ଲେଖକ- ଏନ.ଭି.ଆର ଜ୍ୟୋତି କୁମାର (ପ୍ରଫେସର, ବାଣିଜ୍ୟ ବିଭାଗ, ମିଜୋରାମ ସେଣ୍ଟ୍ରାଲ ୟୁନିଭର୍ସିଟି)
ହାଇଦ୍ରାବାଦ: ମିଡିଆ ରିପୋର୍ଟ ଅନୁଯାୟୀ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ସର୍ବନିମ୍ନ ମଜୁରୀ, ପେନସନ, ସ୍ବାସ୍ଥ୍ୟ ବୀମା, ମାତୃତ୍ବ ସୁବିଧା ଏବଂ ଲକ୍ଷ ଲକ୍ଷ ଘରୋଇ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଭଳି ସାମାଜିକ ସୁରକ୍ଷା ସୁବିଧା ପ୍ରଦାନ କରିବାକୁ ଚିନ୍ତା କରୁଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଯେକୌଣସି ବୃତ୍ତିରେ ଥିବା ଶ୍ରମିକ ବା କର୍ମଚାରୀଟିଏ ସାମାଜିକ ସୁରକ୍ଷା ସ୍ଥିତି ସୁଦୃଢ ହେବ । ତେବେ ଯଦି ଭାରତ ସରକାର ୟୁନିଭର୍ସାଲ ସୋସିଆଲ ସିକ୍ୟୁରିଟି ଲାଗୁ କରି ବଳିଷ୍ଠ ସଫଳତା ହାସଲ କରିବା ପାଇଁ ଚାହୁଁଛନ୍ତି ତେବେ ସରକାରଙ୍କୁ ବହୁ ଦୂର ଯାତ୍ରା କରିବାକୁ ପଡ଼ିବ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସରକାର ଏହାକୁ ଲାଗୁ କଲେ ସଫଳ ହୋଇପାରିବ 'ଅମୃତ କାଳ' ଓ 'ବିକଶିତ ଭାରତ' ସ୍ବପ୍ନ ।
ଗତ ବର୍ଷ ଡିସେମ୍ବରରେ ସରକାର ଘୋଷଣା କରିଥିଲେ ଯେ ସାରା ଦେଶରେ 75.8 ଲକ୍ଷରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇଥିଲେ। ଏହାଦ୍ବାରା କେନ୍ଦ୍ର ସରକାରଙ୍କ ରୋଜଗାର ପ୍ରୋତ୍ସାହନ ଯୋଜନା 'ଆତ୍ମନିର୍ଭର ଭାରତ' ରୋଜଗାର ଯୋଜନା (ABRY) ତାର ପ୍ରାରମ୍ଭିକ ଲକ୍ଷ୍ୟକୁ ଅତିକ୍ରମ କରିପାରିଛି । ଫଳରେ କୋଭିଡ କାଳ ମଧ୍ୟରେ 71 ଲକ୍ଷରୁ ଅଧିକ କର୍ମଚାରୀ ନିଯୁକ୍ତି ସୃଷ୍ଟି ଏବଂ ପୁନରୁଦ୍ଧାରରେ ଏହାର ସଫଳତା ପ୍ରଦର୍ଶନ କରୁଛନ୍ତି । ଇପିଏଫଓ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ବିଭିନ୍ନ ସଂସ୍ଥାର ନିଯୁକ୍ତିଦାତାଙ୍କ ଆର୍ଥିକ ବୋଝକୁ ହ୍ରାସ କରିଥାଏ ଏବଂ ସେମାନଙ୍କୁ ଅଧିକ ଶ୍ରମିକ ନିଯୁକ୍ତି ପାଇଁ ଉତ୍ସାହିତ କରିଥାଏ । ABRY ଅଧୀନରେ ଭାରତ ସରକାର 2 ବର୍ଷର ଅବଧି ପାଇଁ ଉଭୟ କର୍ମଚାରୀଙ୍କ ଅଂଶ (ବେତନର 12 ପ୍ରତିଶତ) ଏବଂ ନିଯୁକ୍ତିଦାତାର ଅଂଶ (12 ପ୍ରତିଶତ ବେତନ) ଅର୍ଥ ପ୍ରଦାନ କରିଥାନ୍ତି ।
ଭାରତର ବିସ୍ତୃତ ଔନପଚାରିକ କ୍ଷେତ୍ରକୁ ନେଇ ଗଠିତ ଅନେକ ଭାରତୀୟ କର୍ମଜୀବୀଙ୍କୁ ବାଦ ଦେବା କେବଳ ସମଗ୍ର ଭାରତୀୟ ଅର୍ଥନୀତିର ଉତ୍ପାଦକତା ଉପରେ ନୁହେଁ, ବରଂ ଦେଶରେ ଦାରିଦ୍ର୍ୟ ହ୍ରାସ କରିବାରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଔନପଚାରିକ କର୍ମୀଙ୍କୁ ବ୍ୟାଖ୍ୟା କରେ ଯାହାର ସାମାଜିକ ସୁରକ୍ଷା ସୁବିଧା ନାହିଁ । ରିପୋର୍ଟ ଅନୁସାରେ ଭାରତରେ 47.5 କୋଟି ଶ୍ରମିକଙ୍କ ମଧ୍ୟରୁ 91 ପ୍ରତିଶତ ଔନପଚାରିକ ନିଯୁକ୍ତିରେ ଅଛନ୍ତି । 2022 ମସିହାରେ ବିଶ୍ବସ୍ତରରେ ନିଯୁକ୍ତି ପାଇଥିବା 58% ଲୋକ ଔନପଚାରିକ ନିଯୁକ୍ତିରେ ଥିଲେ । ବିକାଶଶୀଳ ଦେଶଗୁଡିକ ମୋଟ ଘରୋଇ ଉତ୍ପାଦ (ଜିଡିପି)ର 7% ସାମାଜିକ ସୁରକ୍ଷା ପାଇଁ ଖର୍ଚ୍ଚ କରୁଥିବାବେଳେ ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ (OECD) ଦେଶଗୁଡ଼ିକ ପ୍ରାୟ 3 ଗୁଣ ଖର୍ଚ୍ଚ କରନ୍ତି ।
2020 ସାମାଜିକ ସୁରକ୍ଷା କୋଡ ଔନପଚାରିକ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ଅଣଦେଖା କରିବା ପରେ ଅର୍ଥନୈତିଜ୍ଞମାନେ ଏହି କୋଡକୁ କଡ଼ା ସମାଲୋଚନା କରିଥିଲେ । ଅନ୍ୟପଟେ ବର୍ତ୍ତମାନର କୋଡ ଔନପଚାରିକ ଶ୍ରମିକଙ୍କ ପ୍ରତି ନୀରବଦ୍ରଷ୍ଟା ସାଜିଛି । ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ସର୍ବଦା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟାତ କରିଥାନ୍ତି । ଏଠାରେ ପ୍ରଶ୍ନ ଏହି ଶ୍ରମିକମାନେ କେଉଁ ରାଜ୍ୟର ନିର୍ମାଣ ଶ୍ରମିକ ପାଣ୍ଠିର ହିତାଧିକାରୀ ? ସର୍ବଭାରତୀୟ ସ୍ତରରେ ସାମାଜିକ ବୀମା ଯୋଗାଇବା ଲାଗି ଭାରତକୁ ନିଜ ଭିଜନ ସ୍ପଷ୍ଟ କରିବାକୁ ପଡ଼ିବ । ଏହି ଶ୍ରେଣୀର ଶ୍ରମିକ କେଉଁ କ୍ଷେତ୍ରରେ କାମ କରନ୍ତି, କୃଷି କିମ୍ବା ଅଣ କୃଷି, ଉତ୍ପାଦନ କିମ୍ବା ସେବା ? ଏହାବାଦ ଏହି କୋଡ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ସାମାଜିକ ସୁରକ୍ଷା ନେଇ ମଧ୍ୟ ନୀରବ ରହିଛି ।
2008 ସାମାଜିକ ସୁରକ୍ଷା ଆଇନ ଏବଂ 2004 ନ୍ୟାସନାଲ ପେନ୍ସନ୍ ସିଷ୍ଟମ ଅଣ ସଂଗଠିତ ସଂସ୍ଥାର ଶ୍ରମିକମାନଙ୍କ ପାଇଁ କୌଣସି ସାମାଜିକ ସୁରକ୍ଷା ଯୋଗାଇବାରେ ବିଫଳ ରହିଥିଲା । ସମ୍ପ୍ରତି କୋଡ ମଧ୍ୟ ଭାରତ ଅବହେଳିତ ଜନସଂଖ୍ୟାର ବୃହତ ଅଂଶକୁ ସାମାଜିକ ଅସୁରକ୍ଷିତତାରୁ ରକ୍ଷା କରିବା ପାଇଁ ଥିବା ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି । ଏହି କୋଡର ଅନ୍ୟ ଏକ ସମସ୍ୟା ହେଉଛି ଏହା କେବଳ ସାମାଜିକ ବୀମା ପ୍ରଦାନ କରେ ହେଲେ ସାମାଜିକ ସହାୟତା ପ୍ରଦାନ କରେ ନାହିଁ । ସ୍ବାସ୍ଥ୍ୟ ସେବା ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର । ଏହାକୁ ସରକାର ଯେକୌଣସି ଉପାୟରେ ପ୍ରଦାନ କରିବା ଉଚିତ । ଦେଶରେ ଥିବା 46 କୋଟିରୁ ଊର୍ଦ୍ଧ୍ବ କର୍ମଚାରୀଙ୍କ ଲାଗି ସାମାଜିକ ସୁରକ୍ଷା ପ୍ରଦାନ କରିବା ଭାରତରେ ବାଧ୍ୟତାମୂଳକ ହେବା ଉଚିତ।
ଅନ୍ୟପଟେ ୟୁନାଇଟେଡ ନେସନ ପପୁଲେସନ ଫଣ୍ଡର ରିପୋର୍ଟ ଅନୁସାରେ 2050 ସୁଦ୍ଧା ଭାରତରେ ବୟସାଧିକ ଜନସଂଖ୍ୟା ଦ୍ବିଗୁଣିତ ହେବ । 2022 ସୁଦ୍ଧା 60ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ 14.9 କୋଟି ଥିବା ବେଳେ 2050ରେ ଏହା 34.7 କୋଟିରେ ପହଞ୍ଚିବ । ଏହାର ଅର୍ଥ ଆଗାମୀ 25 ବର୍ଷ ମଧ୍ୟରେ ଭାରତ ଏକ ବାର୍ଦ୍ଧକ୍ୟ ରାଷ୍ଟ୍ର (Aging Nation)ରେ ପରିଣତ ହେବ । ଏପରି ସ୍ଥିତିରେ ଦେଶରେ 90 ପ୍ରତିଶତ କର୍ମଜୀବୀ ବା ୱାର୍କଫୋର୍ସ ସାମାଜିକ ସୁରକ୍ଷା ଦିଗରେ ଦୁର୍ବଳ । ତେବେ ଆଗାମୀ 25 ବର୍ଷ ପରେ ଏହି ବୟସାଧିକ ଜନସଂଖ୍ୟା ଅର୍ଥନୈତିକ ଓ ସ୍ବାସ୍ଥ୍ୟ ଆବଶ୍ୟକତା ପୂରଣ କରିବେ କିପରି ସେ ନେଇ ପ୍ରଶ୍ନ ଉଠିଛି । ପରୋକ୍ଷରେ କହିବାକୁ ଗଲେ ଆଗାମୀ ଦିନରେ ଭାରତର ଏକ ବଡ଼ ଜନସଂଖ୍ୟା ଦାରିଦ୍ର୍ୟର ଶିକାର ହେବ । ଏଣୁ ସମୟ ଥାଉ ଥାଉ ସରକାର ଓ ରାଜନେତା ଏହାକୁ ଗୁରୁତ୍ବ ଦେଇ ଶ୍ରମିକ ଓ କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ସୁଦୃଢ କରିବା ଦିଗରେ ଦୃଷ୍ଟି ଦେବା ଆବଶ୍ୟକ । ନଚେତ 'ଅମୃତ କାଳ' ଓ 'ବିକଶିତ ଭାରତ' ସ୍ବପ୍ନରେ ରହିଯିବ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ )