ଆଲେଖ୍ୟ: ଡ. ନଭିଆର ଜ୍ୟୋତି କୁମାର
ବାଣିଜ୍ୟ ପ୍ରଫେସର, ମିଜୋରାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ
ହାଇଦ୍ରାବାଦ: ଭାରତୀୟ ବୀମା କ୍ଷେତ୍ର 34ଟି ସାଧାରଣ ବୀମା (ପ୍ରାୟତଃ ଅଣ-ଜୀବନ ବୀମା ଭାବରେ ଜଣାଶୁଣା) କମ୍ପାନୀ ଓ 24 ଜୀବନ ବୀମା କମ୍ପାନୀକୁ ନେଇ ଗଠିତ । ଜୀବନ ବୀମା ପ୍ରଦାନକାରୀ ସଂସ୍ଥାଙ୍କ ମଧ୍ୟରେ ଜୀବନ ବୀମା ନିଗମ (LIC) ହେଉଛି ଏକମାତ୍ର ସରକାରୀ ସେକ୍ଟର ଏଣ୍ଟରପ୍ରାଇଜ (PSE) । ସାଧାରଣ ବୀମା ବିଭାଗରେ 6ଟି ସରକୀରୀ ନିୟନ୍ତ୍ରଣାଧୀନ ସଂସ୍ଥା ରହିଛି । ଏଥିସହ, ଏକମାତ୍ର ଜାତୀୟ ପୁନଃ ବୀମାକାରୀ ସଂସ୍ଥା ରହିଛି ଯାହା ଜେନେରାଲ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (GIC ) ଭାବରେ ଜଣାଶୁଣା ।
ବୀମାଭୁକ୍ତ ଭାରତ:- ବିଶ୍ୱର ଅନ୍ୟଦେଶମାନଙ୍କ ତୁଳନାରେ ଭାରତ ଏକ ଅଧିକ ବୀମାଭୁକ୍ତ ଦେଶ । ସେହିଭଳି ଭାରତରେ ବୀମା ଘନତ୍ବ (ମୁଣ୍ଡପିଛା ପ୍ରିମିୟମ ପ୍ରଦାନ ହାର) 92 ଡଲାର ଥିବାବେଳେ ବିଶ୍ବର ହାରାହାରି 853 ଡଲାର ଥିଲା । 2022 ମସିହାରେ ସମୁଦାୟ ପ୍ରିମିୟମ, ଅଣ-ଜୀବନ ଓ ଜୀବନବୀମା ସହିତ ଆମେରିକା ବିଶ୍ୱର ସର୍ବବୃହତ ବୀମା ବଜାର ହୋଇପାରିଛି । ତା’ପଛକୁ ଚୀନ ଏବଂ ବ୍ରିଟେନ ରହିଛନ୍ତି । ଏହି ତିନୋଟି ବଜାର ମିଳିତ ଭାବେ ମୋଟ ବିଶ୍ୱ ପ୍ରିମିୟରର 55%ରୁ ଅଧିକ ରହିଥିଲା । ପ୍ରିମିୟମ ମୂଲ୍ୟ 131 ବିଲିୟନ ଡଲାର ଭାବେ ବିଶ୍ୱ ବଜାର ଅଂଶର ମୋଟ 1.9% ସହିତ ଭାରତ ଦଶମ ସ୍ଥାନରେ ଥିଲା । 2032 ମସିହା ସୁଦ୍ଧା ଭାରତ ଷଷ୍ଠ ବୃହତ୍ତମ ବୀମା ବଜାର ହେବ ବୋଲି ଆକଳନ କରାଯାଇଛି । କାରଣ ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ମଧ୍ୟରୁ ଅନ୍ୟତମ ଭାବେ ଏବେ ସାମ୍ନାକୁ ଆସିଛି । ତଥାପି ଭାରତୀୟ ବୀମା କ୍ଷେତ୍ରରେ କିଛି ବ୍ୟତିକ୍ରମ ରହିଥିବା ଜଣାପଡେ ।
ଅଣଆବିଷ୍କୃତ ମାର୍କେଟିଂ ସୁଯୋଗ:- ଭାରତରେ ଉପଲବ୍ଧ ହେଉଥିବା ଅଧିକାଂଶ ଜୀବନ ବୀମା ଉତ୍ପାଦଗୁଡ଼ିକ କେବଳ ସଞ୍ଚୟ ସହିତ ଜଡିତ । କେବଳ ଏକ ଛୋଟ ସୁରକ୍ଷା ଉପାଦାନ ଭାବେ କାର୍ଯ୍ୟ କରୁଛି । ଏହାର ଅର୍ଥ ହେଉଛି ପରିବାରର ମୁଖ୍ୟଙ୍କ ଅକାଳ ମୃତ୍ୟୁ ଘଟଣାରେ ପରିବାରଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଅନ୍ତି । ଭାରତରେ ପ୍ରାକୃତିକ ବିପର୍ଯ୍ୟୟର 93% ଏକ୍ସପୋଜର ହୋଇନଥିଲା । 2021 ମସିହାରେ ନିତି ଆୟୋଗ (NITI) ଏହାର ରିପୋର୍ଟରେ ସ୍ବୀକାର କରିଛି, ଯେ ଭାରତରେ 40 କୋଟି ଲୋକ, ଏପରିକି ଗରିବ ଲୋକମାନଙ୍କ ମଧ୍ୟରେ ମଧ୍ୟ ସ୍ୱାସ୍ଥ୍ୟସେବା ପାଇଁ କୌଣସି ପ୍ରକାରର ଆର୍ଥିକ ସୁରକ୍ଷା ଅଭାବ ରହିଛି ।
ଭାରତରେ ବର୍ତ୍ତମାନର 90% ରୁ ଅଧିକ କର୍ମଚାରୀଙ୍କ ନିକଟରେ କୌଣସି ସାମାଜିକ ସୁରକ୍ଷା ମଧ୍ୟ ନାହିଁ । ଏହି ବର୍ଗକୁ ‘ନିଖୋଜ ମଧ୍ୟମବର୍ଗ’ ବୋଲି ମଧ୍ୟ କୁହାଯାଉଛି । କାରଣ ସେମାନେ ସରକାରୀ ସବସିଡି ବୀମା ଦ୍ବାରା ଅନ୍ତର୍ଭୁକ୍ତ ହେବା ପାଇଁ ଯଥେଷ୍ଟ ଗରିବ ମାନଦଣ୍ଡ ପୂରଣ କରିପାରୁ ନାହାନ୍ତି । ଅନ୍ୟପଟେ ସେମାନେ ବେସରକାରୀ ବୀମା କମ୍ପାନୀମାନଙ୍କ ଦ୍ବାରା ବୀମାଭୁକ୍ତ ହେବା ପାଇଁ ପର୍ଯ୍ୟାପ୍ତ ଧନୀ ମଧ୍ୟ ନୁହଁନ୍ତି । ଏପରି କ୍ଷେତ୍ରରେ ଏକ ସୁପରିକଳ୍ପିତ, ଉଚିତ ମୂଲ୍ୟଯୁକ୍ତ, ସ୍ବେଚ୍ଛାକୃତ ବୀମା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିଲେ ହିଁ 2047 ସୁଦ୍ଧା ସମସ୍ତଙ୍କ ପାଇଁ ବୀମା ଲକ୍ଷ୍ୟ ହାସଲ କରିବା ସମ୍ଭବପର ହୋଇପାରିବ ।
ପ୍ରସ୍ତାବିତ ସଂସ୍କାରମୂଳକ ପଦକ୍ଷେପ:- ସଂସଦର ସଦ୍ୟ ଶେଷ ହୋଇଥିବା ବଜେଟ୍ ଅଧିବେଶନରେ ଅର୍ଥ ବିଭାଗର ସଂସଦୀୟ ଷ୍ଟାଣ୍ଡିଂ କମିଟି ଏହାର ରିପୋର୍ଟକୁ ଆଗତ କରିଛି । ଏହି ରିପୋର୍ଟର ଶୀର୍ଷକ ରହିଛି “ବୀମା କ୍ଷେତ୍ରର କାର୍ଯ୍ୟଦକ୍ଷତା ଏବଂ ନିୟାମନର ସମୀକ୍ଷା” । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବୀମା କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି ହୋଇଛି । ଦେଶର ସମସ୍ତ ବୀମା ଶିଳ୍ପ ଓ ଗ୍ରାହକଙ୍କ ଦୃଷ୍ଟିକୋଣରୁ କମିଟିର ସୁପାରିଶ ପ୍ରଶଂସନୀୟ । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ଦ୍ୱାରା ଗଠିତ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଦ୍ୱାରା ସରକାର ସମସ୍ତ ସମ୍ପୃକ୍ତ ହିତାଧିକାରୀଙ୍କ ସହିତ ଆଲୋଚନା କରିବା ଉଚିତ ଯାହା ଏକ ଉପଯୁକ୍ତ ନୀତି ଓ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବାରେ ସହଯୋଗ ହୋଇପାରିବ ।
ନିମ୍ନଲିଖିତ କେତେକ ପ୍ରମୁଖ ପ୍ରସଙ୍ଗ:
ସମସ୍ତ ବୀମା ବିଭାଗ ପାଇଁ ଏକକ ଲାଇସେନ୍ସ ଜରୁରୀ :- କମିଟି ସୁପାରିଶ କରିଛି ଯେ ବୀମା କମ୍ପାନୀଗୁଡ଼ିକୁ କମ୍ପୋଜିଟ୍ ଲାଇସେନ୍ସ ଅନୁମତି ଦିଆଯାଉ । ଯାହା ଏକ ବୀମାକାରୀଙ୍କୁ ଏକ ସଂସ୍ଥା ଅଧୀନରେ ଉଭୟ ଜୀବନ ଏବଂ ଅଣ-ଜୀବନ ବୀମାସେବା ପ୍ରଦାନ କରିବାକୁ ସକ୍ଷମ କରିବ । ଏପର୍ଯ୍ୟନ୍ତ ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (IRDAI)ର ନିୟମାବଳୀ ଏକ ସଂସ୍ଥା ଅଧୀନରେ ଏକତ୍ର ଜୀବନ ଏବଂ ଅଣ-ଜୀବନ ବୀମା ଉତ୍ପାଦ ନେବାକୁ ବୀମାକାରୀଙ୍କ ପାଇଁ କମ୍ପୋଜିଟ ଲାଇସେନ୍ସ ଅନୁମତି ଦେଉନାହିଁ । ଏକ କମ୍ପୋଜିଟ୍ ଲାଇସେନ୍ସ ବୀମା ସଂସ୍ଥାଗୁଡ଼ିକ ପାଇଁ ଖର୍ଚ୍ଚ ଏବଂ ଅନୁପାଳନ ଅସୁବିଧାକୁ ହ୍ରାସ କରିପାରେ । କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଏହି ସଂସ୍କାର ଗ୍ରାହକଙ୍କୁ ଅଧିକ ପସନ୍ଦ ଓ ମୂଲ୍ୟର ବିକଳ୍ପ ପ୍ରଦାନ କରିପାରିବ । ଯେପରିକି ଏହି ଏକକନୀତି ଜୀବନ, ସ୍ୱାସ୍ଥ୍ୟ ଓ ସଞ୍ଚୟକୁ ଅନ୍ତର୍ଭୁକ୍ତ କରି ଗୋଟିଏ ପଲିସି ଅଧୀନକୁ ଆଣିପାରିବ । ଯଦି ଏହି ପ୍ରସ୍ତାବକୁ ବାସ୍ତବ ରୂପ ଦିଆଯାଏ, ତେବେ ଗ୍ରାହକମାନେ କମ ପ୍ରିମିୟମ ଓ ସହଜରେ ଗୋଟିଏ ପ୍ରଦାନକାରୀଙ୍କ ସଂସ୍ଥା କିମ୍ବା କମ୍ପାନୀ ଠାରୁ ସମସ୍ତ ପ୍ରକାରର ବୀମା ପାଇବାକୁ ସକ୍ଷମ ହେବେ ।
ବୀମା ଏଜେଣ୍ଟମାନଙ୍କ ପାଇଁ ଖୋଲା ବ୍ୟବସ୍ଥା:- ଦେଶରେ ବୀମା ସେବା ବା ଯୋଜନାର ବ୍ୟାପକ ପ୍ରବେଶ ଓ ଅଧିକ ପ୍ରଭାବୀ ଭିତ୍ତିଭୂମି ସୁବିଧା ପାଇଁ ବୀମା ଏଜେଣ୍ଟମାନଙ୍କ ପାଇଁ ଏକ ଖୋଲା ବ୍ୟବସ୍ଥା ଅବଧାରଣା ପ୍ରଣୟନ କରିବାକୁ କମିଟି ସୁପାରିଶ କରିଛି । ଗ୍ରାହକଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୀମା ଏଜେଣ୍ଟମାନେ ଏକାଧିକ ବୀମା କମ୍ପାନୀ ସହିତ ଯୋଡି ହୋିପାରିବେ ।ବର୍ତ୍ତମାନର ନିୟମ ଅନୁସାରେ,ଜଣେ ବୀମା ଏଜେଣ୍ଟ ବୀମା ସ୍କିମ ଯୋଗାଣ ପାଇଁ ଏକ ଜୀବନ, ଏକ ଅଣ-ଜୀବନ ଓ ସ୍ୱାସ୍ଥ୍ୟ ବୀମା କମ୍ପାନୀ ସହିତ ଜଡିତ ହୋଇପାରିବାକୁ ଅନୁମତି ପ୍ରାପ୍ତ ।
‘ଜିଏସଟି’ ହାର ହ୍ରାସ କରିବାର ଆବଶ୍ୟକତା :- ବୀମା କେବଳ ଏକ ବ୍ୟବସାୟିକ ଉତ୍ପାଦ ନୁହେଁ ବରଂ ପ୍ରକୃତରେ ଏହା ମଧ୍ୟ ଏକ ସାମାଜିକ ସେବା । ବିଶେଷଜ୍ଞଙ୍କ ସହ ବୀମା କମ୍ପାନୀମାନେ ଦୀର୍ଘଦିନ ଧରି ଦ୍ରବ୍ୟ ଓ ସେବା କର (ଜିଏସଟି) ହାରରେ ହ୍ରାସ କରିବାକୁ ଦାବି କରିଆସୁଛି । ସ୍ୱାସ୍ଥ୍ୟ ବୀମା ପ୍ରିମିୟମ, ଟର୍ମ ଇନସୁରାନ୍ସ ଯୋଜନା ଓ ୟୁନିଟ-ଲିଙ୍କ ହୋଇଥିବା ବୀମା ଯୋଜନା ସହିତ ଆର୍ଥିକ ସେବା 18% ଜିଏସଟି ରହିଛି । କମିଟି ଅନୁଭବ କରିଛି ଯେ, ଅଧିକ ଜିଏସଟି ହାର ବୋଝ ପରିଣତ ହେବା ପରି ସମସ୍ୟା ସୃଷ୍ଟି କରିଛି । ଯାହା ଭାରତରେ ବୀମା ଯୋଜନା ବ୍ୟାପକ ହେବା କ୍ଷେତ୍ରରେ ଏକ ବଡ ପ୍ରତିବନ୍ଧକ ଭାବରେ ସାମ୍ନାକୁ ଆସିଛି । ସାଧାରଣ ଲୋକଙ୍କ ପାଇଁ ବୀମାକୁ ଏକ ସୁଲଭ ଦ୍ରବ୍ୟ ଭାବେ ସାମ୍ନାକୁ ଆଣିବା ପାଇଁ କମିଟି ସମସ୍ତ ବୀମା ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି ।
ସଡ଼କ ଦୁର୍ଘଟଣା ମାମଲାକୁ ବୀମାଭୁକ୍ତ କରିବା :- ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କିଛି ମାସ ମଧ୍ୟରେ ସାରା ଦେଶରେ ସଡକ ଦୁର୍ଘଟଣାରେ ପୀଡିତଙ୍କ ପାଇଁ କ୍ୟାସଲେସ ଚିକିତ୍ସା ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ବିଶ୍ୱରେ ସର୍ବାଧିକ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଭାରତରେ ହେଉଛି । ଏକ ସରକାରୀ ରିପୋର୍ଟ ଅନୁଯାୟୀ, ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରତି ଘଣ୍ଟାରେ 19 ଜଣ ପ୍ରାଣ ହରାଉଛନ୍ତି । 2022 ମସିହାରେ, ସାରା ଦେଶରେ 4.61 ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିଲା । ସେଥିମଧ୍ୟରୁ 1.68 ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ପରିପ୍ରେକ୍ଷୀରେ କମିଟି ସୁପାରିଶ ରଖିଛି ଯେ, ବହୁ ସଂଖ୍ୟକ ଯାନ, ବିଶେଷକରି ବାଣିଜ୍ୟିକ ଯାନ, କୌଣସି ବୀମା କଭର ବିନା ରାଜରାସ୍ତାରେ ଚଳପ୍ରଚଳ କରୁଛି । ଯାହା ସଡ଼କ ଦୁର୍ଘଟଣା ଓ କ୍ଷୟକ୍ଷତି ମାମଲାରେ ମାଲିକ ଏବଂ ତୃତୀୟ ପକ୍ଷଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ ।ତେଣୁ ଏହି ଦିଗକୁ ମଧ୍ୟ ବୀମାଭୁକ୍ତ କରାଯିବାର ଆବଶ୍ୟକତା ରହିଛି ।
(ଏହି ଆଲେଖ୍ୟ ଲେଖକଙ୍କର ନିଜସ୍ବ ମତ)