ନିଜ ଜୀବନସାଥୀ ସହ ରୋମାଣ୍ଟିକ ସମୟ କାଟିବାକୁ ଚାହୁଁଛନ୍ତି ? ଓଡ଼ିଶା ଭିତରେ ହିଁ କୌଣସି ବଜେଟ ଫ୍ରେଣ୍ଡଲି ସ୍ଥାନ ଖୋଜୁଛନ୍ତି ? ତା'ହେଲେ ଏହି ଖବର ଆପଣଙ୍କ ପାଇଁ । ଆଜିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଟିକିଏ ଛୁଟି ମିଳିବା ମାତ୍ରେ ପ୍ରେମୀଯୁଗଳ ପରସ୍ପର ସହ ସମୟ ବିତାଇବାକୁ ପସନ୍ଦ କରନ୍ତି । ଏଥିପାଇଁ ହିଲ୍ ଷ୍ଟେସନ, ସି-ବିଚ୍ ଭଳି ନାନା ମନୋରମ ପର୍ଯ୍ୟଟନସ୍ଥଳୀ ବୁଲିଯିବାକୁ ପ୍ଲାନ କରନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଓଡ଼ିଶାର ଏମିତି କିଛି ଜାଗା ବିଷୟରେ କହିବୁ ଯାହା ରୋମାନ୍ସ ପାଇଁ ପରଫେକ୍ଟ ଲୋକେସନ । କେବଳ ପ୍ରେମିକ/ପ୍ରେମିକା କାହିଁକି, ଏହି ସ୍ଥାନଗୁଡିକ ନବବିବାହିତ ଦମ୍ପତିଙ୍କ ଲାଗି ମଧ୍ୟ ବେଷ୍ଟ ହନିମୁନ୍ ଡେଷ୍ଟିନେସନ ହେବ । ଯେଉଁଠି ସେମାନେ ଗୋଆ, ଦାର୍ଜିଲିଂ ଓ କାଶ୍ମୀର ଭଳି ଅନୁଭୂତି ପାଇପାରିବେ ।
ଆସନ୍ତୁ ଜାଣିବା ରୋମାଣ୍ଟିକ କପଲଙ୍କ ପାଇଁ ଓଡ଼ିଶାର ସବୁଠୁ ଭଲ ସ୍ଥାନଗୁଡିକ ବିଷୟରେ:-
କୋଣାର୍କ:
ନିଜ ଜୀବନସାଥୀ ସହ ସମୟ କାଟିବା ପାଇଁ କୋଣାର୍କ ଠାରୁ ଆଉ କ'ଣ ବା ଭଲ ରୋମାଣ୍ଟିକ ସ୍ପଟ୍ ହୋଇପାରେ । ଏଠି ବିଶ୍ବ ଐତିହ୍ୟ ସୂର୍ଯ୍ୟମନ୍ଦିର ସହ ଆକର୍ଷଣୀୟ ଚନ୍ଦ୍ରଭାଗା ବେଳାଭୂମି ରହିଛି । ସକାଳେ ଏକାଠି ମିଶି ସୂର୍ଯ୍ୟୋଦୟର ଅଦ୍ଭୁତ ସୌନ୍ଦର୍ଯ୍ୟ ଉପଭୋଗ, ହାତରେ ହାତ ଛନ୍ଦି ଚନ୍ଦ୍ରଭାଗା ବିଚ୍ରେ ଚାଲିବା, ସାମୁକା ଗୋଟାଇବା ଓ ବାଲିରେ ବାଲିଘର ତିଆରି କରିବା ଭଳି ରୋମାଣ୍ଟିକ ସ୍ମୃତି ସବୁ ସାଉଁଟି ପାରିବେ । ଆସନ୍ତାକାଲି (ରବିବାର)ଠାରୁ କୌଣାର୍କ ମହୋତ୍ସବ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଦିନ ସାରା ବୁଲାବୁଲି ପରେ ସନ୍ଧ୍ୟାବେଳକୁ ମହୋତ୍ସବରେ ନୃତ୍ୟଗୀତ ଓ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଖାଦ୍ୟର ମଜା ନେଇପାରିବେ ।
ଚିଲିକା:
ପ୍ରେମୀଯୁଗଳ ଓ ନବବିବାହିତ ଯୋଡିଙ୍କ ପାଇଁ ଚିଲିକା ଏକ ଭଲ ରୋମାଣ୍ଟିକ ତଥା ହନିମୁନ ଲୋକେସନ ହୋଇପାରିବ । ଚିଲିକା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ପ୍ରବାସୀ ପକ୍ଷୀମାନଙ୍କ ଲାଗି ଭାରତର ପ୍ରମୁଖ ଶୀତକାଳୀନ ବାସସ୍ଥାନ । ଏଠାରେ ଆପଣ ଏକ ଶାନ୍ତ ସୁନ୍ଦର ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେଇପାରିବେ । ଚିଲିକାର ନୀଳ ଜଳରାଶିରେ ନୌକାବିହାର, ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ଜୀବ ଦେଖିବା ସହ ସନ୍ଧ୍ୟାରେ ହାତ ଧରାଧରି ହୋଇ ଚିଲିକା ତଟରେ ସୂର୍ଯ୍ୟାସ୍ତ ଉପଭୋଗ କରିପାରିବେ । ଏଠାରେ ମିଳୁଥିବା ସୁଆଦିଆ ମାଛ, କଙ୍କଡା ଓ ଚିଙ୍ଗୁଡି ମଧ୍ୟ ଚିଲିକାର ପ୍ରମୁଖ ଆକର୍ଷଣ । ତା'ହେଲେ ଡେରି କାହିଁକି, ଆସନ୍ତା ଛୁଟିରେ ନିଜ ଜୀବନସାଥୀ ସହ ଚିଲିକା ପ୍ଲାନ କରନ୍ତୁ ।
ଗୋପାଳପୁର ବେଳାଭୂମି:
ଗୋପାଳପୁର ବେଳାଭୂମି ବ୍ରହ୍ମପୁର ନିକଟସ୍ଥ ଏକ ମନୋରମ ପର୍ଯ୍ୟଟସ୍ଥଳୀ । ଫଟୋଜେନିକ ସୂର୍ଯ୍ୟୋଦୟର ଦୃଶ୍ୟ ସହିତ ସନ୍ଧ୍ୟାରେ ସାଙ୍ଗ ହୋଇ ବେଳାଭୂମି ତଟରେ ବୁଲିବାର ଅନୁଭୂତି ଆପଣଙ୍କ ଛୁଟିକୁ ଖୁବ୍ ରୋମାଣ୍ଟିକ ଓ ସ୍ମରଣୀୟ କରିଦେବ । ନିଜ ପ୍ରେମକୁ ମଜଭୁତ କରିବା ପାଇଁ ଏବଂ ପରସ୍ପରର ସାଥ୍ ଉପଭୋଗ କରିବା ପାଇଁ ଏହାଠୁ ଆଉ କିଛି ଭଲ ଜାଗା ନ ହୋଇପାରେ ।
ଦାରିଙ୍ଗିବାଡି:
ଓଡ଼ିଶାର କାଶ୍ମୀର ଭାବେ ପ୍ରସିଦ୍ଧ କନ୍ଧମାଳର ଦାରିଙ୍ଗିବାଡି । ଖାସ୍ କରି ଶୀତ ଦିନେ ଏଠିକାର ନୈସର୍ଗିକ ଶୋଭା ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଉଚ୍ଚ ଉଚ୍ଚ ପାହାଡ, ସବୁଜ ବନାନୀର ଅପୂର୍ବ ସମ୍ଭାର ସହ ଧଳା ଫରଫର ଚାଦର ଭଳି କୁହୁଡିର ଆସ୍ତରଣ ପର୍ଯ୍ୟଟକଙ୍କୁ ଦାର୍ଜିଲିଂ ଓ କାଶ୍ମୀରର ଅନୁଭୂତ ଦିଏ । ଏଠାରେ ହିଲ୍ ଭିଉ ପାର୍କ, ନେଚର ପାର୍କ, ଜଳପ୍ରପାତ, କଫି ବଗିଚା, ପାଇନ ବଣ ଆଗନ୍ତୁକଙ୍କ ମନ ମୋହି ନିଏ । ଏଠି ଶୀତୁଆ ପାଗରେ ଜଙ୍ଗଲରେ ଟ୍ରେକିଂର ମଜା ମଧ୍ୟ ଉଠାଇପାରିବେ । ପ୍ରେମୀଯୁଗଳ ତଥା ନବବିବାହିତଙ୍କ ପାଇଁ ଏହି ସ୍ଥାନ ପୁରା ପରଫେକ୍ଟ ।
ଦେଓମାଳି:
ଆପଣ ରାଜ୍ୟର ଉଚ୍ଚତମ ଗିରିଶୃଙ୍ଗ କୋରାପୁଟର ଦେଓମାଳି ମଧ୍ୟ ଭ୍ରମଣ କରିପାରିବେ । ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷ ତମାମ୍ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ଏଠାରେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ରୋମାଣ୍ଟିକ ସମୟ କାଟିପାରିବେ । ସନ୍ଧ୍ୟା ହେବା ପୂର୍ବରୁ କିଛି ଖାଦ୍ୟ, ସ୍ନାକ୍ସ ଓ ପାଣି ନେଇ ପାର୍ଟନର ସହ ଦେଓମାଳିରେ ସୂର୍ଯ୍ୟାସ୍ତ ଦେଖିବାକୁ ବସିଯାଆନ୍ତୁ । ଏହି ସ୍ଥାନ ଫଟୋଗ୍ରାଫର ଏବଂ ପ୍ରକୃତିପ୍ରେମୀଙ୍କ ପାଇଁ ଭୂସ୍ବର୍ଗଠୁ କମ୍ ନୁହେଁ ।
ସାନଘାଗରା ଜଳପ୍ରପାତ:
କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ସାନଘାଗରା ଜଳପ୍ରପାତ ମଧ୍ୟ ଏକ ମନୋରମ ପର୍ଯ୍ୟଟନସ୍ଥଳୀ । ଚାରିପଟେ ସୁଉଚ୍ଚ ପାହାଡ ଓ ସବୁଜ ବନାନୀ ମଧ୍ୟରେ ଝରଝର ନାଦରେ ବହିଯାଉଥିବା ଏହି ଜଳପ୍ରପାତର ଦୃଶ୍ୟ ଖୁବ୍ ଆକର୍ଷଣୀୟ । ଏଠାରେ ଆପଣ ନିଜ ଜୀବନସାଥୀ ସହ ଶାନ୍ତିପୂର୍ଣ୍ଣ ଓ ଆନନ୍ଦମୟ ସମୟ ଅତିବାହିତ କରିପାରିବେ । ଜଳପ୍ରପାତରେ ଗଧୋଇବା ସାଙ୍ଗକୁ ଟ୍ରେକିଂର ମଜା ନେଇପାରିବେ ।
ବିଜୁ ପଟ୍ଟନାୟକ ପାର୍କ:
ସନ୍ଧ୍ୟା ସମୟରେ କୌଣସି ପାର୍କରେ ନିଜ ମନର ମଣିଷର ହାତରେ ହାତ ଛନ୍ଦି ବୁଲିବା ଓ ନିରୋଳାରେ କିଛି ସମୟ କାଟିବାକୁ ଚାହୁଁଥିଲେ ଭୁବନେଶ୍ବରରେ ଥିବା ବିଜୁ ପଟ୍ଟନାୟକ ପାର୍କ ଯାଇପାରିବେ । ଏହା ସହରରେ ଥିବା ସବୁଠୁ ବଡ ପାର୍କଗୁଡିକ ମଧ୍ୟରୁ ଅନ୍ୟତମ । ରାଜଧାନୀରେ ରହୁଥିବା ପ୍ରେମୀଯୁଗଳଙ୍କ ପାଇଁ ଏହା ପ୍ରକୃଷ୍ଟ ସ୍ଥାନ । ଏଠି ଆପଣ ସୁନ୍ଦର ବଗିଚା ଓ ପାଦଚଲା ରାସ୍ତା ମଧ୍ୟରେ ଗଛ ଛାଇ ତଳେ ଥିବା ବେଞ୍ଚ ଉପରେ ନିଜ ପାର୍ଟନର ସହ ବସି ରୋମାଣ୍ଟିକ ମୁହୂର୍ତ୍ତ ଅତିବାହିତ କରିପାରିବେ ।
ଏହା ମଧ୍ୟ ପଢନ୍ତୁ: ବଢିବ ପ୍ରେମ, ଆସିବନି ଫାଟ; ସ୍ବାମୀ-ସ୍ତ୍ରୀ ମାନନ୍ତୁ ଏହି 5 ଟିପ୍ସ ଏହା ମଧ୍ୟ ପଢନ୍ତୁ: ଭାରତର ଏପରି 7 ରହସ୍ୟମୟ ସ୍ଥାନ, ନାଁ ଶୁଣିଲେ ଡରନ୍ତି ଲୋକେ ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏସବୁ ମନ୍ଦିର ? ତାହେଲେ ଡେରି କାହିଁକି... |