ଲେଖକ:- ଡକ୍ଟର ରାଭେଲା ଭାନୁ କ୍ରିଷ୍ଣା କିରଣ
ହାଇଦ୍ରାବାଦ: ନିକଟରେ ଆଗତ ହୋଇଛି ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ । ପ୍ରତିରକ୍ଷା ବିଭାଗକୁ ମିଳିଛି ୬, ୨୧, ୫୪୦. ୮୫ କୋଟି ଟଙ୍କା । ଯାହାକି ପୂର୍ବ ବର୍ଷ ତୁଳନାରେ ୫.୯୩ ଲକ୍ଷ କୋଟି ଅଧିକ ରହିଛି । ଏହା ମୋଟ୍ ବଜେଟର ୧୩.୦୪ % ଅଧିକ ରହିଛି । ଦେଶର ପ୍ରତିରକ୍ଷା କ୍ଷେତ୍ର ଆହୁରି ମଜବୁତ ହେବ ବୋଲି ସୂଚାଉଛି ଚଳିତ ବର୍ଷର ବଜେଟ୍ । ୨୦୨୪-୨୫ ବର୍ଷ ତୁଳନାରେ ପ୍ରତିରକ୍ଷା କ୍ଷେତ୍ରରେ ଚଳିତ ବର୍ଷ ୧୮.୩୫% ଅଧିକ ବ୍ୟୟବରାଦ ହୋଇଛି । ଆଉ ୨୦୨୨-୨୩ ତୁଳନାରେ ଏହା ୪.୭୨% ଅଧିକ ରହିଛି ।
ପ୍ରତିରକ୍ଷା ବଜେଟକୁ ୪ ଭାଗରେ ବିଭକ୍ତ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ (MoD)ର ସିଭିଲ ଏକ୍ସପେନଡିଚର, କ୍ୟାପିଟାଲ ଏକ୍ସପେନଡିଚର, ପେ ଆଣ୍ଡ ଆଲାଉନସେସ ଏବଂ ଡିଫେନ୍ସ ପେନସନ । ତେବେ ପ୍ରତିରକ୍ଷା ବଜେଟର ବ୍ୟବବରାଦରୁ ନାଗରିକ ସଂଗଠନ କ୍ଷେତ୍ରରେ ୧୪.୮୨% ଖର୍ଚ୍ଚ କରାଯିବ । ସେହିପରି ଅସ୍ତ୍ରଶସ୍ତ୍ରର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଏଥିରୁ ଖର୍ଚ୍ଚ କରାଯିବ । ନୂଆ ଆସ୍ତ୍ରଶସ୍ତ୍ର କିଣିବା ପାଇଁ ୨୭.୭୭% ଧାର୍ଯ୍ୟ କରାଯିବ । ପ୍ରତିରକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ବେତନ ବାବଦକୁ ୩୦.୬୮% ଖର୍ଚ୍ଚ ହେବାକୁ ଥିବାବେଳେ ସେମାନଙ୍କ ପେନସନ ପାଇଁ ୨୨.୭୨% ଖର୍ଚ୍ଚ ହେବା ନେଇ ଲକ୍ଷ୍ୟ ରହିଛି ।
ଯୁଦ୍ଧାସ୍ତ୍ରର ଆଧୁନିକୀକରଣ ବା ନୂତନ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ପାଇଁ ଖର୍ଚ୍ଚ ହେବାକୁ ଥିବା ଅର୍ଥ ୨୦୨୩-୨୪ ବର୍ଷର ବ୍ୟୟବରାଦ ତୁଳନାରେ ଅଧିକ ରହିଛି । ଚଳିତ ଅନ୍ତରୀଣ ବଜେଟରେ କ୍ୟାପିଟାଲ ଏକ୍ସପେନଡିଚରରୁ ୧.୭୨ ଲକ୍ଷ କୋଟି ସେନା ପାଇଁ ଖର୍ଚ୍ଚ ହେବ । ସେହିପରି ବିମାନ ଓ ଏରୋ ଇଞ୍ଜିନ ପାଇଁ ପ୍ରତିରକ୍ଷା ସେବା ପୁଞ୍ଜି ବିନିଯୋଗର ପରିମାଣ ରହିଛି ୪୦ ହଜାର ୭୭୭କୋଟି । ସେହିପରି ଅନ୍ୟାନ୍ୟ ଉପକରଣ ପାଇଁ ସମୁଦାୟ ୬୨ ହଜାର ୩୪୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ମୋଟ୍ ରାଜସ୍ବ ବ୍ୟୟ ୪ ଲକ୍ଷ ୩୯ ହଜାର ୩୦୦ କୋଟି ଥିବାବେଳେ ସେଥିମଧ୍ୟରୁ ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପେନସନ ପାଇଁ ୧ ଲକ୍ଷ ୪୧ ହଜାର ୨୦୫ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରତିରକ୍ଷା ସେବା ପାଇଁ ୨ ଲକ୍ଷ ୮୨ ହଜାର ୮୨ ହଜାର କୋଟି ଏବଂ MoD ଅଧୀନରେ ଥିବା ନାଗରିକ ସଂଗଠନ ପାଇଁ ଖର୍ଚ୍ଚ ହେବ ୧ ଲକ୍ଷ ୯୨ ହଜାର ୬୮୦ କୋଟି ଟଙ୍କା । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତୀୟ ସେନା ପାଇଁ ରାଜସ୍ବ ବ୍ୟୟ ୧ ଲକ୍ଷ ୯୨ ହଜାର ୬୮୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ସେଥି ମଧ୍ୟରୁ ନୌସେନା ପାଇଁ ୩୨ ହଜାର ୭୭୮ କୋଟି ଓ ବାୟୁସେନା ପାଇଁ ୪୬ ହଜାର ୨୨୩ କୋଟି ଟଙ୍କା ବ୍ୟୟ କରାଯିବ । ୨୦୨୩-୨୪ ତୁଳନାରେ ଏଥର ରାଜସ୍ବ ଖର୍ଚ୍ଚରେ ବୃଦ୍ଧି ଘଟିଛି ।
ଦୀର୍ଘ ଦିନ ହେବ ଭାରତ-ଚୀନ୍ ସୀମାରେ ସଂଘର୍ଷ ଜାରି ରହିଥିବାରୁ 2024-25 ବର୍ଷ ପାଇଁ ସୀମାକୁ ସୁଦୃଢ କରିବା ଦିଗରେ ଫୋକସ ଦିଆଯାଇଛି । ଏଥିପାଇଁ ୬ ହଜାର ୫୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯାହାକି ୨୦୨୩-୨୪ ବର୍ଷ ତୁଳନାରେ ୩୦% ଅଧିକ ଓ ୨୦୨୧-୨୨ ତୁଳନାରେ ୧୬୦ % ଅଧିକ । ସେହିପରି ସୀମାନ୍ତ ଅଞ୍ଚଳରେ ଭିତ୍ତିଭୂମି ବିକାଶ ଦିଗରେ ଗୁରୁତ୍ବ ଦିଆଯାଇଥିବାବେଳେ ଲଦାଖ ସ୍ଥିତ ନିଓମା ଏୟାରଫିଲଡ ପାଇଁ ୧୩ ହଜାର ୭୦୦ ଫୁଟର ବ୍ରିଜ ନିର୍ମାଣ ହେବ । ଯାହାକି ଭାରତର ଦକ୍ଷିଣ ଭାଗ ସହିତ ସେତୁ ଆଣ୍ଡାମାନ ଏବଂ ନିକୋବରରୁ ଆରମ୍ଭ କରି ହିମାଚଳ ପ୍ରଦେଶର ସିଙ୍କୁ ଲା ଟନେଲ ଏବଂ ଅରୁଣାଚଳର ପ୍ରଦେଶର ନେଚିଫୁ ଟନେଲକୁ ସଂଯୋଗ କରିବ ।
୨୦୨୪-୨୫ ବର୍ଷ ପାଇଁ ଇଣ୍ଡିଆନ କୋଷ୍ଟ ଗାର୍ଡ (ICG)କୁ ଆବଣ୍ଟନ କରାଯାଇଥିବା ଅର୍ଥର ପରିମାଣ ହେଉଛି ୭, ୬୫୧.୮୦ କୋଟି ଟଙ୍କା । ଯାହାକି ୨୦୨୩-୨୪ରେ ଆବଣ୍ଟନ କରାଯାଇଥିବା ଅର୍ଥ ତୁଳନାରେ ୬.୩୧ ପ୍ରତିଶତ ଅଧିକ । ଏହାସହ ପାଟ୍ରୋଲିଂରେ ବ୍ୟବହୃତ ଦ୍ରୁତ ଗତି ଯାନ ଏବଂ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ୩ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । 'ଆତ୍ମ ନିର୍ଭର ଭାରତ' ଅଭିଯାନକୁ ପ୍ରୋତ୍ସାହିତ କରୁଥିବା କମ୍ପାନୀ ଗୁଡ଼ିକୁ ଅଧିକରୁ ଅଧିକ ଋଣ ଯୋଗାଇ ଦିଆଯିବ । କୃତ୍ରିମ ବୁଦ୍ଧିମତା, ମହାକାଶ ବିଜ୍ଞାନ ଏବଂ ରସାୟିକ ବିଜ୍ଞାନ ଆଦି କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ଦିଗରେ ଗୁରୁତ୍ବ ଦିଆଯିବ । ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ନୂଆ କରି ଘୋଷଣା ହୋଇଥିବା ଏହି ଯୋଜନା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ଅଶୋକ ଲେ ଲ୍ୟାଣ୍ଡ ଲିମିଟେଡ୍, ଜେନ ଟେକ୍ନୋଲୋଜିସ ଲିମିଟେଡ୍, ମାଜାଗନ୍ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ଏବଂ ଅନ୍ୟାନ୍ୟ ଷ୍ଟକର ବିକାଶ ଦିଗରେ ସହାୟକ ହୋଇପାରେ ।
ଏହା ମଧ୍ୟ ପଢନ୍ତୁ...କମୁଛି ବହୁମୁଖୀ ଦାରିଦ୍ର୍ୟତା ନା ବଢୁଛି ଅର୍ଥନୈତିକ ଅସମାନତା ?
2024-25 ଆର୍ଥିକ ବର୍ଷରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)କୁ ହୋଇଥିବା ବ୍ୟୟବରାଦ 23 ହଜାର 855 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହାକି 2023-24 ରେ 23,263.89 କୋଟି ଟଙ୍କା ରହିଥିଲା । ଡେଭଲପମେଣ୍ଟ-କମ୍-ପ୍ରଡକ୍ସନ-ପାର୍ଟନର (DcPP) ପାଇଁ ଟେକ୍ନୋଲୋଜି ଡେଭଲପମେଣ୍ଟ ଫଣ୍ଡ (TDP) ସ୍କିମ୍ ବାବଦକୁ 60 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯାହା ନୂତନ ଷ୍ଟାର୍ଟ ଅପ୍, ଏମଏସଏମଇ ତଥା DRDO ସହଯୋଗରେ ନୂତନ ଡିଫେନ୍ସ ଟେକ୍ନୋଲୋଜିର ବିକାଶ ପାଇଁ ଆଗ୍ରହୀ ଯୁବକମାନଙ୍କୁ ଆକର୍ଷିତ କରିବା ଦିଗରେ ସହାୟକ ହେବ ।
ଯଦିଓ ପ୍ରତିରକ୍ଷା କ୍ଷେତ୍ରରେ ଆଖିଦୃଶିଆ ବ୍ୟୟବରାଦ ହୋଇଛି ତଥାପି ଭୌଗଳିକ ଦୃଷ୍ଟିକୋଣ ତଥା ମିଲିଟାରୀ ମଡର୍ଣ୍ଣନାଇଜେସନ ବା ସାମରିକ ଆଧୁନୀକିକରଣ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ । ଭାରତ-ଚୀନ ମଧ୍ୟରେ ବିବାଦ ଥିବାବେଳେ ଚୀନର ସାମରିକ ଖର୍ଚ୍ଚ ଓ ଭାରତର ଖର୍ଚ୍ଚ ମଧ୍ୟରେ ଆକାଶ ପାତାଳ ତଫାତ୍ । ତେବେ ବର୍ଦ୍ଧିତ ବଜେଟ୍ ଆବଣ୍ଟନ ସଶସ୍ତ୍ର ବାହିନୀକୁ ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧ ଜାହାଜ ଏବଂ ଅନ୍ୟାନ୍ୟ ସାମରିକ ହାର୍ଡୱାର ବୃଦ୍ଧି କରିବା ଦିଗରେ ସହାୟକ ହେବ ନିଶ୍ଚୟ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଘରୋଇ ଶିଳ୍ପକୁ ବୃଦ୍ଧି କରିବାର ସମ୍ଭାବନା ରହିଛି ଏବଂ ବିଦେଶୀ ଉତ୍ପାଦକମାନଙ୍କୁ ଭାରତ ପ୍ରତି ଆକର୍ଷିତ କରିବାକୁ ହେବ । ଏହାସହ ଭବିଷ୍ୟତରେ, ପେନସନ ଖର୍ଚ୍ଚକୁ ହ୍ରାସ କରି ସ୍ବଳ୍ପ ମିଆଦି ଡ୍ୟୁଟି ସ୍କିମ୍ ‘ଅଗ୍ନିପଥ’ ଦ୍ବାରା ଆଉ କିଛି ପାଣ୍ଠି ସୃଷ୍ଟି କରାଯିବାର ସମ୍ଭାବନା ରହିଛି ।