ହାଇଦ୍ରାବାଦ: ଗତବର୍ଷ (2023) ମେ’ ମାସରୁ ଅଶାନ୍ତ ହୋଇପଡିଛି ଉତ୍ତରପୂର୍ବ ରାଜ୍ୟ ମଣିପୁର । ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ହିଂସା ପ୍ରଶମିତ ହେବାର କୌଣସି ସଙ୍କେତ ଦେଖାଯାଉନି । ଏବେ ସୁଦ୍ଧା ମଧ୍ୟ ଦୈନିକ ହିଂସାକାଣ୍ଡ ଘଟିବାରେ ଲାଗିଛି । ବର୍ତ୍ତମାନ ସ୍ଥିତି ଆହୁରି ଜଟିଳ ହେବା ପରି ଅବସ୍ଥା ସୃଷ୍ଟି ହେଲାଣି । କାରଣ ଏହି ଜାତିଗତ ସଂଘର୍ଷରେ ଏବେ ଅତ୍ୟାଧୁନିକ ମାରଣାସ୍ତ୍ର ବ୍ୟବହାର ହେବାର ଖବର ମଧ୍ୟ ଆସିବାରେ ଲାଗିଛି । କିଛି ଘଟଣାର ରିପୋର୍ଟରେ ଡ୍ରୋନ ଏବଂ ରକେଟ୍ ପ୍ରପେଲଡ୍ ଗ୍ରେନେଡ୍ (RPGs) ସମେତ ଉନ୍ନତ ତଥା ଅତ୍ୟାଧୁନି ଅସ୍ତ୍ରଶସ୍ତ୍ରର ବ୍ୟବହାର ହୋଇଥିବା ମଧ୍ୟ ତଥ୍ୟ ପ୍ରକାଶ ପାଇଛି । ଯାହା ଚିନ୍ତାର କାରଣ ପାଲଟିଛି ।
- ବ୍ୟବହାର ହେଉଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର:-
ଚଳିତ ସେପ୍ଟେମ୍ବର ପହିଲାରେ, ଇମ୍ଫାଲ-ପଶ୍ଚିମ ଏରିଆରେ କୁକି ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଏକ ଡ୍ରୋନ୍ ଆକ୍ରମଣରେ ତିନିଜଣ ସୁରକ୍ଷାକର୍ମୀଙ୍କ ସମେତ ଏକାଧିକ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ପରେ ପରେ ମଣିପୁରର ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ଏକାଧିକ ସମାନଧରଣର ଆକ୍ରମଣ ଘଟଣା ସମ୍ନାକୁ ଆସିଛି । ଜାତୀୟ ନିରାପତ୍ତା ଦୃଷ୍ଟିରୁ ଏହି ହିଂସାକୁ ଦେଖିବାକୁ ଗଲେ, ଏହା ଅତି ବିପଜ୍ଜନକ ସ୍ଥିତିରେ ପହଞ୍ଚି ସାରିଲାଣି ଓ ଏହାର ପ୍ରଭାବଶାଳୀ ସମାଧାନର ଆବଶ୍ୟକତା ମଧ୍ୟ ନିଶ୍ଚିତ । ଅନ୍ୟ ଏକ ଘଟଣାକ୍ରମ ମଧ୍ୟ ବର୍ତ୍ତମାନ ସ୍ଥିତିରେ ଅନୁଭବ କରାଯାଇପାରେ । ହିଂସାର ମୂଳ କାରଣ ତଥା ସାମାଜିକ ପ୍ରତିକ୍ରିୟାକୁ ସମାଧାନ କରିବା ପରିବର୍ତ୍ତେ ହିଂସାରେ ଅସ୍ତ୍ରଶସ୍ତ୍ରର ଉତ୍ସ ଠାବ କରିବା ପାଇଁ ମୁଖ୍ୟତଃ ଧ୍ୟାନ ଦିଆଯାଉଛି । ଯାହା ହିଂସା ପ୍ରଶମିତ ନହେବାର ଏକ ପ୍ରମୁଖ କାରଣ ହୋଇପାରେ ।
- ସରକାରଙ୍କ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ !
ମୈତେଇ- କୁକି ବିବାଦ ମାମଲାରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ପର୍ଯ୍ୟାପ୍ତ ନୁହେଁ । ଆଇନ ଶୃଙ୍ଖଳା ପରିପ୍ରେକ୍ଷୀରେ ହିଂସାକୁ ରୋକିବା ପାଇଁ କର୍ଫ୍ୟୁ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ଭଳି ନିଷ୍ପତ୍ତି ନିଆଯାଉଛି । କୌଣସି ହିଂସକ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏହି କୌଶଳଗୁଡିକ ସାଧାରଣ ପାରମ୍ପରିକ ବୋଲି ବିଚାର କରାଯାଏ । ମାତ୍ର ଏହା ଦ୍ବାରା ଦ୍ୱନ୍ଦ୍ୱ ବା ହିଂସାର ମୂଳ ପ୍ରସଙ୍ଗ ଅପେକ୍ଷା ହିଂସାର ଲକ୍ଷଣଗୁଡିକୁ ସମାଧାନ ସମ୍ଭବପର ହୋଇଥାଏ । ଚଳିତବର୍ଷ ଜୁନ 29 ତାରିଖରେ ମୁଖ୍ୟମନ୍ତ୍ରୀ ବିରେନ ସିଂ ଦାବି କରିଥିଲେ ଯେ, ଏହି ବିବାଦର ଶୀଘ୍ର ସମାଧାନ ହେବ । ମାତ୍ର ସେପ୍ଟେମ୍ବର ମାସ ଆରମ୍ଭ ହେବା ମାତ୍ରେ ମଣିପୁରରେ ପୁଣି ନୂଆ ହିଂସା ସୃଷ୍ଟି ହେବା ଆରମ୍ଭ ହେଲା । ବ୍ୟାପକ ସୁରକ୍ଷା ବଳ ନିୟୋଜନ ସତ୍ତ୍ବେ ମଧ୍ୟ ବାରମ୍ବାର ଏକାଧିକ ହିଂସା ହେବା ଘଟଣା ମୁଖ୍ୟମନ୍ତ୍ରୀଙ୍କ ସମାଧାନ ଦାବି ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ହିଂସା ନିୟନ୍ତ୍ରଣକୁ ନଆସିବା ପଛରେ ଏକାଧିକ କାରଣ
ଅନ୍ୟ କିଛି କାରଣ ମଧ୍ୟ ଏହି ହିଂସାକୁ ବୃଦ୍ଧି କରିବା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପଡୋଶୀ ମିଆଁମାରରୁ ଭାରତୀୟ ସୀମାକୁ , କୁକିମାନଙ୍କ ଦ୍ବାରା ସମର୍ଥିତ ବେଆଇନ ଅନୁପ୍ରବେଶ, କୁକି ପ୍ରାଧାନ୍ୟ ଅଞ୍ଚଳରେ ଅଫିମ ଚାଷ କ୍ରମାଗତ ବୃଦ୍ଧି ପାଇବା ଏବଂ ଉଗ୍ରବାଦୀ ଗୋଷ୍ଠୀକୁ ଅସ୍ତ୍ର ଯୋଗାଉଥିବା ବାହ୍ୟ ସଂଗଠନକୁ ଚିହ୍ନିତ କରି ଏହା ବିରୋଧରେ ତ୍ବରାନ୍ବିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ତଥ୍ୟ ଓ ମୁକାବିଲା ରଣନୀତିରେ ବାସ୍ତବତା ରହିଛି, ତଥାପି ଏହି ଦିଗରେ ସରକାର ଗ୍ରହଣ କରୁଥିବା କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ ବୋଲି କେତେକାଂଶରେ ଅନୁମେୟ । ଜୁନ 4 ତାରିଖରୁ କେନ୍ଦ୍ରରେ ଆରମ୍ଭ ହୋଇଥିବା ବିଜେପି ନେତୃତ୍ବାଧୀନ ‘ଏନଡିଏ’-3 ସରକାରଙ୍କ 100 ଦିନିଆ ଯୋଜନା ମଧ୍ୟରେ ମଣିପୁରରେ ଶାନ୍ତି ନିଶ୍ଚିତ କରିବା ଓ ସଂଘର୍ଷର ସମାପ୍ତି ପାଇଁ ସଙ୍କଳ୍ପରେ ପହଞ୍ଚିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ବୀରେନ ସିଂ କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହାକୁ ନେଇ ତାଙ୍କୁ ସମାଲୋଚିତ ହେବାକୁ ପଡିଛି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବୀରେନ ଓ ବିଜେପି ଉପରେ ବର୍ଷିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଏହା ଏକ ‘ଅବଜେକ୍ଟ ଫେଲ୍ୟୁୟର’ । ଅନ୍ୟପଟେ ମଣିପରୁରେ ସିଭିଲ ସୋସାଇଟି ସଂଗଠନ ମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଭୂମିକାକୁ ଦ୍ବାନ୍ଦ୍ବାତ୍ମକ ଚକ୍ଷୁରେ ଦେଖୁଛନ୍ତି । ମଣିପୁରର ଅଖଣ୍ଡତା ସମନ୍ୱୟ କମିଟି (କୋକୋମି) କେନ୍ଦ୍ର ସରକାରଙ୍କୁ ‘ମଣିପୁରର ଆଦିବାସୀମାନଙ୍କୁ ବିନାଶ କରିବାରେ’ ଭୂମିକା ପାଇଁ ନିନ୍ଦା କରିଛନ୍ତି ।
ଉଭୟ ସମ୍ପ୍ରଦାୟ ମଧ୍ୟରେ ଆଲୋଚନାର ଅଭାବ:-
ଉଭୟ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ଆଲୋଚନା ପ୍ରକ୍ରିୟାରେ ମଧ୍ୟ ଅଭାବ ରହିଛି । ଶାନ୍ତି ଫେରାଇ ଆଣିବାକୁ ଲକ୍ଷ୍ୟ ରଖି ଆନ୍ତଃ-ସମ୍ପ୍ରଦାୟ କଥାବାର୍ତ୍ତା ଆରମ୍ଭ କରିବାକୁ ସର୍ବନିମ୍ନ ପ୍ରୟାସ କରାଯାଇଛି । କୁକି ସମ୍ପ୍ରଦାୟର ସର୍ବୋଚ୍ଚ ସଂସ୍ଥା ‘କୁକି ଇନପି’ ଜୁଲାଇ 2024ରେ ଘୋଷଣା କରିଥିଲା ଯେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଏବେ କୌଣସି ଶାନ୍ତି ଆଲୋଚନା ଚାଲିନାହିଁ । ଅଗଷ୍ଟ ପହିଲାରେ ଜିରାବାମ ଜିଲ୍ଲାର ହାମାର (ଏକ କୁକି ଉପ-ଗୋଷ୍ଠୀ) ଏବଂ ମୈତେଇ ସମ୍ପ୍ରଦାୟ ନେତାଙ୍କ ମଧ୍ୟରେ ଏକ ଶାନ୍ତି କଥାବାର୍ତ୍ତା ହୋଇଥିଲା, କିନ୍ତୁ ଏହା କୌଣସି ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଦେଇନଥିଲା । ଉଭୟ ପାର୍ଶ୍ୱରେ ଥିବା ସାମୁଦାୟିକ ସଂଗଠନଗୁଡ଼ିକ ସେମାନଙ୍କର ଦାବିକୁ ପୂରଣ କରିବା ଦିଗରେ ଗୁରୁତ୍ବାରୋପ କରୁଛନ୍ତି । ତେଣୁ ସମସ୍ୟା ପ୍ରଶମିତ ହେବାର ନାଁ ଧରୁନାହିଁ ।
- ସ୍ଥାନୀୟ ନିର୍ବାଚନ କରିବା ଜରୁରୀ:-
ସରକାର ଏହି ଗମ୍ଭୀର ପ୍ରସଙ୍ଗରେ ଏକ ନିଶ୍ଚିତ ଭାବରେ ଏକ ବ୍ୟାପକ ଆଭିମୁଖ୍ୟ ଗ୍ରହଣ କରିବା ଜରୁରୀ । ଯାହା ସୁରକ୍ଷା ବ୍ୟବସ୍ଥା ବାହାରେ ମଧ୍ୟ ପ୍ରଭାବୀ ଭାବେ କାର୍ଯ୍ୟ କରିବ । ମୈତେଇ, କୁକି ଏବଂ ନାଗା ସମୁଦାୟ ମଧ୍ୟରେ ରାଜନୈତିକ ପ୍ରତିନିଧିତ୍ୱରେ ଅସମାନତାକୁ ସମାଧାନ କରିବା, ପାହାଡ ଏବଂ ଉପତ୍ୟକା ଅଞ୍ଚଳ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବା, ସ୍ୱୟଂଶାସିତ ଜିଲ୍ଲା ପରିଷଦ (ADC) ପାଇଁ ନିର୍ବାଚନ କରିବା ପରି ନିଷ୍ପତ୍ତି ହୋଇପାରେ । ମଣିପୁରରେ ଶେଷ ନିର୍ବାଚିତ ADC ଗୁଡ଼ିକର କାର୍ଯ୍ୟକାଳ ନଭେମ୍ବର 2020 ରେ ଶେଷ ହୋଇଯାଇଥିଲା । ମଣିପୁରରେ 6ଟି ସ୍ୱୟଂଶାସିତ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ ଚାରି ବର୍ଷ ବିଳମ୍ବ ହୋଇଛି । ରାଜ୍ୟ ସରକାର ଏଡିସି ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି, କୁକି ଗୋଷ୍ଠୀ ଏହାକୁ ବର୍ଜନ କରିବାକୁ ଡାକରା ଦେଇଛି । ଏଭଳି ପରିସ୍ଥିତିରେ, ଏଡିସି ନିର୍ବାଚନରେ ସମ୍ପ୍ରଦାୟର ଲୋକମାନଙ୍କ ସର୍ବାଧିକ ଅଂଶଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଭାବୀ ପଦକ୍ଷେପ ନେବାକୁ ପଡିବ । ଏହା ବିବାଦର ସମାଧାନ ଦିଗରେ ଏଭଳି ପଦକ୍ଷେପ ହୋଇପାରେ ।
ସମ୍ପାଦକୀୟ...
ଲେଖକ ‘ଆଡଭାନ୍ସ ଷ୍ଟଡିଜ ଜାତୀୟ ସଂସ୍ଥାନ’ (NIAS) ବେଙ୍ଗାଲୁରୁର ସରକାରୀ ପ୍ରଧ୍ୟାପକ