କେନ୍ଦୁଝର: ରାଜ୍ୟର 3ୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ନାମାଙ୍କନ ଭରିବାର ଶେଷ ଦିନ ଥିବା ବେଳେ ରାଜ୍ୟର ପ୍ରମୁଖ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର 2ଟି ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ପାଟଣା ଓ ଘସିପୁରା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ।
ତେବେ ଆଜି ପାଟଣା ନିର୍ବାଚନ ମଣ୍ତଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କେନ୍ଦୁଝରଗଡ ମୁନିସିପାଲିଟି କଲ୍ୟାଣ ମଣ୍ତପ ସାମ୍ନା ରାସ୍ତାରୁ ଏକ ସୁସଜ୍ଜିତ ଗାଡିରେ ହଜାର ହଜାର ଦଳୀୟ କର୍ମୀ ଏବଂ ଜିଲ୍ଲା ନେତୃବର୍ଗଙ୍କ ଗହଣରେ ଜଗନ୍ନାଥ ପ୍ରାର୍ଥୀପତ୍ର ଦାଖଲ ଅଭିଯାନ ଆରମ୍ଭ ହୋଇଥିଲା । ବାଟରେ ଥାନା ଛକସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଜଗନ୍ନାଥ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଓ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ସହ ନିଜ ଅଞ୍ଚଳରେ କରିଥିବା ବିକାଶ କାର୍ଯ୍ୟକୁ ପାଥେୟ କରି ନିର୍ବାଚନ ଲଢ଼ିବେ ବୋଲି ପ୍ରକାଶ କରିଛନ୍ତି ଜଗନ୍ନାଥ ନାଏକ । ତେବେ ଏହି ଶୋଭାଯାତ୍ରାରେ ସଦର ବିଧାୟିକା ପ୍ରାର୍ଥିନୀ ମୀନା ମାଝୀ, ତେଲକୋଇ ବିଧାୟକ ପ୍ରର୍ଥୀ ମାଧବ ସର୍ଦ୍ଦାରଙ୍କ ସମେତ ଜିଲ୍ଲାର ବହୁ ଦଳୀୟ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ ।
ସେହିପରି କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ନାମାଙ୍କନ ଭରିଛନ୍ତି । ବଦ୍ରିନାରାୟଣ ହଜାର ହଜାର ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ଘସିପୁରା ନିର୍ବାଚନ ମଣ୍ଡଳୀର ପଦନାରୁ ହଜାର ହଜାର ସଂଖ୍ୟକ ସମର୍ଥକଙ୍କ ସହିତ ବଦ୍ରି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଜିଲ୍ଲାର ବିକାଶ ପାଇଁ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟକୁ ପାଥେୟ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିବା କହିଛନ୍ତି ବଦ୍ରି । ବଦ୍ରି ନାରାୟଣଙ୍କ ନାମାଙ୍କନ ଶୋଭାଯାତ୍ରାରେ ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର, ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଧୁ ଓ ଜିଲ୍ଲା ସଭାପତି କୁଶ ଆପଟ୍ଟ ଉପସ୍ଥିତ ରହିଥିଲେ । ସେପଟେ ଘସିପୁରାରେ ବଦ୍ରିଙ୍କୁ ଟକ୍କର ଦେବା ପାଇଁ ବିଜେପି ଶମ୍ଭୁନାଥ ରାଉତ ପ୍ରାର୍ଥୀ କରିଛି । ଶମ୍ଭୁନାଥ ସାଧାରଣ ଭାବେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଇଟିଭି ଭାରତ, କେନ୍ଦୁଝର