ରାଇରଙ୍ଗପୁର: ଆଜି ହେଉଛି ଶ୍ରମିକ ଦିବସ । ସେହି ଅବସରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କରଞ୍ଜିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀଧର ସିଂ । ଦଳର ହଜାର ହଜାର ସଂଖ୍ୟକ କର୍ମକର୍ତ୍ତା ଓ ସମର୍ଥକଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା କରି ନାମାଙ୍କନ ଭରିଛନ୍ତି ଲକ୍ଷ୍ମୀଧର । ଜାତୀୟ କଂଗ୍ରେସର ଜୟ ଜ୍ଞାନରେ ପ୍ରକମ୍ପିତ ହେଉଥିଲା କରଞ୍ଜିଆ ସହର । ନିଜ ସମର୍ଥକଙ୍କ ସହିତ ଆସି ସେ କରିଥିଲେ ଶକ୍ତି ପ୍ରଦର୍ଶନ ।
କରଞ୍ଜିଆ ସହରର ଗୋଲେଇ ଛକ ପୂର୍ବରୁ ଥିବା ବାମନାଶାଳ ଛକରୁ ଦିନ ପାଖାପାଖି ୧୦ଟା ସମୟରେ ଦଶ ହଜାର କର୍ମକର୍ତ୍ତା ଓ ସମର୍ଥକଙ୍କୁ ନେଇ ଏକ ବିରାଟ ବାଇକ ଶୋଭାଯାତ୍ରା କରାଯାଇଥିଲା । ଶୋଭାଯାତ୍ରାରେ କରଞ୍ଜିଆ ସହର ପରିକ୍ରମା କରିଥିଲେ ଲକ୍ଷ୍ମୀଧର ସିଂ । ପରେ କରଞ୍ଜିଆ ମିଳନ ପଡିଆ ଠାରେ ସମସ୍ତେ ଏକତ୍ରିତ ହୋଇ ଏକ ବିଶାଳ ପଟୁଆରରେ ଅପରାହ୍ନ ପାଖାପାଖି ୧ ଟା ସମୟରେ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ତେବେ କେନ୍ଦୁଝର ଲୋକସଭା ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ବରିଷ୍ଠ ନେତା ତଥା ପୂର୍ବତନ ଉଠା ଜଳସେଚନ ନିଗମ ଅଧକ୍ଷ ରାଜନ ସାହୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଭୁବନ ବିହାରୀ ସାହୁ, ପୂର୍ବ ମୟୂରଭଞ୍ଜ ଜିଲ୍ଲା ସଭାପତି ନିରୋଜ ଲୋଚନ ଦାସ ଓ ବରିଷ୍ଠ ନେତ୍ରୀ ତଥା ରାଜ୍ୟ ମହିଳା କଂଗ୍ରେସ ଉପ ସଭାପତି ଯବାମଣୀ ଟୁଡୁଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଲକ୍ଷ୍ମୀଧର ସିଂ।
ଏଥି ସହିତ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୧୦ ହଜାର କାର୍ଯ୍ୟକର୍ତ୍ତା ଓ ସମର୍ଥକ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରବଳ ଖରା ସତ୍ତ୍ୱେ କଂଗ୍ରେସ ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ରହିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲକ୍ଷ୍ମୀଧର ସିଂ । ଆଜି ନାମାଙ୍କନ ଦାଖଲ ସମୟରେ ହଜାର ହଜାର ସଂଖ୍ୟାରେ ଲୋକ ଉପସ୍ଥିତ ରହିଥିବାରୁ ଜନସାଧାରଣ ଏଥର ଉଭୟ ବିଜେପି ଓ ବିଜେଡ଼ି ଦଳକୁ ପ୍ରତ୍ୟାଖାନ କରିବା ସହ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ଲକ୍ଷ୍ମୀଧର । ଏଥି ସହିତ ଚଳିତ ନିର୍ବାଚନରେ କଂଗ୍ରେସ ଦଳ ବିପୁଳ ଭୋଟ ପାଇ ବିଜୟ ଲାଭ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଲକ୍ଷ୍ମୀଧର ସିଂ। ତାଙ୍କ ସହିତ ତାଙ୍କ ସମର୍ଥକ ମାନେ ଏହି ଖରାରେ ମିଶି ସହର ପରିକ୍ରମା କରିବା ସହିତ ତାଙ୍କ ପାଇଁ ଛିଡ଼ା ହୋଇଥିବାରୁ ସେ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର