ବଲାଙ୍ଗୀର: ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇ ସଫଳ ଓ ପାୱାର ହାଉସ ମଧ୍ୟରେ ଏଥର ମଧ୍ୟ ଜାରି ରହିଛି ଛକାପଞ୍ଝା । ଦୁଇ ପାୱାର ହାଉସ୍ ନରସିଂହ ମିଶ୍ରଙ୍କ ପରିବାର ଓ ରାଜ ପରିବାର ଏଥର ମଧ୍ୟ ହେବେ ମୁହାଁମୁହିଁ । ତେବେ ଗୋଟିଏ ପରିବାରର ପକ୍କା ବଲାଙ୍ଗିରିଆ ନାରା ତ ଆଉ ଗୋଟେ ପରିବାର 'ଆମର ବଲାଙ୍ଗୀର' ନାରା ଦେଇ ଜାରି ରଖିଛନ୍ତି ଆରୋପ ପ୍ରତ୍ୟାରୋପ ରାଜନୀତି । ଏହାରି ମଧ୍ୟରେ ବଲାଙ୍ଗୀର ବିଧାନସଭାରେ ଥରେ ହେଲେ ଜିତି ନଥିବା ବିଜେପି ମଧ୍ୟ 'ଜୟ ବଲାଙ୍ଗୀର' ନାରା ଦେଇ ପ୍ରଚାର ଆରମ୍ଭ କରିଛି ।
ପୁଣି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପରିବାର ଲଢ଼େଇ: ବଲାଙ୍ଗୀର ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀ ବଲାଙ୍ଗୀର । ସବୁବେଳେ ଏଠିକାର ନେତା ଓ ତାଙ୍କ ରାଜନୀତି ଚର୍ଚ୍ଚାରେ ରହିଥାଏ । ବିଶେଷ କରି ଏଠାକାର ଦୁଇ ପାୱାର ହାଉସ ପରିବାର ନରସିଂହ ମିଶ୍ର ଓ ରାଜ ପରିବାର ସବୁବେଳେ ତାଙ୍କ ରାଜନୈତିକ ଗୋଟିଚାଳନା ପାଇଁ ଚର୍ଚ୍ଚାରେ ଥାଆନ୍ତି । ପାଖେଇଲାଣି ନିର୍ବାଚନ ଏବଂ ଏଥର ମଧ୍ୟ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପରିବାର ଆମ୍ନାସାମ୍ନା ହେବେ । ରାଜ ପରିବାରରୁ ଅଭିଜ୍ଞତା ନେଇ ଯୁବନେତା କଳିକେଶ ନାରାୟଣ ସିଂହଦେଓ ଏଥର ବିଜେଡିରୁ ବିଧାନସଭା ନିର୍ବାଚନ ମୈଦାନରେ ଅଛନ୍ତି । ସେପଟେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବରେ ନରସିଂହ ମିଶ୍ରଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି ।
କଳିକେଶ ବନାମ ସମରେନ୍ଦ୍ର: ତେବେ କଳିକେଶ ନାରାୟଣ ସିଂହଦେଓ ପୂର୍ବରୁ ୨୦୦୫ରେ ସଇଁତଲା ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସେ ୨୦୦୯ ଓ ୨୦୧୪ରେ ବଲାଙ୍ଗୀର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଗତ ୨୦୧୯ ନିର୍ବାଚନରେ ସେ ତାଙ୍କ ଭାଉଜ ତଥା ବିଜେପି ନେତ୍ରୀ ସଂଗୀତା ସିଂହଦେଓଙ୍କଠାରୁ ହାରିଥିଲେ । ଏଥର ସେ ବିଜେଡିରୁ ବଲାଙ୍ଗୀର ବିଧାନସଭା ନିର୍ବାଚନ ପାଇଁ ଟିକେଟ ପାଇ ଆରମ୍ଭ କରିଛନ୍ତି ଜୋରଦାର ପ୍ରଚାର । ସେପଟେ ବର୍ତ୍ତମାନର ବିଧାୟକ ନରସିଂହ ମିଶ୍ରଙ୍କ ସାନପୁଅ ସମରେନ୍ଦ୍ର ମିଶ୍ର ଜଣେ କର୍ପୋରେଟର ଭାବରେ ଖ୍ୟାତି ଅର୍ଜନ କରିଛନ୍ତି । ପୂର୍ବରୁ ସେ ୨୦୧୯ରେ କଂଗ୍ରେସ ଦଳରୁ ସାଂସଦ ଟିକେଟରେ ନିର୍ବାଚନ ଲଢ଼ି ହାରିଥିଲେ । ସେ ଏଥର କଂଗ୍ରେସରୁ ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ଏଥିପାଇଁ ସେ ମଧ୍ୟ ତାଙ୍କର ପ୍ରଚାର ଜୋରଦାର କରିଛନ୍ତି ।
ମେଡେନ୍ ବିଜୟ ପାଇଁ ବିଜେପି ବି ଆଶାବାଦୀ: ତେବେ କଳିକେଶ ସିଂହଦେଓ ତାଙ୍କର ଅଭିଜ୍ଞତା, ବିଜେଡିର ଭାବମୂର୍ତ୍ତି ଓ ବିକାଶ ଧାରା ନାଁରେ ଏଥର ମଧ୍ୟ ବିଜୟୀ ହେବେ ବୋଲି ଆଶାବାଦୀ ଅଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ତାଙ୍କ ବାପାଙ୍କ ଭାବମୂର୍ତ୍ତି, ଲୋକପ୍ରିୟତା ଓ ତାଙ୍କ ସେବା ଏଥର ତାଙ୍କୁ ବିଜୟୀ କରିବ ବୋଲି ଆଶାବାଦୀ ଅଛନ୍ତି । ଏହାରି ମଧ୍ୟରେ ଏଠି କେବେ ଖାତା ଖୋଲି ପାରି ନଥିବା ବିଜେପି ଏଥର ବଲାଙ୍ଗୀରର ଜଣାଶୁଣା ଚେହେରା ଗୋପାଳଜି ପାଣିଗ୍ରାହୀଙ୍କୁ ଟିକେଟ ଦେଇଛି । ସେ ମୋଦି ଗ୍ୟାରେଣ୍ଟି ସହ ତାଙ୍କର ବଲାଙ୍ଗୀର ବିକାଶ ପାଇଁ ସେ କରିଥିବା ବିଭିନ୍ନ ଆନ୍ଦୋଳନ ଓ ଅବଦାନ ହିଁ ତାଙ୍କର ବିଜୟ ମନ୍ତ୍ର ହେବ ବୋଲି କହିଛନ୍ତି ।
କଣ କହୁଛି ରେକର୍ଡ?: ସେପଟେ ବଲାଙ୍ଗୀରର ପୁରୁଣା ରେକର୍ଡକୁ ନଜର ପକାଇଲେ ଏଠି ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ବିଜୟୀ ହୋଇ ରେକର୍ଡ କରିଥିଲେ । ଏହାପରେ କଂଗ୍ରେସର ଟାଣୁଆ ନେତା ନରସିଂହ ମିଶ୍ର ତାଙ୍କୁ ଚେକ୍ ଦେଇ ଗତ ୨୦୧୪ ଓ ୨୦୧୯ରେ ଏଠୁ ବିଜୟୀ ହୋଇଥିଲେ । ଏବେ ଏହି ଦୁଇ ବରିଷ୍ଠ ସଫଳ ନେତାଙ୍କ ଦୁଇ ପୁଅ ପୁରୁଣା ପ୍ରତିଦ୍ବନ୍ଦ୍ବିତାକୁ ଜାରି ରଖି ଆମ୍ନାସାମ୍ନା ହେବେ । ସେପଟେ ଜନତା ଦଳ ପରେ ଏଠାରୁ ବିଜେଡି ୩ ଥର ଜିତିଥିବାବେଳେ କଂଗ୍ରେସ ୪ ଥର ଜିତି ଥିବାର ରେକର୍ଡ ରହିଛି । ହେଲେ ଏଠାରୁ ଏଯାଏଁ ବିଜେପି ଥରେ ବି ସଫଳ ହୋଇପାରିନାହିଁ । ଏଭଳିସ୍ଥଳେ ଏଥର କିଏ ବାଜି ମାରିବ ? ଦୁଇ ପାୱାର ହାଉସ ପବରିବାର ମଧ୍ୟରେ ଯୁଦ୍ଧ ସୀମିତ ହେବ ନା ବିଜେପି ଏଥର ଏମାନଙ୍କୁ ଚେକ୍ ଦେବ, ତାହା ନିର୍ବାଚନ ଫଳ ସ୍ପଷ୍ଟ କରିବ ।
ଇଟିଭି ଭାରତ, ବଲାଙ୍ଗୀର