କାନ୍ଦ୍ରାପଡ଼ା: ମୁଣ୍ଡ ଉପରେ ନିର୍ବାଚନ ଘଣ୍ଟି । ଦିନ କେଇଟା ପରେ ପ୍ରଚାରେ କମ୍ପିବ ମଇଦାନ । ରାଜ୍ୟର 21ଟି ଲୋକସଭା ଆସନ ଭିତରୁ 18 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ଭାରତୀୟ ଜନତା ପାର୍ଟୀ । ସେହିପରି ବିଜେଡି ମଧ୍ୟ ଦୁଇଟି ପର୍ୟ୍ୟାୟରେ 15 ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇଛି । ଏହାରି ଭିତରେ ଚର୍ଚ୍ଚାରେ ରହିଛି ବିଜେଡିର ଗଡ଼ ଭାବରେ ପରିଚିତ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର । ବିଜେପି ପକ୍ଷରୁ ବୈଜୟନ୍ତ ପଣ୍ଡା ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ସୈନିକ ସାଜିଛନ୍ତି ଅଂଶୁମାନ ମହାନ୍ତି । ସେପଟେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ।
ରାଜ୍ୟର ଏକ ପ୍ରମୁଖ ଆସନ ଭାବରେ ପରିଚିତ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର । ଚଳିତ ସାଧାରଣ ନିର୍ବାଚନରେ ଏହି ଆସନରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସାମ୍ନା କରିବେ ବିଜେଡିର ଅଂଶୁମାନ ମହାନ୍ତି । ତେବେ ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ଶିଳ୍ପପତି ତଥା ପଟ୍ଟନାୟକ ପରିବାରର ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ବୈଜୟନ୍ତ ପଣ୍ଡା ଯଥାକ୍ରମେ ନିକଟସ୍ଥ ପ୍ରତିଦ୍ବନ୍ଦି କଂଗ୍ରେସ ଦଳର ରଞ୍ଜିବ ବିଶ୍ୱାଳ ଓ ଧରଣୀଧର ନାୟକଙ୍କୁ ପରାସ୍ତ କରିଥିଲେ । ପରେ ବିଜେଡି ସହ ସମ୍ପର୍କ ଛିନ୍ନ କରି ୨୦୧୯ ମସିହାରେ ବୈଜୟନ୍ତ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ।
ବିଜେଡି ପକ୍ଷରୁ ନିର୍ବାଚନୀ ସଭା ଓ ପ୍ରଚାରରେ ଯୋଗ ଦେଇ ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡାବାସୀଙ୍କ ଦାୟିତ୍ବ ନେଇ ଅଭିନେତା ଅନୁଭବ ମହାନ୍ତିଙ୍କୁ ବିଜୟୀ କରିଥିଲେ । ସେପଟେ ଅନୁଭବଙ୍କ ଠାରୁ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଭୋଟରେ ପରାଜୟ ବରଣ କରିଥିଲେ ବୈଜୟନ୍ତ । ତେବେ ୨୦୧୯ ମସିହାରେ ନବୀନ ଓ ବିଜେଡି ମ୍ୟାଜିକ ସଫଳ ହୋଇଥିବା ବେଳେ ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ ବୈଜୟନ୍ତ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପକ୍ଷେ ମାତ୍ର କେଇ ଦିନ ଆଗରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ରାଜନଗରର ଯୁବ ନେତୃତ୍ବ ଅଂଶୁମାନଙ୍କ ଉପରେ ଭରସା କରିଛି ଶାସକ ଦଳ । ଗତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ଉପରେ ଭରସା କରି କେନ୍ଦ୍ରାପଡା ଜିଲ୍ଲାର ଜନସାଧାରଣ ଯେଉଁ ମୂଲ୍ୟବାନ ଭୋଟ ଦେଇଥିବା ବେଳେ ଚଳିତଥର ଠିକ ସେହିପରି ବିଜେଡି ଏହି ଅଣ କଂଗ୍ରେସ ଆସନ ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ଜିଲ୍ଲା ସଭାପତି ।
ଏହା ମଧ୍ୟ ପଢ଼ନ୍ତୁ...ବିଜେଡିକୁ ବାଏ ବାଏ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି - Anubhav Mohanty Quits BJD
ଅନ୍ୟପଟେ ସାରା ଦେଶରେ ମୋଦି ଲହର ଓ ମୋଦି ଗ୍ୟାରେଣ୍ଟିକୁ ଆୟୁଧ କରି ମଇଦାନକୁ ଓହ୍ଲାଇଛନ୍ତି ବୈଜୟନ୍ତ ପଣ୍ଡା । ବୈଜୟନ୍ତ ତାଙ୍କର ଦୀର୍ଘଦିନର ପାରିବାରିକ ବନ୍ଧୁ ତଥା ରାଜନୈତିକ ଶତ୍ରୁ ଦଳର ଅଂଶୁମାନ ମହାନ୍ତିଙ୍କ ସାମ୍ନା କରିବେ । ଚଳିତ ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟାଇବା ଲକ୍ଷ୍ୟ ରଖିଛି ବିଜେପି । ଶଙ୍ଖ ଗଡ ଭାଙ୍ଗିବାରୁ ତୟାର ପଦ୍ମ ଦଳ । ୨୦୧୯ ମସିହାରୁ କେନ୍ଦ୍ରାପଡା ସାଂସଦ ତଥା ବିଜେଡି ନେତା ଅନୁଭବ ମହାନ୍ତିଙ୍କ ସାଧାରଣ ଲୋକଙ୍କ ଠାରୁ ଦୂରେଇ ରହିବା ଏବଂ ମୋଦି ସରକାରଙ୍କ ଲୋକପ୍ରିୟତାକୁ ଅସ୍ତ୍ର କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଯୋଜନା ରଖିଛନ୍ତି ବୈଜୟନ୍ତ । ତେବେ ଉଭୟ ବିଜେପି ଓ ବିଜେଡି ଏହି ଆସନକୁ ଆକ୍ତିଆର କରିବା ପାଇଁ ଆଶାବାଦୀ ଥିବା ବେଳେ ପଛରେ ପଡିଯାଇଛି କଂଗ୍ରେସ । କଂଗ୍ରେସ ଏକ ପ୍ରକାର ସ୍ଥିର ଓ ନିଶ୍ଚଳ ହୋଇ ପଡ଼ିଥିବା ବେଳେ ଦଳରୁ କିଏ ସାଂସଦ ପ୍ରାର୍ଥୀ ହେବ ସେନେଇ ଘୋଷଣା କରିନାହିଁ ଦଳ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା