ହାଇଦ୍ରାବାଦ: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ (MSMEs) ଅର୍ଥନୀତିର ମେରୁଦଣ୍ଡ । ମିଳିତ ଜାତିସଂଘ ଅନୁସାରେ, ଏମଏସଏମଇ ବୈଶ୍ବିକ ଅର୍ଥବ୍ୟବସ୍ଥାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ, ସାରା ବିଶ୍ବରେ ୯୦ ପ୍ରତିଶତ ବ୍ୟବସାୟ, ୬୦ରୁ ୭୦ ପ୍ରତିଶତ ରୋଜଗାର ଏବଂ ୫୦ ପ୍ରତିଶତ ଜିଡିପିରେ ଏହି କ୍ଷେତ୍ରର ଅବାଦନ ରହିଛି । MSME ଉଦୟମ ରେଜିଷ୍ଟ୍ରେସନ ପୋର୍ଟାଲ ଅନୁସାରେ, ୧୨ ଜୁଲାଇ ୨୦୨୪ ସୁଦ୍ଧା ଭାରତରେ ପ୍ରାୟ ୪.୭୦ କୋଟି ଏମଏସଏମଇ ଉଦ୍ୟୋଗ ପଞ୍ଜିକୃତ ହୋଇଛି, ଯାହା ମାଧ୍ୟମରେ ୨୦ କୋଟି ୩୩ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ମିଳିଛି ।
କେବଳ ଆନ୍ଧ୍ରପ୍ରଦେଶରେ ୮ ଲକ୍ଷ ୭୯ ହଜାର ୮୩୬ ଏବଂ ତେଲେଙ୍ଗାନାରେ ୯ ଲକ୍ଷ ୫୪ ହଜାର ୨୨୬ଟି ଏମଏସଏମଇ ରହିଛି । ସେଥିମଧ୍ୟରୁ ହାଇଦ୍ରାବାଦ ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୭୩ ହଜାର ୭୦୭ଟି ଏବଂ ମୁଲୁଗୁ ଜିଲ୍ଲାରେ ସର୍ବନିମ୍ନ ୩,୩୩୫ଟି ଏମଏସଏମଇ ପଞ୍ଜକୃତ ହୋଇଛି । ସେହିଭଳି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ସବୁଠୁ ଅଧିକ ୬୬ ହଜାର ୯୦୯ଟି ଏମଏସଏମଇ ୟୁନିଟ୍ କାର୍ଯ୍ୟ କରୁଛି ।
ଭାରତୀୟ ଅର୍ଥନୀତି, ନିଯୁକ୍ତି, ରପ୍ତାନୀ ଏବଂ ସାମଗ୍ରିକ ଅଭିବୃଦ୍ଧି ଓ ବିକାଶରେ ଏମଏସଏମଇ କ୍ଷେତ୍ରର ଯୋଗଦାନ ଉଲ୍ଲେଖନୀୟ । ଦେଶର ମୋଟ ଘରୋଇ ଉତ୍ପାଦ (GDP)ରେ ଏମଏସଏମଏଇ କ୍ଷେତ୍ରର ଯୋଗଦାନ ୩୦ ପ୍ରତିଶତ । ତେଣୁ ଭାରତ ସରକାର ଅର୍ଥବ୍ୟବସ୍ଥାରେ ଏହି କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ହୃଦୟଗମ କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ଆର୍ଥିକ ସହାୟତା, ସଂଗ୍ରହ ନୀତି, ବଜାର ବ୍ୟବସ୍ଥା ଭଳି ଅନେକ ପଦକ୍ଷେପ ଓ ଯୋଜନାମାନ ଗ୍ରହଣ କରିଛନ୍ତି । ଏସବୁ ସତ୍ତ୍ବେ ଟେକ୍ନୋଲୋଜି ମାଧ୍ୟମରେ ଏହି କ୍ଷେତ୍ରର ଆହୁରି ବିକାଶ ପାଇଁ ଅନେକ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
MSMEs ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରେଭଲ୍ୟୁସନ ୪.୦ (IR 4.0) ସହ ଅଧିକ ସୁଦୃଢ ହୋଇପାରିବ, ଯାହାକି ବିନିର୍ମାଣ ପ୍ରକ୍ରିୟାରେ ଡିଜିଟାଲ ଟେକ୍ନୋଲୋଜି, ଅଟୋମେସନ, ଡାଟା ଏକ୍ସଚେଞ୍ଜର ଏକକୀରଣ ଉପରେ କେନ୍ଦ୍ରିତ ଅଟେ । ଏହି ପରିବର୍ତ୍ତନକାରୀ ଧାରା ସାଇବର-ଫିଜିକାଲ ସିଷ୍ଟମ, ଇଣ୍ଟରନେଟ ଅଫ୍ ଥିଙ୍ଗସ୍ (IoT), କ୍ଲାଉଡ କମ୍ୟୁଟିଙ୍ଗ ଏବଂ ଆହୁରି ବହୁତ କିଛି ସାମିଲ୍ କରୁଛି । ବ୍ୟବସାୟରେ ଟେକ୍ନୋଲୋଜିର ଉପଯୁକ୍ତ ବ୍ୟବହାର ଦ୍ବାରା MSME ଏଣ୍ଟରପ୍ରାଇଜେକୁ ସଫଳତାର ଶିଖରକୁ ନିଆଯାଇପାରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ''ମୁଁ ଟେକ୍ନୋଲୋଜିକୁ ସଶକ୍ତିକରଣର ଏକ ମାଧ୍ୟମ ଏବଂ ଆଶା ଓ ସୁଯୋଗ ମଧ୍ୟରେ ଦୂରତା କମ୍ କରିଥିବା ସେତୁ ଭାବରେ ଦେଖୁଛି ।'' ୨୦୧୦ ଦଶକ ଆରମ୍ଭ ପରଠୁ ଭାରତରେ ଇଣ୍ଡଷ୍ଟ୍ରୀ ୪.୦ ଟେକ୍ନୋଲୋଜିକୁ ଗ୍ରହଣ କରିବାରେ ଧୀରେ ଧୀରେ ଗତିଶୀଳ ହେବାରେ ଲାଗିଛି । ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ର ବିନିର୍ମାଣ ଉଦ୍ୟୋଗର ଡିଜିଟାଲ ରୂପାନ୍ତିକରଣକୁ ଆଗକୁ ବଢାଇବାରେ ନିବେଶ ଏବଂ ପ୍ରୟାସ କରୁଛନ୍ତି । ମାତ୍ର ଏବେ ଯାଏଁ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଯାଇପାରି ନାହିଁ ।
ତେବେ ଆମେ ଇଣ୍ଡଷ୍ଟ୍ରୀ ୪.୦କୁ ପୁରାପୁରି ଗ୍ରହଣ କରିପାରି ନଥିବା ବଳେ ରୋବର୍ଟ ଏବଂ ସ୍ମାର୍ଟ ମେସିନଗୁଡିକ ସହ କାମ କରୁଥିବା ଲୋକଙ୍କ ସହାୟତା ପାଇଁ ଇଣ୍ଡଷ୍ଟ୍ରୀ ୫.୦ ଲାଗୁ ହୋଇସାରିଛି । ଏହି ରୋବର୍ଟ ଇଣ୍ଟରନେଟ ଅଫ୍ ଥିଙ୍ଗସ୍ (IoT) ଏବଂ ବିଗ୍ ଡାଟା ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ମଣିଷକୁ ଆହୁରି ଭଲ ଏବଂ ଦ୍ରୁତବେଗର କାର୍ଯ୍ୟ କରିବାରେ ସହାୟକ ହେବ । ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ହେଲେ ଏମଏସଏମଇଗୁଡିକୁ ଉଦୀୟମାନ ଟେକ୍ନୋଲୋଜିର ବ୍ୟବହାର କରିବାକୁ ହେବ, ଯଦ୍ବାରା ଏହାର ଦକ୍ଷତା ଏବଂ ଅଭିବୃଦ୍ଧି ହାସଲ ହୋଇପାରିବ ।
ଏମଏସଏମଇ କ୍ଷେତ୍ରର ରୂପାନ୍ତରଣରେ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଏବଂ ମେସିନ ଲର୍ଣ୍ଣିଂ (ML) ବଡ ଭୂମିକା ଗ୍ରହଣ କରୁଛି । ଏହି ଟେକ୍ନୋଲୋଜି ନିୟମିତ କାର୍ଯ୍ୟଗୁଡିକୁ ସ୍ବଂୟଚାଳିତ କରିଥାଏ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ । IoT ଟେକନିକ ଡିଭାଇସ ଏବଂ ସିଷ୍ଟମକୁ ଯୋଡିଥାଏ, ଯାହା ସାହାଯ୍ୟରେ ରିଅଲ ଟାଇମର ମନିଟରିଂ ଏବଂ ଡାଟା କଲେକ୍ସନ ସମ୍ଭବ ହୋଇଥାଏ । IoT ସେନସର ଠିକ୍ ସମୟରେ ଯେକୌଣସି ଯନ୍ତ୍ରିକ ତ୍ରୁଟିକୁ ଚିହ୍ନଟ କରି ଉତ୍ପାଦନ କାର୍ଯ୍ୟକୁ ସୁଗମ କରିଥାଏ । ସେହିପରି ବ୍ଲକଚେନ ଟେକ୍ନୋଲୋଜିକ ଟ୍ରାଞ୍ଜାକ୍ସନରେ ସ୍ବଚ୍ଛତା, ନିରାପତ୍ତା ଏବଂ ଦକ୍ଷତା ବଜାୟ ରଖିବାରେ କାମ କରେ । ଏହା ବିଶେଷକରି ଡିଜିଟାଲ ଟ୍ରାଞ୍ଜାକ୍ସନରେ ବିଶ୍ବସନୀୟତା ବୃଦ୍ଧି କରିଥାଏ ।
ସମ୍ପ୍ରତ୍ତି ଲୋକମାନେ କିଣାକିଣି ପାଇଁ ବାହାରକୁ ଯିବା ଅପେକ୍ଷା ଅନଲାଇନ ସପିଂକୁ ଅଧିକ ପସନ୍ଦ କରୁଛନ୍ତି । ଫଳରେ ଏମଏସଏମଇଗୁଡିକ ନୂଆ ବଜାରରେ ପ୍ରବେଶ କରିବା ଏବଂ ନିଜର କାୟା ବିସ୍ତାର କରିବାରେ ଇ-କମର୍ସ ପ୍ଲାଟଫର୍ମକୁ ମାଧ୍ୟମ କରୁଛନ୍ତି । ଅଧିକ ଉନ୍ନତି ପାଇଁ ଏମଏସଏମଇଗୁଡିକ ନିଜ ଡିଜିଟାଲ କ୍ଷମତାର ଆକଳନ କରିବା ଦରକାର । ଇ-କମର୍ସ ଅନଲାଇନ ମାର୍କେଟିଂ ଏବଂ ଡେଟା ପରିଚାଳନାରେ ତ୍ରୁଟିକୁ ଖୋଜି ଆଗାମୀ ଯୋଜନା ପ୍ରସ୍ତୁତ କରିବା ସହ ସଫ୍ଟୱେୟାର, ଉପକରଣ, ଯନ୍ତ୍ରପାତି, କମ୍ ବ୍ୟୟବହୁଳ କ୍ଲାଉଡ ସଲ୍ୟୁସନ ପାଇଁ ସମ୍ବଳ ବଣ୍ଟନ କରିବା ଉଚିତ୍ ।
ଏମଏସଏମଇ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଇନୋଭେସନ ବା ନବସୃଜନର ଆବଶ୍ୟକତା ରହିଛି । ଏହା ସେମାନଙ୍କୁ ଅନ୍ୟଠୁ ଭିନ୍ନ କରିବା, ଗ୍ରାହକଙ୍କୁ ଆକର୍ଷିତ କରିବା ଏବଂ ପ୍ରତିଯୋଗୀମାନଙ୍କ ଠାରୁ ଆଗରେ ରହିବାରେ ସାହାଯ୍ୟ କରିଥାଏ । ଏଥିସହ ନୂତନ ଟେକ୍ନୋଲୋଜି ଏବଂ ଟ୍ରେଣ୍ଡ ବ୍ୟବହାର କରି ବୃଦ୍ଧି ହାସଲରେ ସହାୟକ ହୋଇଥାଏ । ଅଧିକାଂଶ ଏମଏସଏମଇଗୁଡିକ ଆବଶ୍ୟକ ଜ୍ଞାନ ଏବଂ ବୁଝାମଣାର ଅଭାବ କାରଣରୁ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରିବାକୁ ପଛଘୁଞ୍ଚା ଦେଇଥାନ୍ତି, ଯାହାକି ସଂସ୍ଥାର ସାମଗ୍ରିକ ଲାଭକୁ ପ୍ରଭାବିତ କରିଥାଏ ।
ତେଣୁ ଅଭିବୃଦ୍ଧି ପାଇଁ ଏଣ୍ଟରପ୍ରାଇଜେଗୁଡିକୁ ନୂତନ ଟେକ୍ନୋଲୋଜିକୁ ବୁଝିବାକୁ ପଡିବ ଏବଂ ନିଜର କର୍ମଚାରୀଙ୍କୁ ଏଥିରେ ଦକ୍ଷ କରିବାକୁ ହେବ । ସେହିପରି ସରକାର ମଧ୍ୟ ଟେକ୍ନୋଲୋଜିର ବ୍ୟବହାର ଦ୍ବାରା ହେଉଥିବା ଲାଭ ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ସଚେତନ କରିବା ଆବଶ୍ୟକ । ଭାରତ ସରକାରଙ୍କ ସହଯୋଗରେ ରାଜ୍ୟ ସରକାରମାନେ ଏମଏସଏମଇର ବିକାଶ ପାଇଁ ନୂଆ ବାଟ ଖୋଜିବା, ପରିଚାଳନା ଦକ୍ଷତା ବଢାଇବା ଏବଂ ବଜାର ପ୍ରତିଦ୍ବନ୍ଦିତା ବଜାୟ ରଖିବାରେ ସହାୟତା କରିବା ଦରକାର ।