ଭୁବନେଶ୍ବର: 'ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି' କହି ବିରୋଧୀଙ୍କୁ କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା କଥା ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଉଠାଇଥିବା ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରହିଛନ୍ତି ନବୀନ ।
2019 ପରି 2024 ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ପ୍ରସଙ୍ଗ କରୁଛନ୍ତି ବିରୋଧୀ । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରଚାର ସମୟରେ ଏହାକୁ ପ୍ରସଙ୍ଗ କରିଛନ୍ତି ମୋଦି । ମୋଦିଙ୍କ ପ୍ରଶ୍ନ ଓ ସନ୍ଦେହର କଡା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋ ସ୍ବାସ୍ଥ୍ୟବସ୍ଥା ନେଇ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ମୋ ଦେହ ଖରାପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାର ତଦନ୍ତ କରିବେ ବୋଲି ସେ କହିଛନ୍ତି । ଯଦି ସେ ମୋ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଏତେ ଚିନ୍ତିତ । ମୁଁ ତାଙ୍କର ଭଲ ସାଙ୍ଗ ବୋଲି ସର୍ବସାଧାରଣରେ କହିଛନ୍ତି । ତେବେ ସେ ମୋତେ ଫୋନ କରିଥାନ୍ତେ । ମୋ ସହିତ କଥା ହୋଇଥାଆନ୍ତେ । ମୋ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ମୋତେ ପଚାରିଥାନ୍ତେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋ ସ୍ବାସ୍ଥ୍ୟବସ୍ଥା ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ରାଜନୈତିକ ।"
ନବୀନ ଆହୁରି ମଧ୍ୟ କହିଛନ୍ତି, "ଓଡିଶା ତଥା ଦିଲ୍ଲୀର ବିଜେପିର ନେତାମାନେ ମୋ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଛନ୍ତି । ୧୦ ବର୍ଷ ଧରି ରାଜ୍ୟବାସୀ ଜାଣିଛନ୍ତି ବିରୋଧୀ ଅପପ୍ରଚାର କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱସ୍ତ କରୁଛି ଯେ, ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି । ସ୍ୱାସ୍ଥ୍ୟବସ୍ଥା ଭଲ ବୋଲି ମୁଁ ଏତେ ଖରା ଏବଂ ଗରମ ସତ୍ତ୍ୱେ ସାରା ରାଜ୍ୟରେ ନିର୍ବାଚନ ପ୍ରଚାର କରୁଛି । ନିର୍ବାଚନ ସମୟରେ ରୋଡ ସୋ’ ମଧ୍ୟ କରୁଛି । ପ୍ରଧାନମନ୍ତ୍ରୀ ଏପରି ଅପପ୍ରଚାରରେ ବିଶ୍ୱାସ ନ କରି ରାଜ୍ୟର ଦାବି ପୂରଣ କରନ୍ତୁ । ବର୍ଷ ବର୍ଷ ଧରି ରାଜ୍ୟ ଦାବି କରିଆସୁଛି ସ୍ବତନ୍ତ୍ର ପାହ୍ୟା ତାହା ପୂରଣ କରନ୍ତୁ । ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଅନ୍ତୁ ପ୍ରଧାନମନ୍ତ୍ରୀ । ଏହା ଦ୍ୱାରା ଓଡିଶାବାସୀ ଉପକୃତ ହେବେ । ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ଖୋଜିବା ପାଇଁ ପ୍ରଧାନମନ୍ତ୍ରୀ କମିଟି ଗଠନ କରନ୍ତୁ । ନିର୍ବାଚନ ସମୟ ଥିବାରୁ ଭୋଟ ପାଇଁ ଏମିତି କହୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର