ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଚାଲିଛି ଦଳ ଡିଆଁ ପର୍ବ । ସେହିକ୍ରମରେ ଆଜି ଟାଣ ହୋଇଛି ବିଜେପିର ହାତ ମୁଠା । ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ତ୍ରିଲୋଚନ ତରାଇ ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ । ତେବେ ଶଙ୍ଖକୁ ବାଏ ବାଏ କହି ସେ ଆସି ପଦ୍ମ ଧରିଛନ୍ତି । ତେବେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଜଗତସିଂହପୁର ଅଞ୍ଚଳର ନେତା ତ୍ରିଲୋଚନ ତରାଇ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଜଗତସିଂହପୁର ବିଜେପି ଲୋକସଭା ପ୍ରାର୍ଥୀ ବିଭୁ ତରାଇ ମଧ୍ୟ ଉପସ୍ଥିତ ଥିଲେ ।
ଜଗତସିଂହପୁର ବିଜେପି ସାଂସଦ ପ୍ରାର୍ଥୀ ବିଭୁ ତରାଇଙ୍କର ପରିବାର ସଦସ୍ୟ ହେଉଛନ୍ତି ତ୍ରିଲୋଚନ ତରାଇ । ଦୀର୍ଘ ଦିନ ଧରି ତ୍ରିଲୋଚନ ବିଜେଡିର ଥିଲେ । ସେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ମଧ୍ୟ ରହିଥିଲେ । ତ୍ରିଲୋଚନଙ୍କ ସହିତ କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ସରପଞ୍ଚ ପ୍ରମୋଦ ବେହେରା ମଧ୍ୟ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଦଳରେ ଯୋଗ ଦେଇ ନିଜ ପ୍ରତିକ୍ରିୟାରେ ତ୍ରିଲୋଚନ କହିଛନ୍ତି ଯେ, ବିଜୁ ଜନତା ଦଳ ସରକାର ଦୀର୍ଘ ୨୫ବର୍ଷ ଶାସନରେ ରହିବି ମଧ୍ୟ ଓଡ଼ିଶାରୁ ଗରିବ ହଟାଇ ପାରିନାହିଁ । ସାରା ଓଡିଶାରେ ବିଜେଡି ସରକାର ଉପରେ ଲୋକଙ୍କ ପ୍ରବଳ ଆକ୍ରୋଶ ରହିଛି । ଲୋକ କହୁଛନ୍ତି ଆଉ କେତେ ଦିନ ସହିବେ । ନବୀନ ଓଡ଼ିଶା ସରକାର ଅଣଓଡ଼ିଆ ଦ୍ୱାରା ପରିଚାଳିତ ହେଉଛି । ନବୀନଙ୍କ ଅତ୍ୟାଚାରୀ ଶାସନକୁ ଶେଷ କରିବା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଦଳରୁ ହଜାର ହଜାର ନେତା ଓ କର୍ମୀ ବିଜେପିରେ ସାମିଲ ହେଉଥିବା ତ୍ରିଲୋଚନ କହିଛନ୍ତି ।
ତ୍ରିଲୋଚନ ତରାଇ ଆହୁରି ମଧ୍ୟ କହିଛନ୍ତି, "ମୁଁ ବିଜେଡି ପାଇଁ ଆମ ଅଞ୍ଚଳରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଛି । ହେଲେ ଏବେ ବିଜେଡି ଦଳ ଆଗ ଭଳି ନାହିଁ । ସେଠାରେ ମୁଁ ଅଣନିଃଶ୍ବାସୀ ହୋଇ ପଡ଼ିଥିଲି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ମୁଁ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ଯୋଗ ଦେଲି । ବିଜେପିରେ ରହି ଲୋକମାନଙ୍କ ସେବା କରିପାରିବି ।" ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢ଼ିବା ପାଇଁ ଓଡ଼ିଶା ଲୋକ ସଂକଳ୍ପ ନେଇଛନ୍ତି ବୋଲି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ତେବେ ଗତ ମେ 7 ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କିରିମିରା ବ୍ଲକର ଭାଗ୍ୟବତୀ ନାୟକ, ଅମିତ ଓରାମ, ଦୀପକ ଶର୍ମା ୱାର୍ଡ, ପୂର୍ବତନ କାଉନସିଲର ୱାର୍ଡ ନଂ 11 ଗୁଡ୍ଡୁ ବିଶ୍ଵକର୍ମା, ମନବୋଧ ସିଣ୍ଡ୍ରିଆ ସମେତ ଅନେକ ସମର୍ଥ ଦଳରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର