ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଜେପିର ବିଧାୟକ ପ୍ରାର୍ଥୀ କେ.ନାରାୟଣ ରାଓଙ୍କ ଶକ୍ତି ପ୍ରଦର୍ଶନ । ଆଜି ଲାବଣ୍ୟଗଡ଼ ନିକଟରେ ସମର୍ଥକ ଏବଂ ବିଜେପିର କର୍ମକର୍ତ୍ତା ସ୍ବାଗତ କରିବା ସହ ଏକ ବିରାଟ ବାଇକ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । ହଜାର ହଜାର ବିଜେପି ନେତା ଓ କର୍ମୀଙ୍କ ଗହଣରେ ଅନୁଷ୍ଠିତ ଏହି ବାଇକ ଶୋଭାଯାତ୍ରା ପାରଳାଖେମୁଣ୍ଡି ଯାଏଁ ଆସିଥିଲା । ତେବେ ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ବିଜେପିର ଏହି ଶୋଭାଯାତ୍ରା ଆଜି ଆସି ଲାବଣ୍ୟଗଡ଼ରେ ପହଞ୍ଚିଥିଲା ।
ଗୁରୁବାର କାଶୀନଗର ବ୍ଲକର ପୂର୍ବତନ ବିଜେଡି ସଭାପତି ତଥା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରୋକମ ଜ୍ୟୋତି, ଉପଲଡା ସମିତି ସଭ୍ୟ ବାଲା ଧନଞ୍ଜୟ, ଏମଏସପୁର ପଞ୍ଚାୟତର ସରପଞ୍ଚ ତ୍ରିଲୋଚନ ପଣ୍ଡାଙ୍କ ଭଳି ଅନେକ ପୁରୁଖା ନେତା ବିଜେଡି ନେତା ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ବିଜେପି ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ସ୍ଥାନୀୟ ବିଜେପି କର୍ମୀମାନେ ଉତ୍ସାହିତ ଅଛନ୍ତି । ହଜାର ହଜାର ବିଜେପି କର୍ମୀ ଲାବଣ୍ୟଗଡଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରିଥିଲେ । ଏହି ଶୋଭାଯାତ୍ରା ପାରଳାଖେମୁଣ୍ଡି ସହର ମଧ୍ୟ ପରିକ୍ରମା କରିଥିଲା । ଦଳର ନୂଆ ଓ ପୁରୁଣା ନେତା ଏକାଠି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଆସନ୍ତା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ପ୍ରୟାସ କରିବାକୁ ଆହ୍ବାନ ଜଣାଇଥିଲେ ।
ଏହା ବି ପଢନ୍ତୁ- ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ଶତାଧିକ ବିଜେଡି ନେତା
ଆଜିର କାର୍ଯ୍ୟକ୍ରମରେ ଜନସମୁଦ୍ରକୁ ଦେଖି କେ. ନାରାୟଣ ରାଓ ଉତ୍ସାହିତ ହୋଇପଡିଥିବା ବେଳେ ଲୋକେ ବିଜେପି ପ୍ରତି କେତେ ଆକୃଷ୍ଟ ତାହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି । ତେଣୁ ଏଥର ବିଜୟ ସୁନିଶ୍ଚିତ ବୋଲି କେ ନାରାୟଣ ରାଓ କହିଛନ୍ତି । ନାରାୟଣ କହିଛନ୍ତି, "ରାଜ୍ୟରେ ଶାସନ କରୁଥିବା ବିଜେଡି ନେତୃତ୍ବାଧୀନ ସରକାରକୁ ଲୋକେ ପରିବର୍ତ୍ତନ କରି ବିଜେପି ସରକାର ହେବା ନିଶ୍ଚିତ । ଏଥିପାଇଁ ଲୋକେ ମନସ୍ଥ କରିସାରିଛନ୍ତି । ରାଜ୍ୟରେ ବହୁଥିବା ପରିବର୍ତ୍ତନର ହାୱାକୁ କେହି ରୋକିପାରିବେ ନାହିଁ । ଥରେ ଲୋକେ ମନ ବଦଳାଇଲେ ଅବସ୍ଥା କ’ଣ ହୁଏ ତାହା ବିଗତ ଦିନର ସରକାରଙ୍କ କ୍ଷେତ୍ରରେ ସମସ୍ତେ ଦେଖିଛନ୍ତି । ତେଣୁ ସରକାର ଯେତେ ପ୍ରଶାସନିକ କଳ କିମ୍ବା ବାହୁବଳକୁ ବ୍ୟବହାର କଲେ ମଧ୍ୟ କିଛି ଫରକ ପଡିବ ନାହିଁ । ଏଥର ରାଜ୍ୟରେ ସରକାର ପରିବର୍ତ୍ତନ ହେବା ଥୟ ।"
ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ତାଙ୍କୁ ଦଳ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ଟିକେଟ ଦେଇଛି । କିଛିଦିନ ତଳେ ସେ ପାରଳାଖେମୁଣ୍ଡି ଗସ୍ତରେ ଆସିଥିଲେ । ଏହି ଅବସରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ଦାଶ ଏବଂ ପୂର୍ବତନ ଆୟକର ଅଧିକାରୀ ତ୍ରିନାଥ କାର୍ଯୀ ଏବଂ ବରିଷ୍ଠ ଆଇନଜୀବି ଏମ.ପୃଥ୍ବୀରାଜ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦେବୀ ଅନେକ ଦିନ ହେଲା ବିଜେଡିରୁ ଇସ୍ତଫା ଦେଇସାରିଥିଲେ । ସେମାନଙ୍କ ଯୋଗଦାନ ଦଳକୁ ଅଧିକ ମଜଭୁତ କରିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ଗଜପତି