ହାଇଦ୍ରାବାଦ: ବାଂଲାଦେଶରେ ହିଂସକ ଆନ୍ଦୋଳନ କାରଣରୁ ପଦ ଛାଡିବାକୁ ବାଧ୍ୟ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକାର ଏକ ବାୟୁସେନା ଘାଟିରୁ ଭାରତ ଅଭିମୁଖେ ଉଡାଣ ଭରିଲେ । ସେ ତ୍ରିପୁରାରେ ଅବତରଣ କରିବେ ବୋଲି ଆଶା କରାଯାଇଥିଲେ ସୁଦ୍ଧା ସେ ସିଧାସଳଖ ଦିଲ୍ଲୀ ଉପକଣ୍ଠ ହିଣ୍ଡନ ଏୟାରବେସରେ ଅବତରଣ କରିଥିଲେ । ଏହି ଘଟଣାକୁ ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ବିତି ସାରିଲାଣି । ହସିନା ଏବେ ଭାରତରେ ଅଛନ୍ତି । ତେବେ ଯେଉଁପରି ଭାବେ ଛାତ୍ର ଆନ୍ଦୋଳନ ଗୋଟିଏ ଦେଶର ନିର୍ବାଚିତ ସରକାରଙ୍କ କ୍ଷମତା ପରିବର୍ତ୍ତନ କରିଦେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାତ୍ର ଏହାକୁ ଭିନ୍ନ ଢଙ୍ଗରେ ମଧ୍ୟ କିଛି ବୁଦ୍ଧିଜୀବୀ ଦେଖୁଛନ୍ତି । ବାଂଲାଦେଶରେ ସୃଷ୍ଟି ହୋଇଥିବା ସ୍ଥିତି ରୋକାଯାଇ ପାରିଥାନ୍ତା ବୋଲି ମଧ୍ୟ କେତେକାଂଶରେ ମତ ମଧ୍ୟ ପ୍ରକାଶ ପାଉଛି ।
ଆମେରିକା ବିରୋଧରେ ହସିନାଙ୍କ ଅଭିଯୋଗ:-
ବାଂଲାଦେଶ ଉପକୂଳରେ ବଙ୍ଗୋପସାଗରରେ ଥିବା ଏକ ଦ୍ୱୀପକୁ ବ୍ୟବହାର କରିବାକୁ ଅନୁମତି ଦେବାକୁ ଆମେରିକା ସରକାର ବାଂଲାଦେଶ ଉପରେ ଚାପ ପକାଉଥିଲା ଓ ସେହି କାରଣରୁ ଆମେରିକା ତାଙ୍କ ସରକାର ଭାଙ୍ଗିଲା ବୋଲି ହସିନା ଏକ ମନ୍ତବ୍ୟ ଦେଇଥିଲେ । ମାତ୍ର ଏହାକୁ ଆମେରିକାରେ ଥିବା ତାଙ୍କ ପୁଅ ସାଜିବ ୱାଜେଦ ପରବର୍ତ୍ତୀ ସମୟରେ ଖଣ୍ଡନ କରିଥିଲେ । ତେବେ ବାଂଲାଦେଶରେ ହସିନା ଗାଦିଚ୍ୟୁତ ହେବା ଘଟଣାରେ ସମଗ୍ର ବିଶ୍ବ ମଧ୍ୟ ଭାରତର ଭୂମିକାକୁ ଦେଖୁଛି । କାରଣ 1975 ମସିହା ପରେ ଭାରତ ଢାକାରେ ସବୁଠାରୁ ବଡ ଗୁଇନ୍ଦା ଅପରେସନ ଜାରି ରଖିଥିବା କିଛି ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ ହୋଇଛି । ଭାରତର ଅନ୍ତର୍ଜାତୀୟ ଗୁଇନ୍ଦା ଏଜେନ୍ସି ‘ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ’ (R & AW) ଢାକାରେ ଏହି ଅପରେସନରେ ନିୟୋଜିତ ରହିଛି । ବାଂଲାଦେଶରେ 1975 ପରି ସ୍ଥିତି ସୃଷ୍ଟି ନହେବା ପାଇଁ ଭାରତ ଏହି ମିଶନ ଜାରି ରଖିଥିବା ଚର୍ଚ୍ଚା ହୁଏ । କାରଣ ବାଂଲାଦେଶରେ ସ୍ଥିର ସରକାର ବଜାୟ ରହିବା ଭାରତ ପାଇଁ ନିହାତି ଜରୁରୀ ।
କେମିତି ସୁରକ୍ଷିତ ଦେଶ ଛାଡିଲେ ହସିନା ?
1971ରେ ଭାରତ ସହଯୋଗରେ ବାଂଲାଦେଶ ସ୍ବାଧୀନତା ହାସଲ କରିଥିଲା 1975 ରେ ହାସିନାଙ୍କ ବାପା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ସେଖ ମୁଜିବୁର ରେହମାନଙ୍କ ସମେତ ତାଙ୍କ ପରିବାର ମୋଟ 17ଜଣଙ୍କୁ ହତ୍ୟା କରାଯାଇଥିଲା । ସେତେବେଳେ ହସିନା ଓ ତାଙ୍କ ଭଉଣୀ ବିଦେଶରେ ଥିବା କାରଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦେଶରେ ହିଂସକ କ୍ଷମତା ପରିବର୍ତ୍ତନର ପରମ୍ପରା ରହିଥିଲେ ସୁଦ୍ଧା ହସିନା ବିନା କୌଣସି ଆଘାତରେ ଢାକା ଛାଡି ଦିଲ୍ଲୀରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି । ବାଂଲାଦେଶର ରାଜନୈତିକ ସ୍ଥିତିରେ ନଜର ରଖୁଥିବା କିଛି ବ୍ୟକ୍ତିବିଶେଷ ଏହି ଘଟଣାରେ ଆମେରିକାର ଷଡଯନ୍ତ୍ର ଅଭିଯୋଗରେ ସତ୍ୟତା ଥିବା ପରି ମଧ୍ୟ ଅନୁଭବ କରୁଛନ୍ତି ।
ହସିନାଙ୍କ ଦେଶରୁ ତଡିବା ପାଇଁ ହୋଇଥିଲା ଡିଲ୍:-
ହସିନାଙ୍କୁ ବିନା କୌଣସି ଆଘାତରେ କ୍ଷମତାରୁ ହଟାଇବା ଓ ପରେ ଦେଶରୁ ବିତାଡିତ କରିବା ପାଇଁ କୌଣସି ଡିଲ ହୋଇଥିଲା କି ? ତାହା ବର୍ତ୍ତମାନ ସମୟର ବଡ ପ୍ରଶ୍ନ । ଯାହାର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଅନ୍ୟପଟେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ହସିନା ପଦରୁ ଇସ୍ତଫା ଦେବାକୁ ଚାହୁଁନଥିଲେ । ସେନା ଦ୍ବାରା ଆନ୍ଦୋଳନକୁ ପ୍ରଶମିତ କରାଯାଇପାରିବ ବୋଲି ସେ ଚିନ୍ତା କରିଥିଲେ । ହେଲେ ତାଙ୍କ ଆଦେଶ ସେନା ପାଳନ କରିନଥିଲା । ଅନ୍ୟ କିଛି ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଢାକାରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ସେତେ ଅଧିକ ନଥିଲା, ଯେତେ ଦେଖାଯିବାକୁ ପ୍ରାୟସ କରାଯାଇଥିଲା । କିନ୍ତୁ ଏହାକୁ ବିଭିନ୍ନ ଗଣମାଧ୍ୟମରେ ଅତିରଞ୍ଜିତ ଭାବେ ପ୍ରସାରଣ କରାଯାଇଥିଲା । ଆନ୍ଦୋଳନକାରୀମାନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛନ୍ତି ବୋଲି ପ୍ରାୟୋଜିତ ଖବର ପରିବେଷଣ କରାଯାଇଥିବା ମଧ୍ୟ କେତାକାଂଶରେ ମତ ପ୍ରକାଶ ପାଇଥିଲା ।
1971 ରେ ଆମେରିକାର ଭୂମିକା:-
ତେବେ 1971 ରେ ବାଂଲାଦେଶ ମୁକ୍ତି ସଂଗ୍ରାମ ବେଳେ ମଧ୍ୟ ଆମେରିକାର ଭୂମିକାକୁ କିଛି ଲୋକେ ବର୍ତ୍ତମାନ ସ୍ଥିତିରେ ମନେ ପକାଇବାକୁ ବାଧ୍ୟ ହେଉଛନ୍ତି । କାରଣ ସେତେବେଳେ ବାଂଲାଦେଶକୁ ସମର୍ଥନ କରୁଥିବା ଭାରତକୁ ଭୟଭୀତ କରିବା ପାଇଁ ଆମେରିକା ନୌସେନା ବଙ୍ଗୋପସାଗରରେ ମଧ୍ୟ ପ୍ରବେଶ କରିଥିଲା । ଭାରତୀୟ ସେନା ପୂର୍ବ-ପାକିସ୍ତାନ (ବାଂଲାଦେଶ)ରେ ପ୍ରବେଶ ନକରିବା ପାଇଁ ଆମେରିକା ବଙ୍ଗୋପସାଗରରେ ଏକ ବିଶାଳ ଏୟାରକ୍ରାଫ୍ଟ କ୍ୟାରିୟର ମୁତୟନ କରିଥିଲା । ମାତ୍ର ଭାରତ ସ୍ଥିତିର ସମ୍ମୁଖୀନ ହେବାକୁ ସକ୍ଷମ ହୋଇଥିଲା । ପାକିସ୍ତାନ ସେନାକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଦେଇଥିଲା । ଫଳରେ ବାଂଲାଦେଶକୁ ସ୍ବାଧୀନତା ମିଳିବା ସମ୍ଭବ ହେଲା ।
1971 ରେ ବାଂଲାଦେଶର ମୁକ୍ତି ସଂଗ୍ରାମ ବଙ୍ଗୀୟ- ଇସଲମୀୟ ସଂସ୍କୃତିକୁ ରକ୍ଷା କରିବା ପାଇଁ ଏକ ରକ୍ତକ୍ତ ସଂଘର୍ଷ ଥିଲା । ଯେଉଁଥିରେ ପାକିସ୍ତାନ, ସଙ୍କୀର୍ଣ୍ଣ ମୌଳବାଦୀ ବିଚାର ସହ ପୂର୍ବ-ପାକିସ୍ତାନକୁ ଦମନମୂଳକ ନୀତି ସହ ବାନ୍ଧି ରଖିବାକୁ ଚାହୁଁଥିଲା । ହେଲେ ମାତ୍ର ତାହା ସମ୍ଭବପର ହୋଇନଥିଲା । ବାଂଲାଦେଶ ସ୍ବତନ୍ତ୍ର ଦେଶ ଭାବେ ଦୀର୍ଘ ଲଢେଇ ପରେ ଆତ୍ମପ୍ରକାଶ କରିଥିଲା ।
ସ୍ୱାଧୀନତା ଆନ୍ଦୋଳନର ପ୍ରତୀକଗୁଡ଼ିକର ଭଙ୍ଗାରୁଜା:
ବିଭିନ୍ନ ସ୍ଥାନରେ ସ୍ବାଧୀନତା ଆନ୍ଦୋଳନ ସହ ସମ୍ପୃକ୍ତ ଥିବା ସ୍ମାରକୀଗୁଡିକୁ ଭଙ୍ଗାରୁଜା କରାଯାଇଛି । ବଙ୍ଗବନ୍ଧୁ ମୁବିଜୁର ରେହମାନଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଇଥିଲା । 1971ରେ ଭାରତୀୟ ସେନା ନିକଟରେ ପାକିସ୍ତାନୀ ଆର୍ମି ଆତ୍ମସମର୍ପଣ କରିବାର ପ୍ରତିମୂର୍ତ୍ତିକୁ ମଧ୍ୟ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିଥିଲେ । ପ୍ରାୟ 20ବର୍ଷ ପୂର୍ବରୁ ମଧ୍ୟ ବାଂଲାଦେଶରେ ବିଶ୍ବକବି ରବିନ୍ଦନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା । ଘଟଣାକ୍ରମ ଯାହାବି ହେଉନା କାହିଁକି ଏହା ଭାରତ ପାଇଁ ଏକ ଗମ୍ଭୀର ବିଷୟ । କାରଣ ବାଂଲାଦେଶର ଅସ୍ଥିରତା ସିଧାସଳଖ ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ପ୍ରଭାବିତ କରିବ । ଧର୍ମ ନିରପେକ୍ଷ ମୂଲ୍ୟବୋଧ ପ୍ରତି ବଂଲାଦେଶ ବର୍ତ୍ତମାନ ଏକ ସଙ୍କଟ ଭାବେ ସାମ୍ନାକୁ ଆସିଛି । ଏହାର ପ୍ରଭାବ ଭାରତରେ ମଧ୍ୟ ପଡିବ ।
ସମ୍ପାଦକୀୟ...