ହାଇଦ୍ରାବାଦ: ବାଂଲାଦେଶ ଏବଂ ମିଆଁମାରରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ଏବଂ ସଙ୍କଟ ମଧ୍ୟରେ ଭାରତର ଆକ୍ଟ-ଇଷ୍ଟ ପଲିସି (AEP) କାର୍ଯ୍ୟକାରୀ ହୋଇଛି । ସେହିପରି ଦକ୍ଷିଣ-ଚୀନ ସାଗରରେ ଦେଖାଯାଇଥିବା ତିକ୍ତତା ମଧ୍ୟରେ ଚୀନ୍ ଏବଂ ଫିଲିପାଇନ୍ ମଧ୍ୟରେ ବାରମ୍ବାର ସଂଘର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରୁନେଇ ଏବଂ ସିଙ୍ଗାପୁର ଦ୍ୱିପାକ୍ଷିକ ଗସ୍ତ କରିଛନ୍ତି । ଚଳିତମାସ (ସେପ୍ଟେମ୍ବର) ପ୍ରଥମ ସପ୍ତାହରେ 3 ରୁ 5 ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି କରିଥିବା ଏହି ଦୁଇଦେଶୀୟ ଗସ୍ତ ବର୍ତ୍ତମାନର ବୈଶ୍ବିକ ସ୍ଥିତିରେ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି । ଏହି ଗସ୍ତରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଥିବା ବ୍ରୁନେଇ ଏବଂ ସିଙ୍ଗାପୁର ସହିତ ଅର୍ଥନୈତିକ ଏବଂ ରଣନୈତିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ କୂଟନୈତିକ ପଦକ୍ଷେପ ଭାବରେ ପ୍ରତିରକ୍ଷା, ଶକ୍ତି ପରି କ୍ଷେତ୍ରରେ ପାରସ୍ପରିକ ସହଯୋଗ ଏବଂ ସମର୍ଥନକୁ ବୃଦ୍ଧି କରିବା ଆକ୍ଟ-ଇଷ୍ଟ ପଲିସି (AEP)ର ରଣନୈତିକ ଗୁରୁତ୍ୱକୁ ସ୍ପଷ୍ଟ ଭାବେ ସୂଚୀତ କରୁଛି ।
- ବ୍ରୁନେଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି:-
ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରୁନେଇ ସୁଲତାନ ହାଜି ହାସନଲ ବୋଲକିଆଙ୍କ ସହ ଆଲୋଚନା କରିଛନ୍ତି । ଭାରତ ଏବଂ ବ୍ରୁନେଇ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଏକାଧିକ କ୍ଷେତ୍ରରେ ଉଭୟ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଛନ୍ତି । ମୁଖ୍ୟତଃ ଆଞ୍ଚଳିକ ସ୍ଥିରତା ଏବଂ ସାମୁଦ୍ରିକ ସୁରକ୍ଷା ପ୍ରସଙ୍ଗରେ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରତିରକ୍ଷା ସହଯୋଗକୁ ସୁଗମ କରିବା ପାଇଁ ଉଭୟ ନେତା ଏକ ମିଳିତ ୱାର୍କିଂ ଗ୍ରୁପ୍ ଗଠନ କରିବାକୁ ସହମତ ହୋଇଥିଲେ । ଭାରତ ଏବଂ ବ୍ରୁନେଇ ଏହି ଅଞ୍ଚଳରେ ସାମୁଦ୍ରିକ ନିରାପତ୍ତା, ନାଭିଗେସନ, ଓଭରଫ୍ଲାଇଟ୍ ସ୍ବାଧୀନତା ଓ ଅବରୋଧିତ ଆଇନଗତ ବାଣିଜ୍ୟକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ତର୍ଜାତୀୟ ଆଇନ, ବିଶେଷ ଭାବରେ ମିଳିତ ଜାତିସଂଘର ‘1982- ଅନ୍ତର୍ଜାତୀୟ ସାମୁଦ୍ରିକ ସମ୍ମିଳନୀ’କୁ କାର୍ଯ୍ୟକାରୀ କରିବା ପାଇଁ ଏହି ଆଲୋଚନାରେ ପ୍ରାଧାନ୍ୟ ଦିଆଯାଇଛି ।
- ବ୍ରୁନେଇ ସହ ଏକାଧିକ କ୍ଷେତ୍ରରେ ଭାରତର ଚୁକ୍ତି:-
ବ୍ରୁନେଇ ସହିତ 2018ରେ ମହାକାଶ ଚୁକ୍ତି କରିଥିଲା ଭାରତ । ଏହି ଚୁକ୍ତି ଏହି ଅଞ୍ଚଳରେ ଚୀନର ପ୍ରଭାବ ସତ୍ତ୍ବେ ମଧ୍ୟ ନୂଆଦିଲ୍ଲୀ ପାଇଁ ଏକ ସଫଳତାପୂର୍ଣ୍ଣ ପଦକ୍ଷେପ ଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଗସ୍ତ ଓ ଦ୍ବିପାକ୍ଷିକ ବୈଠକରେ ମହାକାଶ ଚୁକ୍ତିନାମା କ୍ଷେତ୍ରରେ ଆଉ ଏକ ଘୋଷଣା ଆଶା କରାଯାଉଛି । କିନ୍ତୁ ମହାକାଶ ଅନୁସନ୍ଧାନ ଏବଂ ଉପଗ୍ରହ ପ୍ରଯୁକ୍ତିବିଦ୍ୟାରେ ବୈଷୟିକ ସହଯୋଗ ସହ ଆଗକୁ ବଢିବାକୁ ଆଗ୍ରହ ପ୍ରକାଶ କରି ଦୁଇ ନେତା ଏକ ସ୍ପେସ ସହଯୋଗ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।
ଏହାପୂର୍ବରୁ ବ୍ରୁନେଇ-ଭାରତ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରକ୍ରିୟା ପ୍ରାୟ 500 ନିୟୁତ ଡଲାର ହ୍ରାସ ପାଇଥିଲା । ଭାରତ ଋଷରୁ ତୈଳ ଆମଦାନୀ କରିବା ଆରମ୍ଭ କରିବା ଫଳରେ ବ୍ରୁନେଇରୁ ତୈଳ ଆମଦାନୀ ପରିମାଣ ହ୍ରାସ ପାଇଥିଲା । ଫଳରେ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବା କାରଣରୁ ଦ୍ବିପାକ୍ଷିକ କାରବାର ପ୍ରାୟ 5ଶହ ଡଲାର ଖସିଥିଲା । ଏହି ଗସ୍ତ ସମୟରେ ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଏବଂ ଏହାର କାରବାର କ୍ଷେତ୍ର ବିସ୍ତାର କରିବାକୁ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ସହଯୋଗ ପାଇଁ ଆଲୋଚନା ହୋଇଥିଲା । ଖାଦ୍ୟ ନିରାପତ୍ତା ଗୁରୁତ୍ୱକୁ ମଧ୍ୟ ପୃଥକ ଭାବେ ବିଚାର କରି କୃଷି ଏବଂ ଖାଦ୍ୟ ଯୋଗାଣ ଶୃଙ୍ଖଳରେ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଥିଲେ ଉଭୟ ରାଷ୍ଟ୍ରମୁଖ୍ୟ । ଏହି ଆଲୋଚନା ସମୟରେ ଉଭୟ ନେତା ଦକ୍ଷତା ବୃଦ୍ଧି, ସଂଯୋଗୀକରଣ, ସଂସ୍କୃତି, ଅର୍ଥ, ସ୍ୱାସ୍ଥ୍ୟ ଏବଂ ଔଷଧ, ପ୍ରଯୁକ୍ତିବିଦ୍ୟା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ସୁଦୃଢୀକରଣ କରିବା ପାଇଁ ଏକାଧିକ ଦିଗ ଉପରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ସମ୍ପର୍କରେ...
ଗତ ଦେଢ ଦଶନ୍ଧି ବା ପ୍ରାୟ 15 ବର୍ଷ ମଧ୍ୟରେ, ଭାରତ ଏବଂ ସିଙ୍ଗାପୁର ସମ୍ପର୍କ ବିଭିନ୍ନ କ୍ଷେତ୍ରରେ ଏକ ଉନ୍ନତ ଧାରାରେ ପହଞ୍ଚିଛି ।ବର୍ତ୍ତମାନ ନୂଆଦିଲ୍ଲୀ ଏବଂ ସିଙ୍ଗାପୁର ବିସ୍ତୃତ ବିସ୍ତୃତ ଅର୍ଥନୈତିକ ସହଯୋଗ ଚୁକ୍ତିନାମା (CECA)ର ନବୀକରଣ ପାଇଁ ବ୍ୟାପକ ରଣନୈତିକ ଭାଗିଦାରୀକୁ ପ୍ରୋତ୍ସାହିତ କରିଛନ୍ତି । ଭାରତକୁ ସିଙ୍ଗାପୁରର ରପ୍ତାନୀର 81% ଉପରେ ଶୁଳ୍କ ହଟାଇ ଦିଆଯାଇଛି । ବର୍ତ୍ତମାନ, ଦୁଇ ଦେଶ ଡିଜିଟାଲ୍ ଟେକ୍ନୋଲୋଜି, ସେମିକଣ୍ଡକ୍ଟର, ସ୍ୱାସ୍ଥ୍ୟ ଏବଂ ଶିକ୍ଷାଗତ ସହଯୋଗ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ 4ଟି ପ୍ରମୁଖ ଚୁକ୍ତି (ଏମଓୟୁ) ସ୍ୱାକ୍ଷର କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ଉଭୟ ନେତା ଉନ୍ନତ ଉତ୍ପାଦନ, କୃତ୍ରିମ ବୁଦ୍ଧିମତା, ସଂଯୋଗୀକରଣ, ସାଇବର-ସୁରକ୍ଷା, ପ୍ରତିରକ୍ଷା ଏବଂ ସୁରକ୍ଷା, ଶିକ୍ଷା, ଗ୍ରୀନ କରିଡର ପ୍ରକଳ୍ପ, ଜ୍ଞାନ ସହଭାଗୀତା, ସାମୁଦ୍ରିକ ଡୋମେନ ସଚେତନତା, ନୂତନ ଟେକ୍ନୋଲୋଜି ଡୋମେନ ଓ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମିଳିତ ଭାବେ କାମ ଜାରି ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ । ଦ୍ବିପାକ୍ଷିକ ସହଯୋଗର ଚୁକ୍ତିନାମାର ଅଂଶ ଭାବରେ ଦୁଇ ଦେଶ ସେମି-କଣ୍ଡକ୍ଟର ଟେକ୍ନୋଲୋଜି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାରସ୍ପରିକ ଭାବେ ଜଡିତ ଅଛନ୍ତି । ।
ମୋଟାମୋଟି ଭାବରେ ବ୍ରୁନେଇ ଏବଂ ସିଙ୍ଗାପୁରକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଗସ୍ତ ଦକ୍ଷିଣ-ପୂର୍ବ ଏସିଆ ଉପରେ ନୂଆଦିଲ୍ଲୀର କେନ୍ଦ୍ରୀଭୂତ ଧ୍ୟାନ ଏବଂ ‘ଆକ୍ଟ ଇଷ୍ଟ ପଲିସି’ (AEP)ର ଉଦ୍ଦେଶ୍ୟ ଓ ଲକ୍ଷ୍ୟଗୁଡିକ ସହ ମେଳ ଖାଉଛି । ଚୀନ୍ର ବଢୁଥିବା ଅର୍ଥନନୈତିକ ଏବଂ ସାମରିକ ପ୍ରଭାବକୁ ସନ୍ତୁଳିତ କରିବା ପାଇଁ ଆଞ୍ଚଳିକ ଏକତା ସହ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ବଜାୟ ରଖିବା ଦିଗରେ ଏହା ଏକ ଐତିହାସିକ ଗସ୍ତ ବୋଲି କୁହାଯାଇ ପାରିବ ।
ସମ୍ପାଦକୀୟ...