ହାଇଦ୍ରାବାଦ: କୋଲକାତାର ପୂର୍ବ ମେଟ୍ରୋପଲିଟାନ ବାଇପାସ, ମହାନଗରର ପୂର୍ବାଞ୍ଚଳ ସହ ଚାଲିଥାଏ । ଏହା ସହରର ଦକ୍ଷିଣ ଭାଗକୁ ପୂର୍ବ ଭାଗ ସହ ସଂଯୋଗ କରେ । ସହରର ମୁଖ୍ୟ ରାସ୍ତାରେ କିଛି ଭବ୍ୟ ଏବଂ ବଡ଼ ବଡ଼ ଅଟ୍ଟାଳିକା ରହିଛି, ଏହାସହ ରହିଛି ଯୁବାଭାରତୀ ଷ୍ଟାଡିୟମ ବା ସଲ୍ଟ ଲେକ୍ ଷ୍ଟାଡିୟମ । ଏହା ଖେଳ ଏବଂ ସାଂସ୍ଖୃତିକ କାର୍ଯ୍ୟକ୍ରମ ପାଇଁ ଜଣାଶୁଣା । ଆଉ ଏହାର ଭରପୁର ମଜା ନିଅନ୍ତି ଲକ୍ଷ ଲକ୍ଷ ଦେଖଣାହାରୀ ।
ଅଧାରେ ରହିଲା ଡୁରାଣ୍ଡ କପ୍ ଫୁଟବଲ୍ ମ୍ୟାଚ:
ଅଗଷ୍ଟ ୧୮ ତାରିଖ । ଡୁରାଣ୍ଡ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ଥିଲା ଏହି ଷ୍ଟାଡିୟମ । ଆଉ ଏହି ମ୍ୟାଚରେ ମୁହାଁମୁହିଁ ହୋଇଥାନ୍ତେ ବେଙ୍ଗଲର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୋହନ ବାଗାନ ଏବଂ ଇଷ୍ଟ ବେଙ୍ଗଲ ଟିମ୍ । ଦୁଇ ଦଳ ପ୍ରସ୍ତୁତ ଥିଲେ, ଆୟୋଜକ ମଧ୍ୟ ପ୍ରସ୍ତୁତ ଥିଲେ, ଦେଖଣାହାରୀ ମଧ୍ୟ ମ୍ୟାଚର ଭରପୁର ମଜା ନେବାକୁ ଅପେକ୍ଷା କରିଥିଲେ । ସବୁ କିଛି ପ୍ରସ୍ତୁତ ଥିବା ବେଳେ, ପ୍ରସ୍ତୁତ ନଥିଲା ସ୍ଥାନୀୟ ପ୍ରଶାସନ ।
ଫୁଟବଲ ମ୍ୟାଚ ଉପରେ କୋଲକାତା କାଣ୍ଡର ପ୍ରଭାବ :
କୋଲକାତା RG Kar ହସପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ପ୍ରଭାବ । ଅଗଷ୍ଟ ୯ କାଳରାତ୍ରୀରେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ ସହ ଘଟିଥିଲା ଏହି ଅମାନୁଷିକ, ଅମାନବୀୟ ଏବଂ ଅଭାବନୀୟ କାଣ୍ଡ । ଯାହାର ପ୍ରଭାବରେ ଅଗଷ୍ଟ ୧୪ ରାତିରେ ହଟପିଟାଲ ଉପରେ ଦେଖିବାକୁ ମିଳିଥିଲା ବଡ଼ ଆକ୍ରୋଶ । ଉତ୍ତ୍ୟକ୍ତ ଲୋକେ ହସପିଟାଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । Pulmonology departmentକୁ ନଷ୍ଟଭ୍ରଷ୍ଟ କରି ଦେଇଥିଲେ । ଲୋକଙ୍କ ଆକ୍ରୋଶ ଏବଂ ହସପିଟାଲ ଉପରେ ସମ୍ଭାବ୍ୟ ଆକ୍ରମଣ ନେଇ ରାଜ୍ୟ ସରକାରଙ୍କ ନିକଟରେ ଖବର ଥିଲା । ମାତ୍ର ନା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ନା ପୋଲିସ-ପ୍ରଶାସନ କୌଣସି ଠୋସ ସୁରକ୍ଷା ବ୍ୟବସ୍ଥା କରିଥିଲେ ! RG Kar ହସପିଟାଲରେ ଏତେ ବଡ଼ ତୋଡ଼ଫୋଡ ଘଟଣାର ପ୍ରଭାବ ଡୁରାଣ୍ଡ କପ୍ ମ୍ୟାଚ ଉପରେ ପଡ଼ିଲା । ମ୍ୟାଚ ପାଇଁ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବାକୁ ମନା କରି ଦେଇଥିଲା ପ୍ରଶାସନ । ଫଳରେ ଶେଷ ମୁହୂର୍ତ୍ତରେ ବାତିଲ ହେଲା ଏହି ବଡ଼ ଏବଂ ଲୋକପ୍ରିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ।
ମ୍ୟାଚ ବନ୍ଦ ପ୍ରଭାବ:
ପ୍ରଶାସନ ଡୁରାଣ୍ଡ କପ୍ ମ୍ୟାଚକୁ ସବୁଜ ସଂକେତ ନଦେବା ପରେ ସରକାରଙ୍କ ପ୍ରତି ବଢ଼ିଥିଲା ଅସନ୍ତୋଷ । ରବିବାର ଘଟଣା, ଯାହା ମମତା ବାନାର୍ଜୀ ସରକାର ଦେଖିବାକୁ ଚାହୁଁନଥିଲେ, ଷ୍ଟାଡିୟମ ବାହାରେ ତାହା ହିଁ ହୋଇଥିଲା । ଦୁଇ କ୍ଲବ ର ହଜାର ହଜାର ସମର୍ଥକ ଏହାକୁ ବିରୋଧ କରିଥିଲେ । ସେମାନଙ୍କ ଯୁକ୍ତି ଥିଲା, “ଯଦି ସରକାର ଆମର ବିରୋଧକୁ ରୋକିବା ପାଇଁ ଏତେ ବଡ ପୋଲିସ କଣ୍ଟିଜେଣ୍ଟ ନିୟୋଜିତ କରିପାରୁଛନ୍ତି, ତେବେ ଷ୍ଟାଡିୟମ ଭିତରେ ସୁରକ୍ଷା ଯୋଗାଇ ନ ପାରିବା ବାହାନା କରି, ଫୁଟବଲ ମ୍ୟାଚ ବାତିଲ କରିବାକୁ କାହିଁକି ପ୍ରବର୍ତ୍ତାଉଛନ୍ତି ? ସେମାନେ କାହାକୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି ? ” ଦୁଇ କ୍ଲବର ସମର୍ଥକମାନଙ୍କ ପ୍ରଦର୍ଶନ ବେଳେ ଦେଖିବାକୁ ମିିଳିଥିଲା ଏକତା । ଦୁଇ ଦଳର ସମର୍ଥକମାନେ ହାତରେ ହାତ ମିଶାଇ, କାନ୍ଧରେ କାନ୍ଧ ମିଶାଇ ମେଡିକାଲ ଡାକ୍ତର କାଣ୍ଡର ନ୍ୟାୟ ମାଗିଥିଲେ ।
ଦିଦିଙ୍କ ପାଦ ତଳୁ ମାଟି ଖସୁଛି କି ମାଟି ?
କୋଲକାତା କାଣ୍ଡ ପରେ ଦିଦିଙ୍କ ପାଦ ତଳୁ ମାଟି ଖସୁଛି କି ? କାରଣ ଘଟଣାର ପ୍ରଭାବ ଏବଂ ପ୍ରଦର୍ଶନର ଆକାରକୁ ସଠିକ ଭାବେ ଆକଳନ କରିପାରିଲା ନାହିଁକି ମମତାଙ୍କ ପ୍ରାଶାସନିକ କଳ ? ଯଦି ପୋଲିସ ଏବଂ ପ୍ରଶାସନ ନିକଟରେ ଏଭଳି କିଛି ରାଜନୈତିକ ଭୟ ଏବଂ ଡର ରହିଛି କି ? ଏଭଳି କିଛି ଗମ୍ଭୀର ପ୍ରଶ୍ନ ଉଠିବା ସ୍ବାଭାବିକ କଥା ।
ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ?
ପଶ୍ଚିମବଙ୍ଗ କିମ୍ବା ରାଜଧାନୀ କୋଲକାତାରେ ପ୍ରଦର୍ଶନ କିଛି ନୂଆ ନୁହେଁ । ମାତ୍ର କୋଲକାତା ଅଘଟଣ ପରେ ଯେଉଁ ମାତ୍ରାରେ ପ୍ରତିକ୍ରିୟାଶୀଳ ହେଲେ ସାଧାରଣ ଜନତା ତାକୁ ନେଇ ଉଠିଛି ପ୍ରଶ୍ନ ? RG Kar ହସପିଟାଲ ଡାକ୍ତରଙ୍କୁ ନ୍ୟାୟ ଦାବିରେ ଯେତେ ବଡ଼ ଧରଣର ପ୍ରଦର୍ଶନ ହେଲା, ଅଗଷ୍ଟ ୧୪-୧୫ ରାତିରେ ଯାହା ଘଟିଲା ଏବଂ ଏଥିରେ ଯେତେ ପରିମାଣର ଲୋକ ସାମିଲ ହେଲେ ତାହା ସଂପୂର୍ଣ୍ଣ ଭିନ୍ନ ଥିଲା । ସବୁଠୁ ବଡ଼ କଥା ହେଲା ରାତି ଅଧରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବା, କ୍ୟାଣ୍ଡେଲ ଲାଇଟ ରାଲି କରିବା ଏବଂ ମହିଳା ଡାକ୍ତରଙ୍କ ପାଇଁ ନ୍ୟାୟ ମାଗିବା ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମ । ଏବେ ବି ନ୍ୟାୟ ପାଇଁ ଜାରି ରହିଛି ଲଢ଼େଇ । ଏପଟେ ଷ୍ଟାଡିୟମ ବାହାରେ ବିକ୍ଷୋଭ ପ୍ରଦର୍ଶନ ବିରୋଧ ଧାରାକୁ ଅଧିକ ଶାଣିତ କରିଥିଲା । କେବଳ ସେତିକି ନୁହେଁ ଏହାର ପ୍ରଭାବ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, କୋର୍ଟ, କଚେରୀ , ଆଇଟି ହବ୍ ଏବଂ ମେଡିକାଲ କଲେଜଗୁଡ଼ିକରେ ଦେଖିବାକୁ ମିଳିଛି ।
ଦିଦିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ?
କୋଲକାତା କାଣ୍ଡ ଦିଦିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଚ ସଦୃଶ । କାରଣ ଘଟଣାର ଗମ୍ଭୀରତାକୁ ପରଖି ପାରିଲେ ନାହିଁ ମୁଖ୍ୟମନ୍ତ୍ରୀ । ଅଗଷ୍ଟ ୯ ତାରଖ ଅଘଟଣ ପରେ, ଅନେକ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଥିବା ଦେଖିୂବାକୁ ମିଳିଛି । ଏଥିରୁ ଜଣାପଡୁଥିଲା, ଯେମିତି ପ୍ରଶାସନ ଏତେ ବଡ଼ ଅଭାବନୀୟ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିଲା । ଅବହେଳା, ସ୍ୱଚ୍ଛତାର ଅଭାବ, ଜନସାଧାରଣଙ୍କ ଆକ୍ରୋଶ ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା । ୧- ଅପରାଧ ଘଟିଥିବା ସ୍ଥାନର ହଠାତ ନବୀକରଣ କାର୍ଯ୍ୟ, ୨- ପୀଡ଼ିତାଙ୍କ ମରଶରୀରକୁ ଅଭିଭାବକଙ୍କୁ ଦେଖାଇ ନଦେବା, ୩- ଶବଦାହ କରିବାକୁ ତର ତର ହେବା, ୪- ୧୪ ତାରିଖ ରାତିରେ ବିକ୍ଷୋଭକାରୀଙ୍କ ରୋକିବାରେ ପୋଲିସର ବିଫଳତା, ୫- ଗଣମାଧ୍ୟମ ଏବଂ ସୋସିଆଲ ମିଡିଆକୁ ଦାୟୀ କରିବା ଏବଂ ୬- ସୋସିଆଲ ମିଡିଆରେ ସମାଲୋଚନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ - ଏସବୁ ଘଟଣାକ୍ରମ, ନିଆଁରେ ଘିଅ ଢାଳିବା ସଦୃଶ ହୋଇଥିଲା । ଏହା ସହିତ ଆର. ଜି କର ମେଡିକାଲ କଲେଜର ତତକାଳୀନ ପ୍ରିନ୍ସପାଲ ଡାକ୍ତର ସନ୍ଦୀପ ଘୋଷଙ୍କ ବିବାଦୀୟ ଭୂମିକା ଘଟଣାକୁ ଅଧିକ ଉଗ୍ର କରିଥିଲା ।
ପ୍ରିନ୍ସପାଲଙ୍କ ବିବାଦୀୟ ଭୂମିକା:
ଏତେବଡ଼ ହୃଦୟ ବିଦାରକ ଘଟଣା ଘଟି ଯାଇଥିବା ବେଳେ, ଡାକ୍ତର ଘୋଷ ଏହି ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁୃିଥିବା ସଙ୍ଗୀନ ଅଭିଯୋଗ ହୋଇଥିଲା । ଘୋଷ ତାଙ୍କ ବିରୋଧରେ ହୋଇଥିବା କ୍ରୋଧର ସମ୍ମୁଖୀନ ହୋଇ ଇସ୍ତଫା ଦେଇଥିଲେ ସତ, ହେଲେ ତାଙ୍କୁ କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଏବଂ ହସପିଟାଲ (CNMCH)ର ମୁଖ୍ୟ ଭାବେ ସାନି ନିଯୁକ୍ତି ଦିଆଯାଇଥିଲା । ଯାହାକୁ ନେଇ ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ ପୁନର୍ବାର ବଢ଼ିବାରେ ଲାଗିଥିଲା । CNMCH ଛାତ୍ରମାନେ ତାଙ୍କ ପ୍ରବେଶକୁ ବାରଣ କରିବା ସହ ସରକାର ତାଙ୍କ ନିଯୁକ୍ତିକୁ ବାତିଲ କରିବାକୁ ବାଧ୍ୟ କରିଥିଲେ । ମମତା ସରକାରଙ୍କ ପାୱାର କରିଡରରେ ଏହି ଅର୍ଥୋପେଡିକ୍ ପ୍ରଫେସରଙ୍କ ଏପରି ଶକ୍ତି ଥିଲା ଯେ ଆର୍ଥିକ ଅନିୟମିତତା ଅଭିଯୋଗ ପରେ ମଧ୍ୟ କେହି ତାଙ୍କୁ ଛୁଇଁ ପାରୁନଥିଲେ । ଗତବର୍ଷ ଜୁନ ମାସରେ ଘୋଷଙ୍କୁ ଦୁର୍ନୀତି ଅଭିଯୋଗେ ଆର.ଜି କର ହସ୍ପିଟାଲରୁ ମୁର୍ସିଦାବାଦ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ, ମାତ୍ର ୪୦ ଦିନ ମଧ୍ୟରେ ପୁଣି ଥରେ ଫେରି ଆସିଥିଲେ । ଏହାର ଠିକ ମାସେ ପରେ ଆର.ଜି କର ମେଡିକାଲ କଲେଜର ଡେପୁଟି ସୁପରିଟେଣ୍ଡେଣ୍ଟ, ରାଜ୍ୟ ଭିଜିଲାନ୍ସ କମିଶନଙ୍କୁ ଚିଠି ଲେଖିଥିଲେ ଯେ, 'ଡାକ୍ତର ଘୋଷ ବେଆଇନ ଭାବେ ବାଓମେଡିକାଲ ବର୍ଜ୍ୟବସ୍ତୁକୁ ବିକ୍ରି କରିବା ସହ କୋଭିଡ ପାଣ୍ଠିର ଅପବ୍ୟବହାର କରିଥିଲେ । ' ଅଭିଯୋଗର ଅନୁସନ୍ଧାନ ହେଲା ସତ, ହେଲେ ତଦନ୍ତ ରିପୋର୍ଟ ରହସ୍ୟମୟ ଭାବେ ଫାଇଲର ନାଲି ଫିତା ତଳେ ଚାପି ହୋଇ ରହିଗଲା ।
ସରକାରରେ ସିଣ୍ଡିକେଟ୍ ରାଜ ?
ମମତା ସରକାରରେ ଥିବା ‘ସିଣ୍ଡିକେଟ୍ ରାଜ୍’ ଶେଷ ହୋଇଛି । 2011 ପରଠାରୁ ପ୍ରଥମ ଥର ପାଇଁ ବେଙ୍ଗଲର ମଧ୍ୟବିତ୍ତ ଶ୍ରେଣୀ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ରାସ୍ତାକୁ ବାହାରିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କହିଛନ୍ତି ଯେ ' ଦୁଷ୍କର୍ମ ଓ ହତ୍ୟା ପଛରେ ଦାୟୀ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଚାହୁଁଛନ୍ତି । ତାଙ୍କ ପୁତୁରା ତଥା ତୃଣମୂଳ ସରକାରର ନମ୍ବର 2, ସାଂସଦ ଅଭିଷେକ ବାନାର୍ଜୀ ଆଉ ଏକ ପାଦ ଆଗକୁ ଯାଇଛନ୍ତି । 2019ରେ ହାଇଦ୍ରାବାଦ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ, ଅଭିଯୁକ୍ତମାନଙ୍କୁ ପୋଲିସ ଯେପରି ଏନକାଉଣ୍ଟର କରି ମାରିଥିଲା, ସେହିଭଳି ଦଣ୍ଡ ଆର.ଜି କର ମେଡିକାଲ କଲେଜ ଅପରାଧୀଙ୍କ ପାଇଁ କରାଯିବା ଉଚିତ ବୋଲି ଅଭିଷେକ କହିଛନ୍ତି ।
ପିଉସୀ-ପୁତୁରା ଷ୍ଟେଟମେଣ୍ଟ ପଛର କାରଣ ?
ମମତା ଏବଂ ଅଭିଷେକଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ଏଭଳି ମତାମତା ବା ଦାବି ଆନ୍ଦୋଳନକାରୀ କିମ୍ବା ସାଧାରଣ ଜନତାଙ୍କଠାରୁ ଆସିଥାନ୍ତା, ତେବେ ଏହାକୁ ଏକ ସମାଧାନର ପନ୍ଥା ଭାବେ ବୁଝି ହେଉଥାନ୍ତା । ମାତ୍ର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ଏବଂ ବରିଷ୍ଠ ରାଜନେତାଙ୍କ ମୁହଁରୁ ଯେତେବେଳେ ଏଭଳି ବୟାନ ଆସୁଛି, ସେତେବେଳେ ସମ୍ବିଧାନ ଏବଂ ନ୍ୟାୟପାଳିକା ସଂପର୍କରେ ଏମାନଙ୍କ ଆକଳନ ନେଇ ଚିନ୍ତା ପ୍ରକଟ ହେଉଛି । ସତ କହିବାକୁ ଗଲେ ଉଭୟ ମମତା ଏବଂ ପୁତୁରା ଅଭିଷେକ, ସେମାନଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଜନ ଆକ୍ରୋଶରୁ ବର୍ତ୍ତିବା ପାଇଁ ଏକ ପ୍ରକାର ହତାଶ ହୋଇପଡ଼ିଛନ୍ତି । ସବୁଠୁ ବଡ଼ ସମସ୍ୟା ହେଉଛି ଯେ, ଦୁହିଁଙ୍କ ମନ୍ତବ୍ୟକୁ କେହି ଗୁରୁତ୍ବର ସହ ନେଇନଥିଲେ ।
ମମତାଙ୍କୁ ମହିଳାଙ୍କ ଜବାବ :
ସାଧାରଣ ଜନତା ଭାବନ୍ତି, ଆର. ଜି କର ଡାକ୍ତର ଦୁଷ୍କର୍ମ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ଯାହା କରୁଛନ୍ତି, ତାହା ତାଙ୍କର ଦାୟିତ୍ବ ନା ରାଜ୍ୟ ସରକାର, ନିଜ ନାଗରିକଙ୍କ ପ୍ରତି ଦାୟିତ୍ବବୋଧକୁ ଭୁଲି ଯାଇଛନ୍ତି ? କାରଣ ଏହା ଅଧିକ ସ୍ପଷ୍ଟ ହୋଇଗଲା ଯେତେବେଳେ ହଜାର ହଜାର ମହିଳା, ଏହି ଘଟଣାରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟାକୁ ‘Rattirer Sathi – Helpers of the Night’ କହି ନିନ୍ଦା କରିଛନ୍ତି । ଯେତେବେଳେ ପଶ୍ଚିମବଙ୍ଗରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ପ୍ରଶାସନିକ ଆଦେଶରେ ଦର୍ଶାଯାଇଥିଲା । ଯେ ମହିଳାମାନଙ୍କ ପାଇଁ ନିରାପଦ ଜୋନ୍ ଚିହ୍ନଟ ଏବଂ ସୃଷ୍ଟି କରାଯିବା ଆବଶ୍ୟକ କିମ୍ବା ମହିଳାମାନଙ୍କ ପାଇଁ ରାତ୍ରି ଡ୍ୟୁଟି ଏଡାଇ ଦିଆଯାଇପାରେ, ଲୋକମାନେ ଏହାର ସମ୍ବେଦନଶୀଳତା ଏବଂ ପରିସ୍ଥିତିକୁ ନେଇ ଭୁଲ ଆଭିମୁଖ୍ୟ ପାଇଁ ସରକାରଙ୍କୁ କଡ଼ା ସ୍ବରରେ ସମାଲୋଚନା କରିଛନ୍ତି ।
କାହିଁକି ମମତାଙ୍କୁ ନେଇ ପ୍ରଶ୍ନ ?
ଏବେ ପ୍ରଶ୍ନ ଉଠୁଛି, କୋଲକାତା ମାମଲାରେ ଯଦି ଲୋକେ ରାଜରାସ୍ତାକୁ ଓହ୍ଲାଇ ଆସିଲେ ? ଯଦି ପଶ୍ଚିମବଙ୍ଗରେ 'ସିଣ୍ଡିକେଟ୍ ରାଜ୍' ଏବଂ ପରିବାର ବାଦ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଏତେ ମାତ୍ରାରେ ଆଘାତ ଦେଇଛି, ତେବେ ଦିଦିଙ୍କ ତୃଣମୂଳ କଂଗ୍ରେସ ପାର୍ଟି କାହିଁକି ନିର୍ବାଚନ ପରେ ନିର୍ବାଚନ ଜିତି ଆସୁଛି ? ବେଙ୍ଗଲରେ ତତକାଳୀନ ଦୀର୍ଘ 34 ବର୍ଷୀୟ ବାମପନ୍ଥୀ ଫ୍ରଣ୍ଟ ସରକାରକୁ 2011 ମସିହାରେ ମାତ ଦେଇ କ୍ଷମତାକୁ ଆସିଥିଲେ ମମତା । ସେହିଦିନଠାରୁ ମମତାଙ୍କ ବିରୋଧରେ ସ୍ବର ଉଠାଇ ନିଜେ ନିଜେ କ୍ଷତାକ୍ତ ହେବାରେ ଲାଗିଛନ୍ତି ବିରୋଧୀ ବାମପନ୍ଥୀ ଏବଂ କଂଗ୍ରେସ ପାର୍ଟି । ଅନ୍ୟପକ୍ଷରେ ବିଜେପି ବହୁ ଚେଷ୍ଟା କରିବା ସତ୍ତ୍ବେ ଏବେବି ସମକକ୍ଷ ହୋଇପାରିନାହିଁ ।
ବେଙ୍ଗଲରେ ଦିଦିଙ୍କ ବିକଳ୍ପ କିଏ ?
ଏହି ପ୍ରଶ୍ନର ଉତ୍ତର ହେଉଛି, ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗରେ ବିଶ୍ୱସନୀୟ ବିକଳ୍ପର ଅଭାବ । ଏହି ଏକମାତ୍ର କାରଣ ମମତାଙ୍କୁ କ୍ଷମତାକୁ ଫେରାଇ ଆଣିବାରେ ଲାଗିଛି ଏବଂ ସଂସଦକୁ ଅଧିକ ସାଂସଦଙ୍କୁ ପଠାଇବାରେ ସହାୟକ ହେଉଛି । ଏହି ସଫଳତା ପଛରେ ଦିିଦି ଦୁଇଟି ବାର୍ତ୍ତା ରାଜ୍ୟବାସୀଙ୍କୁ ଦେଇଛନ୍ତି । ପ୍ରଥମଟି, ଦିଦି ହେଉଛନ୍ତି ଏକମାତ୍ର ନେତ୍ରୀ ଯିଏ ବିଜେପି ଏବଂ 'ସୋନାର ବଙ୍ଗଳା' ମଝିରେ ଛିଡ଼ା ହୋଇଛନ୍ତି । ଦ୍ୱିତୀୟରେ 'ଲକ୍ଷ୍ମୀ ଭଣ୍ଡାର' ଭଳି ଜନପ୍ରିୟ ପଦକ୍ଷେପ ନେଇଛନ୍ତି ଦିଦି । ସମାଜର ସବୁବର୍ଗର ମହିଳାମାନଙ୍କ ପାଇଁ ନଗଦ ଟଙ୍କା ଯୋଜନା । ହିତାଧିକାରୀମାନେ ବର୍ତ୍ତମାନସୁଦ୍ଧା ଦିଦିଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିନାହାନ୍ତି ।
ବାଂଲାଦେଶ ସ୍ଥିତିରୁ ଶିଖିବା ଜରୁରୀ:
ଏହି ମାସ ଆରମ୍ଭରେ ପଡ଼ୋଶୀ ବାଂଲାଦେଶରେ ଯାହା ଘଟିଗଲା, ଏ ନେଇ ମମତାଙ୍କୁ ଅଧିକ ଯତ୍ନବାନ ହେବା ଉଚିତ । ବାଂଲାଦେଶ ଏକ ଉଦାରବାଦୀ ରାଷ୍ଟ୍ର ଭାବେ ମନେହେଉଥିବା ବେଳେ, ତତକାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ହିଂସାତ୍ମକ ଭାବେ ଗାଦିଚ୍ୟୁତ ହେବାକୁ ପଡ଼ିଲା । ହସିନା, ଯିଏ ସେହି ଦେଶକୁ ରାଜନୈତିକ ଏବଂ ଅର୍ଥନୈତିକ ସ୍ଥିରତା ପ୍ରଦାନ କରିଥିଲେ ଏବଂ ଜାମାତ-ଇ-ଇସଲାମି ଆତଙ୍କୀ ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଥିଲେ । ଏହା ସତ୍ତ୍ବେ ହସିନାଙ୍କୁ ସୁରକ୍ଷା ମିଳିଲା ନାହିଁ ।
ଫୁଲରୁ ଭୟ, ରକ୍ତରୁ ସାହସ :
ବାଂଲାଦେଶର ଆଧୁନିକ ଯୁଗର କବି ଇମତିଆଜ ମହମୁଦ ଲେଖିଛନ୍ତି ଯେ, Ful dekhe bhoy barche, rokto dekhe sahosh ଅର୍ଥାତ ଫୁଲର ଦୃଶ୍ୟ ଭୟ ବଢ଼ାଇଥାଏ, ରକ୍ତ ଦେଖି ସାହସ ବଢ଼ିଥାଏ । ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ମମତା ବାନାର୍ଜୀ, ଜନସାଧାରଣଙ୍କ ମୁଡ୍ କୁ ସଠିକ ଭାବେ ପରଖିବାରେ ଫେଲ୍ ମାରିଛନ୍ତି । ୨୦୦୬ରେ, ୨୭୫ ଆସନ ବିଷିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ୨୩୫ ସିଟ୍ ଅକ୍ତିଆର କରିଥିବା, ବାମପନ୍ଥୀ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ୨୦୧୧ରେ ମାତ୍ର 30 ସିଟ୍ କୁ ଖସି ଆସିଥିଲା । ତେଣୁ ରାଜନୀତିରେ ନମ୍ବର ଗେମ୍ ଏବଂ ନିର୍ବାଚନରେ ସଂଖ୍ୟା ଗଣିତ କେତେବେଳେ, କେତେ ତଳକୁ ଖସିଯିବ, ତାହା ଦିଦିଙ୍କୁ ହେଜିବାର ଅଛି । କାରଣ ସଂଖ୍ୟା ଓ ମାହୋଲ କୌଣସି ମାଇନା ରଖେ ନାହିଁ ।
ଆମେରିକୀୟ ସମାଜ ବିଜ୍ଞାନୀ ଏଡଗାର ଜେ। ଫ୍ରିଡେନବର୍ଗ (Edgar Z. Friedenberg)ଙ୍କ କହିବା କଥା, “Juvenile delinquency serves many purposes, including that of providing sadistic adults with fantasies suited to their special tastes”, ଅର୍ଥାତ “ନାବାଳିକା ଦୁଷ୍କର୍ମ ଭିନ୍ନ ଉଦ୍ଦେଶ୍ୟ ପୂରଣ କରିଥାଏ, ଯେଉଁଥିରେ ପରପୀଡ଼କ ବୟସ୍କମାନଙ୍କୁ ସେମାନଙ୍କର ରୁଚିର ଅନୁକୂଳ କଳ୍ପନା ପ୍ରଦାନ ମଧ୍ୟ ସାମିଲ ଥାଏ । ” ବର୍ତ୍ତମାନ ସ୍ଥିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ, ରାଜରାସ୍ତାକୁ ଓହ୍ଲାଇ ଥିବା ରାଜ୍ୟର ଯୁବପିଢିଙ୍କ ମାନସିକତା ଏବଂ ପରିବର୍ତ୍ତନକୁ ନେଇ ଥରେ ନୁହେଁ ବାରମ୍ବାର ଆତ୍ମସମୀକ୍ଷା କରିବାକୁ ପଡ଼ିବ । ନୋଚେତ ବେଙ୍ଗଲରେ ୨୦୨୪ ମନସୁନ ରେନ୍, ଦିଦିଙ୍କ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ ।
END