ଫ୍ଲୋରିଡା: ଆମେରିକାରେ ପାଳିତ ହେଲା 'ଉତ୍କଳ ଦିବସ' । ପ୍ରବାସୀ ଓଡ଼ିଆ ଅନୁଷ୍ଠାନ 'ଫ୍ଲୋରିଆ' ତରଫରୁ ଆମେରିକାର ଫ୍ଲୋରିଡା ରାଜ୍ୟରେ ଥିବା ଟାମ୍ପା ସହରରେ ପାଳିତ ହୋଇଛି 88ତମ ଉତ୍କଳ ଦିବସ । ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ତଥା ମାଆ ମାଟି ଆଉ ମାତୃଭାଷା ପ୍ରତି ଶ୍ରଦ୍ଧା ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଫ୍ଲୋରିଆ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ପାଖାପାଖି 200 ଓଡି଼ଆ ପରିବାର ସାମିଲ ହୋଇଥିଲେ ।
ଓଡ଼ିଆ ଜାତିର ଗର୍ବ ଓ ଗୌରବର ଦିବସ ଉତ୍କଳ ଦିବସ । 1936 ମସିହା ଏପ୍ରିଲ 1 ତାରିଖରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା ଆମ ରାଜ୍ୟ ଓଡ଼ିଶା । ଏହି ଦିବସ ପ୍ରତି ଓଡ଼ିଆଙ୍କ ପାଇଁ ସ୍ମରଣୀୟ ଦିବସ । ତେବେ କେବଳ ଆମ ରାଜ୍ୟ ଓଡ଼ିଶାରେ ନୁହେଁ ବରଂ ଦେଶ ବିଦେଶରେ ମଧ୍ୟ ଖୁବ ଧୁମଧାମରେ ପାଳନ ହୋଇଛି ଉତ୍କଳ ଦିବସ । ଆମେରିକା ଫ୍ଲୋରିଡାରେ ବସବାସ କରୁଥିବା ଓଡି଼ଆ ପ୍ରବାସୀମାନେ ଖୁବ ଆନନ୍ଦ ଉଲ୍ଲାସର ପାଳନ କରିଛନ୍ତି 88ତମ ଉତ୍କଳ ଦିବସ ।
ପ୍ରବାସୀ ଓଡ଼ିଆ ଅନୁଷ୍ଠାନ 'ଫ୍ଲୋରିଆ' ତରଫରୁ ଏହି ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏଥିରେ 200ରୁ ଅଧିକ ଓଡ଼ିଆ ପରିବାର ସାମିଲ ହୋଇ ବେଶ ଉପଭୋଗ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର କୁନି କୁନି ସଦସ୍ୟମାନେ 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ଗାନ କରିଥିଲେ । ଓଡ଼ିଶୀ, ସମ୍ୱଲପୁରୀ ନୃତ୍ୟ ସାଙ୍ଗକୁ ଆଧୁନିକ ନୃତ୍ୟ, ମନଲୋଭା ପୁରୁଣା ଓ ନୂଆ ଓଡ଼ିଆ ସଙ୍ଗୀତ ମଧ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନର କଳାକାରମାନେ ଏକ ବ୍ୟଙ୍ଗାତ୍ମକ ନାକ ମଞ୍ଚସ୍ଥ କରିଥିଲେ । ଯାହାକୁ ବେଶ ଉପଭୋଗ କରିଥିଲେ ଓଡ଼ିଆ ପ୍ରବାସୀମାନେ ।
ଓଡ଼ିଶାର କଳା, ସାହିତ୍ୟ, ସମୃଦ୍ଧ ସଂସ୍କୃତି, ଐତିହ୍ୟ,ବାଣିଜ୍ୟ ଓ ପର୍ଯ୍ୟଟନ ବେଶ ସ୍ୱତନ୍ତ୍ର । ଆମର ମନ୍ଦିରରେ କଳା, ଭାସ୍କର୍ଯ୍ୟ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । କେଉଁ ପୁରାତନ କାଳରେ ଜାଭା ସୁମାତ୍ରା ଭଳି ଦେଶ ସହ ବାଣିଜ୍ୟ କାରବାର କରୁଥିଲା ଉତ୍କଳ । ଓଡ଼ିଶା ଜାତିର ଅସ୍ମିତାର ସୁରକ୍ଷା ନେଇ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଯାହାକୁ ନେଇ ପ୍ରତିଟି ସ୍ୱାଭିମାନୀ ଓଡ଼ିଆ ଗର୍ବ କରେ ଓ ରାଜ୍ୟ ହେଉ ବା ବିଦେଶରେ ସବୁଠି ଓଡ଼ିଆ ପାଳିଥାଏ ନିଜର ସ୍ୱାଭିମାନର ଦିନ ଉତ୍କଳ ଦିବସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ