ଭୁବନେଶ୍ବର: ଶିକ୍ଷକ ନିଯୁକ୍ତି ଘୋଟାଲାକୁ ନେଇ ବର୍ଷିଲା ବିଜେପି । ଏହି ଚେର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲମ୍ବିଥିବା ଅଭିଯୋଗ ଆଣି ବର୍ଷିଲା ରାଜ୍ୟ ବିଜେପି । "କେତେ କଟ୍ ଅଫ୍ ମାର୍କ ରଖାଯାଇ ମେରିଟ୍ ଲିଷ୍ଟ୍ ପ୍ରସ୍ତୁତ କରାଯାଇଛି ତାହାର ସ୍ପଷ୍ଟତା ଓସେପା ପାଖରେ ନାହିଁ । ଯାହା ବଡ ଆଶ୍ଚର୍ଯ୍ୟଜନକ । ପରୀକ୍ଷାର୍ଥୀମାନେ କେତେ ମାର୍କ ରଖିଛନ୍ତି ତାହା ଜଣାଇବା ଓସେପାର ଦାୟିତ୍ବ ହୋଇଥିବାବେଳେ କାହିଁକି ରାଜ୍ୟ ସରକାର ତାହା କରିନାହାନ୍ତି?" ବୋଲି ପ୍ରଶ୍ନ କରିଛି ବିଜେପି । ଏହାସହ "ମେରିଟ୍ ଲିଷ୍ଟ୍ରେ ଅନେକ ଏଭଳି ରୋଲ ନମ୍ବର ପ୍ରକାଶ ହୋଇଛି ଯେଉଁମାନେ କେବେ ପରୀକ୍ଷା ଦେଇନାହାନ୍ତି" ବୋଲି ବିଜେପି ଅଭିଯୋଗ କରିଛି ।
ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି, "ପ୍ରତ୍ୟେକ ପରୀକ୍ଷାର୍ଥୀମାନେ କେତେ ମାର୍କ ରଖିଛନ୍ତି ତାହା ଜଣାଇବା ଓସେପାର ଦାୟିତ୍ବ । ହେଲେ ଏନେଇ ସବିଶେଷ ତଥ୍ୟ ୱେବସାଇଟ୍ରେ ଉପଲବ୍ଧ କରାଇବା ପାଇଁ ନିୟମ ଥିବାବେଳେ କାହିଁକି ରାଜ୍ୟ ସରକାର ତାହା କରିନାହାନ୍ତି? ତାକୁ ନେଇ ବଡ ପ୍ରଶ୍ନ ପରୀକ୍ଷାର୍ଥୀମାନଙ୍କ ମନରେ ଉଠିଛି। ଶିକ୍ଷକ ନିଯୁକ୍ତିରେ ସରକାରୀ ଚାକିରି ବିକ୍ରି କରି ରାଜ୍ୟ ସରକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ପ୍ରତାରଣା କରିଛନ୍ତି ଓ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି ।"
ସେ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାରେ ଆଗରୁ ଅନେକ ସରକାରୀ ନିଯୁକ୍ତି ପରୀକ୍ଷା ଯଥା, OSSC, OPSC, OTET, ପୋଲିସ ନିଯୁକ୍ତି ଆଦିରେ ସରକାରୀ ଚାକିରି ବିକ୍ରି ହେଉଥିବା ନେଇ ଅଭିଯୋଗ ପ୍ରମାଣିତ ହୋଇସାରିଛି । କିନ୍ତୁ ସରକାର କେବେ କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଭିଜିଲାନ୍ସ ହାତରେ ଧରାପଡିଥିବା OSSCର କୋଟିପତି କିରାଣୀ ବିରଞ୍ଚି ସାହୁ ଏବେ ପୁଣି ପଦନ୍ନୋତି ପାଇ ପୁନଃ ଅବସ୍ଥାପିତ ହୋଇଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ହୋଡିଂ ଚିରିବା ଘଟଣା; ବିଜେଡିର ସିକ୍ୟୁରିଟି ଗାର୍ଡ ସାଜିଛି ଓଡିିଶା ପୋଲିସ: ବିଜେପି
"ଏହା ହେଉଛି ସରକାରଙ୍କର ଦୁର୍ନୀତି ପ୍ରୀତିର ଉଦାହରଣ । ଏବେ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଜାଲିଆତି ସେହି ତାଲିକାରେ ଯୋଡି ହେଲା । ପଶ୍ଚିମବଙ୍ଗରେ ଯେଉଁଭଳି ଶିକ୍ଷକ ନିଯୁକ୍ତି ଘୋଟାଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଅଭିନେତ୍ରୀ ଅର୍ପିତା ମୁର୍ଖାଜୀ ଗିରଫ ହେଲେ ଓଡ଼ିଶାରେ ମଧ୍ୟ ସେହିଭଳି ଅନେକ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁର୍ଖାଜୀମାନେ ଅଛନ୍ତି । ସେମାନେ କେବେ ଗିରଫ ହେବେ? ଓଡ଼ିଶା କନିଷ୍ଠ ଶିକ୍ଷକ ନିଯୁକ୍ତିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହି ଘଟଣାର ଚେର ଗଣଶିକ୍ଷା ବିଭାଗରୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଛି" ବୋଲି ଅନୀଲ ବିଶ୍ବାଳ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର