ଭୁବନେଶ୍ବର: ରାଜ୍ୟରେ ବିଜେପି ନିଜର ୧୮ ଟି ଲୋକସଭା ସିଟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇଛି । ଏହି କ୍ରମରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ପରେ ଆଜି ଦିଲ୍ଲୀରୁ ଫେରିବା ପରେ ବିରାଟ ପଦଯାତ୍ରା କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ବର ଏୟାରପୋର୍ଟରୁ ପଦଯାତ୍ରାରେ ବାହାରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ । ସେଠାରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେ ପ୍ରତିକ୍ରିୟାରେ କହିଛନ୍ତି, ପୁଣି ଥରେ ଦଳ ପ୍ରାର୍ଥୀ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ ।
ଭୁବନେଶ୍ବର ବାସୀଙ୍କ ସେବା କରିବାର ସୁଯୋଗ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ । ୫ ବର୍ଷରେ ସେବା କାର୍ଯ୍ୟ ଓ ପ୍ରଦର୍ଶନ ଭଲ ଲାଗିବାରୁ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବହୁତ୍ କାମ ହେଲା ବହୁତ୍ କାମ ରହି ଯାଇଛି । ଆଗାମୀ ଦିନରେ ଭୁବନେଶ୍ବରର ଡ୍ରେନେଜ ସମସ୍ୟାର ସମାଧାନ, ସବୁ ମୁଣ୍ଡ ଉପରେ ପକା ଘର, ଘର ଘରକୁ ପାଣି, ବିଜୁଳି ଏମିତି ଅନେକ କାମ ବାକି ଅଛି । ଗରିବ, ମହିଳା,କୃଷକ, ଯୁବକ ଏହି ୪ ବର୍ଗଙ୍କ ପାଇଁ ମୋଦି ସରକାର ଗୁରୁତ୍ବ ଦେଇଛନ୍ତି ଓ ତାଙ୍କ ପାଇଁ ମୁଁ କାମ କରିବି ।
ଏହା ମଧ୍ୟ ପଢନ୍ତୁ... ସୁର ପରିବାର ଦୁଇଫାଳ ! ବାପାଙ୍କ ତାଗିଦ ସତ୍ତ୍ବେ ବିଜେଡିରେ ମିଶିଲେ ସାନ ପୁ୍ଅ ମନ୍ମଥ - Manmath Routray May Join BJD
ବିକାଶର ଦଳ ନଥାଏ । ଦଳ ମତ ନିର୍ବିଶେଷରେ ମୁଁ ସମସ୍ତଙ୍କ ସେବା କରି ଆସିଛି । ବିକଶିତ ଭାରତର ସ୍ଵପ୍ନ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସ୍ଵପ୍ନ ସାକାର କରିବା ପାଇଁ ଭୁବନେଶ୍ବର ଲୋକସଭା କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ତୃତୀୟ ଥର ପାଇଁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଭୁବନେଶ୍ବରରୁ ଅପରାଜିତା ଙ୍କୁ ଜିତାଇବାକୁ ପଡ଼ିବ ।
ସେହିପରି ଲିଙ୍ଗରାଜ ମନ୍ଦିରରେ ସେବାୟତ ମାନେ ସାଂସଦଙ୍କୁ ବିରୋଧ କରିବା ପ୍ରସଙ୍ଗରେ ସେ କହିଛନ୍ତି, କୌଣସି ବିରୋଧ କରି ନାହାଁନ୍ତି ସେବାୟତ ମାନେ । ଆମକୁ ଆଦରରେ ସହ ନେଇ ଦର୍ଶନ କରାଇଲେ । ମନ୍ଦିରରୁ ମୋ କାର୍ଯ୍ୟାଳୟ ୫୦୦ ମିଟର ରହିଛି, ଯଦି କୌଣସି ବିଶେଷ ସମସ୍ୟା ଅଛି ଆସନ୍ତୁ ସେଠାରେ ବସି ଆଲୋଚନା କରିବା । ମୁଁ ସବୁବେଳେ ଲିଙ୍ଗରାଜ ମନ୍ଦିର ଏଵଂ ସେବାୟତ ଭାଇ ମାନଙ୍କ ମଙ୍ଗଳ ପାଇଁ ଚେଷ୍ଟିତ । ବିଗତ ୫ ବର୍ଷ ଭୁବନେଶ୍ଵରବାସୀଙ୍କ ସହ ବିନମ୍ରତାରେ କାର୍ଯ୍ୟ କରିଲି ଓ ଅନେକ କାର୍ଯ୍ୟ ସମାପନ ହୋଇଛି । ଏ ଟିକେଟ ମୋର ନୁହେଁ ଏହା ଭୁବନେଶ୍ଵରବାସୀଙ୍କ ଟିକେଟ । ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଗୋଟାଏ ହିଁ କାମନା କରିଛି ଆହୁରି ଶକ୍ତି ପ୍ରଦାନ କରନ୍ତୁ, ଦ୍ଵିଗୁଣିତ ଉତ୍ସାହ ପ୍ରଦାନ କରନ୍ତୁ ବୋଲି ବିଜେପି ସାଂସଦ ପ୍ରାର୍ଥୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର