ହାଇଦ୍ରାବାଦ: ପାଲେଷ୍ଟାଇନର ଅଧିକାର ଓ ସ୍ବାଧିକାରକୁ ନିଶ୍ଚିତ କରିବା ଓ ଏହାକୁ ମିଳିତ ଜାତିଂସଘର ସଦସ୍ୟ ରାଷ୍ଟ୍ର ଭାବେ ମାନ୍ୟତା ଦେବା ପାଇଁ ଜାତିସଂଘ ଏକ ସଙ୍କଳ୍ପ ପାରିତ କରିଛି । ଏନେଇ ଗତକାଲି (ଶୁକ୍ରବାର) ଏକ ପ୍ରସ୍ତାବ ଜାତିସଂଘ ମହାସଭାରେବୃହତ୍ତ ଭୋଟିଂ ମାର୍ଜିନରେ ପାରିତ ହୋଇଛି । ଏହି ସଂକଳ୍ପ ପାରିତ ହେବା ସହ ଜାତିସଂଘ ସୁରକ୍ଷା ପରିଷଦରେ ପାଲେଷ୍ଟାଇନକୁ 194 ସଦସ୍ୟ ରାଷ୍ଟ୍ର ଭାବେ ମଧ୍ୟ ଗ୍ରହଣ କରିବାକୁ ମହାସଭା ନିଷ୍ପତ୍ତି ଗ୍ରହଣ କରିଛି । ତେବେ ଏହା ସପକ୍ଷରେ ଶତାଧିକ ରାଷ୍ଟ୍ର ମତଦାନ କରିଥିବା ବେଳେ ଆମେରିକା, ଇସ୍ରାଏଲ ଓ ଅନ୍ୟ କିଛି ଦେଶ ଏହାକୁ ବିରୋଧ କରିଛନ୍ତି ।
ଗତକାଲି ପାଲେଷ୍ଟାଇନ ଓ ଆରବ ଦ୍ବାରା ଏହି ସଂକଳ୍ପ ମହାସଭାରେ ଆଗତ କରାଯାଇଥିଲା । ପାଲେଷ୍ଟାଇନର ସ୍ବାଧିକାର ଓ ଅଧିକାରକୁ ନିଶ୍ଚିତ କରିବା ଓ ଏହାକୁ ଜାତିଂସଘର ସଦସ୍ୟ ରାଷ୍ଟ୍ର ଭାବେ ମାନ୍ୟତା ଦେବା ପାଇଁ ଏହି ପ୍ରସ୍ତାବରେ ଉଲ୍ଲେଖ କରାଯାଇଥିଲା । ଏହା ସପକ୍ଷରେ 143ରାଷ୍ଟ୍ର ମତଦାନ କରିଥିବା ବେଳେ 9 ଦେଶ ବିରୋଧରେ ମତଦାନ କରିଥିଲେ । ତେବେ ଅନ୍ୟ 25ଦେଶ ମତଦାନରୁ ନିଜକୁ ବିରତ ରଖିଥିଲେ । ପାଲେଷ୍ଟାଇନର ପଡୋଶୀ ତଥା ପାରମ୍ପରିକ ଶତ୍ରୁ ରାଷ୍ଟ୍ର ଇସ୍ରାଏଲ ସମେତ ଆମେରିକା ଏହା ବିରୋଧରେ ଭୋଟ ଦେଇଥିଲା । ସେହିପରି, ଆର୍ଜେଣ୍ଟିନା, ଚେକ, ହଙ୍ଗେରୀ, ମାଇକ୍ରୋନେସିଆ, ନାଉରୁ, ପାଲା ଏବଂ ପାପୁଆ ନ୍ୟୁ-ଗିନି ପରି 9ଟି ଦେଶ ଏହି ସଙ୍କଳ୍ପ ବିରୋଧରେ ଭୋଟ୍ ଦେଇଥିଲା ।
ତେବେ 2011ରେ ପାଲେଷ୍ଟାଇନ ପ୍ରଥମେ ଜାତିସଂଘ ସଦସ୍ୟତା ପାଇଁ ଆବେଦନ କରିଥିଲା । ରାଷ୍ଟ୍ରପତି ମହମ୍ମଦ ଅବ୍ବାସ ଏହି ପ୍ରସ୍ତାବ ଆଗତ କରିଥିଲେ । ମାତ୍ର ସେତେବେଳେ ଏହା ପାରିତ ହୋଇ ପାରିନଥିଲା । ଜାତିସଂଘ ସୁରକ୍ଷା ପରିଷଦର 15 ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ସର୍ବନିମ୍ନ 9 ସଦସ୍ୟଙ୍କ ଭୋଟର ଆବଶ୍ୟକତା ଥିବା ବେଳେ ପାଲେଷ୍ଟାଇନ ସପକ୍ଷରେ 9 ଭୋଟ ପଡିନଥିଲା । ଏବେ ଇସ୍ରାଏଲ- ପାଲେଷ୍ଟାଇନ ବିବାଦ ଓ ଗାଜା ଆକ୍ରମଣ ପରେ ଏହି ସଙ୍କଟ ସମସ୍ୟା ସମସ୍ତଙ୍କୁ ବ୍ୟଥିତ କରିଛି । ପାଲେଷ୍ଟାଇନକୁ ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ସହ ଏହାର ନାଗରିକଙ୍କୁ ସୁରକ୍ଷା ଦେବା ନେଇ ବିଭିନ୍ନ ରାଷ୍ଟ୍ର ଚିନ୍ତା ପ୍ରକଟ କରିଥିଲେ । ଏବେ ପାଲେଷ୍ଟାଇନକୁ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଜାତିସଂଘ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ପାରିତ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ