ହାଇଦ୍ରାବାଦ: ବିଭିନ୍ନ ଦେଶ ମଧ୍ୟରେ ଦ୍ରବ୍ୟ, ସେବା ଓ ପୁଞ୍ଜିର ଆଦାନ ପ୍ରଦାନ ପ୍ରକ୍ରିୟାକୁ ବ୍ୟବସ୍ଥିତ ଓ ସରଳ କରିବା ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରକ୍ରିୟାର ଏକ ବଡ ଆହ୍ବାନ ଭାବେ ସାମ୍ନାକୁ ଆସିଛି । ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (UNCTAD) ଏହି ବ୍ୟବସ୍ଥା ଏହି କ୍ଷେତ୍ରରେ ଏକ ସ୍ଥାୟୀ ବ୍ୟବସ୍ଥାଗତ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ । ଯାହା ଚଳିତବର୍ଷ ଡାଇମଣ୍ଡ ଜୁବଲି ପାଳନ କରିଛି ।
ଏହି ବୈଶ୍ବିକ ସଂସ୍ଥା ଦେଶଗୁଡିକୁ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରେ । UNCTAD ମିଳିତ ଜାତିସଂଘର ଅର୍ଥନୈତିକ ନେଟୱାର୍କର ଏକ ପ୍ରଭାବୀ ସଂଗଠନ । ଏହି ସଂସ୍ଥା ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିଶ୍ଳେଷଣରେ ସହଯୋଗ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଏହାର ମୁଖ୍ୟାଳୟ ରହିଥିବା ବେଳେ ଆମେରିକୀୟ ସହର ନ୍ୟୁୟର୍କ ଏବଂ ଇଥିଓପିଆର ଆଡିସ-ଆବାବା ସହରରେ ଏହାର ଶାଖା କାର୍ଯ୍ୟାଳୟ ମଧ୍ୟ କାର୍ଯ୍ୟ କରୁଛି । 1960 ଦଶକର ପ୍ରାରମ୍ଭରେ, ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥାରେ ବିକାଶଶୀଳ ଦେଶଗୁଡିକର ଭୂମିକା ଓ ପ୍ରଭାବ ସମ୍ପର୍କରେ ଚିନ୍ତା କରିବା ଓ ସେମାନଙ୍କ ପାଇଁ ଏକ ଉପଯୁକ୍ତ ତଥା ବ୍ୟବସ୍ଥିତ ମାର୍ଗ ପ୍ରଦାନ କରିବା ପାଇଁ ଏହି ସମ୍ମିଳନୀ ଆତ୍ମପ୍ରକାଶ କରିଥିଲା । ନୂତନ ସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରସଙ୍ଗରେ UNCTAD ହେଉଛି ଜାତିସଂଘର ଏକମାତ୍ର ସଂସ୍ଥା । ଏହା ଗ୍ଲୋବାଲ -17 ଗୋଲ୍ ପାଇଁ ପାର୍ଟନରସିପ୍ ମଧ୍ୟରେ ଥିବା ସମସ୍ତ ଲକ୍ଷ୍ୟ ସହିତ ସିଧାସଳଖ ଲିଙ୍କ ଅଛି ।
ପ୍ରଥମ ସମ୍ମିଳନୀ:
1964 ମସିହାରେ ଜେନେଭା ସ୍ଥିତ ମୁଖ୍ୟାଳୟରେ ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବୈଶ୍ବିକ ବାଣିଜ୍ୟିକ ସମସ୍ୟା, ଆହ୍ବାନର ପରିସର ଓ ଏହାର ସମାଧାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତି ଚାରି ବର୍ଷରେ ଥରେ ଏହି ସମ୍ମିଳନୀ ଅନୁଷ୍ଠାନିକ ଭାବେ ଆୟୋଜିତ ହୋଇଆସୁଛି । କିନ୍ତୁ ଅଧିବେଶନ ବ୍ୟତୀତ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ବିଭିନ୍ନ ରାଷ୍ଟ୍ରମାନେ ବିଭିନ୍ନ ସମୟରେ ଆୟୋଜିତ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରନ୍ତି । ଜେନେଭାରେ ଏହାର ମୁଖ୍ୟକାର୍ଯ୍ୟାଳୟ ଏକ ସ୍ଥାୟୀ ସଚିବାଳୟ ଭାବେ ପ୍ରାଶାସନିକ କାର୍ଯ୍ୟ ଜାରି ରଖିଛି । ଚଳିତ ବର୍ଷ ଏହି ସମ୍ମିଳନୀର ହୀରକ ଜୟନ୍ତୀରେ ପଦାର୍ପଣ କରିଛି । ଚଳିତବର୍ଷ ଜୁନ୍ 12 ରୁ 14 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଆୟୋଜିତ କରାଯାଇଥିଲା । ଏହି ତିନିଦିନିଆ ସମ୍ମିଳନୀରେ ବିଶ୍ବ ବାଣିଜ୍ୟରେ ବ୍ୟାଘାତ, ଋଣ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଅନ୍ତର୍ଜାତୀୟ ଅର୍ଥ ଏବଂ ବିନିଯୋଗରେ ପ୍ରଣାଳୀରେ ବର୍ତ୍ତମାନ ସମୟରେ ସୃଷ୍ଟି ହୋଇଥିବା ଆହ୍ବାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାକୁ ଅତିକ୍ରମ କରି ବୈଶ୍ବିକ ତଥା ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ବିଚାର ବିମର୍ଶ ହୋଇଥିଲା ।
ବିଶ୍ବ ବାଣିଜ୍ୟ ସଂଗଠନ (WTO) ମୁଖ୍ୟତଃ ବିଶ୍ବ ବାଣିଜ୍ୟ ନିୟମ ଏବଂ ବିଚାରକୁ ନିୟନ୍ତ୍ରିତ କରୁଥିବା ବେଳେ ଅନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ର (ITC) ସ୍ବତନ୍ତ୍ର ଭାବେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ (MSME) କ୍ଷେତ୍ରକୁ ବିଶ୍ୱ ବଜାର ସହିତ ଯୋଡିବା ପ୍ରକ୍ରିୟା ଉପରେ ଧ୍ୟାନ ଦେଇଥାଏ । ଏହି କ୍ରମରେ UNCTAD ବିକାଶ ଦୃଷ୍ଟିକୋଣରୁ ଜାତୀୟ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ସ୍ତରରେ ବାଣିଜ୍ୟ ନୀତି, ନିୟମ ଏବଂ ଅନୁଷ୍ଠାନଗୁଡ଼ିକ ସହିତ ସମନ୍ବୟ ରକ୍ଷା କରି ବୈଶ୍ବିକ କାରବାରକୁ ସୁଗମ ଓ ସରଳ କରେ । ଏହି ସଂସ୍ଥା 15ଟି ଅନ୍ତର୍ଜାତୀୟ ସଂଗଠନର ମିଳିତ ସହଯୋଗରେ, ମିଳିତ ଜାତିସଂଘର କାର୍ଯ୍ୟପ୍ରଣାଳୀଗତ ବ୍ୟବସ୍ଥା ମଧ୍ୟରେ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ବାଣିଜ୍ୟ ଏବଂ ବିକାଶ କାର୍ଯ୍ୟକୁ ସମନ୍ୱିତ କରିବା ପାଇଁ ଏକ ପ୍ରଣାଳୀ ଭାବେ ସାମ୍ନାକୁ ଆସିଛି । ଏହି କାରଣରୁ ଏହା ଅନ୍ୟ ଅନ୍ତର୍ଜାତୀୟ ସଂଗଠନ, ସରକାର, ବ୍ୟବସାୟ, ସିଭିଲ ସୋସାଇଟି, ଯୁବପିଢି ଏବଂ ଶିକ୍ଷାବିତ ବର୍ଗ ପରି ଏକାଧିକ ବର୍ଗର ସହ ଗଭୀର ବିଚାର ବିମର୍ଶ କରି ନୀତି ପ୍ରସ୍ତୁତ କରିଥାଏ ।
ବିଶ୍ବ ବାଣିଜ୍ୟର ପ୍ରଶାସନିକ ମୁଖ୍ୟାଳୟ ଜେନେଭା:-
ମୁଖ୍ୟଃ ବିଶ୍ବ ବାଣିଜ୍ୟ ବ୍ୟାପାର ସହ ଜଡିତ ତିନୋଟି ପ୍ରମୁଖ ଅନ୍ତର୍ଜାତୀୟ ସଂସ୍ଥା (UNCTAD, WTO and ITC)ର ମୁଖ୍ୟାଳୟ ଭାବେ ସୁଇଜରଲ୍ୟାଣ୍ଡର ରାଜଧାନୀ ଜେନେଭା ଏବେ ବିଶ୍ବ ବାଣିଜ୍ୟର ପେଣ୍ଠସ୍ଥଳୀ ଭାବେ ନୂଆ ପରିଚୟ ପାଇଛି ।ଏହି ତିନୋଟି ସଂସ୍ଥା ନିଜ ସାମର୍ଥ୍ୟ ଓ ନିର୍ଣ୍ଣୟକାରୀ କ୍ଷମତା ସହ ପରସ୍ପର ସହ ଘନିଷ୍ଠ ଭାବରେ ସହଯୋଗୀ ସଂସ୍ଥା ଭାେ କାମ କରିଛନ୍ତି । ଏହିପରି ସମୁଦାୟ 116 ଅନ୍ତଃର୍ଜାତୀୟ ସଂସ୍ଥା ଏବଂ 242 ସିଭିଲ ସୋସାଇଟି ସଂଗଠନ UNCTADର ବାଣିଜ୍ୟ ଏବଂ ବିକାଶ ବୋର୍ଡର ପର୍ଯ୍ୟବେକ୍ଷକ ଭାବରେ ସ୍ୱୀକୃତି ଲାଭ କରିଛନ୍ତି । ଯାହାକି ସଂସ୍ଥାର ସାମଗ୍ରିକ କାର୍ଯ୍ୟପ୍ରଣାଳୀ ସ୍ଥିର କରୁଥିବା ସଂଗଠନର ପ୍ରମୁଖ ଅଂଶ ଭାବେ ଜଣାଶୁଣା ।
ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ସଂଗଠନର 60ତମ ବାର୍ଷିକୀ ଅବସରରେ ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ଗ୍ଲୋବାଲ୍ ଲିଡର୍ସ ଫୋରମ୍ ଉଦ୍ଘାଟନ କରିଥିଲେ । ସମ୍ମିଳନୀରେ UNCTAD ମହାସଚିବ ରେବେକା ଗ୍ରିନ୍ସପନ ଏବଂ 28 ଟି ଅଂଶଗ୍ରହଣକାରୀ ଦେଶର ମୁଖ୍ୟ, ବାଣିଜ୍ୟ ମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ଶୀର୍ଷ ଅଧିକାରୀ, ବିଭିନ୍ନ କ୍ଷେତ୍ରରେ ବିଶ୍ବସ୍ତରର ବୁଦ୍ଧିଜୀବୀ, ବିଶେଷଜ୍ଞ, ସିଭିଲ ସୋସାଇଟି ଓ ବେସରକାରୀ କ୍ଷେତ୍ରର ପ୍ରତିନିଧୀମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ 152 ଦେଶରୁ ଅଗ୍ରଣୀ ଅର୍ଥନୀତିଜ୍ଞ ତଥା ବିଭିନ୍ନ ପ୍ରସଙ୍ଗ ପାଇଁ ଗଠିତ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଆଲୋଚନାଚକ୍ରର ଥୀମ ବା ବିଷୟବସ୍ତୁ ରଖାଯାଇଥିଲା “ଏକ ପରିବର୍ତ୍ତନଶୀଳ ବିଶ୍ବରେ ବିକାଶ ପାଇଁ ଏକ ନୂତନ ପଥ ସୃଷ୍ଟି କରିବା”।
ଏହି ତିନିଦିନିଆ ଫୋରମରେ ଜେନେଭାରେ 1100 ରୁ ଅଧିକ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କୁ ଏକତ୍ରୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ବୈଶ୍ବିକ ବାଣିଜ୍ୟ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ବ୍ୟାଘାତ, ଋଣ ଭାର ବୃଦ୍ଧି ଏବଂ ବିକାଶଶୀଳ ଦେଶମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ଘୋର ପ୍ରଭାବ ମଧ୍ୟରେ ଏକ ଦିଗ ନିର୍ଣ୍ଣୟ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା ।
ସମ୍ପାଦକୀୟ...