ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମା, ଏମ୍ଏସ୍ ଧୋନୀଙ୍କ ସମେତ ଅନେକ କ୍ରିକେଟରଙ୍କୁ ମିଳିଛି ନିମନ୍ତ୍ରଣ । ଅନ୍ୟପଟେ ପୂର୍ବତନ କ୍ରିକେଟର ତଥା ଆମ ଆଦମୀ ପାର୍ଟିରୁ ରାଜ୍ୟସଭା ସାଂସଦ ହରଭଜନ ସିଂହ ମଧ୍ୟ ଏହି ଭବ୍ୟ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରିତ ହୋଇଛନ୍ତି । ହେଲେ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବିଜେପି ରାଜନୈତିକ ରଙ୍ଗ ଦେଉଥିବା ବିଭିନ୍ନ ବିରୋଧୀ ଦଳ ଅଭିଯୋଗ କରୁଥିବାବେଳେ ଆପ୍ ସାଂସଦ ହରଭଜନ ସିଂହଙ୍କ ବୟାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ନିଶ୍ଚୟ ଯିବି କହିଲେ ହରଭଜନ: ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ଏବଂ ଏହାକୁ ରାଜନୀତିକରଣ କରାଯାଉଥିବା ଅଭିଯୋଗ କରି ବିଭିନ୍ନ ରାଜନୈତିକ ଦଳ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏନେଇ ମିଳିଥିବା ନିମନ୍ତ୍ରଣକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏହାରି ଭିତରେ ଆମ୍ ଆଦମୀ ପାର୍ଟିରୁ ରାଜ୍ୟସଭା ସାଂସଦ ହରଭଜନ ସିଂହଙ୍କ ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେ କହିଛନ୍ତି, "ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବା ଆମର ସୌଭାଗ୍ୟ । ତେଣୁ ଆମେ ସମସ୍ତେ ଯାଇ ଭଗବାନଙ୍କ ଆଶୀର୍ବାଦ ନେବା ଉଚିତ୍ । କିଏ ଯାଉ ବା ନଯାଉ, ମୋର ଭଗବାନଙ୍କ ଉପରେ ବିଶ୍ବାସ ଅଛି, ତେଣୁ ମୁଁ ନିଶ୍ଚୟ ଯିବି । କେଉଁ ଦଳ ଯିବ ନଯିବ କିଛି ପ୍ରଭାବ ପଡ଼ିବନି । ମୋର ବିଶ୍ବାସ ଯେ, ମୋ ଜୀବନରେ ଯାହା ଘଟୁଛି, ସବୁ ଈଶ୍ବରଙ୍କ କୃପାରୁ... ତେଣୁ ମୁଁ ଭଗବାନଙ୍କ ଆଶୀର୍ବାଦ ପାଇବାକୁ ନିଶ୍ଚୟ ଯିବି ।"
ଏହା ମଧ୍ୟ ପଢ଼ନ୍ତୁ...ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସାମିଲ ହେବାକୁ ରବିଚନ୍ଦ୍ରନ ଅଶ୍ବିନଙ୍କୁ ନିମନ୍ତ୍ରଣ
ହରଭଜନ ସିଂହଙ୍କ ପାର୍ଟି କରିଥିଲା ବିରୋଧ: ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଦେଶରେ ରାଜନୀତି ମଧ୍ୟ ଜୋରଦାର ଚାଲିଛି । ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ସମେତ ହରଭଜନ ସିଂହଙ୍କ ଦଳ ଆମ ଆଦମୀ ପାର୍ଟି ମଧ୍ୟ ଏହି କାର୍ଯ୍ୟକ୍ରମକୁ ରାଜନୈତିକ ରଙ୍ଗ ଦିଆଯାଉଥିବା ଅଭିଯୋଗ କରିଛନ୍ତି । ଅନେକ ବିରୋଧୀ ଦଳ ଏହି କାର୍ଯ୍ୟକ୍ରମକୁ ବିଜେପିର ଦଳୀୟ କାର୍ଯ୍ୟକ୍ରମ କହି ମିଳିଥିବା ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏହାରି ଭିତରେ ଆପ୍ ସାଂସଦ ହରଭଜନଙ୍କ ବୟାନ ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ