ପୁରୀ: ପୁରୀ ଜିଲ୍ଲା ବିଜେଡିର ନୂଆ ସଭାପତି ନିଯୁକ୍ତ । ବରିଷ୍ଠ ବିଜେଡି ନେତା ତଥା ପୁରୀ ସଦର ବ୍ଳକ୍ ଅଧ୍ୟକ୍ଷ ଦିବାକର ପାତ୍ରଙ୍କୁ ମିଳିଛି ଏହି ଗୁରୁଦାୟିତ୍ୱ । ବିଜେଡ଼ିର ବରିଷ୍ଠ ନେତା ସ୍ୱର୍ଗତ ମହେଶ୍ଵର ମହାନ୍ତିଙ୍କ ବିୟୋଗ ପରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭପତି ପଦ ଖାଲି ପଡିଥିଲା । ଦିବାକର ପାତ୍ରଙ୍କୁ ପୁରୀ ଜିଲ୍ଲା ବିଜେଡି ସଭାପତି ଭାବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । ଆଗାମୀ କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥାପ୍ରକଟ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଦିବାକର ପାତ୍ର କହିଛନ୍ତି ଯେ, ସେ ପୁରୀ ଜିଲ୍ଲାରେ ସଙ୍ଗଠନକୁ ସୁଦୃଢ଼ କରିବା ସହ ଜିଲ୍ଲାର 6ଟି ଯାକ ନିର୍ବାଚନ ମଣ୍ଡଳୀ ଆସନ ଯେଭଳି ବିଜେଡି ହାତକୁ ଆସିବ ସେନେଇ ସ୍ଵତନ୍ତ୍ର ରଣନୀତି କରି କାର୍ଯ୍ୟ କରିବେ । ଜିଲ୍ଲାରେ ଥିବା ଦଳର ବିଧାୟକ, ବରିଷ୍ଠ ନେତା, କର୍ମୀଙ୍କ ସହଯୋଗରେ ସେ କାର୍ଯ୍ୟ କରିବେ । ତେବେ ଜିଲ୍ଲାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆସନ ପୁରୀ ସଦର ଓ ବ୍ରହ୍ମଗିରିରେ ଗତ 2019 ନିର୍ବାଚନରେ ବିଜେଡ଼ି ପରାସ୍ତ ହୋଇଥିବା ବେଳେ ଏହି ଦୁଇଟି ଆସନ ପୁଣି କିଭଳି ବିଜେଡି ହାତକୁ ଆସିବ ସେ ଦିଗରେ ସେ ଅଧିକ ଫୋକସ କରିବେ ବୋଲି କହିଛନ୍ତି । ସେ କହିଛନ୍ତି, ପୁରୀ ଓ ବ୍ରହ୍ମଗିରିରେ ବିଜେଡିର ସ୍ଥିତି ବେଶ୍ ସୁଦୃଢ଼ ରହିଛି । ଆଗାମୀ ନିର୍ବାଚନରେ ଏହି ଦୁଇ ଆସନରେ ବିଜେଡି ବିପୁଳ ବିଜୟ ହାସଲ କରିବ ।
ଏହା ମଧ୍ୟ ପଢନ୍ତୁ... ପୁରୀରେ ବିଜେଡି ମଧ୍ୟରେ ଛକାପଞ୍ଝା, ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କଲେ ଶୁଭାଶିଷ
ପୁରୀ ବିଜେଡିରେ କୁହୁଳୁଥିବା ଗୋଷ୍ଠୀ କନ୍ଦଳ ସମ୍ପର୍କରେ ଦିବାକର କହିଛନ୍ତି ଯେ, ବିଜେଡି ଏକ ଶୃଙ୍ଖଳିତ ଦଳ । ଏଠାରେ ଦଳର ସୁପ୍ରିମୋ ଯାହା ନିର୍ଦ୍ଦେଶ ଦିଅନ୍ତି ତାହା ନେତା ଓ କର୍ମୀ ପାଳନ କରନ୍ତି । ଏଣୁ ଯିଏ ବିଶୃଙ୍ଖଳା କରିବ ତା' ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ । ତେବେ ଯାହାବି ଦଳରେ ସମସ୍ୟା ରହିଛି ଦିନେ ଦୁଇ ଦିନ ଭିତରେ ସମାଧାନ ହୋଇଯିବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ପୁରୀ