ଭୁବନେଶ୍ବର: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ମୁଖପାତ୍ର ଆଲୋକ ଶର୍ମା କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ମୋଦି ସରକାର କରିଥବା ୧୦ ପ୍ରକାର ଅନ୍ୟାୟ ବିରୋଧରେ ଏହି ପ୍ରେସମିଟ କଂଗ୍ରେସ କରିଛି । ମୋଦି ସରକାର 2014 ରେ ସରକାରକୁ ଆସିବା ପୂର୍ବରୁ ଭାରତର ଜନତାଙ୍କୁ ଅନେକ ପ୍ରତିଶୃତି ଦେଇଥିଲେ । ତାହା ଏବେ କେତେ ପୂରଣ ହୋଇଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଦେଶର ଯୁବ ବର୍ଗ, ମହିଳା, ଚାଷୀ ମାନଙ୍କ ସହିତ ସରକାର ଧୋକା କରିଛନ୍ତି ।
ଦେଶରେ ବେରୋଜଗାରୀ ଓ ଅତ୍ୟାବଶ୍ୟକ ଜିନିଷର ଦରଦାମ ବଢିଚାଲିଛି । ସରକାରୀ ପଦପଦବୀ ଖାଲି ପଡ଼ିଥିଲେ ବି ଏହାକୁ ପୂରଣ କରୁନାହାନ୍ତି କେନ୍ଦ୍ର ସରକାର ,ସେପଟେ କୃଷକ ମାନଙ୍କ ଉପରେ ମଧ୍ୟ ଆକ୍ରମଣ ଚାଲିଛି । ସରକାରରେ ଆସିଲେ ସ୍ବାମୀନାଥନ ରିପୋର୍ଟକୁ କାର୍ଯ୍ୟକାରୀ କରିବେ ବୋଲି ମୋଦି ସରକାର କହିଥିଲେ । ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ କରିନାହାନ୍ତି । ଦେଶରେ କେଉଁ ସରକାର କୃଷି ଦ୍ରବ୍ୟ ଉପରେ କେବେବି ଜିଏସଟି ଲଗାଇନଥିଲେ କିନ୍ତୁ ମୋଦୀ ସରକାର ଏହା କରିଛନ୍ତି । ଏହାର ଅର୍ଥ ସେ କୃଷକ ବିରୋଧୀ ଅଟନ୍ତି ।
ଏହା ମଧ୍ୟ ପଢନ୍ତୁ ... ବିଜେଡି-ବିଜେପି ବାହାଘର କରି ଖୋର୍ଦ୍ଧା ଓ କନ୍ଧମାଳରେ ପ୍ରତିବାଦ ଜଣାଇଲା କଂଗ୍ରେସ
ଏନସିଆରବି ରିପୋର୍ଟ ଅନୁଯାୟୀ ଦେଶରେ ଆତ୍ମହତ୍ୟା ସଂଖ୍ୟା ବଢିଚାଲିଛି । ଏହାର କାରଣ ହେଉଛି ବେରୋଜଗାରୀ । ଦୀର୍ଘ 45 ବର୍ଷ ମଧ୍ୟରେ ବର୍ତ୍ତମାନର ବେରୋଜଗାରୀଙ୍କ ସଂଖ୍ୟା ସବୁଠାରୁ ଅଧିକ । ସେହିଭଳି ରାଜ୍ୟରେ ବିଜେଡି ସରକାର ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁସରଣ କରି ଚାଲିଛନ୍ତି । ଉଭୟ ବିଜେଡି ଏବଂ ବିଜେପି ସରକାର ମିଶି ଓଡିଶାକୁ ଦୁର୍ନୀତିଗସ୍ତ ରାଜ୍ୟ ଭାବରେ ପରିଗଣିତ କରିସାରିଲେଣି । ଆଦିବାସୀ ଓ ଦଳିତ ଉପରେ ଅତ୍ୟାଚାର ବଢିଚାଲିଛି ।
ସୁପ୍ରିମକୋର୍ଟ ଦେଇଥିବା ଇଲେକ୍ଟୋରାଲ ବଣ୍ଡ ଉପରେ ରାୟକୁ ବିଜେପି ମାନୁନାହିଁ । ଯଦି ସେମାନେ ଏହା ପାଳନ କରନ୍ତି ତେବେ ସ୍ବଚ୍ଛତାର ମୁଖା ଖୋଲିଯିବ । କାରଣ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ବିଜେପି ସରକାରକୁ ଅନେକ ଅର୍ଥ ଆସିଛି । ସେହିଭଳି ଆଞ୍ଚଳିକ ଦଳ ଭାବରେ ବିଜେଡି ଦଳକୁ ଆସିଛି ସବୁଠାରୁ ଅଧିକ ଅର୍ଥ । ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାକୁ ବିଜେପି ନିଜ ପାର୍ଟି ଅଫିସର ୱାର୍ଡ ବୟ ସଜାଇଛି । କେନ୍ଦ୍ରରେ ସରକାର ଡରିଯାଇଛନ୍ତି ଓ ସରକାର ବଦଳିଲେ ସେମାନଙ୍କ ଦୁର୍ନୀତି ସାମନାକୁ ଆସିବ ବୋଲି ଭୟ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର