ETV Bharat / politics

ପଶ୍ଚିମ ଓଡ଼ିଶା ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ, କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ନବୀନ - Naveen files nomination

author img

By ETV Bharat Odisha Team

Published : May 2, 2024, 11:53 AM IST

Updated : May 2, 2024, 3:36 PM IST

CM Naveen files nomination
CM Naveen files nomination

CM Naveen files nomination: କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ ପ୍ରଥମ ଥର କଣ୍ଟାବାଞ୍ଜିରୁ ପ୍ରତିଦ୍ବନ୍ଦିତା କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

CM Naveen files nomination

ବଲାଙ୍ଗୀର: କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ ନବୀନ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି । ହଜାର ହଜାର ବିଜେଡି ନେତା ଓ କର୍ମୀଙ୍କ ଗହଣରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ, ଅନଙ୍ଗ ଉଦୟ ସିଂହଦେଓ ଓ ଟିଟିଲାଗଡ ବିଧାନସଭା ପ୍ରାର୍ଥୀ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ପାଇଁ ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୨୫ ପ୍ଲାଟୁନ ପୋଲିସ ଫୋର୍ସ ଏଠାରେ ନିୟୋଜିତ ହୋଇଥିଲେ ।

ଆଜି ଟିଟିଲାଗଡରେ ପ୍ରବଳ ଜନସମାଗମ ହୋଇଥିବାବେଳେ ନେତା, ମନ୍ତ୍ରୀ ଓ ବିଜେଡି କର୍ମୀ ଏଥିରେ ସାମିଲ ହୋଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱରରୁ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରିପରେ ଓହ୍ଲାଇଥିଲେ। ସେଠାରୁ ସେ ହେଲିେପ୍ଟର ଯୋଗେ ଟିଟଲାଗଡ ପହଞ୍ଚିଥିଲେ। ହଜାର ହଜାର ଲୋକ ଓ ବିଜେଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ। ସେହିପରି କଡା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ଦାଖଲ କରିଥିଲେ । ଏହାରି ମଧ୍ୟରେ ସେ ରୋଡ ସୋ' କରି ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ତେବେ ତାଙ୍କ ସହିତ ମନ୍ତ୍ରୀ ଟୁକୁନୀ ସାହୁ ମଧ୍ୟ ଟିଟିଲାଗଡ ଆସନ ପାଇଁ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ଦାଖଲରେ ଏଠି ବିଜେଡି କର୍ମୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା। କଣ୍ଟାବାଞ୍ଜି ବିଜେଡି ନେତା ଅଜୟ ଦାସ କହିଛନ୍ତି, "ଏହା ବଲାଙ୍ଗୀର ଓ କଣ୍ଟାବାଞ୍ଜି ଜିଲ୍ଲା ପାଇଁ ଗୌରବର ବିଷୟ ଅଟେ । ମୁଖ୍ୟମନ୍ତ୍ରୀଙ୍କୁ ପାଇ ଏଠି ଜନତା ବହୁ ଖୁସି ଓ ଏହାଦ୍ବାରା ସମଗ୍ର ବଲାଙ୍ଗୀର ଜିଲ୍ଲାରେ ବିଜେଡି ବିଜୟ ହେବ।"

ସେହିପରି ବଲାଙ୍ଗୀର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହ ଦେଓ କହିଛନ୍ତି, "ମୁଖ୍ୟମନ୍ତ୍ରୀ ବଲାଙ୍ଗୀରରୁ ଛିଡା ହେବା ଦ୍ଵାରା ଏଠାରେ ବିଜେଡି ଆହୁରି ମଜବୁତ୍ ହୋଇଛି। କେବଳ ବଲାଙ୍ଗୀର ନୁହେଁ, ସାରା ପଶ୍ଚିମ ଓଡ଼ିଶାରେ ବିଜେଡିର ବିଜୟ ହେବ। ମୁଖ୍ୟମନ୍ତ୍ରୀଙ୍କ ବାଲ୍ୟ ବନ୍ଧୁ ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହ ଦେଓ କହିଛନ୍ତି, "ସେ ସାଙ୍ଗ ହେଲେ ବି ମୁଖ୍ୟମନ୍ତ୍ରୀ ଅଟନ୍ତି । ତାଙ୍କୁ ସମସ୍ତେ ଏଠି ଭବ୍ୟ ସ୍ଵାଗତ ଜଣାଇଛନ୍ତି । ସେ ବଲାଙ୍ଗୀରରୁ ପ୍ରାର୍ଥୀ ହେବା ସମସ୍ତଙ୍କ ପାଇଁ ଉତ୍ସାହ ଆଣିଦେଇଛି ।" ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ଦୁଇଟି ବିଧାନସଭା ଆସନ ହିଞ୍ଜିଳି ଓ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁଛନ୍ତି । ପ୍ରଥମ ଥର ସେ କଣ୍ଟାବାଞ୍ଜିରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏଠାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ତାଙ୍କର ଲଢେଇ ହେବ । ତେବେ ନବୀନ ପୂର୍ବରୁ ହିଞ୍ଜିଳି ଆସନରୁ ନାମାଙ୍କନ ଦାଖଲ କରିସାରିଛନ୍ତି । ଗତ ୩୦ ତାରିଖରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ହିଞ୍ଜିଳିରୁ ନାମାଙ୍କନ ଭରିଥିବା ବେଳେ ଦ୍ବିତୀୟ କ୍ଷେତ୍ର ଭାବେ ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗଞ୍ଜାମରେ ପହଞ୍ଚିଲେ ନବୀନ, ତାରାତାରିଣୀଙ୍କୁ ଦର୍ଶନ ପରେ ଭରିବେ ନାମାଙ୍କନ - Naveen To File Nomination


ଏହା ମଧ୍ୟ ପଢନ୍ତୁ: କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ସାଲୁଜା ଓ ଲକ୍ଷ୍ମଣ ବାଗ, କାଲି ନବୀନଙ୍କ ପାଳି - Odisha Assembly Election 2024

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଣ୍ଟାବାଞ୍ଜି ଆସନ ବର୍ତ୍ତମାନ କଂଗ୍ରେସ ଦଖଲର ରହିଛି । ଏଠାରୁ ସନ୍ତୋଷ ସିଂ ସାଲୁଜା ବିଧାୟକ ରହିଛନ୍ତି । ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପୁଣିଥରେ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରାର୍ଥୀ କରିଛି । ସେହିପରି ବିଜେପି ଲକ୍ଷ୍ମଣ ବାଗଙ୍କୁ ଟିକେଟ ଦେଇଛି । ତେଣୁ ଏଥର କଣ୍ଟାବାଞ୍ଜି ଆସନରେ ବିଗ୍ ଫାଇଟ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ' ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ମତଦାନ ହେବ ।

ଇଟିଭି ଭାରତ, ବଲାଙ୍ଗୀର

Last Updated :May 2, 2024, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.