ମିଲିନ୍ଦ କୁମାର ଶର୍ମା (ଏମବିଏମ୍ ୟୁନିଭରସିଟି, ଯୋଧପୁର)
ନିକଟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ଲାଟେରାଲ ଏଣ୍ଟ୍ରି ବିଜ୍ଞପ୍ତିକୁ ବାତିଲ କରାଯାଇଛି । ପ୍ରକାଶିତ ଲାଟେରାଲ ଏଣ୍ଟ୍ରି ବିଜ୍ଞପ୍ତି ବାତିଲ କରିବାକୁ ୟୁପିଏସସି ଅଧ୍ୟକ୍ଷା ପ୍ରୀତି ସୁଦାନଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ । UPSC ଅଗଷ୍ଟ ୧୭ ରେ ଏକ ବିଜ୍ଞାପନ ଜାରି କରିଥିଲା । ବିଜ୍ଞପ୍ତି ମୁତାବକ, କେନ୍ଦ୍ର ସରକାରରେ କାମ କରୁଥିବା କୌଣସି କର୍ମଚାରୀ ଲାଟେରାଲ ଏଣ୍ଟ୍ରି ଭର୍ତ୍ତି ପାଇଁ ଆବେଦନ କରିପାରିବେ ନାହିଁ । କିନ୍ତୁ ଯେଉଁମାନେ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ କାମ କରୁଥିବା କର୍ମଚାରୀ ସମାନ ପଦବୀରେ ନିଯୁକ୍ତ ରହିଛନ୍ତି, ସେମାନେ ଆବେଦନ କରିପାରିବେ । ଏହାସହିତ ପ୍ରାଇଭେଟ କମ୍ପାନୀ, ଇଣ୍ଟରନ୍ୟାସନାଲ ଏବଂ ମଲ୍ଟି ନ୍ୟାସନାଲ କମ୍ପାନୀରେ କାମ କରୁଥିବା ଲୋକ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ଏନେଇ ଅନଲାଇନ ଆବେଦନ କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା । ଘରୋଇ କ୍ଷେତ୍ରର ବିଶେଷଜ୍ଞଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ଦେବା ଲାଟେରାଲ ଏଣ୍ଟ୍ରି ବିଜ୍ଞାପନର ଲକ୍ଷ୍ୟ ଥିଲା । ଏହାକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ବିରୋଧୀ ଦଳମାନେ ତୀବ୍ର ବିରୋଧ କରିଥିଲେ । ଚାରିଆଡ଼ୁ ବିରୋଧ ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରି ଲାଟେରାଲ ଏଣ୍ଟ୍ରି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି । ତେବେ ଲାଟେରାଲ ଏଣ୍ଟ୍ରିକୁ ଝଡ ଥମିଛି ହେଲେ ଗୋଟିଏ କଥା ଆଜିବି ଅସମାହିତ ହୋଇ ରହିଛି ସେ ହେଲା, ବିସରକାରୀ ସ୍ତର କାର୍ଯ୍ୟକ୍ଷେତ୍ରରରେ ପରିବେଶ ଏବଂ ସରକରୀ ସ୍ତରରେ କାର୍ଯ୍ୟକ୍ଷେତ୍ରରେ ପରିବେଶ ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ଲାଟେରାଲ ଏଣ୍ଟ୍ରିକୁ ନେଇ ବହୁତ ବାଦ ବିବାଦ ଏବଂ ବିତର୍କ ହେଲା ହେଲେ, ସମାନ ବିଭାଗରେ ସରକାରୀ କ୍ଷେତ୍ରରେ କାର୍ଯ୍ୟ ଏବଂ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରେ ଅସାନତା ତଥା ତାରତମ୍ୟ କଥାକୁ କେହି ବି ଆଗକୁ ଆଣିଲେ ନାହିଁ ।
ସରକାରୀ ସ୍ତରରେ ବିଭିନ୍ନ ବିଭାଗୀୟ ତଥା ବିଭିନ୍ନ କ୍ଷେତ୍ର ପାଇଁ ପଲିସି ତିଆରି କରିବା ହେଉ କି ବିଭିନ୍ନ ଯୋଜନାର ସଫଳ ରୂପାୟନ, କାର୍ଯ୍ୟକାରିତା ଦ୍ବାରା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିପାରିବ ସମସ୍ତ ସେବା । ତେବେ ସରକାରୀ ସ୍ତରରେ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ବିଶେଷଜ୍ଞଙ୍କୁ ନିଯୁକ୍ତି ମିଳିଲେ ସେମାନଙ୍କ ପାଇଁ ଦାୟିତ୍ବ ମଧ୍ୟ ନ୍ୟସ୍ତ ହୋଇପାରିବ । ଏହାଦ୍ବାରା ବିଭାଗ ଓ୍ବାରୀ ନୂଆ ନୂଆ ଚିନ୍ତନ, ଧାରଣା ଏବଂ ଅବଧାରଣ ଆସିପାରିବ । ଏହା ଫଳରେ ଲୋକଙ୍କ ନିକଟରେ ସେବା ପହଞ୍ଚାଇବା ସହଜ ଏବଂ ସଫଳ ହେବ । କାରଣ ସରକାରୀ ସ୍ତରରେ କାର୍ଯ୍ୟକ୍ଷେତ୍ରର ପରିବେଶ ଏବଂ ବେସରକାରୀ ସ୍ତରରେ କାର୍ଯ୍ୟକ୍ଷେତ୍ରରେ ପରିବେଶରେ ଭିନ୍ନତା ପାଇଁ ଲାଟେରାଲ ଏଣ୍ଟ୍ରିରେ ନିଯୁକ୍ତି ପାଇଥିବା ବ୍ୟକ୍ତି ବିଶେଷ ଦୈନନ୍ଦିନ କାର୍ଯ୍ୟଦିବସକୁ ଟାର୍ଗେଟ କରି ବିଭଗ ଓ୍ବାରୀ ପ୍ରଦର୍ଶନରେ ଉନ୍ନତି ଆଣିପାରିବେ ।
ଯେତେବେଳେ ବେସରକାରୀ ସ୍ତରରେ ବିଶେଷତଃ ଦ୍ରୁତତମ ଅଭିବୃଦ୍ଧିଶୀଳ ଏବଂ ପରିବ୍ୟାପ୍ତ କାର୍ଯ୍ୟକ୍ଷେତ୍ରରେ କାମ କରିବାକୁ ପରିବେଶ ମିଳେ ଏବା ସହିତ ପ୍ରାଇଭେଟ୍ ସେକ୍ଟରରେ ଅଧିକରୁ ଅଧିକ ଲାଭ କରିବା, ଉତ୍ପାଦନରେ ଖର୍ଚ୍ଚ କମାଇବା ଏବଂ ଉତ୍ପାଦନରେ କ୍ବାଲିଟି ତଥା ଫଳପ୍ରଦ ଉପରେ ଫୋକସ କରିଥାଏ, ସେତେବେଳେ କିନ୍ତୁ ସରକାରୀ ସ୍ତରରେ ଏହାର ଓଲଟା ଘଟିଥାଏ । ସରକାରୀ ବିଭାଗରେ ମନ୍ତ୍ରୀ ତାଙ୍କ ପଛକୁ ପଛ ବରିଷ୍ଠରୁ କନିଷ୍ଠ ସଚିବ ଖୁନ୍ଦି ଖୁନ୍ଦି ହୋଇ ରହିଥାନ୍ତି । ଜନତାଙ୍କ ମଙ୍ଗଳ ଏବଂ ସମାଜର ଶେଷ ପାହାଚରେ ଠିଆ ହୋଇଥିବା ଲୋକଙ୍କ ପାଖରେ ସେବା ପହଞ୍ଚାଇବା ସରକାରର ପ୍ରତିଟି ବିଭାଗର ଗୁରୁ ଦାୟିତ୍ବ । ବେସରକାରୀ ସ୍ତରରେ କୌଣସି ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିଗତ ପଦୋନ୍ନତି ତାଙ୍କର ପ୍ରଦର୍ଶନ ଏବଂ ଟାର୍ଗେଟ୍ ପୁରଣ ପାଇଁ ହୋଇଥାଏ । ଏହା ବ୍ୟକ୍ତିଗତ ହୋଇପାରେ କିନ୍ତୁ ସାମୁହିକ (ଟିମ୍) ଭାବେ ହୋଇପାରେ । ଏହା ଫଳରେ କାର୍ଯ୍ୟକ୍ଷେତ୍ରରେ ପ୍ରଦର୍ଶନ ପାଇଁ ସଭିଏଁ ଅଧିକରୁ ଅଧିକ ପରିଶ୍ରମ କରିଥାନ୍ତି ଏବଂ ଏହା ପ୍ରଦର୍ଶନୀ-ଜରୁରୀ ପରିବେଶ ସୃଷ୍ଟିକରିଥାଏ ।
ପରିସ୍ଥିତି ମୁତାବକ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ, ନୂଆ ନୂଆ ଧାରଣା ତଥା କ୍ରିଏଟିଭ୍ ଆଇଡିଆ, ଉଦ୍ଭାବନ ଏବଂ କିଛି ନୂଆ କରିବାର ନୂତନ ଚିନ୍ତନ ଉପରେ ଫୋକସ କରିଥାଏ ବେସରକାରୀ ସଂସ୍ଥାନ । କିନ୍ତୁ ଏପଟେ ସରକାରୀ କ୍ଷେତ୍ରରେ ଏହା ସମ୍ଭବ ନୁହେଁ । ନିର୍ଦ୍ଧିଷ୍ଟ ତଥା ପୂର୍ବରୁ ନ୍ୟସ୍ତ, ଧାର୍ଯ୍ୟ, ହସ୍ତଗତ ଦାୟିତ୍ବ ଏବଂ ଜଟିଳ ପ୍ରକ୍ରିୟା ପାଇଁ ସରକାରୀ କ୍ଷେତ୍ରରେ କାର୍ଯ୍ୟ ଧିରେ ଧିରେ ହୋଇଥାଏ । ସରକାରୀ କ୍ଷେତ୍ରରେ ନୂଆ କରିବା ଏକ ପ୍ରକାର ଚିନ୍ତାର ବାହାରେ । ଏପଟେ ଯେତେବେଳେ କର୍ପୋରେଟ ଦୁନିଆରେ କୌଣସି ନିଷ୍ପତ୍ତି ବ୍ୟକ୍ତିଗତ ତଥା ବ୍ୟକ୍ତି ବିଶେଷ ଉପରେ ନ୍ୟସ୍ତ ହୋଇଥାଏ, ସେପଟେ କିନ୍ତୁ ଏହା ସରକାରୀ କ୍ଷେତ୍ରରେ ସମ୍ଭବ ନୁହେଁ । ବେସରକାରୀ କ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣକୁ ବିକେନ୍ଦ୍ରୀକରଣ କରାଯାଇଥିବା ବେଳେ ସରକାରୀ କ୍ଷେତ୍ରରେ କିନ୍ତୁ ନିଷ୍ପତ୍ତି ଗ୍ରହଣକୁ କେନ୍ଦ୍ରୀଭୂତ କରାଯାଇଥାଏ । ଫଳରେ ବେସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଖୁବ ସରଳ ହୋଇଥିବା ବେଳେ ସରକାରୀ ସ୍ତରରେ ‘ଡିସିସନ୍ ମେକିଂ’ ପ୍ରକ୍ରିୟା ଜଟିଳ ହୋଇଥାଏ । ଯାହା କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ପକାଇଥାଏ ।
ପ୍ରତିଯୋଗିତା ପୂର୍ଣ୍ଣ ପରିବେଶରେ ଶ୍ରେଷ୍ଠ ତଥା ଉନ୍ନତ ପ୍ରଦର୍ଶନ ଏବଂ ମେରିଟ୍-ବେସଡ୍ (ପ୍ରଦର୍ଶନକୁ ଆଧାର କରି) ପ୍ରମୋସନ ହେଉଛି ପ୍ରାଇଭେଟ୍ ସେକ୍ଟରର ହଲମାର୍କ । ଏପଟେ କିନ୍ତୁ ସରକାରୀ କ୍ଷେତ୍ରରେ ବିଭାଗଓ୍ବାରୀ କାର୍ଯ୍ୟ ପରିବେଶରେ ବରିଷ୍ଠତା ଆଧାରରେ ପୂର୍ବ ନିର୍ଦ୍ଧାରିତ ସମୟ ମୁତାବକ ପ୍ରମୋସନ ହୋଇଥାଏ । ଆଜିର ଦିନରେ, ଜବ୍ର ସୁରକ୍ଷା, ସ୍ଥିରତା ପାଇଁ ସରକାରୀ ସେବାରେ ଯୋଗଦେବାକୁ ଆଶାୟୀ ମାନେ ପ୍ରେରିତ ହେଉଛନ୍ତି । କିନ୍ତୁ ବେସରକାରୀ ସ୍ତରରେ କାର୍ଯ୍ୟରେ ତିଷ୍ଠିବାକୁ ହେଲେ ସ୍ଥିର ଏବଂ ଉନ୍ନତ ପ୍ରଦର୍ଶନ ହିଁ ଗୋଟିଏ ମାତ୍ର ମାନଦଣ୍ଡ ବା ମାପକାଠି । ଏହାସହିତ ପ୍ରାଇଭେଟ ସେକ୍ଟରରେ ମଧ୍ୟ ଟାର୍ଗେଟ ପୂରଣ ପାଇଁ ପ୍ରୋତ୍ସାହନ ରାଶି ମିଳିଥାଏ ।
ଯେତେବେଳେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟରତ ବିଶଷଜ୍ଞ ସରକାରୀ ବିଭାଗରେ ଲାଟେରାଲ ଏଣ୍ଟ୍ରିରେ ନିଯୁକ୍ତି ପାଇବେ, ବେସରକାରୀ ଏବଂ ସରକାରୀ କ୍ଷେତ୍ରରେ କାର୍ଯ୍ୟ ପରିବେଶ ତଥା କାର୍ଯ୍ୟ କରିବାର ଶୈଳୀରେ ପରିବର୍ତ୍ତନ ଆସିବ । କର୍ମଚାରୀଙ୍କ କାର୍ଯ୍ୟସ୍ଥଳ ସନ୍ତୁଷ୍ଟି ଏବଂ ପ୍ରେରଣାରେ ମଧ୍ୟ ଅନେକ ପରିବର୍ତ୍ତନ ଆସିବ । ଏହା ଫଳରେ ସଂସ୍ଥାନର ସାମଗ୍ରିକ ଉତ୍ପାଦନରେ ଢେର ଉନ୍ନତି ବା ଅବିଭୃଦ୍ଧି ଘଟିବ । ଅଧିକରୁ ଅଧିକ ଲାଭ ସଂଗ୍ରହ ବା ବୃଦ୍ଧି, ଉତ୍ପାଦନ ଖର୍ଚ୍ଚ ଦିନକୁ ଦିନ କମ କରିବା ଏବଂ ଉତ୍ପାଦନ ବୃଦ୍ଧି ଉପରେ ପ୍ରାଇଭେଟ ସେକ୍ଟର ଫୋକସ କରୁଥିବା ବେଳେ ସରକାରୀ ବିଭାଗରେ କିନ୍ତୁ ଜନ କଲ୍ୟାଣ ଏବଂ ସମସ୍ତଙ୍କୁ ସେବା ଯୋଗାଣ ଉପରେ ଫୋକସ ରହିଥାଏ ।
ମାକ୍ସ ଓ୍ବେବରଙ୍କ ଦ୍ବାରା ବିକଶିତ ‘ଓ୍ବେବେରିଆନ୍ ବ୍ୟୁରୋକାସି ମଡେଲ୍’କୁ ଅନୁସରଣ କରିଥାଏ ସରକାରୀ କ୍ଷେତ୍ର । ଏହା ଏକ ଆନୁଷ୍ଠାନିକ ଭାବେ ପୂର୍ବ ନିର୍ଦ୍ଧିରାତ ପ୍ରକ୍ରିୟା । ଏହା ବ୍ୟକ୍ତିଗତ ନୁହେଁ ବରଂ ସାମୁହିକ ସ୍ତରରେ ନିର୍ଦ୍ଧାରିତ ପଦ୍ଧତି । ସରକାରୀ ଅମଲାତନ୍ତ୍ରକୁ ପର୍ଯ୍ୟାୟ କ୍ରମେ ଶ୍ରେଣୀଭୁକ୍ତ କରାଯାଇଛି, ଯାହା ପେଶାଦାର, ଦାୟିତ୍ବ-ନିର୍ଦ୍ଧାରିତ, ଅବ୍ୟକ୍ତିକ, ଶୃଙ୍ଖଳିତ । ଏହା ସହିତ ସରକାରୀ ସେବାରେ ଯୋଗ ଦେଇ କାର୍ଯ୍ୟ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ନିଜର ସ୍ବତନ୍ତ୍ର ଦକ୍ଷତା ବିକାଶ କରିବାକୁ ପଡିଥାଏ । କାରଣ ସରକାରୀ ସ୍ତରରେ କାମ କରିବା ପାଇଁ ବ୍ୟକ୍ତିଙ୍କୁ ଅତ୍ୟନ୍ତ ପ୍ରତିଯୋଗତିତାପୂର୍ଣ୍ଣ ପରିବେଶକୁ ସାମ୍ନା କରିାବକୁପଡିଥାଏ ।
ବିଶେଷତଃ ଏହା ଦେଖାଯଏ ଯେ ସରକାରୀ କର୍ମଚାରୀ ମାନେ କିଛି ନୂଆ କରିବା ଅପେକ୍ଷା ଚାକିରୀର ସ୍ଥିରତା ଏବଂ ସୁରକ୍ଷା ପାଇଁ ଅଧିକ ସତର୍କତା ଅବଲମ୍ବନ କରିଥାନ୍ତି । କିନ୍ତୁ ଅନ୍ୟପଟେ ବେସରକାରୀ କ୍ଷେତ୍ରରେ ଅଧିକରୁ ଅଧିକ ନୂଆ କରିବା ପାଇଁ କର୍ମଚାରୀଙ୍କୁ ପ୍ରେରଣା ମିଳିଥାଏ । ବୈଶ୍ବିକ ପ୍ରତିଯୋଗିତାରେ ଆଗରେ ରହିବା ପାଇଁ ବେସରକାରୀ କର୍ମଚାରୀମାନଙ୍କୁ ନୂଆ ଉଦ୍ଭାବନା ସହିତ କାର୍ଯ୍ୟକରିବା, ରିକ୍ସ-ଟେକିଂ ଏବଂ କ୍ରିଏଟିଭିଟି ପାଇଁ ପ୍ରୋତ୍ସାହନ ମିଳିଥାଏ । ଏହା ନେତୃତ୍ବର ବିକାଶ ଏବଂ ଟିମ୍ ସଂସ୍କୃତିକୁ ପ୍ରଚାର ପ୍ରସାର କରିଥାଏ । ଏହା ଫଳରେ ବେସରକାରୀ ସ୍ତରରେ ସହଭାଗିତା ବୃଦ୍ଧି ହୋଇଥାଏ ଏବଂ ଆଭ୍ୟନ୍ତରୀଣ ଯୋଗାଯୋଗ ସମ୍ପର୍କକୁ ବିଭାଗ ବିଭାଗ ମଧ୍ୟରେ ବୃଦ୍ଧି କରିଥାଏ । କିନ୍ତୁ ସରକାରୀ ସ୍ତରରେ ସିଧାସଳଖ ଲୋକଙ୍କ ସହିତ ମିଶି ସରକାରୀ ଅଧିକାରୀ ମାନେ କାମ କରିନଥାନ୍ତି । ଯେତେବେଳେ ଅତ୍ୟଧିକ ଜରୁରୀ ବା ବିପତ୍ତିକାଳୀନ ସ୍ଥିତି ଉପୁଜେ ଗ୍ରାଉଣ୍ଡରେ ପହଞ୍ଚି ସରକାରୀ ଅଧିକାରୀ ଲୋକଙ୍କ ସହିତ ମିଶିକାର୍ଯ୍ୟ କରନ୍ତି । ଏପଟେ ରାଜନୈତିକ ଦୃଷ୍ଟିକୋଣରୁ ସରକାରୀ ଅଧିକାରୀଙ୍କ ଉପରେ ରାଜନୈତିକ ଚାପ ପଡିଥାଏ । କାରଣ ଦୈନନ୍ଦିନ ସରକାରୀ କାର୍ଯ୍ୟରେ ରାଜନୈତିକ ମାହୋଲରେ ରାଜନୈତିକ ଚ୍ୟାଲେଞ୍ଜକୁ ସାମ୍ନା କରିଥାନ୍ତି ସରକାରୀ ଅଧିକାରୀ । ଲୋକଙ୍କ ପାଇଁ ପଲିସି ତିଆରି କରିବା ଏବଂ ଏହାକୁ କାର୍ଯ୍ୟକାରିତା ପାଇଁ ସାଧାସଳଖ ରାଜନୈତିକ ସ୍ଥିତି ଉପୁଜିଥାଏ । ତେବେ ଏ କ୍ଷେତ୍ରରେ ଲାଟେଲାଲ ଏଣ୍ଟ୍ରିରେ ନିଯୁକ୍ତି ପାଇଥିବା ବ୍ୟକ୍ତି ବିଶେଷ ହୁଏତଃ ଲୋକଙ୍କ ପାଇଁ କାମ କଲାବେଳେ ରାଜନୈତିକ ଚ୍ୟାଲେଞ୍ଜର ସାମ୍ନା କରି କାମ କରିବାରେ ସକ୍ଷମ ନହୋଇପାରନ୍ତି ।
ବିସ୍ତବରେ, ଏହା ହିଁ ହେଉଛି ଅମଲାତନ୍ତ୍ରରେ ଅମଲାଙ୍କ ବ୍ୟାପକ ଟ୍ରେନିଂର ସୁଫଳ । ଯାହା ତାଙ୍କୁ ପ୍ରଶାସନିକ ସ୍ତରରେ ସମସ୍ତ ଚାପ ସହିତ କାର୍ଯ୍ୟ କରିବାରେ ସହାୟକ ହୋଇଥାଏ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଯେପରି ଭାରତର ଲୌହ ମାନବ କୁହାଯାଏ । ପ୍ରଶାସନିକ ଅଧିକାରୀମାନେ ସେପରି ସରକାରୀ କ୍ଷେତ୍ରର ଲୌହ ମାନବ । ତେବେ ଏହି ପରିପ୍ରେକ୍ଷୀରେ ଲାଟେଲାଲ ଏଣ୍ଟ୍ରିରେ ନିଯୁକ୍ତି ପାଇଥିବା ବ୍ୟକ୍ତି ପେଶାଗତ କ୍ଷେତ୍ରରେ ପୂର୍ବରୁ ସ୍ବତନ୍ତ୍ର ତଥା ଭିନ୍ନ ଟ୍ରେିଂ ନେଇଥିବେ । ଯାହା ତାଙ୍କୁ କାର୍ଯ୍ୟକ୍ଷେତ୍ରରେ କାମ କରିବାର ଭିନ୍ନ ମାନସିକତା ସୃଷ୍ଟି କରିଥାଏ ।
ତେବେ ଲାଟେରାଲ ଏଣ୍ଟ୍ରିରେ ନିଯୁକ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନିଂ ବ୍ୟବସ୍ଥା କରିବାକୁ ପଡିବ ଏବଂ ଏଥିପାଇଁ ଲାଟେରାଲ ଏଣ୍ଟ୍ରିରେ ନିଯୁକ୍ତ ବ୍ୟକ୍ତିବିଶେଷ ପାଇଁ ଲଢୁଥିବା ଆଇନଜୀବୀଙ୍କୁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ପଡିବ । ସେମାନଙ୍କୁ ନିଯୁକ୍ତି ପୂର୍ବରୁ ଯେପରି ସେମାନଙ୍କ ଟ୍ରେନିଂ ଶେଷ ହେବ । କାରଣ ବିନା ଟ୍ରେନିଂରେ ସେମାନଙ୍କୁ ଭର୍ତ୍ତି କଲେ ଏହା ଉଭୟ ବ୍ୟକ୍ତି ବିଶେଷ ଏବଂ ସଂସ୍ଥାନ ପାଇଁ କ୍ଷତି ସାବ୍ୟସ୍ତ ହୋଇପାରେ । କାରଣ ଏହା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ କାର୍ଯ୍ୟ ପରିବେଶ ରହିବ ।
ତେବେ ଲାଟେରାଲ ଏଣ୍ଟ୍ରିରେ ନିଯୁକ୍ତି ପାଇଥିବା ଅଫିସର ଏବଂ ନିୟମିତ ପ୍ରକ୍ରିୟାରେ ନିଯୁକ୍ତି ପାଇଥିବା ଅଫିସରଙ୍କ ମଧ୍ୟରେ ବିବାଦକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଏପରି ହେଲେ ସ୍ଥାଣୁ ପାଲଟିଯିବ ସମସ୍ତ ସରକାରୀ ଯୋଜନା କାରଣ ଏହା ନିଷ୍ପତ୍ତି ଗ୍ରହଣ କ୍ଷମତାକୁ ବିଳମ୍ବିତ କରିବା ସହିତ ଅଡୁଆ ସ୍ଥିତି ଉତ୍ପନ୍ନ କରିବ । ଏପରି ହେଲେ ଲାଟେରାଲ ଏଣ୍ଟ୍ରିରେ ନିଯୁକ୍ତି ପାଇ ଥିବା ବିଶେଷଜ୍ଞ ନିର୍ଦ୍ଧାରିତ ଅବଧି ପୂର୍ବରୁ ସରକାରୀ ବ୍ୟବସ୍ଥାରୁ ଓହରି ପାରନ୍ତି । କାରଣ ବିବାଦ ସୃଷ୍ଟି ହେଲେ କାମ କରିବାର ଉତ୍ସାହ ମରିବାଟା ସୁନିଶ୍ଚିତ । ତେଣୁ ଲାଟେରାଲ ଏଣ୍ଟ୍ରି ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପୂର୍ବରୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଉଚିତ ।