ବର୍ତ୍ତମାନ ଶୀତ ଦିନ ଯୋଗୁଁ ଅଧିକାଂଶ ଲୋକେ କେଶ ସମସ୍ୟାକୁ ନେଇ ଚିନ୍ତିତ । ସାଧାରଣତଃ କେଶ ଝଡିବା ଓ ରୁପି ଏକ ବଡ ସମସ୍ୟା ଭାବେ ଦେଖାଯାଉଛି । କାରଣ ଶୀତ ଦିନେ ତାପମାତ୍ରା ଓ ଆର୍ଦ୍ରତା କମିବା ଯୋଗୁଁ ତ୍ବଚା ଶୁଷ୍କ ଓ ରୁକ୍ଷ ହୋଇଯାଏ । ଯେଉଁ କାରଣରୁ କେଶ ଦୁର୍ବଳ ହୋଇ ଝଡିବା ଆରମ୍ଭ କରେ । ତେଣୁ କେଶ ଝଡିବା କମାଇବାକୁ ହେଲେ ମୁଣ୍ଡର ତ୍ବଚା ପ୍ରତି ଧ୍ୟାନ ଦେବା ଜରୁରୀ । ଏ କ୍ଷେତ୍ରରେ ନଡିଆ ତେଲ ବ୍ୟବହାର ଲାଭଦାୟକ ହୋଇପାରେ । ବିଶେଷଜ୍ଞଙ୍କ ଅନୁସାରେ, ଯଦି କେଶ ମୂଳ ମଜଭୁତ ହୁଏ ତେବେ ଝଡିବା ସମସ୍ୟା ବହୁତ କମିଯାଏ । ନଡିଆ ତେଲ ଏକ ପ୍ରାକୃତିକ ମଇଶ୍ଚରାଇଜର । ଏହା କେଶକୁ ଘନ, ଲମ୍ବା ଓ ମଜଭୁତ କରିଥାଏ ଏବଂ ମୁଣ୍ଡର ତ୍ବଚାକୁ ମଇଶ୍ଚରାଇଜ ରଖିଥାଏ।
ନଡିଆ ତେଲ ଲଗାଇବାର ଫାଇଦା:
କେଶ ଝଡିବା କମାଏ:
ପୁଅ ହେଉ କି ଝିଅ, ଆଜିକାଲି ସମସ୍ତେ କେଶ ଝଡିବା ସମସ୍ୟା ଭୋଗୁଛନ୍ତି । ଯଦି ଆପଣଙ୍କର ବି ଅତ୍ୟଧିକ କେଶ ଝଡୁଛି ତେବେ ନଡିଆ ତେଲ ଲଗାଇବା ଲାଭଦାୟକ ହୋଇପାରେ । ନଡିଆ ତେଲକୁ ମୁଣ୍ଡରେ ହାଲ୍କା ମସାଜ କରନ୍ତୁ । ଏହାଦ୍ବାରା ତେଲ କେଶ ମୂଳ ଯାଏ ପହଞ୍ଚି ଏହାକୁ ମଜଭୁତ କରିଥାଏ ଏବଂ କେଶ ଝଡିବା ସମସ୍ୟା କମ୍ ହୁଏ ।
ସେହିପରି ବର୍ତ୍ତମାନ ଷ୍ଟାଇଲ ଓ ଫ୍ୟାସନ ଭିତରେ ଅନେକ ମହିଳା ମୁଣ୍ଡରେ ବିଭିନ୍ନ କେମିକାଲ ପ୍ରଡକ୍ଟର ବ୍ୟବହାର କରୁଛନ୍ତି । ପରିଣାମସୂରୁପ କେଶର ଗୁଣବତ୍ତା ଖରାପ ହେବା ସହ ଦୁର୍ବଳ ହୋଇଯାଉଛି ଏବଂ ଝଡିବା ଆରମ୍ଭ କରୁଛି ।
ହିଟ୍ ପ୍ରୋଟେକ୍ଟାଣ୍ଟ ଭାବେ କାମ କରେ:
ନଡିଆ ତେଲ ଅନେକ ପ୍ରକାର ଭିଟାମିନ, ଆଣ୍ଟି-ଅକ୍ସିଡାଣ୍ଟ ଓ ଫ୍ୟାଟି ଏସିଡରେ ଭରପୂର ହୋଇଥାଏ । ଏହିସବୁ ପୋଷକ ତତ୍ତ୍ବ କେଶକୁ ସୁସ୍ଥ ରଖିଥାଏ । ନଡିଆ ତେଲକୁ ମାଲିସ କରିବା ଦ୍ବାରା ଏହା କେଶକୁ ପ୍ରଦୂଷଣ ଓ ଉତ୍ତାପ ଜନିତ କ୍ଷତିରୁ ରକ୍ଷା କରିପାରେ ।
କେଶକୁ ମଇଶ୍ଚରାଇଜ କରେ:
ଶୀତ ଦିନେ ମଇଶ୍ଚର ଅଭାବରୁ କେଶ ଅଧିକ ପତାଳା ଦେଖାଯାଏ । ନଡିଆ ତେଲ କେଶର ବିକାଶରେ ସାହାଯ୍ୟ କରେ । ଏହା କେଶକୁ ଗଭୀର ଭାବେ ମଇଶ୍ଚରାଇଜ କରିଥାଏ । ଯାହାଦ୍ବାରା କେଶ ଅଧିକ ମୁଲାୟନ ଓ ଘନ ଦେଖାଯାଏ ।
ରୁପି ସମସ୍ୟା ରୋକେ:
ଶୀତ ଦିନେ ଏକ ବଡ ସମସ୍ୟା ହେଲା ରୁପି । ନଡିଆ ତେଲ ଲଗାଇଲେ ରୁପି ସମସ୍ୟା ଦୂର ହୋଇଥାଏ । କାରଣ ନଡିଆ ତେଲରେ ଆଣ୍ଟି-ଫଙ୍ଗଲ ଓ ଆଣ୍ଟି-ମାଇକ୍ରୋବିୟଲ ଗୁଣ ରହିଛି । ଏହାକୁ ନିୟମିତ ଲଗାଇବା ଦ୍ବାରା ମୁଣ୍ଡର ଚର୍ମ ଶୁଷ୍କ କିମ୍ବା ରୁକ୍ଷ ହୁଏ ନାହିଁ । ଯାହାଫଳରେ ରୁପି ସମସ୍ୟାରୁ ମୁକ୍ତି ମିଳିଥାଏ । ମୁଣ୍ଡ ଧୋଇବାର ଘଣ୍ଟାଏ-ଦୁଇ ଘଣ୍ଟା ପୂର୍ବରୁ 3ରୁ 5 ଚାମଚ ନଡିଆ ତେଲ ନେଇ ମୁଣ୍ଡରେ ମାଲିସ କରନ୍ତୁ । ଏହାପରେ ମୁଣ୍ଡ ସଫା କରନ୍ତୁ । ସପ୍ତାହକୁ କିଛି ଥର ଏପରି କରିବା ଦ୍ବାରା ରୁପି ସମସ୍ୟା କମିଯାଏ ।
ନଡିଆ ତେଲ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବିଶେଷଜ୍ଞଙ୍କ ଅନୁସାରେ, ସପ୍ତାହକୁ ଦୁଇରୁ ତିନି ଦିନ ନଡିଆ ତେଲ ବ୍ୟବହାର କଲେ କେଶ ମଜଭୁତ ହୋଇଥାଏ ।
ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ ଅନୁସାରେ, ନଡିଆ ତେଲ ହେୟାର କର୍ଟେକ୍ସ ଦ୍ବାରା କ୍ଷତିଗ୍ରସ୍ତ କେଶକୁ ରକ୍ଷା କରିଥାଏ ।
ତେବେ କେଶ ବ୍ୟତୀତ ନଡିଆ ତେଲ ତ୍ବଚା ପାଇଁ ମଧ୍ୟ ଲାଭକାରୀ । ଏହାକୁ ମେକଅପ୍ ରିମୁଭର ଭାବେ ବ୍ୟବହାର କରାଯାଇପାରିବ । ସେହିପରି ଶୀତ ଦିନେ ଓଠ ଓ ଗୋଇଠି ଫାଟିବା ସମସ୍ୟା ହେଉଥିଲେ ନଡିଆ ତେଲ ଲଗାଇଲେ ଫାଇଦା ମିଳେ । ଏହାକୁ ତ୍ବଚାକୁ ନରମ ତଥା ମୁଲାୟନ କରିଥାଏ ।
ଏହା ମଧ୍ୟ ପଢନ୍ତୁ: ମେକଅପ୍ କରିବା ପରେ ଆଦୌ କରନ୍ତୁନି ଏହି ଭୁଲ୍, ନହେଲେ 30 ବର୍ଷରେ ଦିଶିବେ 50 ଏହା ମଧ୍ୟ ପଢନ୍ତୁ: ସଫଳତା ପାଇବାକୁ ଚାହୁଁଛନ୍ତି ? ମାନନ୍ତୁ ଗୀତାରେ ଶ୍ରୀକୃଷ୍ଣଙ୍କ ଏହି 7 ଉପଦେଶ ଏହା ମଧ୍ୟ ପଢନ୍ତୁ: କେଶ ସହ ଜମାରୁ କରନ୍ତୁନି ଏହି 7 ଭୁଲ୍, ନହେଲେ ସବୁ ଝଡିଯିବ |
(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)