ଭୁବନେଶ୍ବର: ନିର୍ବାଚନକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଏଭଳି ସ୍ଥଳେ ଆଜି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ତାଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର ଭାବରେ ସୁପରିଚିତ ବୋଲି ତାଚ୍ଛଲ୍ୟ କରିଛନ୍ତି ସସ୍ମିତ ।
ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି, "ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର ଭାବରେ ସୁପରିଚିତ । ନିଜ ରାଜ୍ୟକୁ ସେ ଦେବାଳିଆ କରିସାରିଛନ୍ତି । ଓଡ଼ିଶାକୁ ଆସି ବିତ୍ତୀୟ ବ୍ୟବସ୍ଥା ବିଷୟରେ ଟ୍ୟୁସନ ନିଅନ୍ତୁ । ତାଙ୍କ ରାଜ୍ୟରେ ବେକାରି ସମସ୍ୟା ଅତ୍ୟନ୍ତ ଉତ୍କଟ । ସେ ଓଡ଼ିଶାକୁ ଆସିବା ଦ୍ୱାରା ବିଜେପିର ପ୍ରାର୍ଥୀମାନେ ଶୋଚନୀୟ ପରାଜୟ ବରଣ କରିବେ । ହିମନ୍ତ ବିଶ୍ୱଶର୍ମା ଯେତେବେଳେ ସେ ମୁହଁ ଖୋଲନ୍ତି, ସେ ଆବର୍ଜନା ହିଁ କୁହନ୍ତି । କେବଳ ଦେଶ ନୁହେଁ ଆସାମରେ ମଧ୍ୟ କେହି ତାଙ୍କୁ ଗୁରୁତ୍ୱର ସହ ନିଅନ୍ତି ନାହିଁ । ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ଚିଟଫଣ୍ଡ କେସରେ ଜଡ଼ିତ ଅଛି । ସେ ତାଙ୍କ ରାଜ୍ୟକୁ ଦେବାଳିଆ କରିସାରିଲେଣି । ତାଙ୍କ ରାଜ୍ୟର ଋଣଭାର ବହୁତ ବେଶୀ । ଅପରପକ୍ଷରେ ବିତ୍ତୀୟ ବ୍ୟବସ୍ଥା ପରିଚାଳନାରେ ଓଡ଼ିଶା ଭାରତବର୍ଷରେ ସର୍ବୋତ୍କୃଷ୍ଟ ରାଜ୍ୟ ସୁପରିଚିତ । ଏହି ବିଷୟରେ ସେ ଓଡ଼ିଶା ଆସି ଟ୍ୟୁସନ ନେଲେ ଭଲ ହୁଅନ୍ତା ।"
ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ଅସ୍ମିତା ଦୁର୍ବଳ ନୁହେଁ ଯେ, ହାତ ଲଗାଇ ଦେଲେ ମଉଳିଯିବ: ବିଜେଡି - BJD Press Conference
ସସ୍ମିତ ଆହୁରି ମଧ୍ୟ କହିଛନ୍ତି, "ହିମନ୍ତ ବିଶ୍ୱଶର୍ମାଙ୍କ ରାଜ୍ୟର ଯୁବକମାନେ ରାଜରାସ୍ତାରେ ଚାକିରି ପାଇଁ ହାହାକାର କରୁଛନ୍ତି । ବେକାରି ସମସ୍ୟା ଅତ୍ୟନ୍ତ ଉତ୍କଟ । ତାଙ୍କ ରାଜ୍ୟରେ ସ୍ୱାସ୍ଥ୍ୟସେବା ମଧ୍ୟ ଅତ୍ୟନ୍ତ ବିପର୍ଯ୍ୟସ୍ତ । ସେ ନିଜକୁ ହାସ୍ୟାସ୍ପଦ ସ୍ଥିତିକୁ ନେଇଆସିଛନ୍ତି । ତାଙ୍କର ବକ୍ତବ୍ୟ ମଧ୍ୟ ହାସ୍ୟାସ୍ପଦ । ଭାରତୀୟ ଜନତା ପାର୍ଟି ତାଙ୍କୁ ଓଡ଼ିଶାକୁ ଆହୁରି ପ୍ରଚାର ପାଇଁ ପଠାଉ । କାରଣ ତାଙ୍କର ଆସିବା ଦ୍ୱାରା ଓଡ଼ିଶା ବିଜେପି ପ୍ରାର୍ଥୀମାନଙ୍କ ପରାଜୟ ଆହୁରି ବିପୁଳ ବ୍ୟବଧାନରେ ହେବ । ଏହାକୁ ସେ ସୁନିଶ୍ଚିତ କରୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର