ନୂଆଦିଲ୍ଲୀ: ଶିଶୁ ଅଶ୍ଳୀଳତା (ଚାଇଲ୍ଡ ପର୍ଣ୍ଣୋଗ୍ରାଫି)କୁ ରୋକିବା ଦିଗରେ ନିକଟରେ ସର୍ବୋଚ୍ଚ କୋର୍ଟ ଏକ ବଡ ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଶିଶୁ ଅଶ୍ଳୀଳତା ସମ୍ପର୍କିତ କୌଣସି ଭିଡିଓ ଓ ଅନ୍ୟ କଣ୍ଟେଣ୍ଟ ଦେଖିବା, ଡାଉନଲୋଡ କରିବା କିମ୍ବା ମୋବାଇଲ ଓ ଅନ୍ୟ ଡିଭାଇସରେ ଷ୍ଟୋର କରି ରଖିବା ଦଣ୍ଡନୀୟ ଅପରାଧ । ଏପରିକି କାର୍ଯ୍ୟକଳାପ, 2012 ଶିଶୁ ଯୌନ ଅପରାଧ ନିରୋଧ ଆଇନ (POCSO Act)ର ସୁରକ୍ଷାକୁ ଉଲ୍ଲଂଘନ କରୁଛି । ଏହି ନିଷ୍ପତ୍ତି ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଜେ.ବି ପର୍ଦ୍ଦିୱାଲାଙ୍କ ଡିଭିଜନ ଖଣ୍ଡପୀଠ ଦ୍ବାରା ପ୍ରକାଶ ପାଇଛି ।
- ମାଡ୍ରାସ ହାଇକୋର୍ଟଙ୍କ ରାୟରୁ ରଦ୍ଦ କଲେ ସର୍ବୋଚ୍ଚ କୋର୍ଟ:
ଏହି ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଶିଶୁ ଅଶ୍ଳୀଳତା ଅପରାଧର କଠୋର ବ୍ୟାଖ୍ୟାନ କରିବା ସହ ଏହି ରାୟ ପ୍ରକାଶ କରିଛନ୍ତି । ଚଳିତବର୍ଷ 2024 ଜାନୁଆରୀରେ ମାଡ୍ରାସ ହାଇକୋର୍ଟ ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରିଥିଲେ । ରାୟରେ ଖଣ୍ଡପୀଠ କହିଥିଲେ, କେବଳ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସମ୍ପର୍କିତ କଥାବସ୍ତୁ ଷ୍ଟୋର କରିବା ‘POCSO’ ଅଧିନିୟମ ଅନୁଯାୟୀ ଅପରାଧ ଶ୍ରେଣୀଭୂକ୍ତ ନୁହେଁ । ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ‘ଜଷ୍ଟିସ୍ ରାଇଟ୍ସ ଫର ଚାଇଲ୍ଡ ଆଲାଏନ୍ସ’ ନାମକ ଏକ ‘ଏନଜିଓ’ ଚ୍ୟାଲେଞ୍ଜ କରିଥିଲେ ।
- କେଉଁଟା ଦଣ୍ଡନୀୟ:
ଏହି ନିଷ୍ପତ୍ତିର ମୂଳରେ POCSO ଅଧିନିୟମର ଦୁଇଟି ବ୍ୟବସ୍ଥା ଅଛି । ଧାରା-14 ଏବଂ 15 । ଧାରା-14 ଅନୁଯାୟୀ, ଶିଶୁ କିମ୍ବା ନାବାଳକ ଓ ନାବାଳିକାଙ୍କୁ ଅଶ୍ଳୀଳତା ଉଦ୍ଦେଶ୍ୟରେ ବ୍ୟବହାର କରିବା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଜୋରିମାନାର ପ୍ରାବଧାନ ରହିଛି । ଦ୍ୱିତୀୟରେ ପରବର୍ତ୍ତୀ ଘଟଣାକ୍ରମ ଅନୁସାରେ ସାତ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ଏହି ନିୟମରେ ଉଲ୍ଲେଖ ରହିଛି ।
- POCSO ଅଧିନିୟମରେ ରହିଛି 3 ଉପ-ବିଭାଗ
ଏହି ଅଧିନିୟମର ଧାରା-15 କୁ ତିନୋଟି ଉପ-ବିଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା ଶିଶୁ ଅଶ୍ଳୀଳ ବିଷୟବସ୍ତୁ ଷ୍ଟୋର କରିବା କିମ୍ବା ଏହାକୁ ପ୍ରସାରିତ କରିବା କିମ୍ବା ଏହାକୁ ରୋକିବା ପାଇଁ ଅଧିକୃତ ବିଭାଗକୁ ରିପୋର୍ଟ ନକରିବା ପରେ । ଧାରା 15 (2) ଅନୁଯାୟୀ, ପ୍ରସାରଣ, ପ୍ରଚାର, ବିତରଣ କିମ୍ବା ଏକ ଶିଶୁମାନଙ୍କ ସହିତ ଜଡିତ ଅଶ୍ଳୀଳ ସାମଗ୍ରୀ କିମ୍ବା କଥାବସ୍ତୁର ପ୍ରଦର୍ଶନ ଆଦି କ୍ଷେତ୍ରରେ ଜେଲ, ଜରିମାନା କିମ୍ବା କିଛି କ୍ଷେତ୍ରରେ ଉଭୟ ଦଣ୍ଡନୀୟ । ସେହିପରି ଅନ୍ତିମ ତଥା ଧାରା 15 (3) ବ୍ୟବସାୟିକ ଉଦ୍ଦେଶ୍ୟ ସହ ଶିଶୁ ଅଶ୍ଳୀଳତା ସମ୍ପର୍କିତ କଥାବସ୍ତୁ ଷ୍ଟୋର କରିବା କ୍ଷେତ୍ରରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।
ଏହାପୂର୍ବରୁ, ବିଭିନ୍ନ ହାଇକୋର୍ଟ ଧାରା 15 ଅନୁଯାୟୀ ଏହିପରି କଥାବସ୍ତୁକୁ ଷ୍ଟୋର କରିବା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଦଣ୍ଡନୀୟ ଭାବେ ବିଚାରଣ କରୁଥିଲେ । ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ କୋର୍ଟରେ ଯେଉଁ ଆବେଦନ ହୋଇଥିଲା, ତାହା କିଛି ଏହିପରି ଥିଲା । ଶିଶୁ ଅଶ୍ଳୀଳତା ସମ୍ପର୍କିତ କଥାବସ୍ତୁ ଡାଉନଲୋଡ କରିବା କିମ୍ବା ଦେଖିବା ‘POCSO’ ଅଧୀନରେ ଦଣ୍ଡନୀୟ ନୁହେଁ ବୋଲି ଦର୍ଶାଇ ମାଡ୍ରାସ ହାଇକୋର୍ଟ ଅଭିଯୁକ୍ତ ବିରୋଧରେ ମାମଲାକୁ ଖାରଜ କରିଦେଇଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଏକ ଏନଜିଓ ।
ଆଇଟି ଆକ୍ଟର ଧାରା 67-ବି ସମ୍ବନ୍ଧରେ ସୁପ୍ରିମକୋର୍ଟ ମଧ୍ୟ ଏକ ପ୍ରଯୁଜ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି । ଯେଉଁଧାରା ଯୌନ ସମ୍ବନ୍ଧୀୟ କାର୍ଯ୍ୟରେ ପିଲାମାନଙ୍କୁ ଚିତ୍ରଣ କରୁଥିବା ଇଲେକ୍ଟ୍ରୋନିକ୍ସ କଣ୍ଟେଣ୍ଟ ପ୍ରକାଶନ କିମ୍ବା ପ୍ରସାରଣକୁ ଦଣ୍ଡିତ କରିଥାଏ । କୋର୍ଟ କହିଛନ୍ତି ଯେ ଧାରା 67-ବି କେବଳ ଶିଶୁ ଅଶ୍ଳୀଳ ବିଷୟବସ୍ତୁର ବୈଦ୍ୟୁତିକ ପ୍ରସାର ନୁହେଁ, ବରଂ ଏହିପରି ବିଷୟବସ୍ତୁ ପ୍ରସ୍ତୁତ କରିବା, ଷ୍ଚୋର କରିବା କିମ୍ବା ପ୍ରସାରିତ କରିବା ମଧ୍ୟ ଦଣ୍ଡନୀୟ ଶ୍ରେଣୀଭୂକ୍ତ ।
- ଏପରି କ୍ଷେତ୍ରରେ ସୋସିଆଲ ମିଡିଆ ଦାୟିତ୍ବ:-
ସୁପ୍ରିମକୋର୍ଟ ମଧ୍ୟ ଶିଶୁ ଅଶ୍ଳୀଳତା ପ୍ରସାରଣ ମାମଲାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହିପରି ବିଷୟବସ୍ତୁର ପ୍ରକାଶନ ଏବଂ ପ୍ରସାର ରିପୋର୍ଟ କରିବାର ସେମାନଙ୍କର ଦାୟିତ୍ବ ବୋଲି କୋର୍ଟ କହିଥିଲେ । ଆଇଟି ଆକ୍ଟ-2000 ଏବଂ POCSO ଆକ୍ଟ ପରି ବିଭିନ୍ନ ନିୟମ ଅନୁଯାୟୀ ଏହା ସ୍ପଷ୍ଟ ବର୍ଣ୍ଣିତ ହୋଇଛି ବୋଲି କୋର୍ଟ କହିଥିଲେ ।
- ଶେଷ ନିଷ୍କର୍ସ:-
ଏହି ମାମଲାରେ ଏକ ସକରାତ୍ମକ ବିକାଶରେ, ଶିଶୁ ଅଶ୍ଳୀଳତାର ଆଇନଗତ ତଥା ନୈତିକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରାଯିବା ସମ୍ପର୍କରେ ମଧ୍ୟ ଖଣ୍ଡପୀଠ ଗୁରୁତ୍ବାରୋପ କରିଥିଲେ । ଏକ ବ୍ୟାପକ ଯୌନ ଶିକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁ ଅଶ୍ଳୀଳତା ପୀଡିତ ପୀଡିତାଙ୍କ ପାଇଁ ମାନସିକ ପରାମର୍ଶ, ଚିକିତ୍ସା ବ୍ୟବସ୍ଥାରେ ହସ୍ତକ୍ଷେପ ଏବଂ ଶିକ୍ଷାଗତ ସହାୟତା ବିଷୟରେ ମଧ୍ୟ କୋର୍ଟଙ୍କ ଏହି ଟିପ୍ପଣୀରେ ଉଲ୍ଲେଖ କରାଯାଇଥିଲା ।
ସମ୍ପାଦକୀୟ...