ନୂଆଦିଲ୍ଲୀ: ହରିୟାଣାରେ ଆମ ଆଦମୀ ପାର୍ଟି (AAP) ଏକକ ଭାବେ ବିଧାନସଭା ନିର୍ବାଚନ ଲଢିବ । ଦଳ ସମସ୍ତ 90 ବିଧାନସଭା ଆସନରେ ପ୍ରାର୍ଥୀ ଦେବ । ମାତ୍ର ଲୋକସଭା ନିର୍ବାଚନରେ ଦଳ ‘ଇଣ୍ଡିଆ’ ମେଣ୍ଟ ସହ ଆସନ ବୁଝାମଣା କରିବା ନେଇ ଆଜି ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି । ପୂର୍ବରୁ ଦଳ ପଞ୍ଜାବରେ ସମସ୍ତ ଲୋକସଭା ଆସନରେ ଏକାକୀ ପ୍ରାର୍ଥୀ ଦେବ ଓ କଂଗ୍ରେସ ସହ କୌଣସି ଆସନ ବୁଝାମଣା କରାଯିବ ନାହିଁ ବୋଲି ସ୍ପଷ୍ଟ କରିସାରିଛି । ହେଲେ ପଡୋଶୀ ରାଜ୍ୟ ହରିୟାଣାରେ ଦଳର ଆଭିମୁଖ୍ୟ ଟିକେ ଭିନ୍ନ ରହିଛି ।
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମ ଆଦମୀ ପାର୍ଟି ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ରହିଛି । ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଆସନ ଛାଡିବେ ନାହିଁ ବୋଲି କହିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆମ ଆଦମୀ ପାର୍ଟି ମଧ୍ୟ ସମାନ ଘୋଷଣା କରିଥିଲା । ଦଳ ପଞ୍ଜାବର ସମସ୍ତ ଲୋକସଭା ଆସନରେ ଏକାକୀ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିଲା । ରାଜ୍ୟରେ ଦଳ ଶାସନରେ ଥିବାରୁ ସମସ୍ତ ଆସନରେ ବିଜୟୀ ହେବା ସମ୍ଭାବନା ସହ ଏହି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ପଡୋଶୀ ହରିୟାଣାରେ ବିଜେପି ଶାସନରେ ରହିଛି । ତେଣୁ ସେଠାରେ ଅଧିକ ଆସନରେ ବିଜୟ ଲାଭ କରିବା ଆମ ଆଦମୀ ପାର୍ଟି ପାଇଁ ସହଜ ହେବ ନାହିଁ । ତେଣୁ ସେଠାରେ ଅଧିକ ଆସନରେ ପ୍ରାର୍ଥୀ ଦେବା ଅପେକ୍ଷା ‘ଇଣ୍ଡିଆ’ ମେଣ୍ଟର ଅନ୍ୟ ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣା କରିବା ପାଇଁ ଦଳ ଏପରି ଆଭିମୁଖ୍ୟ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି ।
ଆଜି ଏକ ପ୍ରେସମିଟରେ ଦଳ ମୁଖ୍ୟ କେଜ୍ରିଓ୍ୱାଲ ଏହି ସୂଚନା ଦେବା ସହ ବିଜେପି ଉପରେ ବର୍ଷିଥିଲେ । ତାଙ୍କୁ ବାରମ୍ବାର ଇଡି ସମନ କରାଯିବା ପ୍ରସଙ୍ଗରେ ସେ କହିଥିଲେ, ବିଜେପି ତାଙ୍କୁ ଗିରଫ କରିବା ପାଇଁ ସମସ୍ତ ଶକ୍ତି ଲଗାଇ ଦେଇଛି । ହେଲେ ତଥାପି ସେ ଜେଲକୁ ଯିବାକୁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ପ୍ରତି ଭୟଭୀତ ନୁହନ୍ତି ।
ଏହା ମଧ୍ୟ ପଢନ୍ତୁ :- 9ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ
ତେବେ ଅନ୍ୟ ଏକ ରୋଚକ କଥା ହେଉଛି, ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟରେ ପ୍ରମୁଖ ସହଯୋଗୀ ଥିବା କେଜ୍ରିଓ୍ୱାଲ ‘ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ’କୁ ବିରୋଧ କରିବା ପାଇଁ କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳ ଉପରେ ଚାପ ପକାଇ ଚର୍ଚ୍ଚାକୁ ଆସିଥିଲେ । ଏପରିକି ସେ ସଂସଦରେ ଏହି ବିଲକୁ ବିରୋଧ ନକଲେ ମେଣ୍ଟରୁ ଓହରିଯିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ଶେଷରେ କଂଗ୍ରେସ ବାଧ୍ୟ ହୋଇ ଏହି ବିଲକୁ ବିରୋଧ କରିଥିଲା । ତମାମ ବିରୋଧୀ ଦଳଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ଏହି ବିଲ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ