ଅମରାବତୀ: ମୁଖ୍ୟମନ୍ତ୍ରୀ ଭାଇ ଦ୍ବାରା ଗୃହବନ୍ଦୀ ହେବା ଭୟରେ ପାର୍ଟି ଅଫିସରେ ରାତି କାଟିଲେ କଂଗ୍ରେସ ନେତ୍ରୀ ୱାଇଏସ ଶର୍ମିଲା ରେଡ୍ଡି । ଆନ୍ଧ୍ରପ୍ରଦେଶ କଂଗ୍ରେସ ମୁଖ୍ୟ ଥିବା ଶର୍ମିଲା ବୁଧବାର ପୂରା ରାତି ବିଜୟୱାଡ଼ା କଂଗ୍ରେସ ପାର୍ଟି ଅଫିସରେ ବିତାଇଛନ୍ତି । ଏହାର କାରଣ ହେଉଛି ରାଜ୍ୟରେ ବେରୋଜଗାର ଏବଂ ଛାତ୍ର ସମସ୍ୟା ନେଇ କଂଗ୍ରେସ ଜଗନମୋହନ ରେଡ୍ଡି ସରକାର ବିରୋଧରେ ରଣହୁଙ୍କାର ଦେଇଛି । ଶର୍ମିଲାଙ୍କ ନେତୃତ୍ବରେ ଆଜି(ଗୁରୁବାର) ଆନ୍ଧ୍ର କଂଗ୍ରେସର 'ଚଲୋ ସଚିବାଳୟ' ଡାକରା ଦିଆଯାଇଛି । ତେଣୁକରି ଏହି ବିରୋଧ ପ୍ରଦର୍ଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ନିଜ ଭାଇ ଦ୍ବାରା ଗୃହବନ୍ଦୀ ହେବା ଆଶଙ୍କା କରି ସେ ପାର୍ଟି ଅଫିସରେ ପୂରା ରାତି କାଟିଛନ୍ତି ।
ପାର୍ଟି ଅଫିସରେ ଶର୍ମିଲା ତଳେ ଶୋଇଥିବାର ଏକ ଫଟୋ ସାମ୍ନାକୁ ଆସିଛି । ଏନେଇ କଂଗ୍ରେସ ନେତ୍ରୀ ନିଜ ଏକ୍ସ ହ୍ୟାଣ୍ଡେଲରେ ଆନ୍ଧ୍ର ସରକାରଙ୍କୁ ଟାର୍ଗେଟ କରି ଲେଖିଛନ୍ତି, ''ଯଦି ରାଜ୍ୟର ବେରୋଜଗାରଙ୍କ ପକ୍ଷରୁ ଆମେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ବାନ କରୁ, ତାହେଲେ ଆପଣ କ'ଣ ଆମକୁ ଗୃହବନ୍ଦୀ କରିବାକୁ ଚେଷ୍ଟା କରିବେ ? ଗଣତନ୍ତ୍ରରେ କ'ଣ କାହାର ବିରୋଧ କରିବାର ଅଧିକାର ନାହିଁ ? ମହିଳା ହେବା ସତ୍ତ୍ବେ ପୋଲିସ ଭୟରେ ଏବଂ ଗୃହବନ୍ଦୀରୁ ବର୍ତ୍ତିବା ପାଇଁ ମୋତେ ପାର୍ଟି ଅଫିସରେ ରାତି କାଟିବାକୁ ପଡିବା ଅତି ଲଜ୍ଜାର ବିଷୟ ନୁହେଁ କି ?''
ଏହାପୂର୍ବରୁ ଶର୍ମିଲା ବିଜୟୱାଡା କଂଗ୍ରେସ ମୁଖ୍ୟାଳୟରେ ଗଣମାଧ୍ୟମ ଆଗରେ ନିଜର ଭାଇ ତଥା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ବିରୋଧରେ ବିଷୋଦଗାର କରିଥିଲେ । ଗତ ୫ ବର୍ଷରେ ରାଜ୍ୟରେ ବେକାରୀ, ଯୁବବର୍ଗ ଏବଂ ଛାତ୍ରଙ୍କ ସମସ୍ୟା ଦୂର କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଥିବା କହିଥିଲେ । ଆହୁରିମଧ୍ୟ ସନ୍ଦେହ କହିଥିଲେ ଯେ, ଆମେ କ'ଣ ଆତଙ୍କବାଦୀ ନା ଅସାମାଜିକ ତତ୍ତ୍ୱ, ଯେଉଁଥିପାଇଁ ସେମାନେ ଆମକୁ ରୋକିବାକୁ ଚେଷ୍ଟା କରୁଛନ୍ତି । ଏହାର ଅର୍ଥ ସେମାନେ(ରାଜ୍ୟ ସରକାର) ଆମକୁ ଡରୁଛନ୍ତି । ସରକାର ନିଜର ଦୁର୍ବଳତା ଏବଂ ବାସ୍ତବତା ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ସେ ଆମକୁ ଏବଂ ଆମର କର୍ମକର୍ତ୍ତାଙ୍କୁ ରୋକିବାକୁ ଯେତେ ଚେଷ୍ଟା କଲେ ବି ଆମର ଏହି ସଂଘର୍ଷ କେବେ ବନ୍ଦ ହେବନି ।
ଏହା ମଧ୍ୟ ପଢନ୍ତୁ: କଂଗ୍ରେସରେ ମିଶିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଶର୍ମିଲା
ଆଉ ଏକ ସଦ୍ୟତମ ପୋଷ୍ଟରେ ନବନିଯୁକ୍ତ ଆନ୍ଧ୍ର କଂଗ୍ରେସ ମୁଖ୍ୟ ଶର୍ମିଲା କହିଛନ୍ତି, '' ଆମ ଚାରିପଟେ ହଜାର ହଜାର ପୋଲିସ ମୁତୟନ କରାଯାଇଛି । ଆମକୁ ଅଟକାଇବାକୁ ଲୁହା ତାର ବାଡ଼ ଲଗାଯାଉଛି । ଯଦି ଆମେ ରାଜ୍ୟର ବେକାରୀ ଯୁବଗୋଷ୍ଠୀଙ୍କ ସମର୍ଥନରେ ବାହାରୁଛୁ, ସେମାନେ ଆମକୁ ଗିରଫ କରୁଛନ୍ତି । ଏହା ଏକଛତ୍ରବାଦୀ ଶାସନର ପ୍ରମାଣ । ସରକାର ରାଜ୍ୟର ଲକ୍ଷ ଲକ୍ଷ ବେରୋଜଗାରୀ ଯୁବବର୍ଗଙ୍କ ନିକଟରେ କ୍ଷମାପ୍ରର୍ଥନା କରିବା ଉଚିତ୍ ।''
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ