ଆଲେଖ୍ୟ: ଡଃ. ଅନନ୍ତ ଏସ୍
ହାଇଦ୍ରାବାଦ: ନିକଟରେ ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାର ସର୍ବୋଚ୍ଚ ପ୍ରତିଷ୍ଠାନ ରିଜର୍ଭ ବ୍ୟାଙ୍କ (RBI) 90ବର୍ଷରେ ପାଦ ଥାପିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟ-1934 ଅନୁଯାୟୀ ଏହାକୁ ପ୍ରତିଷ୍ଠା କରାଯାଇଥିଲା । ଏହା 1935 ମସିହା ଏପ୍ରିଲ ପହିଲାରୁ କାର୍ଯ୍ୟ ଆରମ୍ଭ କରିଥିଲା । ମାତ୍ର ଏହାକୁ 1949 ମସିହାରେ ଜାତୀୟକରଣ କରାଯାଇଥିଲା । ପ୍ରତିଷ୍ଠା ସମୟରେ ଏହାର ମୁଖ୍ୟ କାର୍ଯ୍ୟାଳୟ କୋଲକାତାରେ ଥିଲା । ପରବର୍ତ୍ତୀ ସମୟରେ 1937 ମସିହାରେ ଏହାକୁ ବମ୍ବେ (ବର୍ତ୍ତମାନ ମୁମ୍ବାଇ) କୁ ସ୍ଥାନାନ୍ତର କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହା ମୁଖ୍ୟତଃ ଦେଶରେ ମୁଦ୍ରା ପରିଚାଳନା ପାଇଁ ଏକ ସର୍ବୋଚ୍ଚ ନିୟାମକ ଅନୁଷ୍ଠାନ ଭାବେ ପ୍ରତିଷ୍ଠା ହୋଇଥିଲା । ବିକାଶଶୀଳ ଦେଶମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ତୁଳନାତ୍ମକ ଭାବେ ଅଧିକ ବିଶ୍ୱସନୀୟତା ହାସଲ କରିବାରେ ସଫଳ ହୋଇଛି ।
ରିକ୍ସ ବ୍ୟାଙ୍କ: ବିଶ୍ବର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ
ବିଶ୍ବର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ହେଉଛି 1668 ମସିହାରେ ସ୍ୱିଡେନରେ ପ୍ରତିଷ୍ଠା ହୋଇଥିବା ‘ରିକ୍ସ ବ୍ୟାଙ୍କ’ । ଏହାର କିଛି ବର୍ଷ ପରେ 1694 ମସିହାରେ ‘ବ୍ୟାଙ୍କ ଅଫ ଇଂଲଣ୍ଡ’ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ଉଭୟ ବ୍ୟାଙ୍କ ‘ଆରବିଆଇ’ ପରି ମିଳିତ ଷ୍ଟକ କମ୍ପାନୀ ଭାବରେ ପ୍ରତିଷ୍ଠା ହୋଇଥିଲା । 1800 ମସିହାରେ ନେପୋଲିଅନ ଫ୍ରାନ୍ସର କେନ୍ଦ୍ରୀୟ ବ୍ୟାଙ୍କ ‘ବାଙ୍କେ ଡି ଫ୍ରାନ୍ସ’ ପ୍ରତିଷ୍ଠା କରି ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ହେତୁ ମୁଦ୍ରା ମୂଲ୍ୟ ସ୍ଥିର କରିବା ପାଇଁ ଉଦ୍ୟମ କରିଥିଲେ । ସେହିପରି ଆମେରିକାରେ ‘ଯୁକ୍ତରାଷ୍ଟ୍ର ଫେଡେରାଲ ରିଜର୍ଭ’ ମଧ୍ୟ ବିଂଶ ଶତାବ୍ଦୀରେ ପ୍ରତିଷ୍ଠା ହେବା ପରେ କାର୍ଯ୍ୟକ୍ଷମ ହେଇଥିଲା । ଆଜିର ଦିନରେ, କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ମୁଖ୍ୟତଃ ପ୍ରଭାବଶାଳୀ ମୁଦ୍ରା ନୀତି ପରିଚାଳନା, ମୁଦ୍ରା, ବ୍ୟାଙ୍କିଂ କାରବାର ଓ ଋଣଦାତା ଭାବେ କାର୍ଯ୍ୟ କରିବା ପାଇଁ ଅଧିକୃତ ହୋଇପାରିଛନ୍ତି । ଆମେରିକାର ଫେଡେରାଲ ରିଜର୍ଭ ଏବଂ ଭାରତର ‘ଆରବିଆଇ’ ସମେତ ଅଧିକାଂଶ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକରେ ମୁଦ୍ରା ସ୍ଥିରତା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଯୁଗ୍ମ ଉଦ୍ଦେଶ୍ୟ ରହିଛି ।
1914 ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଗୋଲ୍ଡ ଷ୍ଟାଣ୍ଡାର୍ଡ ଠିକ ସ୍ତରରେ ଥିଲା । କାରଣ ବ୍ୟାଙ୍କିଂ ଏବଂ ବିଶ୍ବ ବାଣିଜ୍ୟ ପ୍ରକ୍ରିୟ ଅପେକ୍ଷାକୃତ କମ ଜଟିଳ ସ୍ଥିତିରେ ଥିଲା । ଉନ୍ନତ ଦେଶମାନଙ୍କରେ ସେତେବେଳେ ସୁନା ଭଣ୍ଡାରର ହ୍ରାସ ହେବା ପ୍ରକ୍ରିୟା ଦେଶର ମୁଦ୍ରା ମୂଲ୍ୟକୁ ଦୁର୍ବଳ କରିଦେଇଥିଲା । ଅବଶ୍ୟ, ଭାରତ ପରି ଅନ୍ୟ ଦେଶ ଦ୍ବାରା ଶାସିତ ହେଉଥିବା ଦେଶରେ ସ୍ଥାନୀୟ ମୁଦ୍ରାର ମୂଲ୍ୟ ସେହି ଦେଶର ମୁଦ୍ରା ମୂଲ୍ୟ ସହିତ ସଂଯୁକ୍ତ ଓ ନିର୍ଭରଶୀଳ ମଧ୍ୟ ଥିଲା ।
ଭାରତରେ RBI ପ୍ରତିଷ୍ଠା ପୂର୍ବରୁ ତିନୋଟି ପ୍ରେସିଡେନ୍ସି ବ୍ୟାଙ୍କ (ବ୍ୟାଙ୍କ ଅଫ ବେଙ୍ଗାଲୁରୁ, ବ୍ୟାଙ୍କ ଅଫ ମାଡ୍ରାସ ଓ ବ୍ୟାଙ୍କ ଅଫ ବମ୍ବେ ) ଦ୍ୱାରା ବ୍ୟାଙ୍କିଂ ବ୍ୟବସ୍ଥା ପରିଚାଳନା କରାଯାଉଥିଲା । ଏହି ତିନି ବ୍ୟାଙ୍କ ଭାରତୀୟ ବ୍ୟାଙ୍କିଂ ଓ ବଜାରରେ ପ୍ରାଧାନ୍ୟ ମଧ୍ୟ ବିସ୍ତାର କରିଥିଲେ । 1935 ମସିହାରେ ଏହି 3ବ୍ୟାଙ୍କ ମିଶ୍ରିତ ହୋଇ ‘ଇମ୍ପେରିଆଲ ବ୍ୟାଙ୍କ ଅଫ ଇଣ୍ଡିଆ’ ଗଠନ ହୋଇଥିଲା । ଏହି ଆର୍ଥିକ ସଂସ୍ଥା ପରବର୍ତ୍ତୀ ସମୟରେ ଜାତୀୟକରଣ ହେବା ସହ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ଭାବରେ କାର୍ଯ୍ୟ ଆରମ୍ଭ କରିଥିଲା । ଏହାର ଗଠନ ହେବା ପର୍ଯ୍ୟନ୍ତ, ସରକାରଙ୍କ ତରଫରୁ ଋଣ ନେବା ଏବଂ ସରକାରୀ ବ୍ୟାଙ୍କିଂ ଅପରେସନ ପାଇଁ ବ୍ରିଟିଶ-ଭାରତ ସରକାରଙ୍କ ଦ୍ବାରା ମୁଦ୍ରା ପରିଚାଳନା କରାଯାଉଥିଲା । କାର୍ଯ୍ୟ ଆରମ୍ଭ କରିବା ପରେ ଆରବିଆଇ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା କୃଷିଜାତ ଦ୍ରବ୍ୟର ମୂଲ୍ୟ ଉପରେ ନଜର ରଖିବା, ଯାହା ବାଣିଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ଅଗ୍ରାଧିକାର ପାଇଥିଲା ।
ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଆହ୍ବାନ:-
1991 ମସିହାରେ ଅର୍ଥନୀତିର ଉଦାରୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ, RBIର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ସହ କୃଷି ଏବଂ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ପରିମାଣର ପୁଞ୍ଜି ଉପଲବ୍ଧ ହେବା ଉପରେ ଦୃଷ୍ଟି ରଖିବା । ‘ପଞ୍ଚବାର୍ଷିକ ଯୋଜନା’ ଅନ୍ତର୍ଗତ ବୃହତ ସଂଗଠିତ ଅର୍ଥନୈତିକ ମଡେଲର ଅଂଶ ଭାବରେ ଭାରତ ସରକାରଙ୍କ ସହିତ ଆରିବିଆଇ କାର୍ଯ୍ୟ କରାଯାଇଥିଲା । ଉଦାରୀକରଣ ପର୍ଯ୍ୟନ୍ତ ‘RBI ’କୁ ପ୍ରମୁଖ ସମସ୍ୟା ସହ ମୁକାବିଲା କରିବାକୁ ପଡୁଥିଲା । କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଆର୍ଥିକ ନିଅଣ୍ଟ ଓ ଅର୍ଥନୀତିର ନିୟନ୍ତ୍ରିତ ତଥା ସୀମିତ ପ୍ରକ୍ରିୟା କାରଣରୁ ବିଦେଶୀ ପୁଞ୍ଜି ନିବେଶର ସ୍ତର ହ୍ରାସ ହେବାରେ ଲାଗିଥିଲା । 1984-85 ମସିହାରେ ଜିଡିପିର 8.8% ରୁ 1990-91 ରେ ଜିଡିପିର 9.4% କୁ ବୃଦ୍ଧି ପାଇଥିଲା । ଆରବ ଯୁଦ୍ଧ ସମୟରେ ବିଶ୍ବ ବଜାରରେ ତୈଳଦର ବୃଦ୍ଧି ପ୍ରସଙ୍ଗ ମଧ୍ୟ ପେମେଣ୍ଟ ବାଲାନ୍ସ ଉପରେ ଚାପ ପକାଇଥିଲ । ଯାହା ଶେଷରେ ବୈଦେଶିକ ପାଣ୍ଠି ଅଭାବ ସୃଷ୍ଟି କରିଥିଲା ।
ନୂଆ ଚ୍ୟାଲେଞ୍ଜ:-
ଏବେ ଋଷ ୟୁକ୍ରେନ ଆକ୍ରମଣ କରିବା ଘଟଣା କେବଳ ବିଶ୍ବ ରଣନୈତିକ ସ୍ଥିତି ନୁହେଁ ବରଂ ଅର୍ଥନୀତି ଓ ଏହାର ପ୍ରକ୍ରିୟାଗତ ଦିଗକୁ ମଧ୍ୟ ପ୍ରଭାବିତ କରିଥିଲା । ଋଷ ଉପରେ ଆମେରିକା ଏକାଧିକ ଆର୍ଥିକ କଟକଣା ଜାରି କରିବା ପରେ ବୈଶ୍ବିକ କାରବାର ମଧ୍ୟ ପ୍ରଭାବିତ ହୋଇଛି । ବୈଶ୍ବିକ କାରବାରର ଆମେରିକୀୟ ଡଲାରର ବଡ ଭୂମିକା ଥିବା କାରଣରୁ ଏହି କଟକଣା ମଧ୍ୟ ରିଜର୍ଭ ବ୍ୟାଙ୍କ ସମେତ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପାଇଁ କାରବାରରେ ସମସ୍ୟା ସୃଷ୍ଟି କରିଛି ।
1960 ଦଶକରେ, କୁଏତ, କତାର, ବହାରିନ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପରି କେତେକ ଆରବ ଦେଶର ବାଜରରେ ଭାରତୀୟ ମୁଦ୍ରା କାରବାର ଆଇନତଃ ବୈଧ ଥିଲା । ମାତ୍ର 1966 ମସିହାରେ ଭାରତୀୟ ମୁଦ୍ରା ମୂଲ୍ୟରେ ଅବନତି ହେବା କାରଣରୁ ଏହାକୁ ବିଦେଶୀ ବଜାରରୁ ପ୍ରତ୍ୟାହାର କରିବାକୁ ପଡିଥିଲା । ସୋଭିଏତ ଋଷର (ସୋଭିଏତ ୟୁନିୟନ) ପତନ ପୂର୍ବରୁ ଭାରତ ଏବଂ ୟୁଏସ୍ଏସ୍ଆରର ମଧ୍ୟ ଉଭୟ ଦେଶ ‘ଭାରତୀୟ ଟଙ୍କା’ ଓ ‘ରୁବେଲ’ ବାଣିଜ୍ୟ ପାଇଁ ବ୍ୟବହାର କରୁଥିଲେ । ଉଭୟ ଦେଶ ଦ୍ୱାରା ବିକ୍ରି ଓ ରପ୍ତାନୀ କରାଯାଉଥିବା ସାମଗ୍ରୀଗୁଡ଼ିକ ସମ୍ପୃକ୍ତ ଦେଶର ମୁଦ୍ରା ଏବଂ ପାରସ୍ପରିକ ଚୁକ୍ତି ଅନୁଯାୟୀ ସ୍ଥିର କରାଯାଇଥିଲା । ତେବେ ସୋଭିଏତ ୟୁନିଅନର ପତନ ସହ ଏହି ଦ୍ବିପାକ୍ଷିକ ମୁଦ୍ରା କାରବାର ମଧ୍ୟ ବନ୍ଦ ହୋଇଯାଇଛି । ଇଣ୍ଟରନେଟ୍ ଯୁଗରେ ଏବେ ଆର୍ଥିତ କାରବାର ମଧ୍ୟ କିଛି ସେକେଣ୍ଡରେ ହୋଇପାରୁଛି । ଏହାର ଅର୍ଥ ଡିଜିଟାଲ ଆର୍ଥିକ ହେରଫେର ଏବଂ ଅନ୍ୟାନ୍ୟ ଆହ୍ବାନ ମଧ୍ୟ ସୃଷ୍ଟି ହୋଇଛି । ସେହିପରି ଡିଜିଟାଲ୍ ମୁଦ୍ରା ପ୍ରଚଳନ କ୍ଷେତ୍ରରେ ମଧ୍ୟ ରିଜର୍ଭ ବ୍ୟାଙ୍କ ବିଚାର ଜାରି ରଖିଛି । ବ୍ୟାଙ୍କିଂ କ୍ଷେତ୍ର ପାଇଁ ଡିଜିଟାଲ ମୁଦ୍ରା ବଡ ଆହ୍ବାନ ଭାବରେ ଉଭା ହୋଇପାରେ । କାରଣ ଡିଜିଟାଲ ମୁଦ୍ରାର ଚ୍ୟାଲେଞ୍ଜକୁ ‘ଆରବିଆଇ’କୁ ହିଁ ସାମ୍ନା କରିବାକୁ ପଡିବ ।
ଏହା ଲେଖକଙ୍କ ନିଜସ୍ବ ମତ...