ଭୁବନେଶ୍ୱର: ବିଜେପି-ବିଜେଡି ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ । ଦିନ ଗଡୁଛି, ହେଲେ ମେଣ୍ଟ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନି । ମେଣ୍ଟ ହେବ କି ନାହିଁ, ସେନେଇ ନେତା ମନ୍ତ୍ରୀ ଦ୍ୱନ୍ଦରେ ଥିବାବେଳେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ସମ୍ପାଦିକା ଆଶା ଲାକ୍ରା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ମଧ୍ୟ ସମାନ କଥା କହିଛନ୍ତି ଯେ, ମେଣ୍ଟ ସମ୍ପର୍କରେ ବିଜେପିର କେନ୍ଦ୍ର ନେତୃତ୍ଵ ନିଷ୍ପତ୍ତି ନେବେ । କେନ୍ଦ୍ର ନେତୃତ୍ଵଙ୍କ ନିଷ୍ପତ୍ତିକୁ ରାଜ୍ୟ ନେତାମାନେ ମାନିବେ ।
ବିଜେପି ରାଷ୍ଟ୍ରୀୟ ସମ୍ପାଦିକା ତଥା ରାଞ୍ଚି ମେୟର ଆଶା ଲାକ୍ରା ମଙ୍ଗଳବାର ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ସେ କନ୍ଧମାଳରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ସେ କେନ୍ଦ୍ରୀୟ ଯୋଜନା ହିତାଧିକାରୀ ଏବଂ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ତେବେ ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମେଣ୍ଟ ନେଇ ଗଣମାଧ୍ୟମର ପ୍ରଶ୍ନରେ ଆଶା ଲାକ୍ରା କହିଥିଲେ, ''ବିଜେଡି ବିଜେପି ମେଣ୍ଟ ନେଇ ବିଜେପିର କେନ୍ଦ୍ର ନେତୃତ୍ଵ ନିଷ୍ପତି ନେବେ । କ'ଣ କରାଯିବ କ'ଣ କରାନଯିବ ସେ ସ୍ଥିର କରିବେ । କେନ୍ଦ୍ର ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାହା ହିଁ ହେବ । ତେଣୁ ଏବେଠୁ କିଛି କହିବା ଠିକ୍ ହେବନି ।'' ତେବେ ପୂର୍ବରୁ ରାଜ୍ୟ ବିଜେପି ନେତା ମଧ୍ୟ ସମାନ ଉତ୍ତର ରଖିଥିଲେ ।
ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ଠାରୁ ମଧ୍ୟ ବଳିଗଲା ମେଣ୍ଟ ଚର୍ଚ୍ଚା: ଛିଡି ସାରିଛି ଆସନ ବୁଝାମଣା !
ସାଧାରଣ ନିର୍ବାଚନକୁ ଦିନ କେଇଟା ଥିବାବେଳେ ମେଣ୍ଟ ଚର୍ଚ୍ଚା ପାଇଁ ଓଡ଼ିଶାର ରାଜନୈତିକ ଗତିବିଧି ଏକପ୍ରକାର ଅଟକି ଯାଇଛି । ଉଭୟ ବିଜେପି ଓ ବିଜେଡି ଦଳର ନେତାମାନେ ହାତବାନ୍ଧି ବସିଛନ୍ତି । ବିଜେପି କର୍ମୀମାନେ କିଛି ଦିନ ହେଲା ଦଳ ପାଇଁ କାମ କରୁନାହାଁନ୍ତି । ସେପଟେ ତିନି ଦିନ ଧରି ଦିଲ୍ଲୀରେ ଡେରା ପକାଇଛନ୍ତି ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ଵ । ମେଣ୍ଟକୁ ନେଇ ଆଲୋଚନା ପରେ ଆଲୋଚନା ଚାଲିଛି ଦିଲ୍ଲୀରେ । କିନ୍ତୁ ଏ ପର୍ଯ୍ୟନ୍ତ କିଛି ନିଷ୍କର୍ଷ ବାହାରି ପାରୁନାହିଁ । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଏହି ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡିପାରେ ବୋଲି କୁହାଯାଉଛି ।
ଇଟିଭି ଭାରତ, ଭୁବନେଶ୍ୱର