ବିଶ୍ବରେ ଏଚ୍ଆଇଭି ସଂକ୍ରମଣ ବା ଏଡସ୍ ଏକ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା । ଏହି ରୋଗର ଚିକିତ୍ସା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟିକା ବାହାରି ପାରିନାହିଁ । ସାଧାରଣତଃ ଅସୁରକ୍ଷିତ ଯୌନ ସମ୍ପର୍କ କିମ୍ବା ଅଧିକ ଲୋକଙ୍କ ସହ ଶାରିରୀକ ସମ୍ପର୍କ ରଖିବା କାରଣରୁ ଏଡସ୍ ହୋଇଥାଏ ବୋଲି କୁହାଯାଏ । କିନ୍ତୁ ଏହାଛଡା ଏଡସ୍ ସଂକ୍ରମିତଙ୍କଠାରୁ ରକ୍ତ ଗ୍ରହଣ, ସଂକ୍ରମିତ ବ୍ୟକ୍ତିଙ୍କ ଦ୍ବାରା ବ୍ୟବହୃତ ଛୁଞ୍ଚି ପୁନଃବ୍ୟବହାର କରିବା ଦ୍ବାରା ବି ଏହା ଅନ୍ୟକୁ ସଂକ୍ରମିତ କରିଥାଏ । ଯେକୌଣସି ବୟସର ଲୋକଙ୍କୁ ଏଡସ୍ ହୋଇପାରେ । ଏହି ଲୋକମାନେ କେବଳ ଶାରିରୀକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ ସାମାଜିକ ବିଭେଦର ମଧ୍ୟ ଶିକାର ହୁଅନ୍ତି । ଏଡସ୍ ବିଷୟରେ ଅଧିକ ଜନସଚେନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 1 ତାରିଖକୁ 'ବିଶ୍ବ ଏଡସ୍ ଦିବସ' ଭାବେ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି 'ଠିକ୍ ରାସ୍ତାରେ ଚାଲନ୍ତୁ: ମୋ ସ୍ବାସ୍ଥ୍ୟ, ମୋର ଅଧିକାର' (Take the rights path: My health, my right)
ଏଡସ୍ ଏକ ଘାତକ ରୋଗ । ଭାରତରେ ଏଡସ୍ ସଂକ୍ରମିତଙ୍କ ସଂଖ୍ୟା ବିଶ୍ବରେ ତୃତୀୟ । ଏହି ରୋଗର ଲକ୍ଷଣ ହଠାତ୍ ଜଣାପଡେ ନାହିଁ । ଏଚ୍ଆଇଭି ସଂକ୍ରମଣର ପ୍ରଥମେ ମାସ କିମ୍ବା ଏହା ପରେ ଅନେକ ଲୋକଙ୍କଠାରେ ଲକ୍ଷଣ ଦେଖାଯିବା ଆରମ୍ଭ କରେ । କିନ୍ତୁ ଏହା ଯେ ଏଡସ୍ର ଲକ୍ଷଣ ସେମାନେ ତୁରନ୍ତ ଜାଣିପାରନ୍ତି ନାହିଁ । ଏହାର କାରଣ ହେଲା, ଏଡସ୍ର ପ୍ରାରମ୍ଭିକ ଲକ୍ଷଣଗୁଡିକ ଫ୍ଲୁ ଏବଂ ଅନ୍ୟାନ୍ୟ ଋତୁକାଳୀନ ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ସହ ମେଳ ଖାଇଥାଏ ।
ଏଡସ୍ ସଂକ୍ରମଣର ଲକ୍ଷଣଗୁଡିକ ହେଲା:-
- ସବୁବେଳେ ହାଲୁକା ଜ୍ବର ରହିବା
- ଅଧିକ ଥଣ୍ଡା ଲାଗିବା
- ପ୍ରାୟ ସବୁ ସମୟରେ ମୁଣ୍ଡବିନ୍ଧା ହେବା
- ଗଳା ଖସ୍ଖସ୍
- ଅତ୍ୟଧିକ ଥକ୍କାପଣ ଲାଗିବା, ଟିକିଏ କାମରେ ହାଲିଆ ଲାଗିବା
- ଗଣ୍ଠି ଓ ମାଂସପେଶୀରେ ଯନ୍ତ୍ରଣା
- ଚର୍ମରେ ରାସେସ୍ ହେବା, କୁଣ୍ଡେଇ ହେବା
- ବାନ୍ତି ଲାଗିବା
- ଡାଇରିଆ
- ଓଜନ ହ୍ରାସ ହେବା
- ନିଦ ସମସ୍ୟା
ଏହିସବୁ ସମସ୍ୟା ଏଡସ୍ର ଲକ୍ଷଣ ହୋଇପାରେ ।
କେମିତି ଏଡସ୍ ରୋଗରୁ ଦୂରେଇ ରହିବେ ?
- ସବୁବେଳେ ସୁରକ୍ଷିତ ଯୌନ ସମ୍ପର୍କ ରଖବାର ଅଭ୍ୟାସ କରନ୍ତୁ ।
- ନିୟମିତ ଭାବେ ହସ୍ପିଟାଲରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ ।
- ନିଶାଦ୍ରବ୍ୟ ଇଞ୍ଜେକ୍ଟ କରୁଥିଲେ ନିଜକୁ ସୁରକ୍ଷିତ ରଖନ୍ତୁ ।
- ସିରିଞ୍ଜ ବା ଛୁଞ୍ଚି ଓ ରେଜର ବ୍ଲେଡ କାହା ସହ ସେୟାର କରନ୍ତୁ ନାହିଁ ।
- ସବୁବେଳେ ନୂଆ ସିରିଞ୍ଜ ବ୍ୟବହାର ହେଉଛି କି ନାହିଁ ସୁନିଶ୍ଚିତ କରନ୍ତୁ ।
- ପ୍ରି-ଏକ୍ସପୋଜର ପ୍ରୋଫିଲେକ୍ସିସ (PrEP) ବ୍ୟବହାର କରନ୍ତୁ ।
- ନିଜକୁ ଓ ଅନ୍ୟମାନଙ୍କୁ ଏଚଆଇଭି ସଂକ୍ରମଣ ସମ୍ପର୍କରେ ସଚେତନ କରାନ୍ତୁ ।
ଏହା ମଧ୍ୟ ପଢନ୍ତୁ: କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି କି ? ଏହି ଭୁଲ ପଡିପାରେ ଭାରି ଏହା ମଧ୍ୟ ପଢନ୍ତୁ: ମଳରେ ରକ୍ତ ପଡିବା କେବଳ ମଳକଣ୍ଟକ ନୁହେଁ, ହୋଇପାରେ ଏହି କ୍ୟାନ୍ସର ଏହା ମଧ୍ୟ ପଢନ୍ତୁ: ପ୍ରୋଟିନର ଭଣ୍ଡାର ଗ୍ରୀନ ମଟର, ଜାଣନ୍ତୁ ଶୀତ ଦିନେ ଖାଇଲେ କ'ଣ ଲାଭ ହୁଏ |
(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)