍ମୀମାନଙ୍କ ପ୍ରତି ଅନ୍ୟାୟ କରୁଛି । ଏହା ଆଗକୁ ଦଳକୁ ସୁଦୃଢ଼ କରିବା ପରିବର୍ତ୍ତେ ଦଳକୁ ଖଣ୍ଡପଡ଼ାରେ ଦୁର୍ବଳ କରିବା ହିଁ ଏକମାତ୍ର ସାର । ଖଣ୍ଡପଡ଼ା ମାଟିର ସନ୍ତାନ ଭାବରେ ଖଣ୍ଡପଡ଼ାର ବିକାଶ ମୋର ମୂଳ ଲକ୍ଷ୍ୟ । ତେଣୁ ବିଜେଡିରୁ ମୁଁ ଇସ୍ତଫା ଦେଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.